ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ବକଳାମୁଣ୍ଡା ଗାଁରେ ଗେଣ୍ଡାଳିଆ ପକ୍ଷୀ ଏବେ ଅତିଥି। ପ୍ରତିବର୍ଷ ଗାଁକୁ ଆସୁଥିବା ପକ୍ଷୀଙ୍କୁ ସୁରକ୍ଷା ଦେବା, ସେମାନଙ୍କର ଯେମିତି କିଛି କ୍ଷତି ନ ହେବ ସେଥିପାଇଁ ଗ୍ରାମବାସୀ ସଚେତନ। ପକ୍ଷୀଙ୍କୁ ସୁରକ୍ଷା ଦେବାରେ ଗ୍ରାମବାସୀ କୌଣସି ହେଳା କରନ୍ତି ନାହିଁ। ଗେଣ୍ଡାଳିଆ ପକ୍ଷୀଙ୍କ ମଳକୁ ଚାଷ ଜମିର ଉର୍ବରତା ବଢ଼ାଇବା ପାଇଁ ବ୍ୟବହାର କରିଥା’ନ୍ତି।  

Advertisment

ଗେଣ୍ଡାଳିଆଙ୍କ ବଂଶ କ୍ରମେ ଲୋପ ପାଉଥିବା‌ବେଳେ ବକଳାମୁଣ୍ଡା ପାଲଟିଛି ଗେଣ୍ଡାଳିଆଙ୍କ ଗାଁ। ଅକ୍ଷୟ ତୃତୀୟାରୁ ରାହାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶହଶହ ଗେଣ୍ଡାଳିଆ ଏଠାକୁ ଆସିଥା’ନ୍ତି। ପ୍ରାୟ ୭୦ବର୍ଷ ହେଲା ବକଳାମୁଣ୍ଡା ଗାଁକୁ ଦଳଦଳ ହୋଇ ଗେଣ୍ଡାଳିଆ ପକ୍ଷୀ ଆସୁଛନ୍ତି। ଗ୍ରାମର ପୁରନ୍ଦର ନାୟକ କହନ୍ତି, ପ୍ରତିବର୍ଷ ଅକ୍ଷୟ ତୃତୀୟା ପରେ ଗେଣ୍ଡାଳିଆ ପକ୍ଷୀ ଗାଁ ମଝିରେ ଓ ଗାଁ ଚାରିପାଖରେ ଥିବା ତେନ୍ତୁଳିଗଛରେ ବସା ବାନ୍ଧି ରହୁଛନ୍ତି। ଏହି ପକ୍ଷୀମାନେ କେଉଁଠାରୁ ଆସିଥାନ୍ତି ତାହା ଗାଁ ଲୋକଙ୍କୁ ଜଣାନାହିଁ। ଗେଣ୍ଡାଳିଆ ପକ୍ଷୀମାନେ ଗାଁ ପାଖ ନାଳ, ଜଙ୍ଗଲ ଓ ବିଲରୁ ଗେଣ୍ଡା, ଶାମୁକା, ମାଛକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି। ଏଠାରେ ଅଣ୍ଡା ଦେଇ ତାଙ୍କର ବଂଶ ବିସ୍ତାର କରିଥାନ୍ତି। ଠିକ୍ ରାହାସ ପୂର୍ଣ୍ଣିମା ପରେ ପରେ ଗାଁରୁ ଗେଣ୍ଡାଳିଆ ଦଳ ପୁଣି ବାହୁଡ଼ି ଯାଆନ୍ତି। ଗେଣ୍ଡାଳିଆ ପକ୍ଷୀଙ୍କ ମଳ ଚାଷଜମିର ଉର୍ବରତା ପାଇଁ ବ୍ୟବହାର କରାଯାଏ। ଏହା ଜମିରେ ପଡ଼ିବା ଦ୍ବାରା ଭଲ ଧାନ ଫସଲ ସହ ପନିପରିବା ଚାଷ ହେଉଛି।

ଗେଣ୍ଡାଳିଆଙ୍କ ପାଇଁ ଏଇ ଗାଁ ଏକ ପକ୍ଷୀ ବିହାରର ଭ୍ରମ ସୃଷ୍ଟି କରୁଥିବା ବେଳେ କିଛି ଦୁର୍ବୃତ୍ତ ଗେଣ୍ଡାଳିଆ ପକ୍ଷୀଙକୁ ମାରି ଖାଇ ଦେଉଛନ୍ତି। ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ବନ ବିଭାଗକୁ ଜଣାଇଲେ ମଧ୍ୟ ସେମାନେ ସୁରକ୍ଷା ଦେଉନଥିବା ଅଭିଯୋଗ ହେଉଛି। ଗେଣ୍ଡାଳିଆ ପକ୍ଷୀଙ୍କ ସୁରକ୍ଷା ପ୍ରତି ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ବକଳାମୁଣ୍ଡାରେ ଅଧିକ ତେନ୍ତୁଳି ଗଛ ଲଗାଇବା ଦିଗରେ ବନ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ପୁରନ୍ଦର ନାୟକଙ୍କ ସମେତ ରଘୁନାଥ ଦଣ୍ଡପାଟ, ଦାଶରଥି ସିଂହ, ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟ, ନବୀନ ଦଣ୍ଡପାଟ, ସୁଶାନ୍ତ ସିଂହ, ସଞ୍ଜୟ ସିଂହ, ରମେଶ ସିଂହ, ମୋହନ ଚରଣ ସିଂହ ଓ ବୁଦ୍ଧଦେବ ନାୟକ ପ୍ରମୁଖ ଦାବି କରିଛନ୍ତି।