ଚଣ୍ଡିଖୋଲ: ସେନା ବାହିନୀରୁ ଅବସର ପରେ ଗଛ ଲଗାଇବା ନିଶା ପାଲଟିଯାଇଛି। ଏଯାଏ ସେ ବିଭିନ୍ନ ସ୍ଥାନରେ ୨୦ ହଜାରରୁ ଅଧିକ ଫଳଚାରା ରୋପଣ କରି ସାରିଲେଣି। ସେଥିରୁ ଅନେକ ଗଛ ବଡ଼ ହୋଇ ବାଟୋଇଙ୍କୁ ଛାଇ ଦେବା ସହ ଫଳ ମଧ୍ୟ ଦେଉଛି। ଦିନେ ଶତ୍ରୁଙ୍କ ସହ ଲଢ଼ି ଦେଶକୁ ସୁରକ୍ଷା ଦେଉଥିବା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଗୋପାଳପୁର ପଞ୍ଚାୟତ କଳାଶ୍ରୀ ଗ୍ରାମର ସେବାନିବୃତ୍ତ ସେନା ଅଧିକାରୀ କ୍ଷୀରୋଦ କୁମାର ଜେନା ଏବେ ପରିବେଶ ସୁରକ୍ଷା ପାଇଁ ଲଢ଼ୁଛନ୍ତି। ୨୦୦୫ ମସିହାରେ ସେନାରୁ ଅବସର ନେବା ପରେ ସେ ପ୍ରଥମେ ନିଜ ଗ୍ରାମ ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ରାସ୍ତାର ଚାରିନଙ୍ଗଳଠାରୁ ଖଡ଼କପୁର ପର୍ଯ୍ୟନ୍ତ କେବଳ ଆମ୍ବଗଛ ଲଗାଇଥିଲେ। ଏବେ ସେହି ଆମ୍ବଗଛ ସବୁ ବଡ଼ ହୋଇଯାଇଛି।

Advertisment

ହାପରେ ସେ ରାମଦାସପୁର ତିରଣ ପଡ଼ିଆଠାରୁ ଭାପୁର ପର୍ଯ୍ୟନ୍ତ ଯାଇଥିବା ୫ କିଲୋମିଟର ବ୍ୟାପୀ ରାସ୍ତାରେ ଏକହଜାରରୁ ଅଧିକ ଆମ୍ବ ଚାରାରୋପଣ କରିଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ହେଉଛି ବହଡିଅ ପାହାଡ଼ ଉପରେ ଥିବା ଷୋଳପୁଅ ମା’ ପୀଠରେ ବୃକ୍ଷରୋପଣ। ଏହି ପୀଠର ବିକାଶ ପାଇଁ ଶ୍ରୀ ଜେନା ‘ଷୋଳପୁଅ ମା’ ବିକାଶ ମଞ୍ଚ’ ଗଠନ କରି ସେଥିରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକଙ୍କୁ ସାମିଲ କରିଥିଲେ। ପରେ ମଞ୍ଚ ପକ୍ଷରୁ ଏହି ପୀଠରେ ବ୍ୟାପକ ବୃକ୍ଷରୋପଣ କରାଯାଇ ନଣ୍ଡା ପାହାଡ଼କୁ ସବୁଜ ବନାନୀରେ ପରିଣତ କରାଯାଇଥିଲା। ସେ ଏବେ ବଡ଼ଗେଙ୍ଗୁଟି ନଦୀବନ୍ଧର ଉଭୟ ପାର୍ଶ୍ୱ ବରପଦାଠାରୁ ନିଆଳି ପର୍ଯ୍ୟନ୍ତ ଆମ୍ବ, ଜାମୁ, ବେଲ, ପଣସ, ଆମ୍ବଡ଼ା, ବରକୋଳି ଆଦି ଗଛର ଚାରାରୋପଣ କାର୍ଯ୍ୟ ଆରମ୍ଭ କରିଛନ୍ତି।  ସୂଚନା ମୁତାବକ ଗତବର୍ଷ ନୂଆଦିଲ୍ଲୀଠାରେ ଭାରତୀୟ ସେନାର ବିଜୟ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ। ଆଗକୁ ସେ ବୃକ୍ଷରୋପଣ କାର୍ଯ୍ୟ ଜାରି ରଖିବା ସହ ୧ଲକ୍ଷରୁ ଅଧିକ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।