ବିଶ୍ୱର ଅନ୍ୟତମ ମୂଲ୍ୟବାନ୍ ପ୍ରାକୃତିକ ବ୍ୟବସ୍ଥା ରୂପେ ପରିଚିତ ଆର୍ଦ୍ରଭୂମି କ୍ରମଶଃ ଲୋପ ପାଉଛି। ଅନ୍ୟ ଯେକୌଣସି ପ୍ରାକୃତିକ ଜଳଉତ୍ସ ଅପେକ୍ଷା ଏହା ଦ୍ରୁତ ଗତିରେ ହ୍ରାସ ପାଉଛି ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି। ରାମସାର୍ କନଭେନସନ୍ ଦ୍ୱାରା ପ୍ରକାଶିତ ‘ଗ୍ଲୋବାଲ୍ ୱେଟ୍ଲାଣ୍ଡ୍ ଆଉଟଲୁକ୍ ୨୦୨୫’ ରିପୋର୍ଟ ଅନୁଯାୟୀ, ୧୯୭୦ ପରଠାରୁ ବିଶ୍ୱର ୨୨% ଆର୍ଦ୍ରଭୂମି ହଜିଯାଇଛି ଏବଂ ଜରୁରୀ ପଦକ୍ଷେପ ଗ୍ରହଣ କରା ନଗଲେ ବିଶ୍ୱର ଅବଶିଷ୍ଟ ଆର୍ଦ୍ରଭୂମିର ଏକ-ପଞ୍ଚମାଂଶ ଖୁବ୍ ଶୀଘ୍ର ବିପଦରେ ପଡ଼ିପାରେ ବୋଲି ସତର୍କ କରାଇ ଦିଆଯାଇଛି।
ଆର୍ଦ୍ରଭୂମିଗୁଡ଼ିକ ପୃଥିବୀର ମାତ୍ର ୬% ଅଞ୍ଚଳକୁ ଆଚ୍ଛାଦିତ କରିଥିବା ସତ୍ତ୍ୱେ ବିଶ୍ୱ ଜିଡିପିକୁ ଏହାର ଯୋଗଦାନ ୭.୫%ରୁ ଅଧିକ। ଜଳ ବିଶୋଧନ, କାର୍ବନ ସଂରକ୍ଷଣ, ଉପକୂଳ ସୁରକ୍ଷା ଏବଂ ଖାଦ୍ୟ ବ୍ୟବସ୍ଥା ସମେତ ଜୀବିକା ପାଇଁ ଏହା ବାର୍ଷିକ ୩୯ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ଯୋଗାଇଥାଏ। ଏହି ରିପୋର୍ଟ ଆର୍ଦ୍ରଭୂମି ହ୍ରାସ ନିୟନ୍ତ୍ରଣ ଲାଗି ନିବେଶର ଆବଶ୍ୟକତା ଉପରେ ଆଲୋକପାତ କରିଛି। ଜାତୀୟ ବିକାଶ ଯୋଜନାରେ ଆର୍ଦ୍ରଭୂମିକୁ ସାମିଲ କରିବା; ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତା ସଂସ୍ଥାପନ ଲାଗି ଆସୁଥିବା ଆର୍ଥିକ ସହାୟତାରେ ଅନ୍ତର୍ଭୁକ୍ତ କରିବା ଏବଂ ସୁରକ୍ଷା ତଥା ପୁନରୁଦ୍ଧାର ପାଇଁ ସରକାରୀ ଓ ଘରୋଇ ସଂସ୍ଥାର ମିଳିତ ଉଦ୍ୟମରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉପରେ ରିପୋର୍ଟ ଗୁରୁତ୍ବାରୋପ କରିଛି।
ଗୁରୁତ୍ବପୂର୍ଣ୍ଣ ଅବଦାନ ସତ୍ତ୍ୱେ, ଆର୍ଦ୍ରଭୂମି ପ୍ରକୃତି-ଆଧାରିତ ସମାଧାନ ପାଇଁ ଉଦ୍ଦିଷ୍ଟ ଜଳବାୟୁ ବଜେଟର ୯% ରୁ କମ୍ ପାଏ। ସେହିପରି ବିଶ୍ୱ ଜୈବବିବିଧତା ଏବଂ ଜଳବାୟୁ ଲକ୍ଷ୍ୟ ପୂରଣ ପାଇଁ ସାଢ଼େ ୫ ନିୟୁତ ବର୍ଗ କିଲୋମିଟର ଆର୍ଦ୍ରଭୂମିର ସ୍ଥାୟୀ ସଂରକ୍ଷଣ ଓ ପୁନରୁଦ୍ଧାର ଆବଶ୍ୟକ ବୋଲି ରିପୋର୍ଟରେ ଆକଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/22/sdgsfsfxxcc-2025-07-22-03-25-15.jpg)