ପ୍ରକୃତିର ଅନନ୍ୟ ଉପହାର ‘ଶିମିଳିପାଳ’। ହେଲେ ପ୍ରଦୂଷଣ ପାଇଁ ରଙ୍ଗ ହରାଉଛି। ନାନା ସମସ୍ୟାରେ ସନ୍ତୁଳି ହେଉଛି ଏହି ସବୁଜ ଭୂଖଣ୍ଡ। ଯାହାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ।

Advertisment

ଯଶିପୁର, ୨୬/୮ (ଇମିସ): ମୟୂରଭଞ୍ଜ ଜିଲ୍ଲାରେ ରହିଛି ଜୈବମଣ୍ଡଳ ‘ଶିମିଳିପାଳ’। ଏଠିକାର ପ୍ରାକୃତିକ ଶୋଭା, ଜୀବଜନ୍ତୁ, ପଶୁପକ୍ଷୀ, ନଦୀ, ଜଳପ୍ରପାତ ଓ ଗଛଲତା ପରିବେଶ ପାଇଁ ଯେତିକି ଉପାଦେୟ, ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ସେତିକି ଆକର୍ଷଣୀୟ ପାଲଟିଛି। ସେହିପରି ବାଘରାଣୀ ‘ଖଇରୀ’ର ଇତିହାସ ଏହି ସବୁଜ ଭୂଖଣ୍ଡକୁ ବିଶ୍ବବିଦିତ କରିବାରେ ସହାୟକ ହୋଇପାରିଛି।

ଶିମିଳିପାଳରେ ଗଚ୍ଛିତ ପ୍ରାକୃତିକ ବିଭବର ସଂରକ୍ଷଣ ଲକ୍ଷ୍ୟ ନେଇ ୧୯୯୪ ଜୁନ୍ ୨୨ରେ ଭାରତ ସରକାର ଏହାକୁ ଜୈବମଣ୍ଡଳ ଭାବେ ଘୋଷଣା କରିଥିଲେ। ପରେ ୧୯୮୬ ମସିହା ବେଳକୁ ଶିମିଳିପାଳ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା। ୨,୭୫୦ ବର୍ଗ କିମି ଇଲାକାରେ କାର୍ଯ୍ୟକାରୀ ହୋଇଛି ବ୍ୟାଘ୍ର ପ୍ରକଳ୍ପ ସହ ହସ୍ତୀ ଓ କୁମ୍ଭୀର ପ୍ରଜନନ ପ୍ରକଳ୍ପ। ଏଠାରେ କଳାବାଘ ସହ ମହାବଳ ବାଘ, କଲରାପତରିଆ, ହାତୀ, ଭାଲୁ, ହରିଣ, ବଳିଆ କୁକୁର, ମାଙ୍କଡ଼, ଗୟଳ, ଝିଙ୍କ, କୁଟରା ତଥା ୪୨ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ସହ ୨୪୨ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଏହା ବ୍ୟତୀତ ୨୯ ପ୍ରଜାତିର ସରୀସୃପ ଏବଂ ୧୨ ପ୍ରଜାତିର ଉଭୟଚର ପ୍ରାଣୀ ଅବସ୍ଥାନ କରନ୍ତି।

ଶିମିଳିପାଳରୁ ବାହାରିଛି ଚିରସ୍ରୋତା ନଦୀ ବୁଢ଼ାବଳଙ୍ଗ, ଖଡ଼ଖାଇ, ଖଇରୀ, ଭଣ୍ଡନ, ପୂର୍ବ ଦେଓ, ପଶ୍ଚିମ ଦେଓ, ସାଞ୍ଜ, ପଳପଳା ଆଦି। ଯେଉଁଗୁଡ଼ିକ ଲୋକଙ୍କ ପାଇଁ ଜୀବନରେଖା ପାଲଟିଛନ୍ତି। ବରେହିପାଣି, ଯୋରନ୍ଦl, ଉସ୍କି, ଓଲକୁଦର ଆଦି ଜଳପ୍ରପାତ ଏବଂ ସମୁଦ୍ର ପତ୍ତନଠାରୁ ୧,୧୬୬ ମିଟର ଉଚ୍ଚରେ ଥିବା ଖଇରୀବୁରୁ ଓ ମେଘାସନୀ ପର୍ବତଶୃଙ୍ଗ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଶିମିଳିପାଳର ଅନ୍ୟତମ ବିଭବ ମଧ୍ୟରେ ରହିଛି, ମହାବୃକ୍ଷ ଶାଳ, ମହାବୃକ୍ଷ ଚମ୍ପା, ବିରଳ ଅର୍କିଡ୍‌ ଫୁଲ, ୯୨ ପ୍ରଜାତିର ଗୁଳ୍ମ ଏବଂ ୧,୦୭୬ ପ୍ରଜାତିର ଉଦ୍ଭିଦ ସହ ୮ ପ୍ରଜାତିର ବିଲୁପ୍ତପ୍ରାୟ ଉଦ୍ଭିଦ ଓ ୩୪ ପ୍ରକାର ବିରଳ ଉଦ୍ଭିଦ। ସେହିପରି ନିମ୍ବ, ଅର୍ଜୁନ, ହରିଡ଼ା, ବାହାଡ଼ା, ଅଁଳା, ଅଗ୍ନିଝାଳ, ପଜ, କୁମ୍ଭି, ପିତା ଆଳୁ, ଭୂଇଁଚମ୍ପା, ଗୁଡ଼ମାରି, ଅଶୋକ, ପେଙ୍ଗୁ, ବାସଙ୍ଗ, ରାମତୁଳସୀ, ପୁଦିନା, କରଞ୍ଜ, ବଚ, ଅପରାଜିତା, ଭ୍ରମରମାରି, ମୃତ ସଞ୍ଜିବନୀ, ପାତାଳଗରୁଡ଼ ଭଳି ଅନେକ ଔଷଧୀୟ ବୃକ୍ଷ ମଧ୍ୟ ଶିମିଳିପାଳର ବିଭବକୁ ଅଧିକ ପରିପୁଷ୍ଟ କରିଛି। ତେବେ ପ୍ରଦୂଷଣର ପ୍ରଭାବ ଶିମିଳିପାଳ ଉପରେ ପଡୁଛି। ପ୍ରଭାବିତ ହେଉଛନ୍ତି ଜୀବଜନ୍ତୁ ଓ ଗଛଲତା। ତେଣୁ ସମୟ ଆସିଛି; ସତର୍କ ହେବା, ଅଭୟାରଣ୍ୟକୁ ସୁରକ୍ଷା ଦେବା।