ନିକଟରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ବିମାନରେ ସଂଘଟିତ ଅତ୍ୟନ୍ତ ସ୍ବଚ୍ଛ ବାୟୁ ଆଲୋଡ଼ନ ବା କ୍ଳିନ୍ ଏୟାର୍ ଟର୍ବୁଲେନ୍ସ (ସିଏଟି) ଏବଂ ବରଫମାଡ଼ ଜନିତ ଦୁର୍ଘଟଣାରୁ ୨୭୭ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଯଦିଓ ଶ୍ରୀନଗରରେ ପାଇଲଟଙ୍କ ଦକ୍ଷତାର ସହ ଜରୁରୀକାଳୀନ ଅବତରଣ ପ୍ରଶଂସନୀୟ ଥିଲା, ତେବେ ଘଟଣାର ଭୟଙ୍କର ଦୃଶ୍ୟ ଅନେକ ଯାତ୍ରୀଙ୍କୁ ଅସ୍ଥିର କରିଦେଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଟର୍ବୁଲେନ୍ସ ଦିନକୁ ଦିନ ଗମ୍ଭୀର ହେଉଥିବା ଜଣାଯାଇଛି। ସାଧାରଣତଃ ଝଡ଼ ଯୋଗୁଁ ସୃଷ୍ଟ ଟର୍ବୁଲେନ୍ସର ସମ୍ମୁଖୀନ ହେବା ସ୍ବାଭାବିକ। କିନ୍ତୁ ବିମାନ ଶିଳ୍ପ ସମ୍ପ୍ରତି ସିଏଟି ପରି ଏକ ଅଧିକ ଗୁପ୍ତ ଅନିଷ୍ଟ ଦ୍ୱାରା କ୍ରମଶଃ ଶିକାର ହୋଇଚାଲିଛି। ସିଏଟି ମେଘମୁକ୍ତ ଆକାଶରେ ଦେଖାଯାଏ, ରାଡାରରେ ଦେଖାଯାଏ ନାହିଁ ଏବଂ ଚେତାବନୀ ବିନା ଆଘାତ କରିଥାଏ।
ଵିଣ୍ଡ୍ ସିଅର୍ ବା ପବନର ଗତି ଓ ଦିଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ବିଶେଷ କରି ଜେଟ୍ ଷ୍ଟ୍ରିମ୍ ନିକଟରେ, ଦ୍ରୁତ ଗତିଶୀଳ ବାୟୁ ପ୍ରବାହ ଆରମ୍ଭ ହୁଏ। କହିବା ବାହୁଲ୍ୟ, ଜଳବାୟୁ ପରିବର୍ତ୍ତନ ବାୟୁମଣ୍ଡଳକୁ ମୌଳିକ ଭାବରେ ପରିବର୍ତ୍ତନ କରୁଛି। ବିଶ୍ୱ ଉଷ୍ମତା ବୃଦ୍ଧି ଯୋଗୁଁ ଅଧିକ ଉଚ୍ଚତାରେ ଉଡ଼ାଣ ବେଳେ ତାପମାତ୍ରାର ପାର୍ଥକ୍ୟ ବୃଦ୍ଧି ପାଏ, ଫଳରେ ଵିଣ୍ଡ୍ ସିଅର୍ ବୃଦ୍ଧି ପାଏ ଏବଂ ଜେଟ୍ ଷ୍ଟ୍ରିମ୍କୁ ଶକ୍ତିଶାଳୀ କରେ। ଏହା ଅଧିକ ଅସ୍ଥିର ବାୟୁ ପ୍ରବାହ ସୃଷ୍ଟି କରେ, ଫଳରେ ସିଏଟି ବାରମ୍ବାର ଓ ଅଧିକ ତୀବ୍ର ହୁଏ। ୧୯୭୯ରୁ ୨୦୨୦ ମଧ୍ୟରେ ଉତ୍ତର ଆଟଲାଣ୍ଟିକରେ ଗମ୍ଭୀର ସିଏଟି ୫୫% ବୃଦ୍ଧି ପାଇଛି ବୋଲି ୨୦୨୩ ମସିହାରେ ରିଡିଂ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗତ ଚାରି ଦଶନ୍ଧି ମଧ୍ୟରେ ଉତ୍ତର ଆଫ୍ରିକା, ପୂର୍ବ ଏସିଆ ଓ ମଧ୍ୟପ୍ରାଚ୍ୟ ଭଳି ଅଞ୍ଚଳରେ ମଧ୍ୟମରୁ ଗୁରୁତର ସିଏଟି ୬୦%ରୁ ୧୫୫% ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ, ବିମାନଗୁଡ଼ିକ ଏବେ ବାର୍ଷିକ ପ୍ରାୟ ୬୮,୦୦୦ ଥର ମଧ୍ୟମରୁ ଗୁରୁତର ଟର୍ବୁଲେନ୍ସର ସମ୍ମୁଖୀନ ହେଉଛନ୍ତି। ଆକଳନ ଅନୁଯାୟୀ, ଆଗାମୀ ୫୦ ବର୍ଷ ମଧ୍ୟରେ ଉଡ଼ାଣ ଉଚ୍ଚତାରେ ଵିଣ୍ଡସିଅର୍ ଆହୁରି ୧୭%ରୁ ୨୯% ବୃଦ୍ଧି ପାଇ ଆକାଶ ଅଧିକ ଅଶାନ୍ତ ହୋଇଯାଇପାରେ। ସେହିପରି ଯଦିଓ ବରଫବୃଷ୍ଟିର ଆବୃତ୍ତି ବଢ଼ି ନପାରେ, ତଥାପି ବଡ଼ ଓ ଅଧିକ କ୍ଷତିକାରକ ବରଫବୃଷ୍ଟି କରୁଥିବା ଝଡ଼ ଅଧିକ ସାଧାରଣ ହୋଇଯିବାର ଆଶଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/27/h1rnhyAivokIF6sUtePS.jpg)