ଅନୁଗୁଳ: ଦିନେ ମହାବଳ ହେଣ୍ଟାଳରେ ଥରୁଥିଲା ସାତକୋଶିଆର ଘଞ୍ଚ ଜଙ୍ଗଲ। ରାତି କ’ଣ ଦିନରେ ବି ଜଙ୍ଗଲକୁ ଯିବାକୁ ଭୟ ଲାଗୁଥିଲା। ବାଘଙ୍କ ସୁରକ୍ଷା ପାଇଁ ଏହି ସାତକୋଶିଆ ଜଙ୍ଗଲକୁ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା ମିଳିଥିଲା। ହେଲେ ଏହି ଅଭୟାରଣ୍ୟ ଏବେ ମହାବଳଶୂନ୍ୟ। ଆଗକୁ ଆଉ ଏଠାରେ ବାଘର ଗର୍ଜନ ଶୁଭିବ କି ନାହିଁ ତାହା ବି ସନ୍ଦେହ। ୨୦୨୧ ନଭେମ୍ବର ୧୩ରେ ଶେଷ ଥର ପାଇଁ ସାତକୋଶିଆରେ ଗୋଟିଏ ବୁଢୀ ବାଘୁଣୀକୁ ଦେଖିବାକୁ ମିଳିଥିଲା। ଟୁଲୁକା ଜଙ୍ଗଲ ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଥିଲା। ଏହାର ଦୁଇଦିନ ପରେ ଛୋଟକେଇ ପାଖରେ ବାଘର ପାଦଚିହ୍ନ ଦେଖିଥିଲେ ବନ କର୍ମଚାରୀ। ଏହାପରଠାରୁ ଆଉ ତା’ ପତ୍ତା ମିଳୁନି। ସାତକୋଶିଆରେ ଲାଗିଥିବା ଶହ ଶହ କ୍ୟାମେରା ବାଘୁଣୀକୁ ଖୋଜି ପାଉନି। ଏପଟେ ତା’ ପାଦଚିହ୍ନ ବି ପାଉ ନାହାନ୍ତି ବନ କର୍ମଚାରୀ। ତେଣୁ ବାଘୁଣୀ ମରିଯାଇଥିବା ଆଶଙ୍କା କରାଯାଉଛି। ବନବିଭାଗ ବି ଏହାକୁ ସ୍ବୀକାର କରିଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଶେଷ ମହାବଳ ବାଘ ଭାବେ ଏହି ବାଘୁଣୀ ରହିଥିଲା। ଆଗରୁ ଗୋଟିଏ ବାଘ ‘ନନ୍ଦନ’ ନନ୍ଦନକାନନକୁ ଚାଲି ଯାଇଥିଲାବେଳେ ବାଘ ବଂଶ ବଢ଼ାଇବାକୁ ବାହାର ରାଜ୍ୟରୁ ଦୁଇଟି ବାଘ ଅଣାଯାଇଥିଲା। ‘ମହାବୀର’ ଶିକାରୀ ଫାଶରେ ପଡ଼ି ପ୍ରାଣ ହରାଇଥିଲା। ‘ସୁନ୍ଦରୀ’ ଜଙ୍ଗଲକୁ ନ ଯାଇ ଜନବସତି ପାଖରେ ରହିଲା। ଦୁଇଜଣଙ୍କୁ ମାରି ଖାଇଲା। ତେଣୁ ତାକୁ ଫେରାଇ ଦିଆଯାଇଛି। ଏହା ପରେ ଶେଷ ବାଘ ଭାବେ ଏହି ବୟସ୍କ ବାଘୁଣୀଟି ବଞ୍ଚିଥିଲା। ତା’ର ବୟସ ୧୫ ବର୍ଷ ଅତିକ୍ରମ କରିଯାଇଥିବା ବନବିଭାଗ କହିଛି। ଏ ଭିତରେ ସାତକୋଶିଆରେ ବାଘ ଗଣନା ମଧ୍ୟ ସରି ଯାଇଛି। ବାଘର ଚିହ୍ନବର୍ଣ୍ଣ ମିଳୁ ନ ଥିବାରୁ ବାଘ ସଂଖ୍ୟା ଶୂନ ବୋଲି ଏଥିରେ ଦର୍ଶାଯାଇଛି।
