ବରୀ: ଜଳବାୟୁ ପରିବର୍ତ୍ତନ ଏବେ ଚିନ୍ତାର କାରଣ ସାଜିଛି। ଋତୁ ବଦଳୁଛି ମାତ୍ର ଋତୁ ଅନୁସାରେ ଅନୁଭବ କରି ହେଉନାହିଁ। ପରିବେଶ ସୁରକ୍ଷା ଜୀବନ ରକ୍ଷାର ଏକମାତ୍ର ବିକଳ୍ପ। ଆଜି ରମାଦେବୀ ଗୋପବନ୍ଧୁ ଆଶ୍ରମ ପରିସରରେ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ବରୀ ନିର୍ବାଚନମଣ୍ଡଳୀର ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବରୀ ପଞ୍ଚାତସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ଏହା କହିଛନ୍ତି। ‘ସମ୍ବାଦ’ ଗ୍ରୁପ ପକ୍ଷରୁ ଆରମ୍ଭ କରାଯାଇଥିବା ପୃନଶ୍ଚ ପୃଥିବୀ ଅଭିଯାନ ସମସ୍ତ ନାଗରିକଙ୍କ ପାଇଁ ଏକ ଆହ୍ବାନ। ପରିବେଶକୁ ସନ୍ତୁଳିତ କରି ରଖିବା ପାଇଁ ବୃକ୍ଷରୋପଣ ନିତାନ୍ତ ଜରୁରି। ସମିତିକୁ ନିର୍ବାଚିତ ହୋଇଆସିଥିବା ସମସ୍ତ ଜନପ୍ରତନିଧି ସେମାନଙ୍କ ଭବିଷ୍ୟତ ପିଢ଼ିଙ୍କ ପାଇଁ ନିଜ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଆଶ୍ରମ ପରିସରରେ ସମିତି ପକ୍ଷରୁ ବିଧାୟକ, ଜିଲ୍ଲାପରିଷଦ ସଭ୍ୟ, ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତି ସଭ୍ୟ ଓ ସମସ୍ତ ସରପଞ୍ଚ ଦଳମତ ନିର୍ବିଶେଷରେ ନିଜନିଜ ନାମରେ ଗଛଟିଏ ଲଗାଇବେ ବୋଲି ସେ କହିଛନ୍ତି।
ପରିବେଶବିତ୍ ନିମାଇଁ ରାୟ ଯୋଗଦେଇ ଜଳବାୟୁର ସ୍ଥିରତା ଉପରେ ଗୁରୁତ୍ବ ଦେଇଥିଲେ। ଗଛ ଲଗାଇ ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଦେଇ ଦାୟିତ୍ବ ଶେଷ କରୁଥିବା ବ୍ୟକ୍ତି ଏହା ବଞ୍ଚିଛି କି ନାହିଁ ବର୍ଷକ ପରେ ଦେଖିବା ଉଚିତ୍। ନାଟ୍ୟକାର ଅଭୟ ଶତପଥୀ ଅନାବଶ୍ୟକ ଭାବେ ପ୍ରଶାସନ ପକ୍ଷରୁ ରାସ୍ତାକଡ଼ରୁ କାଟି ଦିଆଯାଉଥିବା ଗଛକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ସାମଲ ବ୍ୟାପକ ବୃକ୍ଷରୋପଣ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ପ୍ରକାଶ କରିଥିଲେ। ରଂପା ସରପଞ୍ଚ ମାନସ ଜେନା କହିଥିଲେ, ଧରାପୃଷ୍ଠରେ କେବଳ ବୃକ୍ଷ ହିଁ ମାନବ ସମାଜଠାରୁ କିଛି ନ ନେଇ ଦାନ କରିଚାଲିଛି। ‘ସମ୍ବାଦ’ର ପୁନଶ୍ଚ ପୃଥିବୀ ଅଭିଯାନ, ପ୍ରତି ପଞ୍ଚାୟତସ୍ତରରୁ ଆରମ୍ଭ ହେବା ଉଚିତ ବୋଲି କହିଥିଲେ। ଅବସରପ୍ରାପ୍ତ ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ୧୯୯୯ ମହାବାତ୍ୟା ପରବର୍ତ୍ତୀ ସମୟର ଚିତ୍ର ବର୍ଣ୍ଣନା କରିଥିଲେ। ପ୍ରଶାସନ ଓ ଜନପ୍ରତିନିଧି ଆନ୍ତରିକତା ସହିତ ଉଦ୍ୟମ କଲେ ପରିବେଶ ସୁଧୁରି ପାରିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/VX5KlxHFP1eeXMv1MbSl.jpg)