ବିଗତ ୨୦ ବର୍ଷ ଭିତରେ ଭାରତରେ ବାଘମାନଙ୍କ ଦ୍ବାରା ଦଖଲ ସ୍ଥାନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଅପରପକ୍ଷେ, ସେହି କାଳଖଣ୍ଡରେ ବାଘ ସଂଖ୍ୟା ହ୍ରାସ ପାଇଥିବା ଏକ ନୂତନ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଭାରତରେ ସାଧାରଣତଃ ବାଘମାନଙ୍କ ସ୍ଥାନୀୟ ବିଲୁପ୍ତି ସହ ହାରିଦ୍ର୍ୟ, ସଶସ୍ତ୍ର ସଂଘର୍ଷ ଓ ଭୂ-ବ୍ୟବହାର ପରିବର୍ତ୍ତନର ସଂପର୍କ ରହିଥିବା ଏହି ଅନୁସନ୍ଧାନରୁ ଜଣାଯାଇଛି।
‘ସାଇନ୍ସ’ ପତ୍ରିକାରେ ପ୍ରକାଶିତ ଉକ୍ତ ଅଧ୍ୟୟନର ବିବରଣୀରୁ ଗତ ଦୁଇ ଦଶନ୍ଧି ଭିତରେ ଭାରତରେ ବାଘ ଦଖଲ ଅଞ୍ଚଳର ପରିମାଣ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇ ୧,୨୩,୨୦୦ ବର୍ଗକିଲୋମିଟର ହୋଇଥିବା ଜଣାଯାଇଛି। ବାଘମାନେ ନିରନ୍ତର ଭାବରେ ମଣିଷ-ମୁକ୍ତ ସ୍ଥାନ ଅଧିକାର କରିଛନ୍ତି, ବିଶେଷ କରି ୩୫,୨୫୫ ବର୍ଗକିମି ପରିବ୍ୟାପ୍ତ ଶିକାର-ସମୃଦ୍ଧ ସଂରକ୍ଷିତ ଅଞ୍ଚଳକୁ ସେମାନେ ପସନ୍ଦ କରିଛନ୍ତି। କିନ୍ତୁ ଏ ଭିତରେ ୬ କୋଟି ଲୋକଙ୍କ ନିରଟତର ବାସସ୍ଥାନକୁ ମଧ୍ୟ ସେମାନେ ଦଖଲ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ବ୍ୟାଘ୍ରଗଣନା ଅନୁସାରେ ଭାରତ ପରି ଜନବହୁଳ ଦେଶରେ ମୋଟ୍ ୩,୬୦୦ ବାଘ ଥିବା ଜଣାପଡ଼ିଛି, ଯାହା ବିଶ୍ବର ସମଗ୍ର ବାଘ ସଂଖ୍ୟାର ୭୫ ପ୍ରତିଶତ। ଗବେଷକମାନେ ୨୦୦୬ରୁ ୨୦୧୮ ଯାଏ ଦେଶର ମୋଟ୍ ୨୦ଟି ରାଜ୍ୟରେ ବ୍ୟାଘ୍ରର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ୧୨ ବର୍ଷ ଭିତରେ ବାଘମାନେ ଉପନିବେଶରେ ପରିଣତ କରିଥିବା ମୋଟ୍ ୪୧,୭୬୭ ବର୍ଗକି.ମି. ଅଞ୍ଚଳ ମଧ୍ୟରୁ ୨୦୦୨ରୁ ୨୦୧୦ ମଧ୍ୟରେ ପ୍ରାୟ ୩୫ ପ୍ରତିଶତ ନୂତନ ଅଞ୍ଚଳ ଉପନିବେଶରେ ପରିଣତ ହୋଇଥିଲା। ସେହିପରି ୨୦୧୦ରୁ ୨୦୧୪ ଭିତରେ ୨୦ ପ୍ରତିଶତ ଓ ୨୦୧୪ରୁ ୨୦୧୮ ମଧ୍ୟରେ ୪୫ ପ୍ରତିଶତ ସ୍ଥାନ ବ୍ୟାଘ୍ର ଉପନିବେଶ ହୋଇଥିଲା। ଅପରପକ୍ଷେ, ଏହି ୧୨ ବର୍ଷ ଭିତରେ ୧୭,୯୯୨ ବର୍ଗକି.ମି. ପରିମିତ ଅଞ୍ଚଳରେ ବାଘମାନଙ୍କର ସ୍ଥାନୀୟ ବିଲୁପ୍ତି ପରିଲକ୍ଷିତ ହୋଇଥିଲା।
ସେଥିମଧ୍ୟରୁ ୨୦୦୬ରୁ ୨୦୧୦ ଭିତରେ ସର୍ବାଧିକ ୬୪ ପ୍ରତିଶତ, ୨୦୦୬ରୁ ୨୦୧୦ ଭିତରେ ସର୍ବନିମ୍ନ ୧୭ ପ୍ରତିଶତ ଏବଂ ୨୦୧୪ରୁ ୨୦୧୮ ମଧ୍ୟରେ ୧୯ ପ୍ରତିଶତ ବ୍ୟାଘ୍ର ବିଲୋପନ ଦେଖାଦେଇଥିଲା। ଏହି ସ୍ଥାନୀୟ ବିଲୁପ୍ତି ପଛରେ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ବିଚ୍ଛିନ୍ନତା, ବର୍ଦ୍ଧିତ ସହରୀକରଣ, ଭିତ୍ତିଭୂମି ବିକାଶ ଓ ନକ୍ସଲଙ୍କ ଦ୍ବାରା ସଶସ୍ତ୍ର ସଂଘର୍ଷ ଆଦି କାରଣ ରହିଛି। ସେହିପରି ବାଘମାନେ ଏଡ଼ାଉଥିବା ବାସସ୍ଥାନଗୁଡ଼ିକ ମୁଖ୍ୟତଃ ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡ ପରି ପୂର୍ବାଞ୍ଚଳ ରାଜ୍ୟରେ ଅବସ୍ଥିତ। ଏଥି ସହିତ ଗୁରୁ ଘାସିଦାସ, ପାଲାମାଉ, ଉଦନ୍ତୀ-ସୀତାନଦୀ, ଶିମିଳିପାଳ, ସାତକୋଶିଆ ଓ ଇନ୍ଦ୍ରାବତୀ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ସଂଖ୍ୟା ଦେଶରେ ସବୁଠୁ ଦୁର୍ବଳ ବୋଲି ଜଣାପଡ଼ିଛି।