୨୦୦୭ ବେଳକୁ ସାତକୋଶିଆରେ ଥିଲେ ୧୧ ମହାବଳ ବାଘ। ଏହି ବାଘ ଭିତରୁ ଗୋଟିଏ ନନ୍ଦନକାନନକୁ ଚାଲି ଯାଇଥିଲାବେଳେ ବାକି ସବୁ ଗଲେ କୁଆଡେ? ଗୋଟିଏ ବାଘକୁ ଶିକାର କରାଯାଇଥିବାର ପ୍ରମାଣ ବନବିଭାଗ ପାଖରେ ଅଛି। କିନ୍ତୁ ବାକି ବାଘର ହିସାବ ନେଇ ବିଭାଗ ନିରବ। ବନବିଭାଗର ଖାମଖିଆଲି ମନୋଭାବ ପାଇଁ ଏଠାରେ ମହାବଳ ବାଘକୁ ମାରି ଦିଆଯାଇଥିବା ଆଶଙ୍କା କରାଯାଉଛି। ସରକାରୀ ରିପୋର୍ଟ କହୁଛି ୨୦୦୭ରୁ ଏଯାଏଁ ସାତକୋଶିଆରେ ଗୋଟିଏ ବାଘର ଶିକାର କରାଯାଇଛି। ପୁରୁଣାକୋଟ ଅଞ୍ଚଳରେ ବାଘ ଶିକାର ହୋଇଥିଲାବେଳେ ଶିକାରୀ ଗିରଫ ହୋଇଥିଲା। ଏପଟେ ଗୋଟିଏ ବାଘ ‘ନନ୍ଦନ’ ଏଠାରୁ ନନ୍ଦନକାନନକୁ ଚାଲି ଯାଇଛି। ବାକି ବାଘ ସବୁ ଗଲେ କୁଆଡେ, ତା’ ଉତ୍ତର କାହା ପାଖରେ ନାହିଁ। ହେଲେ ବାଘ ଶିକାର ନେଇ ବାରମ୍ବାର ଖବର ଆସିଛି। ବନବିଭାଗ ଉପରଠାଉରିଆ ଭାବେ ତଦନ୍ତ କରି କାମ ସାରିଛି। ହେଲେ ମୂଳରେ ପହଞ୍ଚିନି। କିଛି ବର୍ଷ ଆଗରୁ ସ୍କୁଲ ବହିରେ ପଢ଼ା ହେଉଥିଲା ସାତକୋଶିଆର କାହାଣୀ। ମହାବଳ ବାଘ ପାଇଁ ଏହି ସାତକୋଶିଆ ପରିଚିତ ବୋଲି ସେତେବେଳେ ପିଲାଙ୍କୁ ଧାରଣା ଦିଆଯାଉଥିଲା। ହେଲେ ଆଜି ମହାବଳଶୂନ୍ୟ। ଏହି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ବାଘଶୂନ୍ୟ କଲା କିଏ ? ଏତେବଡ଼ ଭିତ୍ତିଭୂମି, ମାଳ ମାଳ ଘଞ୍ଚ ଜଙ୍ଗଲ ଥିବାବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଗୋଟିଏ ହେଲେ ବାଘକୁ ବଞ୍ଚାଇ ନପାରିବା ପଛରେ ଷଡ଼୍ଯନ୍ତ୍ରର ଗନ୍ଧ ବାରୁଛନ୍ତି ପରିବେଶବିତ୍। ଏଥିନେଇ ପରିବେଶବିତ୍ ପ୍ରସନ୍ନ କୁମାର ବେହେରା କହିଛନ୍ତି ଯେ, ବନ୍ୟପ୍ରାଣୀ ଆଇନରେ ବାଘ ତଫସିଲଭୁକ୍ତ ପ୍ରଜାତି-୧ରେ ଆସୁଥିଲେ ମଧ୍ୟ ଏଠାରେ ଅବାଧ ଶିକାର ହେଲା। ବାଘର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ବେଶ ମୂଲ୍ୟବାନ ହୋଇଥିବାରୁ ଶିକାରୀମାନେ ମହାବଳକୁ ଟାର୍ଗେଟ୍ କଲେ। ଏପଟେ ବାଘ-ମଣିଷ ବିବାଦରେ ବାଘ ବଳିପଡ଼ିଲେ। ଏହା ରୋକିବାରେ ବନବିଭାଗ ବିଫଳ ହେବାରୁ ଆଜି ସାତକୋଶିଆ ମହାବଳଶୂନ୍ୟ ହୋଇଯାଇଛି।
କମୁଛନ୍ତି ବିଦେଶୀ ପକ୍ଷୀ
ସାତକୋଶିଆ ଦେଇ ଯାଇଥିବା ମହାନଦୀ ଗଣ୍ଡରେ ୩ ବର୍ଷ ହେଲା ବିଦେଶୀ ପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହାକୁ ନେଇ ପରିବେଶବିତ୍ ଓ ପକ୍ଷୀପ୍ରେମୀମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଜଳବାୟୁ ପରିବର୍ତ୍ତନ ଏହାର ବଡ଼ କାରଣ ହୋଇପାରେ ବୋଲି କୁହାଯାଉଛି। ମହାନଦୀ ଗଣ୍ଡକୁ ଶୀତ ଦିନରେ ଥଣ୍ଡା ପରିବେଶ ସହ ଖାଦ୍ୟ ସନ୍ଧାନରେ ବିଦେଶୀ ପକ୍ଷୀ ହଜାର ହଜାର କି.