କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଗୋନାସିକାରୁ ଉତ୍ପତ୍ତି ଲାଭ କରିଛି ବୈତରଣୀ ନଦୀ।  ଉତ୍ପତ୍ତିସ୍ଥଳକୁ ଗୁପ୍ତଗଙ୍ଗା କୁହାଯାଉଥିବା ବେଳେ ପବିତ୍ର ବୈତରଣୀକୁ ଓଡ଼ିଶାର ଗଙ୍ଗା କୁହାଯାଉଛି। କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ଏହି ନଦୀ ୩୪୪ କିଲୋମିଟର ଅଞ୍ଚଳ ଅତିକ୍ରମ କରି ସମୁଦ୍ରରେ ମିଶିଛି।  ଯାଜପୁର ସହରର ଦଶାଶ୍ୱମେଧ ଘାଟରେ ମା’ ବୈତରଣୀଙ୍କ ଶିଳାମୂର୍ତ୍ତି ପୂଜା ପାଉଛନ୍ତି। ଏହି ସ୍ଥାନକୁ ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ଦୂରଦୂରାନ୍ତରୁ ‌ଲୋକେ ଆସିଥାନ୍ତି। ତେବେ ଯେଉଁ ବୈତରଣୀକୁ ଦେବୀ ଭାବେ ଯାଜପୁରରେ ପୂଜା କରାଯାଉଛି ସେଠା‌ରେ ହିଁ ଏହାକୁ ମାରିବା ପାଇଁ ଷଡ଼୍‌ଯନ୍ତ୍ର ହୋଇଛି।

Advertisment

ବର୍ଷରେ ସାତ ମାସ ଶୁଖିଲା
କେନ୍ଦୁଝର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବୈତରଣୀ ଶିଳ୍ପସଂସ୍ଥା ପାଇଁ ବିପଦରେ ପଡ଼ିଛି। ବୈତରଣୀ ଜଳକୁ ଶିଳ୍ପସଂସ୍ଥାକୁ ଟେକି ଦିଆଯାଇଛି। ବୈତରଣୀ ନଦୀଗର୍ଭରେ ଇଣ୍ଟେକ୍‌ ୱେଲ୍‌ ଖୋଳି ଶିଳ୍ପସଂସ୍ଥା ମନଇଛା ପାଣି ‌ନେଉଛନ୍ତି। ଖଣିଜ ପରିବହନ ପାଇଁ ସ୍ଲରି ପାଇପ୍‌ଲାଇନ୍‌ ବିଛାଇ ନଦୀଜଳକୁ ବ୍ୟବହାର କରାଯାଉଛି। ଫଳରେ ବୈତରଣୀ ବର୍ଷର ପ୍ରାୟ ୭ ମାସ ଶୁଖିଲା ରହୁଛି। ନଈରେ ପାଣି ରହୁ ନ ଥିବାରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ସିଦ୍ଧେଶ୍ବରଠାରେ ୧୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃହତ୍‌ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। 

ପୋତିଦେଲେ ପ୍ରାକୃତିକ ଜଳଧାରା
ଯାଜପୁର ସହରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବୈତରଣୀ ଆଡ଼କୁ ମୁହାଁଇଥିବା ପ୍ରାକୃତିକ ଜଳଧାରାକୁ ପୋତି ଦିଆଗଲା। ଅନେକ ସ୍ଥାନରେ ନଦୀପଠାକୁ ପୋତି କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି କରାଯାଉଛି। ନଈ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ପୋତିବା ପାଇଁ ସେହି ବୈତରଣୀର ବାଲିକୁ ବ୍ୟବହାର କରାଯାଇଛି। ଖୋଦ୍‌ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅତ୍ୟାଚାର ହୋଇଛି। ବିକାଶ ନାମରେ ବାଲି ଓ ମାଟି ପକାଇ ଏହାକୁ ମାରିବାକୁ ଉଦ୍ୟମ ହୋଇଛି। ସ୍ଥିତି ଏମିତି ହୋଇଛି ଯେ ଅନେକ ସ୍ଥାନରେ ନଦୀରେ ଆଉ ବାଲି ନାହିଁ। ନଦୀଶଯ୍ୟା ଘାସ ଓ ଗୁଳ୍ମରେ ଭର୍ତ୍ତି ହୋଇ ଏକପ୍ରକାର ଚାରଣ ଭୂମି ପାଲଟିଛି।

ବର୍ଜ୍ୟରେ ଭର୍ତ୍ତି ହେଉଛି
ପବିତ୍ର ବୈତରଣୀ ବର୍ଜ୍ୟରେ ଭର୍ତ୍ତି ହେଉଛି। ଯାଜପୁର ସହରର ଆବର୍ଜନା ନଦୀପାର୍ଶ୍ବରେ ଫୋପାଡ଼ି ଦିଆଯାଉଥିବାରୁ ଏହା ନଦୀକୁ ପ୍ରଦୂଷିତ କରୁଛି। ସେହିପରି କେନ୍ଦୁଝର ପୌରାଞ୍ଚଳର ବର୍ଜ୍ୟଜଳ ବିଭିନ୍ନ ନାଳ ଦେଇ ଆସି ବୈତରଣୀରେ ମିଶୁଛି।  ବୈତରଣୀ ପାଣିକୁ ସ୍ବଚ୍ଛ ରଖିବା ପାଇଁ କୌଣସି ଯୋଜନା କରାଯାଇନି। କେନ୍ଦୁଝର ପୌରାଞ୍ଚଳର ବର୍ଜ୍ୟଜଳ ଡ୍ରେନ୍‌ ଯୋଗେ ଆସି ନିକଟସ୍ଥ ଅରଡ଼େଇ ନଦୀ ଓ ସ୍ଥାନୀୟ ନାଳରେ ମିଶୁଛି। ଖୋଲା ଜମିରେ ପଡ଼ୁଛି। ଏଠାରେ  ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ନାହିଁ। ଅରଡ଼େଇ ନଦୀ ବାଂଶପାଳ ବ୍ଲକ୍‌ର ବାର୍‌ହାରାଶି ପାହାଡ଼ରୁ ବାହାରି ବାଂଶପାଳ, କେନ୍ଦୁଝର ସଦର, ଝୁମ୍ପୁରା ବ୍ଲକ୍‌ ଅତିକ୍ରମ କରି ଚମ୍ପୁଆର ସରେଇଠାରେ ବୈତରଣୀ ନଦୀରେ ମିଶିଛି। କେନ୍ଦୁଝର ସହରର ସମସ୍ତ ଆବର୍ଜନା, ଡ୍ରେନ୍‌ ପାଣି ଅରଡ଼େଇ ନଦୀରେ ମିଶିବା ଯୋଗୁଁ ନଦୀଶଯ୍ୟା ପୋତି ହେବା ସହ ଏହାର ଜଳ ବିଷାକ୍ତ ହେବାରେ ଲାଗିଛି। ସେହିପରି ବଡ଼ବିଲ ପୌରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ସୁନ୍ଦରା ନାଳରେ ମିଶୁଛି। ସୁନ୍ଦରା ନାଳ ପାଣି ଆସି କାରୋ ନଦୀରେ ମଶୁଛି। ଏଠାରେ ମଧ୍ୟ କୌଣସି ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ନାହିଁ। ଆନନ୍ଦପୁର ପୌରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ବୈତରଣୀ ନଦୀକୁ ଯାଉଛି। ଚମ୍ପୁଆ ସହରର ବର୍ଜ୍ୟଜଳ ବଡ଼ବନ୍ଧ ଓ ସ୍ଥାନୀୟ ନାଳରେ ମିଶୁଛି। ଏହି ନାଳପାଣି ଶେଷରେ ବୈତରଣୀକୁ ଯାଉଛି। ଏଥିସହ କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ସହ ବିଭିନ୍ନ କାରଖାନାର ବର୍ଜ୍ୟ ସୁନାନଦୀ ଦେଇ ବୈତରଣୀରେ ମିଶୁଛି। କେନ୍ଦୁଝର ଜିଲ୍ଲାରେ ଯେତେ ନଦୀନାଳ ଅଛି ସେସବୁ ଶେଷରେ ବୈତରଣୀ‌ରେ ମିଶିଥିବାରୁ ‌ଏହାର ପାଣି ଦୂଷିତ ହୋଇଚାଲିଛି।

ଚାଷଜମିକୁ ମିଳୁନି ପାଣି
ବୈତରଣୀର ଉପରମୁଣ୍ଡ କେନ୍ଦୁଝର ଜିଲ୍ଲାରେ ଏକାଧିକ ଖଣି ଓ ଶିଳ୍ପସଂସ୍ଥା ରହିଛି। ଏହି ଶିଳ୍ପସଂସ୍ଥା ଗୁଡ଼ିକ ବୈତରଣୀ ନଦୀରୁ ପାଣି ଟାଣୁଛନ୍ତି। ଅନ୍ୟପକ୍ଷରେ ବୈତରଣୀ ନଦୀର ଜଳକୁ ଗଚ୍ଛିତ ରଖିବା ପାଇଁ କେବଳ ଆନନ୍ଦପୁର ବ୍ୟାରେଜ ଓ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପକୁ ଛାଡ଼ିଦେଲେ ଅନ୍ୟ କୌଣସି ପ୍ରକଳ୍ପ ନିର୍ମାଣ କରାଯାଇ ନାହିଁ। କାନପୁର ପ୍ରକଳ୍ପ ଏଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଭଳି ସ୍ଥିତିରେ ବର୍ଷାଦିନେ ବୈତରଣୀ ଉଗ୍ରରୂପ ଧାରଣ କରୁଥିବା ବେଳେ ଖରାଦିନ ଆସିବା ପୂର୍ବରୁ ଶୁଖିଯାଉଛି। ଫଳରେ ଚାଷଜମିକୁ ଆବଶ୍ୟକ ପାଣି ମିଳୁନି।

ବାଲି ଲୁଟୁଛନ୍ତି ମାଫିଆ
ଯାଜପୁରରେ ବୈତରଣୀ ନଦୀଶଯ୍ୟାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସହ ବେଆଇନ ବାଲି ଉଠାଣ ଯୋଗୁଁ ନଈର ଅକାଳ ମୃତ୍ୟୁ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯାଜପୁରରେ ବାଲି ମାଫିଆ ବୈତରଣୀ ନଦୀଗର୍ଭକୁ ଖାଲି କରି ଚାଲିଛନ୍ତି। ଦୈନିକ ଶହଶହ ହାଇୱାରେ ବୈତରଣୀରୁ ବାଲି ଚାଲାଣ ହେଉଛି। ବାଲି ଚାଲାଣକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିଲେ ମଧ୍ୟ ସରକାରୀ କଳ ଚୁପ୍‌ ରହୁଥିବାରୁ କୌଣସି ଫରକ୍‌ ପଡୁନି। ବୈତରଣୀ ସୁରକ୍ଷା ପାଇଁ ବେଳ ଥାଉଣୁ ପଦକ୍ଷେପ ଗ୍ରହଣ ପାଇଁ ଦାବି ଉଠୁଛି।