ବିଶ୍ବର ସବୁଠୁ ବୟସ୍କ ବଣୁଆ ପକ୍ଷୀଟିଏ ୭୪ ବର୍ଷ ପରିଣତ ବୟସରେ ଅଣ୍ଡାଦେବା ଘଟଣା ପକ୍ଷୀପ୍ରେମୀମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଉତ୍ତର ଆମେରିକାର ହାଵାଇ ଉପଦ୍ବୀପ ଅନ୍ତର୍ଗତ ‘ମିଡ୍ୱେ ଆଟଲ୍’ ଜାତୀୟ ପକ୍ଷୀବିହାରକୁ ଫେରିଥିବା ‘ଵିସ୍ଡମ୍’ ନାମକ ଲେସାନ୍ ଆଲ୍ବାଟ୍ରସ୍ ଜାତିର ସାମୁଦ୍ରିକ ପକ୍ଷୀଟି ଏଭଳି ବିରଳ କୀର୍ତ୍ତି ସ୍ଥାପନ କରିଥିବା ଜଣାଯାଇଛି। ଏହା ତାହାର ଷାଠିଏତମ ଅଣ୍ଡା ବୋଲି ଅନୁମାନ କରାଯାଉଛି।
ମିଡ୍ୱେ ଆଟଲ୍ ପକ୍ଷୀବିହାରକୁ ପ୍ରତିବର୍ଷ ଲକ୍ଷାଧିକ ସାମୁଦ୍ରିକ ପକ୍ଷୀ ଆସି ଅଣ୍ଡା ଦେବା ସହ ତାହାକୁ ଉଷୁମାଇ ଛୁଆ ଫୁଟାଇଥା’ନ୍ତି। ତେବେ ‘ଵିସ୍ଡମ୍’ ଓ ତା’ର ସାଥୀ ପକ୍ଷୀ ‘ଆକିକମାଇ’ ପ୍ରଶାନ୍ତ ମହାସାଗରରେ ଥିବା ଏହି ପକ୍ଷୀବିହାରକୁ ୨୦୦୬ ମସିହାରୁ ନିୟମିତ ଆସି ସେଠାରେ ଅଣ୍ଡା ଦେବା ସହ ତାହାକୁ ଉଷୁମାଉଥିଲେ। ମାତ୍ର ସାଥୀ ‘ଆକିକମାଇ’ ବହୁ ବର୍ଷ ହେଲା ସେଠାରେ ଆଉ ଦେଖାଯାଉନଥିବା ବେଳେ ଗତ ସପ୍ତାହରେ ‘ଵିସ୍ଡମ୍’ ଜଣେ ନୂଆ ସାଥୀ ସହ ସେଠାରେ ପହଞ୍ଚି ଅଣ୍ତାଦାନ କରିଥିଲା। ଏଥର ତା’ ଅଣ୍ଡାଟି ଉଷୁମା ହୋଇପାରିବ ବୋଲି ପକ୍ଷୀବିହାରର କର୍ମକର୍ତ୍ତାମାନେ ଆଶାବାଦୀ ଅଛନ୍ତି।
ସୂଚନାଯୋଗ୍ୟ, ଆଲ୍ବ୍ରାଟସ୍ ପକ୍ଷୀକୁ ଅଣ୍ଡା ଉଷୁମାଇବା ପାଇଁ ଦୁଇ ମାସ ଲାଗିଥାଏ ଏବଂ ଅଣ୍ଡାରୁ ଛୁଆ ଫୁଟିବାର ପ୍ରାୟ ପାଞ୍ଚ ମାସ ପରେ ଛୁଆଟି ଉଡ଼ି ସମୁଦ୍ର ଆଡ଼କୁ ଯାଇଥାଏ। ସେମାନେ ଅଧିକାଂଶ ସମୟ ସମୁଦ୍ର ଉପରେ ଉଡ଼ି ଉଡ଼ି ଖାଦ୍ୟ ସଂଗ୍ରହ କରିଥା’ନ୍ତି। ‘ଵିସ୍ଡମ୍’ ୧୯୫୬ ମସିହାରେ ଏକ ପ୍ରାପ୍ତବୟସ୍କ ପକ୍ଷୀର ମାନ୍ୟତା ପାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୩୦ଟି ଛୁଆଙ୍କୁ ବଢ଼ାଇସାରିଛି। ଲେସାନ୍ ଆଲ୍ବାଟ୍ରସ୍ ଜାତିର ପକ୍ଷୀଗୁଡ଼ିକ ସାଧାରଣତଃ ୬୮ ବର୍ଷ ଯାଏ ବଞ୍ଚୁଥିବା ବେଳେ ‘ଵିସ୍ଡମ୍’ ଅଦ୍ୟାବଧି ଅତିରିକ୍ତ ୬ ବର୍ଷ ବଞ୍ଚିସାରିଛି।