ଜୀବଜଗତର ଏକ ପ୍ରମୁଖ ଅଂଶ ହେଉଛନ୍ତି କୀଟପତଙ୍ଗ। ସେମାନେ ମଣିଷ ଓ ବନ୍ୟପ୍ରାଣୀଙ୍କୁ ଖାଦ୍ୟ ଓ ପୁନଃଚକ୍ରଣ ସେବା ଯୋଗାଇଥା’ନ୍ତି। ସେମାନେ ଆମ ପରିସଂସ୍ଥାର ପ୍ରାୟ ୮୦% ସପୁଷ୍ପକ ଉଦ୍ଭିଦର ପରାଗଣରେ ସହାୟକ ହେବା ସହ ବିଶ୍ବ ଖାଦ୍ୟ ଉତ୍ପାଦନର ୩୫% ପାଇଁ କାରକ ସାଜିଥାଆନ୍ତି। ସେମାନେ ଏତେ ଗୁରୁତ୍ବପୂର୍ଣ୍ଣ ହୋଇଥିବା ସତ୍ତ୍ବେ ସେମାନଙ୍କ ସ୍ଥିତି ବାବଦରେ ଆମେ ଅଜ୍ଞ। ସମ୍ପ୍ରତି ସେମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ତେଣୁ ସଂପୃକ୍ତ ଜାତିଗୁଡ଼ିକୁ ନିରୀକ୍ଷଣ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଆକ୍ରମଣକାରୀ ଜାତିର ବିପଦରୁ ସେମାନଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି।
ଏକ ଗବେଷଣାତ୍ମକ ଆକଳନ ଅନୁଯାୟୀ, ବିଶ୍ବରେ ପ୍ରାୟ ଏକ ନିୟୁତ ଜାତିର କୀଟପତଙ୍ଗ ରହିଛନ୍ତି। ସେମାନଙ୍କ ଭିତରୁ ମାତ୍ର ୧୨,୧୦୦ ଜାତି ବା କେବଳ ୧% ଜାତିଙ୍କ ସ୍ଥିତି ବାବଦରେ ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ମୂଲ୍ୟାଙ୍କନ କରିପାରିଛି ଏବଂ ସେଥିରୁ ୨% ଜାତି ବିପନ୍ନ ବୋଲି ଜଣାଯାଇଛି। ୟୁରୋପ ଓ ଉତ୍ତର ଆମେରିକାର କିଛି ଅଂଶରେ ପ୍ରଜାପତି, ଭଅଁର ଓ କଙ୍କିମାନଙ୍କ ବିଷୟରେ କିଛି ତଥ୍ୟ ରହିଛି, ହେଲେ ଏସିଆ ଓ ଦକ୍ଷିଣ ଆମେରିକାର କିଛି ଅଂଶରେ ପ୍ରାୟ ୯୯% କୀଟପତଙ୍ଗଙ୍କ ବାବଦରେ ବହୁତ କମ୍ ଜଣା ଅଛି। ଏଥି ସହିତ ଆଫ୍ରିକାରେ ସଂପୃକ୍ତ ଜାତିଙ୍କ ବିଷୟରେ ପ୍ରାୟ କୌଣସି ତଥ୍ୟ ନାହିଁ। ଏହାକୁ ଦୂର କରିବା ପାଇଁ ଗବେଷକମାନେ କୀଟପତଙ୍ଗଙ୍କ ସଂଖ୍ୟା ନିରୀକ୍ଷଣ ଏବଂ ସେମାନଙ୍କ ପ୍ରତି ବିପଦର ପ୍ରଭାବର ବିଶ୍ଳେଷଣ ପାଇଁ ଏକ ନୂତନ ଢାଞ୍ଚା ପ୍ରସ୍ତାବ ଦେଇଛନ୍ତି। ତଦନୁସାରେ, ପ୍ରଥମେ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ବ୍ୟାପକ କି ନୁହେଁ ଏବଂ ତାହାର କାରଣ କ’ଣ ଜାଣିବା ଗୁରୁତ୍ବପୂର୍ଣ୍ଣ ବୋଲି ଗବେଷକମାନେ ଗୁରୁତ୍ବାରୋପ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/08/7W4pn8NzMTR93yhhgswS.jpg)