ସୋନପୁର/ ଡୁଙ୍ଗୁରିପାଲି/ ଖାରି/ ଲଛିପୁର: ବିକାଶ ନାଁରେ ବ୍ୟାପକ ଗଛକଟା ବନ୍ଦ କରିବା। ଚାଷ ପାଇଁ ରାସାୟନିକ ସାରର ବହୁଳ ବ୍ୟବହାର ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ, ଯଥା ସମ୍ଭବ ଏସି, ରେଫ୍ରିଜରେଟର ବ୍ୟବହାର କମ୍‌ କରିବା ତଥା ଜଙ୍ଗଲ ବୃଦ୍ଧି ପାଇଁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଶାଲପାଲିଠାରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। 

Advertisment

ପରିବେଶ ସୁରକ୍ଷା ଲାଗି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଛକୋରମାଲର ପୂର୍ବ ସରପଞ୍ଚ ଶଙ୍କର ପ୍ରସାଦ ସା ଅଧ୍ୟକ୍ଷତା କରିଥିଲେ। ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଲେ ଯେ, ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ଏବଂ ବୃକ୍ଷରୋପଣ ହିଁ ଏକମାତ୍ର ମାଧ୍ୟମ। ପୃଥିବୀର ଫୁସ୍‌ଫୁସ୍‌ ହେଉଛି ଜଙ୍ଗଲ। ଜନସଂଖ୍ୟା ତୁଳନାରେ ସାରା ବିଶ୍ବରେ ଜଙ୍ଗଲ କମ୍‌ ଅଛି ବୋଲି ବିଧାୟକ ଶ୍ରୀ ପୂଜାରୀ କହିଛନ୍ତି।  ସେହିପରି ସନ୍ତୁଳିତ ପରିବେଶ ପାଇଁ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଚିରସ୍ରୋତା ମହାନଦୀ, ଅଙ୍ଗନଦୀ ଏବଂ ତେଲନଦୀରେ ଆଗରୁ ଯେତିକି ଜଳ ପ୍ରବାହ ହେଉଥି‌ଲା ଏବେ ତାହା କମିଛି।

ସେହିପରି କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ସମଗ୍ର ଭାରତ ବର୍ଷରେ ମଧ୍ୟ ଭୂତଳ ଜଳ ମଧ୍ୟ ହ୍ରାସ ପାଇଛି। ଗ୍ଲୋବାଲ ୱାର୍ମିଂର ପ୍ରଭାବ ଯୋଗୁଁ ପରିବେଶ ଅସନ୍ତୁଳିତ ହେଉଛି। ଯାହା ଫଳରେ ଶୀତ, ବର୍ଷା କମୁଥିବା ବେଳେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି; ଯାହାକି ଚିନ୍ତାର ବିଷୟ। ତେଣୁ ସନ୍ତୁଳିତ ପରିବେଶ ପାଇ ବୃକ୍ଷରୋପଣ ସହ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।  ଲଛିପୁର ଜୁନିଅର କଲେଜ ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ ମୁଖ୍ୟବକ୍ତା, ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କମ୍ପ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ରାମପୁର ଶ୍ରୀରାମ କଲେଜ ପରିଚାଳନା କମିଟି ସଭାପତି ରମେଶ ପୂଜାରୀ, ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମକରଧ୍ବଜ ସାହୁ ଓ ପରିବେଶବିତ୍‌ କରମଚାନ୍ଦ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ମତ କରିଥିଲେ।