ଭୁବନେଶ୍ବର: ଏଣିକି ଓଡ଼ିଶାରେ ପ୍ରତିବର୍ଷ ହେବ ବାଘ ଗଣନା। କ୍ୟାମେରା ଟ୍ରାପ୍‌ ଜରିଆରେ ଉଭୟ ମହାବଳ ଓ କଲରାପତରିଆ ବାଘଙ୍କ ସ୍ଥିତି ଉପରେ ନଜର ରଖିବ ବନ ବିଭାଗ। ଗୋଟିଏ ବର୍ଷରେ କେତେ କଲରାପତରିଆଙ୍କ ମୃତ୍ୟୁ ହେଉଛି? କେଉଁ ଅଞ୍ଚଳରେ ବାଘଙ୍କ ସଂଖ୍ୟା ବଢ଼ୁଛି? ବାଘଙ୍କ ଲାଗି କେଉଁ ଅଞ୍ଚଳ ଅଧିକ ସମ୍ବେଦନଶୀଳ ତାହାର ଅନୁଧ୍ୟାନ କରାଯିବ। ଯେଉଁ ଅଭୟାରଣ୍ୟ ତଥା ଜଙ୍ଗଲରେ ବାଘ ବଂଶ ବୃଦ୍ଧି ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଥିବ ସେଠାରେ ବାଘ ଆଣି ଛଡ଼ାଯିବ। ଏଥିସହ ଏକକାଳୀନ କ୍ୟାମେରା ଟ୍ରାପ୍‌ରେ ମହାବଳ ଓ କଲରାପତରିଆ ବାଘଙ୍କ ଗଣନା କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି।

Advertisment

ବାଘଙ୍କ ବାସସ୍ଥଳୀ ଦୃଷ୍ଟିରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଏବେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସାରା ରାଜ୍ୟରେ ସବୁଠାରୁ ଅଧିକ ୨୭ଟି ମହାବଳ ବା‌ଘ ଏଠାରେ ରହିଥିବା ବେଳେ ଶିମିଳିପାଳ ସମେତ ମୟୂରଭଞ୍ଜ ଓ କେନ୍ଦୁଝର ଡିଭିଜନ୍‌କୁ ମିଶାଇ ପାଖାପାଖି ୨୦୦ଟି କଲରାପତରିଆ ରହିଥିବା ଜଣାପଡ଼ିଛି। ଶିମିଳିପାଳ ସହ ହଦଗଡ଼ ଓ କୁଲଡ଼ିହା ଅଭୟାରଣ୍ୟ ଲାଗି ରହିଥିବାରୁ ବାଘଙ୍କ ଚଳପ୍ରଚଳ ଓ ସୁରକ୍ଷା ଦୃଷ୍ଟିରୁ ବେଶ ଉପଯୋଗୀ ହୋଇପାରିଛି। ମହାବଳଶୂନ୍ୟ ହୋଇଥିବା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଏବେ କଲରାପତରିଆଙ୍କ ରାଜୁତି ଚାଲିଛି। ସାତକୋଶିଆ ସମେତ ମହାନଦୀ ବନଖଣ୍ଡ, ଆଠମଲ୍ଲିକ, ବୌଦ୍ଧ, ନୟାଗଡ଼ ବନଖଣ୍ଡରେ ପାଖାପାଖି ୧୫୦ଟି କଲରାପତରିଆ ଚିହ୍ନଟ ହୋଇଛି। ଏହି ଅଞ୍ଚଳରେ ବାଘବଂଶ ବୃଦ୍ଧି ପାଇଁ ସୁଯୋଗ ମଧ୍ୟ ରହିଛି। ଅନ୍ୟତମ ବନ୍ୟପ୍ରାଣୀ ଡିଭିଜନ୍‌ ଭାବେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍‌ ସହ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭ୍ୟୟାରଣ୍ୟରେ କଲରାପତରିଆଙ୍କ ସଂଖ୍ୟା ୫୦ରୁ ଅଧିକ ରହିଛି। ସୁନାବେଡ଼ା ଅଭୟାରଣ୍ୟରେ ୫୦ରୁ ଅଧିକ ଏବଂ ଢେଙ୍କାନାଳ ଆଖପାଖ ଜଙ୍ଗଲରେ ୨୦ରୁ ଅଧିକ କଲରାପତରିଆ ରହିଛନ୍ତି। ଏଥର ଗଣନାରୁ ଜଣାପଡ଼ିଛି ଯେ ୪୫% କଲରାପତରିଆ ସଂରକ୍ଷିତ ଅଞ୍ଚଳ ବାହାରେ ରହିଛନ୍ତି। ରାଜ୍ୟର ତିନୋଟି ବନଖଣ୍ଡରେ ବିରଳ ମେଲାନିଷ୍ଟିକ୍‌ ଲିଓପାଡ୍‌ (କଳା ରଙ୍ଗର କଲରାପତରିଆ) ଚିହ୍ନଟ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୧୫ରୁ ବ୍ୟାଘ୍ର ଅଭୟାରଣ୍ୟରେ ଲାଗିବ କ୍ୟାମେରା
୭ ମାସ ଧରି ବାଘଙ୍କ ଗତିବିଧି ଉପରେ ରହିବ ନଜର
୩ଟି ଜଙ୍ଗଲରେ କଳା ମେଲାନିଷ୍ଟିକ୍‌ କଲରାପତରିଆ

