ବ୍ରହ୍ମପୁର: ଦିନକୁ ଦିନ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ବହୁ ବିରଳ ପଶୁପକ୍ଷୀଙ୍କ ସଂଖ୍ୟା ଲୋପ ପାଇବାକୁ ବସିଲାଣି। ଏଭଳି ଏକ ବିରଳ ପକ୍ଷୀ ହେଉଛି ‘ହ୍ବାଇଟ୍‌ ବେଲିଡ୍‌ ସି ଇଗଲ୍‌’। ଓଡ଼ିଆରେ ଏହି ପକ୍ଷୀକୁ ‘କୁରୁବଳ’ ବୋଲି କୁହାଯାଏ। ଏହି ପକ୍ଷୀଙ୍କ ଉପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ତରଫରୁ ଗବେଷଣା କରାଯାଉଛି। ବିଭାଗୀୟ ପ୍ରଫେସର ବି. ଅଞ୍ଜନ କୁମାର ପୃଷ୍ଟିଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ଗବେଷଣା କରୁଛନ୍ତି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ଉପକୂଳ ଅଞ୍ଚଳରେ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳେ। ଏମାନଙ୍କ ସଂଖ୍ୟା ମାତ୍ର ୧୫୦ ରହିଥିବା ବେଳେ ୩୭ଟି ବସା ରହିଛି। ବିଶେଷ କରି ଏହି ପକ୍ଷୀ ୟୁକାଲିପଟାସ୍‌ ଓ ଝାଉଁ ଗଛରେ ନିଜର ବସା କରିଥାନ୍ତି। କିନ୍ତୁ ବିଭିନ୍ନ ସମୟରେ ହେଉଥିବା ପ୍ରାକୃତିକ ଦୁର୍ବିପାକରେ ଲମ୍ବାଗଛଗୁଡ଼ିକ ଭାଙ୍ଗି ଯାଉଥିବାରୁ କୁରୁବଳ ପକ୍ଷୀ ତାଙ୍କ ବସା କରିପାରୁନାହାନ୍ତି।

Advertisment

ଏଥିପାଇଁ ସେମାନେ ମୋବାଇଲ୍‌ ଟାୱାର୍‌ ଓ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର୍‌ରେ ବସା କରୁଥିବା ଦେଖିବାକୁ ମିଳୁଛି ବୋଲି ପ୍ରଫେସର ପୃଷ୍ଟିଙ୍କ ଅଧୀନରେ ଗବେଷଣା କରୁଥିବା ପିଏଚ୍‌ଡି ଛାତ୍ର ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି। ଯାହାକି ବର୍ତ୍ତମାନ ସେମାନଙ୍କ ପାଇଁ ଏକ ପ୍ରକାର ବିପଦ ସାଜିଛି। ଗତ ୧୫ବର୍ଷ ମଧ୍ୟରେ ଏହି ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୬୨ ପ୍ରତିଶତ ହ୍ରାସ ପାଇଥିବା ‘ଷ୍ଟେଟ୍‌ ଅଫ୍‌ ଇଣ୍ଡିଆସ୍‌ ବାର୍ଡ଼ସ୍‌’ର ରିପୋର୍ଟରୁ ଜଣାଯାଇଛି। ଏଣୁ ଏହି ବିରଳ ପକ୍ଷୀର ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ହେବା ଦରକାର ବୋଲି ପରିବେଶବିତ ମହଲରେ ମତପ୍ରକାଶ ପାଇଛି।

