ଚଳିତ ବର୍ଷର ବାଦଲଫଟା ବର୍ଷାର ଭୟଙ୍କର ଦୃଶ୍ୟ ସାଙ୍ଗକୁ ଭାରତରେ କୃଷିକ୍ଷେତ୍ରଗୁଡ଼ିକ ବନ୍ୟାଜଳରେ ବୁଡ଼ି ରହିଥିବା ଦୃଶ୍ୟ ପ୍ରାୟ ସର୍ବତ୍ର ଦେଖିବାକୁ ମିଳିଛି। କିନ୍ତୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ମୁଖ୍ୟ କାରଣ ହଜାର ହଜାର କିଲୋମିଟର ଦୂରରେ ଥିବା ଉତ୍ତର ମେରୁର ବରଫାବୃତ ଅଞ୍ଚଳରେ ରହିଛି ବୋଲି କହିଲେ କେହି ହୁଏତ ହଠାତ୍‌ ବିଶ୍ୱାସ କରିବେ ନାହିଁ। ମାତ୍ର ଏହା ହିଁ ସତ୍ୟ। ନରୱେର ସ୍ବାଲବାର୍ଡ ଦ୍ବୀପପୁଞ୍ଜର ନ୍ୟୁ-ଆଲେସୁଣ୍ଡ୍‌ ଠାରେ ଥିବା ଭାରତୀୟ ଗବେଷଣାଗାର ‘ହିମାଦ୍ରି’ରେ କାର୍ଯ୍ୟରତ ବୈଜ୍ଞାନିକମାନେ ଏହି ସୂଚନା ଦେଇଛନ୍ତି। ସେଠାରେ ୨୦୦୮ ଜୁଲାଇ ୧ରୁ  ହିମାଦ୍ରି କାର୍ଯ୍ୟ କରୁଛି।

Advertisment

ଭାରତୀୟ ବୈଜ୍ଞାନିକମାନେ ହିମବାହ, ସମୁଦ୍ର ବରଫ, ଏରୋସୋଲ ଓ ସାମୁଦ୍ରିକ ସ୍ରୋତ ଉପରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରନ୍ତି। ସେମାନଙ୍କ ଦ୍ବାରା ସଂଗୃହୀତ ତଥ୍ୟକୁ ସିଧାସଳଖ ବିଭିନ୍ନ ଜଳବାୟୁ ମଡେଲଗୁଡ଼ିକରେ ପ୍ରୟୋଗ କରାଯାଇ ମୌସୁମୀ ପ୍ରବାହର ପୂର୍ବାନୁମାନ କରିବାର ପ୍ରୟାସ କରାଯାଇଥାଏ। ଭାରତର ଚାଷୀମାନଙ୍କର କ୍ଷେତରେ ଫସଲ ପାଚିବ ଅଥବା ପଚିବ ସେକଥା ‘ହିମାଦ୍ରି’ରେ ଅନୁଶୀଳନ ହେଉଥିବା ତଥ୍ୟ ହିଁ ନିର୍ଣ୍ଣୟ କରିଥାଏ। ହିମାଳୟର କିସ୍ତୱାରର ବାଦଲ ଫାଟିବା ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର ତଳିଆ ଅଞ୍ଚଳ ବନ୍ୟାଗ୍ରସ୍ତ ହେବା ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣରେ ବର୍ଷାର ତାଣ୍ଡବ ସଂପର୍କିତ ସୂଚନା ଏହି କେନ୍ଦ୍ରରୁ ଆସିଥିଲା।

ଭାରତର ଖାଦ୍ୟ ସୁରକ୍ଷା, ସହରାଞ୍ଚଳ ଓ ଗ୍ରାମୀଣ ଜୀବିକା ସମେତ ମୌସୁମୀ ବୃଷ୍ଟିପାତର ଧାରା ଓ ଆକଳନ ହିମାଦ୍ରି ଗବେଷଣାଗାରର ଗବେଷକଙ୍କ ଅଧ୍ୟୟନ ଉପରେ ନିର୍ଭରଶୀଳ। ଏଥିସହ ଚରମ ପାଣିପାଗ ଘଟଣାର ପୂର୍ବାନୁମାନରେ ହିମାଦ୍ରି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଭାରତରେ ମୌସୁମୀ ପ୍ରବାହ ସହିତ ଉତ୍ତର ଗୋଲାର୍ଦ୍ଧର ସଂପର୍କ ଏବେ ସ୍ପଷ୍ଟ ହେବାରେ ଲାଗିଛି। ନ୍ୟାସନାଲ୍‌ ସେଣ୍ଟର ଫର ପୋଲାର୍‌ ଆଣ୍ଡ୍ ଓସେନ୍‌ ରିସର୍ଚ୍ଚ (ଏନ୍.ସି.ପି.ଓ.ଆର୍.) ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଉତ୍ତର ମେରୁର କେନ୍ଦ୍ରାଞ୍ଚଳରେ ସମୁଦ୍ରିକ ବରଫ ତରଳି ହ୍ରାସ ପାଇବା ଫଳରେ କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ଭାରତରେ ବୃଷ୍ଟିପାତ ବୃଦ୍ଧି ପାଇଥାଏ। ଅନ୍ୟପକ୍ଷରେ ବାରେଣ୍ଟସ୍-କାରା ସାଗରରେ ବରଫ ହ୍ରାସ ପାଇବା ଫଳରେ ମୌସୁମୀ ପ୍ରବାହର ଆରମ୍ଭ ବିଳମ୍ବିତ ହୁଏ ଏବଂ ଏହାର ତୀବ୍ରତା ମଧ୍ୟ ହ୍ରାସ ପାଏ। ଏହି ଅନୁଧ୍ୟାନ କୃଷି, ଜଳସଂପଦ ଓ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତୀୟ ରଣନୀତି ପ୍ରସ୍ତୁତିରେ ସାହାଯ୍ୟ କରିଥାଏ ବୋଲି ବୈଜ୍ଞାନିକ ଅବିନାଶ କୁମାର ମତ ପ୍ରକାଶ କରିଛନ୍ତି।