ରାଜ୍ୟରେ ଗୋଟିଏ ସମୟରେ ଉଭୟ ମହାବଳ ଓ କଲରାପତରିଆ ଗଣନା କରିବାକୁ ନିଷ୍ପତ୍ତି ହୋଇଛି। ତାହାକୁ ନଜରରେ ରଖି ଆସନ୍ତା ୧୫ ତାରିଖଠାରୁ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହେବ। ପର୍ଯ୍ୟାୟକ୍ରମେ ଉଭୟ ବାଘ ଚଳପ୍ରଚଳ କରୁଥିବା ସମସ୍ତ ବନଖଣ୍ଡରେ କ୍ୟାମେରା ଲାଗିବ। ଦୁଇଟି ଯାକ ବ୍ୟାଘ୍ର ଅଭୟାରଣ୍ୟର କୋର୍‌ ଅଞ୍ଚଳରେ କ୍ୟାମେରା ଲାଗିବା ସହ ତାହାର ମନିଟରିଂ କରାଯିବ। ୨୦୨୫ ଜୁନ୍‌ ମାସ ପର୍ଯ୍ୟନ୍ତ ଜଙ୍ଗଲ ଭିତରେ କ୍ୟାମେରା ଲଗାଯାଇ ବାଘଗୁଡ଼ିକର ଗଣନା ହେବ। ବର୍ଷା ହେବା କ୍ଷଣି କ୍ୟାମେରା ଖୋଲାଯାଇ ବାଘଙ୍କ ଉପସ୍ଥିତି ଉପରେ ସଂଖ୍ୟା ରିପୋର୍ଟ ଅନୁଧ୍ୟାନ କରାଯିବ। ଏହାପରେ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ।

ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ, କଲରାପତରିଆ ବାଘ ଗଣନା କରିବାକୁ ସ୍ୱତନ୍ତ୍ର ଭାବେ କ୍ୟାମେରା ଟ୍ରାପ୍‌ ଜଙ୍ଗଲରେ ଲଗାଯାଇଥିଲା। ଫଟୋ କ୍ୟାପଚର୍‌, ପାଦ ଚିହ୍ନକୁ ଦେଖି କଲରାପତରିଆଙ୍କ ହିସାବ ହୋଇଛି। ରାଜ୍ୟରେ ଯେତିକି ଜଙ୍ଗଲ ରହିଛି ସେଠାରେ ପାଖାପାଖି ୭୦୦ରୁ ୮୦୦ କଲରାପତରିଆ ବାଘ ରହିପାରିବେ। ଶିମିଳିପାଳ ଅଞ୍ଚଳରେ କଲରାପତରିଆ ବାଘ ବଢ଼ିବା ସମ୍ଭାବନା ବହୁତ କମ୍‌ ରହିଛି। ସାତକୋଶିଆରେ ବାଘ ଛାଡ଼ିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଖୁବଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ଚଳିତବର୍ଷ ମହାବଳ ଗଣନା ସମୟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡ଼ିଥିଲା। ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଥିଲା। ଶିମିଳିପାଳରେ ୧୩ଟି କଳା ବାଘ ରହିଥିବାରୁ ଇନ୍ ବ୍ରିଡିଂ ଚିନ୍ତାପ୍ରକଟ କରାଯାଇଛି। ଦୁଇ ଦିନ ତଳେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୬୯୬ଟି କଲରାପତରିଆ ରହିଛନ୍ତି।