ମି ଦୂରରୁ ଉଡ଼ି ଆସନ୍ତି। ତେବେ ଗତ ୩ବର୍ଷର ପକ୍ଷୀ ଗଣନା ରିପୋର୍ଟ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଠାକୁ ୨୦୨୨ ମସିହାରେ ୪ ହଜାର ୯୫ ପକ୍ଷୀ ଆସିଥିବା ବେଳେ ୨୦୨୩ ମସିହାରେ ଏହା ହ୍ରାସପାଇ ୩ ହଜାର ୮୭୮ରେ ଆସି ପହଞ୍ଚିଥିଲା। ହେଲେ ୨୦୨୪ ମସିହା ପକ୍ଷୀ ଗଣନା ରିପୋର୍ଟରେ ସାତକୋଶିଆକୁ ମାତ୍ର ୩ ହଜାର ୩୩୦ ଟି ପକ୍ଷୀ ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ୩ ବର୍ଷ ମଧ୍ୟରେ ପ୍ରାୟ ହଜାରେ ବିଦେଶୀ ପକ୍ଷୀ କମିଥିବା ଦେଖିବାକୁ ମିଳିଥିଲା।
ଲୋପ ପାଇଗଲା ବିରଳ ଧଳା ହରିଣ
ସାତକୋଶିଆ ଅଭୟାରଣ୍ୟରେ ବହୁ ବିରଳ ପ୍ରଜାତିର ବନ୍ୟଜନ୍ତୁ ଥିବା ବିଭିନ୍ନ ସମୟରେ ଦେଖାଯାଇଛି। ତା’ ମଧ୍ୟରେ ରହିଥିବା ବିରଳ ଧଳା ହରିଣ ବା ଆଲ୍ବିନୋ ଏବେ ଆଉ ଦେଖାଯାଉନାହିଁ। ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟର ମହାନଦୀ ପଠା ଓ ପମ୍ପାସର ରେଞ୍ଜ ଲବଙ୍ଗୀ ଅଞ୍ଚଳରେ ବିରଳ ଧଳା ହରିଣ ଦେଖିବାକୁ ମିଳିଥିଲା। ଏହି ଧଳା ହରିଣ ଅନ୍ୟ ହରିଣମାନଙ୍କ ମେଳରେ ବୁଲୁଥିବାର ଫଟୋକୁ ବର୍ତ୍ତମାନର ପିସିସିଏଫ୍ ବରିଷ୍ଠ ଆଇଏଫ୍ଏସ୍ ସୁଶାନ୍ତ ନନ୍ଦ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। କିନ୍ତୁ ଗଲା ୧୦ ବର୍ଷ ହେବ ବନ ବିଭାଗ କର୍ମଚାରୀ କି ବିଭାଗ ଟ୍ରାପ୍ କ୍ୟାମେରାରେ ଆଉ ଏହି ଧଳା ହରିଣ ଦେଖାଯାଇ ନାହିଁ। ଏହି ଧଳା ହରିଣ ଫଟୋ ୨୦୧୪ ଜୁନ୍ ୬ ତାରିଖରେ ସାତକୋଶିଆ ଅଭୟାରଣ୍ୟ ପକ୍ଷରୁ ପ୍ରକାଶିତ ମାଗାଜିନ୍ରେ ପ୍ରକାଶ ପାଇଥିଲା। ଏହି ଧଳା ହରିଣ ଆପେ ମରିଗଲା ନାଁ ତାକୁ ଶିକାରୀ ମାରିଦେଲେ ତାହା ପ୍ରଶ୍ନ ହୋଇ ରହିଛି।
ଅନ୍ଧାରରେ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ
