ଆଜି ଦିନରେ ଜନ୍ମିତ ଶିଶୁମାନେ ପୂର୍ବରୁ କେବେ ଦେଖି ନ ଥିବା ଗ୍ରୀଷ୍ମ ଲହରି, ବନ୍ୟା, ମରୁଡ଼ି, ବନାଗ୍ନି, ଘୂର୍ଣ୍ଣିଝଡ଼ ଓ ଫସଲ ବିଫଳତା ପରି ଜଳବାୟୁର ଚରମ ପରିସ୍ଥିତିର ସମ୍ମୁଖୀନ ହେବେ ଏବଂ ସବୁଠାରୁ ଗରିବ ଲୋକମାନେ ଏହି ସଙ୍କଟର ବେଶୀ ଶିକାର ହେବେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନର ଚରମ ପରିସ୍ଥିତି ପ୍ରତି ମାନବ ପ୍ରତିକ୍ରିୟାର ବିଶ୍ଳେଷଣରୁ ଗବେଷକମାନେ ଜାଣିପାରିଛନ୍ତି ଯେ ୨୦୨୦ ମସିହାରେ ଜନ୍ମିତ ପିଲାମାନେ ୧୯୬୦ରେ ଜନ୍ମିତ ଲୋକମାନଙ୍କ ତୁଳନାରେ ୧୦ ହଜାର ବର୍ଷରେ ଘଟୁଥିବା ଚରମ ପାଣିପାଗ ଘଟଣାର ସାମ୍ନା କରିବାର ଆଶଙ୍କା ଦୁଇରୁ ସାତ ଗୁଣ ଅଧିକ।
ବର୍ତ୍ତମାନର ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ହାରାହାରି ତାପମାତ୍ରା ୨.୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ଏହି ସ୍ଥିତି ଉପୁଜିବ।
ଯଦି ବିଶ୍ୱ ଆହୁରି ଦ୍ରୁତ ଗତିରେ ଉଷ୍ମ ହୋଇ ୨୧୦୦ ସୁଦ୍ଧା ତାପମାତ୍ରା ୩.୫ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିଯାଏ, ତେବେ ଆଜିର ୫ ବର୍ଷ ବୟସର ୯୨% ପିଲା ସେମାନଙ୍କ ଜୀବନରେ ମାରାତ୍ମକ ଗରମ, ୨୯% ପିଲା ଫସଲ ବିଫଳତା ଓ ୧୪% ପିଲା ବନ୍ୟାର ସମ୍ମୁଖୀନ ହେବେ। ତାପମାତ୍ରା ବୃଦ୍ଧିକୁ ଶିଳ୍ପାୟନ ପୂର୍ବ ସମୟରୁ ପ୍ରାୟ ୧.୫ ସେଲସିଅସ୍ ଭିତରେ ସ୍ଥିର ରଖିପାରିଲେ ବି ଆଜିର ପ୍ରାୟ ଅଧା ଯୁବପିଢ଼ି ସେମାନଙ୍କ ଜୀବନକାଳରେ ଅଭୂତପୂର୍ବ ସଂଖ୍ୟକ ଗ୍ରୀଷ୍ମ ଲହରିର ସମ୍ମୁଖୀନ ହେବେ। ୩.୫ ସେଲସିଅସ୍ ପରିସ୍ଥିତିରେ, ୯୦%ରୁ ଅଧିକ ଲୋକ ସେମାନଙ୍କ ଜୀବନକାଳ ମଧ୍ୟରେ ଗ୍ରୀଷ୍ମ ଲହରିର ସମ୍ମୁଖୀନ ହେବେ।
ଜଳବାୟୁ ବିଭ୍ରାଟର ପ୍ରଭାବ ଏବଂ ଏହା ଦ୍ୱାରା ସାରା ବିଶ୍ୱରେ ସୃଷ୍ଟ ଅପ୍ରତ୍ୟାଶିତ ଗ୍ରୀଷ୍ମପ୍ରବାହ, ଝଡ଼, ମରୁଡ଼ି, ବନ୍ୟା, ବିଲୁପ୍ତୀକରଣ ଓ ବନାଗ୍ନି ଯୋଗୁଁ ମାନବୀୟ ଦୁଃଖ ବଢ଼ିଚାଲିଛି। ୨୧୦୦ ସୁଦ୍ଧା ୧.୫ ଡିଗ୍ରି ସେଲସିୟସ୍ ପରି ସବୁଠାରୁ ସୀମିତ ବିଶ୍ୱ ଉଷ୍ମତା ପରିସ୍ଥିତିରେ ୧୯୬୦ରେ ଜନ୍ମିତ ୧୬% ପିଲାଙ୍କ ତୁଳନାରେ ୨୦୨୦ରେ ଜନ୍ମିତ ୫୨% ପିଲା ଅଭୂତପୂର୍ବ ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହେବେ। ଯଦି ତାପମାତ୍ରା ବୃଦ୍ଧି ୩.୫ ଡିଗ୍ରି ସେଲସିୟସ୍କୁ ପହଞ୍ଚିଯାଏ, ତେବେ ଏହି ହାର ୯୨%କୁ ବୃଦ୍ଧି ପାଇବ। ଏହି ଅବସରରେ ଫସଲ ବିଫଳତା, ବନାଗ୍ନି, ମରୁଡ଼ି, ବନ୍ୟା ଓ ଘୂର୍ଣ୍ଣିବାତ୍ୟାର ଆଶଙ୍କା ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବ।
ଉଦାହରଣ ସ୍ୱରୂପ, ୩.୫ ଡିଗ୍ରି ସେଲ୍ସିୟସ୍ ସ୍ଥିତିରେ ୨୦୨୦ରେ ଜନ୍ମିତ ୨୯% ପିଲା ଜୀବନକାଳ ମଧ୍ୟରେ ଅଭୂତପୂର୍ବ ଫସଲ ବିଫଳତାର ସମ୍ମୁଖୀନ ହେବେ। ଏହାଦ୍ବାରା ଯୁକ୍ତରାଷ୍ଟ୍ର, ଦକ୍ଷିଣ ଆମେରିକା, ଉପସାହାରା ଆଫ୍ରିକା ଓ ପୂର୍ବ-ଏସିଆ ଆଖପାଖରେ ଥିବା ଲୋକଙ୍କ ପାଇଁ ବିପଦ ବୃଦ୍ଧି ପାଇବ। ସବୁଠାରୁ ସାମାଜିକ-ଅର୍ଥନୈତିକ ଭାବରେ ଦୁର୍ବଳ ଅଞ୍ଚଳରେ ଜନ୍ମିତ ପିଲାମାନେ, ସବୁଠୁ ଅଧିକ ପ୍ରଭାବିତ ହେବେ। ବର୍ତ୍ତମାନର ଧାରା ଜାରି ରହିଲେ, ନିମ୍ନ ଆୟ ବର୍ଗରେ ଜନ୍ମିତ ଆଜିର ପାଞ୍ଚ ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ୯୨% ଆଜୀବନ ବିପଦର ସମ୍ମୁଖୀନ ହେବେ, ଯାହା ଧନୀ ପୃଷ୍ଠଭୂମିର ପିଲାମାନଙ୍କ କ୍ଷେତ୍ରରେ ୭୯% ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/13/KUYAnXGeGQzz4IDDemST.jpg)