ମହାବାତ୍ୟାର ମହାତାଣ୍ଡବ
୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଆଣ୍ଡାମାନ ସାଗରରେ ସୃଷ୍ଟ ଅବପାତ ମହାବାତ୍ୟାର ରୂପ ନେଇ ଉପକୂଳ ଓଡ଼ିଶାରେ ମହାତାଣ୍ଡବ ରଚିଥିଲା। ଏହି ପ୍ରଳୟଙ୍କରୀ ବାତ୍ୟାରେ କେତେ ଲୋକଙ୍କ ଜୀବନ ଗଲା ତାହା ଆଜି ବି ଆକଳନ କରାଯାଇପାରି ନାହିଁ। କିଏ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା କହିଥିଲେ। ତ ଆଉ କିଏ ୨୦ ହଜାରରୁ ଅଧିକ। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ଉପକୂଳ ଓଡ଼ିଶାର ଲକ୍ଷ ଲକ୍ଷ ଘର। ବେସାହାରା ହୋଇଯାଇଥିଲେ ଅନେକ ପରିବାର। ଟଳି ପଡ଼ିଥିଲା ବିଶାଳକାୟ ବୃକ୍ଷରାଜି। କେତେ ପଶୁପକ୍ଷୀଙ୍କ ଜୀବନ ଯାଇଥିଲା ତାହା ଅଗୋଚର। ଗୋଟିଏ ସମୟ ଏମିତି ଥିଲା ଯେ ଉପକୂଳ ଓଡ଼ିଶାବାସୀ ନିଜର ବାସ ଓ ପ୍ରିୟଜନଙ୍କ ପାଇଁ ରାହା ଖୋଜୁଥିଲେ। ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପାଖରେ ସେପରି କୌଣସି ସାଧନ ମଧ୍ୟ ନ ଥିଲା। ଏଭଳି ଏକ ଆକସ୍ମିକ ବିପତ୍ତିରୁ ବିପନ୍ନମାନଙ୍କୁ ସୁରକ୍ଷା ଦେବାକୁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ ପରି ରାଜ୍ୟରୁ ସହାୟତାର ସୁଅ ଛୁଟିଥିଲା, ଯେଉଁଥିରେ ଓଡ଼ିଶାବାସୀଙ୍କ ଦିନ କଟିଥିଲା। ଭୋକିଲା ପେଟରେ ରାତି କାଟୁଥିବା ଅଧା ଓଡ଼ିଶାବାସୀଙ୍କୁ ଟିକିଏ ସହାୟତା ସତେ ଯେପରି ଜୀବନ ଭରି ଦେଇଥିଲା।
୭ ଜିଲ୍ଲା ଅତି ସମ୍ବେଦନଶୀଳ
ଜାତୀୟ ତଥା ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ପକ୍ଷରୁ କରାଯାଇଥିବା ଗବେଷଣା ଅନୁଯାୟୀ ଦେଶର ୯୬ଟି ଜିଲ୍ଲା ବାତ୍ୟାପ୍ରବଣ। ସମୁଦ୍ର କୂଳରୁ ୧୦୦ କିମି ଅଞ୍ଚଳକୁ ବିଚାରକୁ ନେଇ ଏହି ଜିଲ୍ଲା ସଂଖ୍ୟା ନିର୍ଣ୍ଣୟ ହୋଇଛି। ଓଡ଼ିଶା ସମେତ ଅନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ପଣ୍ଡିଚେରି ଓ ଗୁଜରାଟକୁ ଅତି ସମ୍ବେଦନଶୀଳ ରାଜ୍ୟ ବୋଲି କୁହାଯାଉଛି। ଓଡ଼ିଶାର ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲା ଅତି ସମ୍ବେଦନଶୀଳ ଅଞ୍ଚଳ ତାଲିକାରେ ରହିଛି। ଏହି ସାତଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାର ସମୟ ଆସିଛି। ନ ହେଲେ ଉପକୂଳବର୍ତ୍ତୀ ଏହି ଜିଲ୍ଲାଗୁଡ଼ିକରେ ଆଉ ଗୋଟିଏ ଗୋଟିଏ ବାତ୍ୟା ବିକାଶର ଡଙ୍କ ମୋଡ଼ି ଚାଲିଥିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଆଗୁଆ ସୂଚନା ପାଇଁ ରାଡାର୍
ଠିକ୍ ଓ ଆଗୁଆ ପାଣିପାଗ ସୂଚନା ପାଇଁ ଓଡ଼ିଶାରେ ଡପଲର ରାଡାର୍ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦିଆଯାଇଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଓଡ଼ିଶାରେ ପାଣିପାଗ ସୂଚନା ପାଇଁ ଗୋପାଳପୁର ଓ ପାରାଦୀପରେ ଦୁଇଟି ରାଡାର୍ ଏବେ କାର୍ଯ୍ୟକ୍ଷମ ରହିଛି। ଏହାବ୍ୟତୀତ ବାଲେଶ୍ୱର ଓ ସମ୍ବଲପୁରରେ ଡପ୍ଲର୍ ରାଡାର୍ ବସାଇବା କାର୍ଯ୍ୟ ଜାରି ରହିଛି। ୨୦୨୫ରେ ସମ୍ବଲପୁର ରାଡାର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ମିଳିପାରିବ। ଏଥିସହ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ନୂଆ ଜ୍ଞାନକୌଶଳ ପ୍ରୟୋଗ କରୁଛନ୍ତି।
ଲଘୁଚାପ ଶୁଣିଲେ ଡର ଲାଗୁଛି
ଅକ୍ଟୋବରରେ ଆସିଥିବା ମହାବାତ୍ୟା, ଫାଇଲିନ୍, ହୁଡ୍ହୁଡ୍ ହେଉ କି ମେ’ ମାସରେ ଆସିଥିବା ଫନି, ଅମ୍ଫାନ ଓ ୟାସ୍। ପ୍ରତିଥର ଓଡ଼ିଶାର ଅଣ୍ଟା ଭାଙ୍ଗିଦେଉଛି ବାତ୍ୟା। ବାତ୍ୟା ମାଡ଼ରେ ଲକ୍ଷାଧିକ ଜନସାଧାରଣ ଜୀବିକା ହରାଇ ବସିଛନ୍ତି। ସ୍ଥିତି ଏମିତି ହେଲାଣି ଯେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଖବର ଜାଣିବା ପରେ ଲୋକଙ୍କ ନିଦ ହଜିଯାଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ସମୟରେ ବାତ୍ୟାର ପ୍ରଭାବ ସେତେଟା ରହୁ ନ ଥିଲେ ମଧ୍ୟ ସୃଷ୍ଟି ହେଉଥିବା ଲଘୁଚାପ ଓ ଅବପାତ ଚିନ୍ତା ବଢ଼ାଉଛି। ସମୁଦ୍ରରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଜୁଆର ଉପକୂଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି। ବାରମ୍ବାର ବାତ୍ୟା ଆସିବା ପଛର କାରଣ କ’ଣ ରହିଛି ତାହାକୁ ନେଇ ଏବେ ବିଶ୍ବସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଜଳବାୟୁ କ୍ଷେତ୍ରରେ ହେଉଥିବା ଆକସ୍ମିକ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ବଙ୍ଗୋପସାଗରରେ ନିୟମିତ ଭାବେ ବାତ୍ୟା ଆସୁଛି। ସେଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ପୂର୍ବରୁ ବାତ୍ୟା ହେଉଥିବା ବେଳେ ଏବେ ବାତ୍ୟାର ବେଗ, ଗତିପଥ ଚିହ୍ନଟ ହେବା ପରି ଆକଳନ କରାଯିବା ଦ୍ବାରା ବାତ୍ୟା ସଂଖ୍ୟା ସ୍ପଷ୍ଟ ହେଉଛି।
୧୦ ବର୍ଷରେ ୧୪ ହଜାର କୋଟି କ୍ଷତି
୨୦୧୩ରୁ ୨୦୨୨ ମଧ୍ୟରେ ଫାଇଲିନ୍, ହୁଡ୍ହୁଡ୍, ତିତ୍ଲି, ଫନି, ବୁଲ୍ବୁଲ୍, ଅମ୍ଫାନ, ୟାସ, ଗୁଲାବ, ଜୱାଦ ଭଳି ବାତ୍ୟାର ସମ୍ମୁଖୀନ ହୋଇଛି ଓଡ଼ିଶା। ସେଥିମଧ୍ୟରୁ ବାତ୍ୟା ‘ଫାଇଲିନ୍’ରେ ସର୍ବାଧିକ ୧୪ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ୨୦୧୯ର ବାତ୍ୟା ‘ଫନି’ରେ ୯୩୩୬ କୋଟି ଟଙ୍କାର ଧନସମ୍ପତ୍ତି କ୍ଷତି ହୋଇଥିଲା। ୨୦୧୪ର ବାତ୍ୟା ‘ହୁଡ୍ହୁଡ୍’ରେ ୪୯୪୯ କୋଟି, ୨୦୧୮ର ‘ତିତ୍ଲି’ରେ ୨୭୭୯ କୋଟି, ୨୦୧୯ର ବାତ୍ୟା ‘ବୁଲ୍ବୁଲ୍’ରେ ୨୨୪.୪୩ କୋଟି, ୨୦୨୦ର ବାତ୍ୟା ‘ଅମ୍ଫାନ’ରେ ୨୩୬.୬୮ କୋଟି, ‘ୟାସ’ରେ ୮୨୩.୪୯ କୋଟି, ‘ଗୁଲାବ’ରେ ୩୪.୨୧ କୋଟି ଓ ଜୱାଦରେ ୩୭୬.୫୧ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ବାତ୍ୟା, ବନ୍ୟା ଓ ପ୍ରବଳ ବର୍ଷାରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଅଧିକ ଭାବରେ କ୍ଷୟକ୍ଷତି ହେଉଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜଳବାୟୁ ଆକ୍ସନ ପ୍ଲାନ ୨୦୨୧-୩୦ ପ୍ରସ୍ତୁତ ହୋଇଛି। ଏହି ଯୋଜନାରେ ଉପକୂଳ ଓଡ଼ିଶାରେ ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି।
ପବନ ବେଗ ୭୪ ଡେଇଁଲେ ବାତ୍ୟା
ଭାରତ ମହାସାଗରୀୟ ଜଳରାଶି ଉପରେ କୌଣସି ବାଧାବିଘ୍ନ ନ ଥିବାରୁ ବାୟୁ ପ୍ରବାହର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ପାଖାପାଖି ରହିଥାଏ। ତେବେ ବାୟୁ ପ୍ରବାହର ବେଗ ଘଣ୍ଟାପ୍ରତି ୭୪ରୁ ୭୫ କିମିରୁ ଅଧିକ ରହିଲେ ତାହାକୁ ବାତ୍ୟା ଭାବେ ଗଣନା କରାଯାଏ। ବାତ୍ୟାରେ ହେଉଥିବା ବାୟୁପ୍ରବାହ ବେଗକୁ ନେଇ ଭିନ୍ନ ଭିନ୍ନ ଶ୍ରେଣୀଯୁକ୍ତ କରାଯାଇଛି। ପବନର ଘଣ୍ଟା ପ୍ରତି ବେଗ ୧୦୫ କିମି ଭିତରେ ରହିଲେ ବ୍ୟାପକ ଘରଦ୍ୱାର, ଦୋକାନ, ବୃକ୍ଷ ନଷ୍ଟ ହୋଇଥାଏ। ପବନର ବେଗ ୧୨୫ରୁ ୧୬୪କିମି ଭିତରେ ରହିଲେ ତାହାକୁ ଦ୍ୱିତୀୟ ଶ୍ରେଣୀର ବାତ୍ୟା କୁହାଯାଏ। ପବନର ଘଣ୍ଟା ପ୍ରତି ବେଗ ୧୬୫ରୁ ୨୨୪ କିମି ମଧ୍ୟରେ ରହିଲେ ତାହାକୁ ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଲୋନ୍ ଭାବେ ଗଣନା କରାଯାଏ। ପବନର ବେଗ ଘଣ୍ଟା ପ୍ରତି ୨୨୫ରୁ ୨୭୯ କିମି ମଧ୍ୟରେ ରହିଲେ ତାହାକୁ ପ୍ରଳୟଙ୍କରୀ ବାତ୍ୟା ଶ୍ରେଣୀଭୁକ୍ତ କରାଯାଇଥାଏ। ତେବେ ପବନର ବେଗ ୨୮୦କିମିରୁ ବୃଦ୍ଧି ପାଇଲେ ଏହା ଅତ୍ୟନ୍ତ ପ୍ରଳୟଙ୍କରୀ ବାତ୍ୟାର ରୂପ ଧାରଣ କରେ, ଯାହାକି ପରିବେଶ ଓ ଧନଜୀବନର ବ୍ୟାପକ କ୍ଷୟକ୍ଷତି କରିଥାଏ।
୨୦୦୦ ମସିହା ପରଠାରୁ ଭାରତ ମହାସାଗରୀୟ ଅଞ୍ଚଳରେ ବାତ୍ୟା ନାମକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅଞ୍ଚଳରେ ଥିବା ୮ଟି ଦେଶ ଯଥା ଭାରତ, ବାଂଲାଦେଶ, ମାଳଦ୍ୱୀପ, ଶ୍ରୀଲଙ୍କା, ଥାଇଲାଣ୍ଡ, ମ୍ୟାନ୍ମ୍ୟାର, ଓମାନ୍ ଓ ପାକିସ୍ତାନ ନିଜ ପସନ୍ଦ ମୁତାବକ ଏକାଧିକ ନାମ ଅନ୍ତର୍ଜାତୀୟ ପାଣିପାଗ ସଙ୍ଗଠନର ଆଞ୍ଚଳିକ କାର୍ଯ୍ୟାଳୟକୁ ପ୍ରଦାନ କରିସାରିଛନ୍ତି। ଏହି ସବୁ ଦେଶ ଏବେ ସୁଦ୍ଧା ୧୫୦ରୁ ଅଧିକ ବାତ୍ୟାର ନାମ ଦେଇ ସାରିଛନ୍ତି। ସେହି ଅନୁଯାୟୀ ନାମକରଣ ହେଉଛି। ଓଡ଼ିଶାରେ ବିଭିନ୍ନ ସମୟରେ ମାଡ଼ ହୋଇଥିବା ବାତ୍ୟାର ନାମକରଣ ସେହି ତାଲିକାରୁ ସଂଗ୍ରହ କରାଯାଇଥିଲା। ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ମାଡ ହୋଇଥିବା ‘ତିତ୍ଲି’ ବାତ୍ୟାର ନାମକରଣ ପାକିସ୍ତାନ କରିଥିଲା।
୨୦୧୯ରେ ପ୍ରଳୟ ରଚିଥିବା ‘ଫନି’ ଥିଲା ସ୍ବତନ୍ତ୍ର। ଦୁଇଟି କାରଣ ପାଇଁ ଏହା ଅନ୍ୟ ବାତ୍ୟାଗୁଡ଼ିକଠାରୁ ଭିନ୍ନ ଥିଲା। ପ୍ରଥମତଃ ଏପ୍ରିଲରେ ହୋଇଥିବା ବାତ୍ୟା ସାଧାରଣତଃ ଅସ୍ବାଭାବିକ। ୧୯୮୧ରୁ ଏଯାବତ୍ ଆମ ଦେଶରେ ସୃଷ୍ଟି ହୋଇଥିବା ବାତ୍ୟାର ମାତ୍ର ୩% ସୃଷ୍ଟି ହୋଇଛି ଏପ୍ରିଲ ମାସରେ। ଦ୍ୱିତୀୟତଃ ଏହା ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଭାରତରେ ସ୍ଥଳଭାଗ ଛୁଇଁଥିବା ଏପ୍ରିଲ ମାସର ବାତ୍ୟା ସଂଖ୍ୟା ହେଉଛି ମାତ୍ର ଗୋଟିଏ, ଯାହା ୧୯୬୬ରେ ସୃଷ୍ଟି ହୋଇଥିଲା।