ବାହାର ରାଜ୍ୟରୁ ବାଘ ଆଣି ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଉଦ୍ୟମ ହୋଇଥିଲା। ହେଲେ ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ଅଣ୍ଡିରା ମହାବଳ ‘ମହାବୀର’ ୨୦୧୮ ନଭେମ୍ବରରେ ପ୍ରାଣତ୍ୟାଗ କରିଥିଲା। ୨୦୨୧ରେ ସୁନ୍ଦରୀ ଫେରିଗଲା। ଏହା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ସାତକୋଶିଆ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡର ହାତୀଧରା ଜଙ୍ଗଲ, ଅନୁଗୁଳ ବନଖଣ୍ଡର ବନ୍ତଳା ଅଞ୍ଚଳ, ମହାନଦୀ ବନଖଣ୍ଡ, ବୌଦ୍ଧ, ଆଠଗଡ଼ ଓ ଢେଙ୍କାନାଳ ବନଖଣ୍ଡର କିଛି କିଛି ଅଞ୍ଚଳ ରହିଛି। ନୟାଗଡ଼ ଜିଲ୍ଲାରେ ମହାନଦୀ ବନଖଣ୍ଡର ମୁଖ୍ୟାଳୟ ରହିଛି। ବ୍ୟାଘ୍ର ବଂଶ ସଂପ୍ରସାରଣ ନିମନ୍ତେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୮ କୋଟି ଟଙ୍କା ମଂଜୁର ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ୬୦ : ୪୦ ହାରରେ ଅର୍ଥ ଯୋଗାଇବା ବ୍ୟବସ୍ଥା ହୋଇଥିଲା। ଏହି ପ୍ରକଳ୍ପରେ ୩ ଯୋଡ଼ା ବାଘ ଛଡ଼ାଯିବାର ଯୋଜନା ରହିଥିଲା। କିନ୍ତୁ ଆରମ୍ଭରୁ ଏହା ଝୁଣ୍ଟିଥିଲା। ତେବେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ ବୋଲି ବନବିଭାଗ କହିଛି। କିନ୍ତୁ ଏହା ପରେ ବାହାର ରାଜ୍ୟରୁ ବାଘ ଅଣାଯିବା ପ୍ରକ୍ରିୟା ହୋଇଥିଲେ ମଧ୍ୟ ସାତକୋଶିଆ ନାମ ଏଥିରେ ନ ଥିବାରୁ ଏହା ଅନିଶ୍ଚିତତା ଭିତରେ ରହିଛି।
କମୁଛନ୍ତି କୁମ୍ଭୀର
ସାତକୋଶିଆ ଗଣ୍ଡ କୁମ୍ଭୀରଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ। କିନ୍ତୁ ଏଇ କିଛି ବର୍ଷ ହେଲା ଏଠାରେ କୁମ୍ଭୀରଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ କମି କମି ଚାଲିଛି। ସରକାରୀ ତଥ୍ୟ ଅନୁସାରେ, ୨୦୧୫ ବେଳକୁ ଏଠାରେ ୮୭ଟି କୁମ୍ଭୀର ଥିଲେ। ୨୦୨୦ ବେଳକୁ ଏହା ବୃଦ୍ଧି ପାଇ ୧୨୧ରେ ପହଞ୍ଚିଥିଲା। ଏହାପରେ କିନ୍ତୁ କୁମ୍ଭୀର ସଂଖ୍ୟା ବଢ଼ିବା ବଦଳରେ କମିବାରେ ଲାଗିଛି। ୨୦୨୧ରେ ୭୨ଟି ମଗର, ୧୧ଟି ଘଡ଼ିଆଡ଼ ସହ ନଦୀ କୁମ୍ଭୀରକୁ ମିଶାଇ ମୋଟ ୧୦୬ଟି କୁମ୍ଭୀର ରହୁଥିଲେ। ହେଲେ ୨୦୨୨ରେ ଏହି ସଂଖ୍ୟା ୭୭କୁ ଖସି ଆସିଛି। ଏଥିରେ ୬୧ଟି ମଗର ଓ ୫ଟି ଘଡ଼ିଆଳ ଅଛନ୍ତି। ସେହିପରି ନଦୀରେ ୧୧ଟି କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଛି।