ବାଂଶପାଳ: ଶୁଖିଗଲା ‌କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଖଣ୍ଡାଧାର ଜଳପ୍ରପାତ। ବର୍ଷତମାମ ଖଣ୍ଡାଧାର ପାହାଡ଼ ଶିଖରରୁ ଖସି ଆସୁଥିବା ଜଳରାଶି ଶୁଖିଯିବାରୁ ଖାଲି ପର୍ଯ୍ୟଟକ ନିରାଶ ହୋଇନାହାନ୍ତି, ପ୍ରଥମ ଥର ପାଇଁ ଏଭଳି ଅସ୍ବାଭାବିକ ଘଟଣା ସମସ୍ତଙ୍କୁ ଚକିତ କରିଛି। ତେ‌ବେ ଏଭଳି ବ୍ୟତିକ୍ରମ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି କହି ପରିବେଶବିତ୍‌ ଓ ପର୍ଯ୍ୟଟକ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେପଟେ ଅନିୟନ୍ତ୍ରିତ ଖଣି ଖନନ ଯୋଗୁଁ ଖଣ୍ଡାଧାରର ଏ ଅବସ୍ଥା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଓଡ଼ିଶାର ଏହି ମନୋରମ ସୁଉଚ୍ଚ ଜଳପ୍ରପାତକୁ ‌ଦେଖିବା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ପର୍ଯ୍ୟଟକମାନେ ଛୁଟି ଆସୁଥିବାବେଳେ ଏ ପ୍ରକାର ସ୍ଥିତି ସ୍ଥାନୀୟ ପର୍ଯ୍ୟଟନକୁ ମଧ୍ୟ ପ୍ରଭାବିତ କରିଛି।

Advertisment

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ର ତଳକାଦକଳା ପଞ୍ଚାୟତରେ ରହିଛି ଖଣ୍ଡାଧାର। ହଳଦୀପାଣି ଝରଣାରୁ ଖସି ଆସୁଥିବା ପାଣି ଖଣ୍ଡାଧାର ପାହାଡ଼ ଉପରୁ ଲମ୍ଫ ପ୍ରଦାନ କରି ଏଠାରେ ଏକ ଜଳପ୍ରପାତର ରୂପ ନେଇଛି। ୩୫୦ ଫୁଟ ଉଚ୍ଚରୁ ଜଳ ଖସୁଥିବାରୁ ଏହାର ନାମକରଣ ହୋଇଛି ଖଣ୍ଡାଧାର। ବର୍ଷତମାମ ଏଠାରେ ପାହାଡ଼ ଉପରୁ ଅନବରତ ପାଣି ଖସିଥାଏ। ବର୍ଷାଦିନେ ଏହାର ସ୍ରୋତ ଅତ୍ୟନ୍ତ ପ୍ରଖର। ଏବେ ଖରାଦିନ ଆରମ୍ଭ ନ ହେଉଣୁ ଖଣ୍ଡାଧାର ଜଳପ୍ରପାତ ଏକପ୍ରକାର ଶୁଖିଲା। ଯାହା ଆଗରୁ କେବେ ଦେଖିବାକୁ ମିଳିନଥିଲା ନଥିଲା ବୋଲି ସ୍ଥାନୀୟ ଲୋକେ କହି ଚିନ୍ତାପ୍ରକଟ କରିଛନ୍ତି।

ଖଣି ଶୋଷିନେଲା ପାଣି
ପ୍ରଥମ ଥର ଘଟିଲା ବ୍ୟତିକ୍ରମ
ପରିବେଶବିତ୍‌ଙ୍କ ଉଦ୍‌ବେଗ

ଖଣ୍ଡାଧାର ପାହାଡ଼ଠାରୁ ୫୦୦ ମିଟର ଦୂରରେ ରହିଛି ହଳଦୀପାଣି ଝରଣା ଏବଂ ଝରଣାଠାରୁ ଦେଢ଼କିଲୋମିଟର ଦୂରରେ ରହିଛି ସିରିକାକୁଟ ଲୁହାପଥର ଖଣି। ଏଠାରୁ ଲୁହାପଥର ଖନନ କରାଯାଉଛି। ଅନିୟନ୍ତ୍ରିତ ଖଣି ଖନନର ପ୍ରଭାବ ଖଣ୍ଡାଧାର ଉପରେ ପଡ଼ିଥିବା ଅଭିଯୋଗ ହେଉଛି।  ଝରଣାରୁ ବହି ଆସୁଥିବା ଜଳ ତା’ର ଦିଗ ପରିବର୍ତ୍ତନ କରିଥିବାରୁ ଖଣ୍ଡାଧାରରୁ ଅଳ୍ପ ଅଳ୍ପ ପାଣି ଝରୁଛି। ସୁଉଚ୍ଚ ପାହାଡ଼ ଉପରୁ ଅନବରତ ପାଣି ପଡ଼ୁଥିବାରୁ ପୂର୍ବରୁ ଏଠାରେ ସବୁଦିନ ଇନ୍ଦ୍ରଧନୁ ଦେଖିବାକୁ ମିଳୁଥିଲା। ଜଳପ୍ରପାତ ଓ ଇନ୍ଦ୍ରଧନୁର ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କର ଭିଡ଼ ଜମୁଥିଲା। ଏବେ ଏଠାରେ ଆଉ ପାଣି ନାହିଁ କି ଇନ୍ଦ୍ରଧନୁ ବି ଦେଖିବାକୁ ମିଳୁନି।

ଏ ସମ୍ପର୍କରେ ତଳକାଦକଳା ସରପଞ୍ଚ ଅଦିତି ଦେହୁରୀ କହିଛନ୍ତି, ଖଣ୍ଡାଧାର ଉପରମୁଣ୍ଡରେ ଅହରହ ଖଣି ଖନନ ସାଙ୍ଗକୁ ଘନଘନ ବ୍ଲାଷ୍ଟିଂ କରାଯାଉଛି। ଏହାର ପ୍ରଭାବ ପରିବେଶ ଉପରେ ପଡ଼ୁଛି। ଖଣ୍ଡାଧାର ଜଳପ୍ରପାତର ଜଳସ୍ରୋତ ହ୍ରାସ ପାଇଛି। ଯୁବ ସମାଜସେବୀ ଦୀପକ ବେହେରା କହିଛନ୍ତି, ଖଣି ଖନନ ପ୍ରଭାବରୁ ଖଣ୍ଡାଧାର ମରିବାକୁ ବସିଲାଣି। ପର୍ଯ୍ୟଟକ ନିରାଶ ହେଉଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର। ସେହିପରି ଖଣ୍ଡାଧାର ଜଳପ୍ରପାତ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକେ ଏଠାରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବ୍ୟବସାୟ ପ୍ରଭାବିତ ହୋଇଥିବା ତଳକାଦକଳା ସମିତିସଭ୍ୟ ଯଦୁମଣି ଠାକୁର, ସୀତାରାମ ଦଣ୍ଡୁଆସି ପ୍ରକାଶ କରିଛନ୍ତି। ‌ଏ ସଂକ୍ରାନ୍ତରେ ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି, ଖଣି ଖନନ ଓ ଭିତ୍ତିଭୂମି ବିକାଶ ପାଇଁ ଅହରହ ଗଛ କଟାଯାଇ ଜଙ୍ଗଲ ସମ୍ପଦକୁ ଧ୍ବଂସ କରାଯାଉଛି। ଯେଉଁଥିପାଇଁ ଏଭଳି ଅସ୍ବାଭାବିକ ଘଟଣା ଘଟୁଛି। ଏବେଠୁ ସଚେତନ ନ ହେଲେ ଆଗକୁ ସ୍ଥିତି ଭୟଙ୍କର ହେବ।