ଏନ୍.ସି.ପି.ଓ.ଆର୍.ର ଅନ୍ୟତମ ବୈଜ୍ଞାନିକ ବିକାଶ କୁମାର କହନ୍ତି, ‘‘ଉତ୍ତର ମେରୁରେ ହିମବାହଗୁଡ଼ିକ ତରଳିବା ଭାରତୀୟ ମୌସୁମୀ ବାୟୁ ସକାଶେ ଏକ ଗୁରୁତ୍ବପୂର୍ଣ୍ଣ କାରକ ରୂପେ ବିବେଚନା କରାଯାଏ। ମୌସୁମୀ ପ୍ରବାହ ଅନ୍ୟ କାରକଗୁଡ଼ିକ ଠାରୁ ବିଚ୍ଛିନ୍ନ ହୋଇ ସଂଘଟିତ ହୁଏ ନାହିଁ।” ପୃଥିବୀର ଜଳବାୟୁର ଇତିହାସ ଅଧ୍ୟୟନ ଦ୍ବାରା ଜଣାପଡ଼ିଛି ଯେ ବିଗତ ପ୍ରାୟ ୧୦୦୦ ବର୍ଷ ମଧ୍ୟରେ ଉତ୍ତର ମେରୁ କ୍ରମଶଃ ଉଷ୍ଣ ହେଉଥିବା ହେତୁ ଭାରତୀୟ ଉପମହାଦେଶରେ ପ୍ରବଳ ବର୍ଷା ହେଉଛି। ସେହିପରି ଉତ୍ତର ମେରୁ ଶୀତଳ ରହିବା ଦୁର୍ବଳ ବର୍ଷା ସହ ଜଡ଼ିତ। ବର୍ତ୍ତମାନ ଉତ୍ତର ଗୋଲାର୍ଦ୍ଧ ଅଞ୍ଚଳରେ ତାପମାତ୍ରା ବୈଶ୍ବିକ ହାରାହାରି ତାପମାତ୍ରା ଠାରୁ ଚାରିଗୁଣ ଅଧିକ ଉଷ୍ଣ ହୋଇଛି। ମେରୁ ଅଞ୍ଚଳରେ ଦ୍ରୁତତର ତାପମାତ୍ରା ବୃଦ୍ଧି ଭାରତ ପାଇଁ ଘୋର ଚିନ୍ତାର କାରଣ। ଏଥିରୁ ଗୋଟିଏ କଥା ସ୍ପଷ୍ଟହୋଇଯାଉଛି ଉତ୍ତର ମେରୁ ଅଞ୍ଚଳରେ ଯାହା ଘଟିବ ତା’ର ପ୍ରଭାବ କେବଳ ସେହି ସ୍ଥାନରେ ସୀମିତ ହୋଇ ରହିବ ନାହିଁ। ଭାରତର ଖାଦ୍ୟ ସୁରକ୍ଷା, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜୀବନଜୀବିକା ସମେତ ମୌସୁମୀ ବୃଷ୍ଟିପାତର ଭବିଷ୍ୟତ ଆକଳନ ଏନ୍.ସି.ପି.ଓ.ଆର୍. ଗବେଷଣାଗାରରେ କାର୍ଯ୍ୟରତ ଗବେଷକଙ୍କ ଅଧ୍ୟୟନ ଉପରେ ନିର୍ଭରଶୀଳ। ଏଣୁ ଚରମ ପାଣିପାଗ ଘଟଣାର ପୂର୍ବାନୁମାନରେ ‘ହିମାଦ୍ରି’ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ।