ରାଜନଗର: ଭିତରକନିକାର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଧଳା କୁମ୍ଭୀର ଶ୍ବେତା ବିତାଉଛି ନିସଙ୍ଗ ଜୀବନ। ଶ୍ବେତାକୁ ୪ବର୍ଷ ଚାଲିଲାଣି। ୩ ଫୁଟରୁ ଅଧିକ ଲମ୍ବ ହେଲାଣି। ୩ ଫୁଟରୁ ଅଧିକ ଲମ୍ବ ହେଲେ କୁମ୍ଭୀରଙ୍କୁ ଭିତରକନିକା ନଦୀ ନାଳରେ ଛାଡ଼ିବାର ନିୟମ ରହିଛି। ମାତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଶଙ୍ଖ ମଲମଲ ପରି ଧଳା କୁମ୍ଭୀର ଶ୍ବେତା ମୁକ୍ତି ପାଇବ ନା ଗୋରୀ ଓ ମଲ୍ଲୀ ପରି ଆବଦ୍ଧ ଓ ନିସଙ୍ଗ ଜୀବନ ବିତାଇବ ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ନିସଙ୍ଗ ଜୀବନ ବିତାଉଥିବା ୫୦ ବର୍ଷର ଗୋରୀ ଓ ୨୦ ବର୍ଷର ମଲ୍ଲୀ ଆଜିଯାଏଁ ମାଆ ହୋଇ ପାରିନାହାନ୍ତି। ମଲ୍ଲୀ ସହିତ ପୁରୁଷ କୁମ୍ଭୀରର ମିଳନ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଶ୍ବେତାର ଭାଗ୍ୟ କ’ଣ ହେବ, ତାହାକୁ ନେଇ ବନବିଭାଗ ଠୋସ୍ ନିଷ୍ପତ୍ତି ନେଇ ପାରୁନି।
ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳାକୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଧଳା କୁମ୍ଭୀର ଶ୍ବେତା। ଦେଢ଼ବର୍ଷ ତଳେ ବନବିଭାଗର ଅଧିକାରୀ ଓ କୁମ୍ଭୀର ବିଶାରଦମାନେ ଧଳା କୁମ୍ଭୀରର ନାମ ଶ୍ବେତା ରଖିଥିଲେ। ଗବେଷଣା ଓ ସଂରକ୍ଷଣ କେନ୍ଦ୍ରର ୬ ଫୁଟିଆ କୁଣ୍ତରେ ସେ ଆବଦ୍ଧ ଅଛି। ଭାରତର ପ୍ରଥମ ବଉଳା ଧଳା କୁମ୍ଭୀର ଗୋରୀ ଜନ୍ମ ହେବାର ୫୦ବର୍ଷ ପରେ ବି ମାଆ ହୋଇପାରି ନାହିଁ। ଗୋରୀ ସହିତ ମିଳନ ପାଇଁ ପୁରୁଷ କୁମ୍ଭୀରକୁ ଛଡ଼ା ଯାଇଥିଲେ ମଧ୍ୟ ସେ ପ୍ରକ୍ରିୟା ସଫଳ ହୋଇ ନାହିଁ। ପୁରୁଷ କୁମ୍ଭୀର ଆହତ ହେବା ସହ ଗୋରୀ ମଧ୍ୟ ଆହତ ହୋଇଥିଲା। ଗୋରୀ ଜନ୍ମ ହେବାର ୨୯ ବର୍ଷ ପରେ ୨୦୦୩ ମସିହାରେ ମଲ୍ଲୀ ଜନ୍ମ ହୋଇଥିଲା। ଏବେ ଗୋରୀ ଅପେକ୍ଷା ମଲ୍ଲୀକୁ ଦେଖିବାକୁ ପର୍ଯ୍ୟଟକ ଅଧିକ ପସନ୍ଦ କରୁଛନ୍ତି। ମଲ୍ଲୀକୁ ୨୦ ପୂରି ୨୧ ଚାଲିଥିଲେ ବି ଆଜିଯାଏଁ ସେ କୁଆଁରୀ ଅଛି। ମଲ୍ଲୀ ପାଇଁ ପୁରୁଷ କୁମ୍ଭୀରର ବ୍ୟବସ୍ଥା କରିପାରୁନି ବନବିଭାଗ। ଶ୍ବେତାକୁ ମୁକ୍ତ କରାଯିବ ନା ମଲ୍ଲୀ ଓ ଗୋରୀ ପରି ଆବଦ୍ଧ ପୋଖରୀରେ ନିସଙ୍ଗ ଜୀବନ ବିତାଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/ZOx7qOWAz5UBkBz0hKsn.jpg)