ଚିଲ ଜାତୀୟ ପକ୍ଷୀ କୁରୁବଳଙ୍କ ସଂଖ୍ୟା କମିବା ପଛରେ ବିଭିନ୍ନ କାରଣ ରହିଛି। ବସା ତିଆରି କରିବା ପାଇଁ ଲମ୍ବାଗଛ ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ଟାୱାର୍‌ରେ ବସା କରୁଛନ୍ତି। ବିଭିନ୍ନ ସମୟରେ ଟାୱାର୍‌ରେ ଥିବା ବସା ଭାଙ୍ଗି ଦିଆଯାଉଛି। ଗଞ୍ଜାମ ଜିଲ୍ଲାର ସୁନାପୁର, ବଡ଼ପୁଟି, ଅଗସ୍ତିନୂଆଗାଁ ଅଞ୍ଚଳରେ ଏହି ପକ୍ଷୀ ଦେଖିବାକୁ ମିଳିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗ ଟିମ୍‌ର ସର୍ଭେ ଅନୁସାରେ, ୪ଟି ଜିଲ୍ଲାରେ ଥିବା ୩୭ଟି ବସା ମଧ୍ୟରୁ ୨୮‌ଟି ବସାରେ ପକ୍ଷୀ ଅଛନ୍ତି। କିନ୍ତୁ ସେହି ୨୮ଟି ବସା ମଧ୍ୟରୁ ୨୪ଟି ଟାୱାର୍‌ରେ ରହିଥିବା ବେଳେ ମାତ୍ର ୪ଟି ବସା ଗଛରେ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି କୁରୁବଳ ପକ୍ଷୀ ବସା ତିଆରି କରିବା ପାଇଁ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟାୱାର୍‌ରେ ସର୍ବାଧିକ ୫୦ ମିଟର୍‌ ଉଚ୍ଚତାରେ ଏହି ପକ୍ଷୀଙ୍କ ବସା ଦେଖିବାକୁ ମିଳିଥିବା ବେଳେ ଗଛରେ ପ୍ରାୟ ୧୮ ମିଟର୍‌ରୁ ଅଧିକ ଉଚ୍ଚତାରେ ବସା ରହିଥାଏ।

ସେପ୍ଟେମ୍ବର ଶେଷରୁ ଏପ୍ରିଲ୍‌ ଶେଷ, ନହେଲେ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ପକ୍ଷୀଙ୍କ ନେଷ୍ଟିଂ ସିଜନ୍‌ ବୋଲି ଧରାଯାଏ। ଗୋଟିଏ ମାଈ ପକ୍ଷୀ ଦୁଇରୁ ତିନିଟି ଅଣ୍ଡା ଦେଇଥାନ୍ତି। ଉପକୂଳ ଅଞ୍ଚଳରେ ରହୁଥିବା ଏହି ପକ୍ଷୀ ଜୀବନ୍ତ ସାମୁଦ୍ରିକ ମାଛ, ସରୀସୃପ ପ୍ରଭୃତି ଖାଇଥାନ୍ତି ବୋଲି ଗବେଷକ ଶକ୍ତି ପ୍ରସାଦ କହିଛନ୍ତି। ଇକୋଲୋଜିକାଲ୍‌ ସିଷ୍ଟମ୍‌ରେ ସନ୍ତୁଳନ ବଜାୟ ରଖିବା ପାଇଁ ଏହି ପକ୍ଷୀର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ପକ୍ଷୀଙ୍କ ପାଇଁ ଗଛ ନଥିବାରୁ ସେମାନେ ଉଚ୍ଚଶକ୍ତି ସମ୍ପନ୍ନ ଟାୱାର୍‌ରେ ବସା କରୁଛନ୍ତି। ଏଣୁ ଟାୱାର୍‌ରେ ତିଆରି ହେଉଥିବା ବସା ନଭାଙ୍ଗିବା ପାଇଁ ପରିବେଶବିତ୍‌ ତଥା ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହନ୍ତି, ବିଶ୍ବବିଦ୍ୟାଳୟ ତରଫରୁ ଲୋପ ପାଇଯାଉଥିବା ପକ୍ଷୀଙ୍କୁ ଚିହ୍ନଟ କରାଯାଉଛି। ଛାତ୍ରଛାତ୍ରୀମାନଙ୍କୁ ପକ୍ଷୀ ସମ୍ପର୍କରେ ଜ୍ଞାନ ଦିଆଯାଉଛି। ଯାହାକି ତାଙ୍କର ଗବେଷଣାରେ ବେଶ ଉପଯୋଗୀ ହୋଇପାରୁଛି।