ଭୁବନେଶ୍ବର: ପ୍ଲାଷ୍ଟିକ୍.. ପ୍ଲାଷ୍ଟିକ୍.. ପ୍ଲାଷ୍ଟିକ୍.. ଯୁଆଡେ ଦେଖିଲେ ଖାଲି ପ୍ଲାଷ୍ଟିକ୍ ଆଉ ପ୍ଲାଷ୍ଟିକ୍ । ଘରେ ପ୍ଲାଷ୍ଟିକ୍, ବାହାରେ ପ୍ଲାଷ୍ଟିକ୍, ପାଣିରେ ପ୍ଲାଷ୍ଟିକ୍, ବିଲରେ ପ୍ଲାଷ୍ଟିକ୍, ନଦୀରେ ପ୍ଲାଷ୍ଟିକ୍, ସମୁଦ୍ରରେ ପ୍ଲାଷ୍ଟିକ୍... ପ୍ଲାଷ୍ଟିକ୍ କେଉଁଠି ନାହିଁ କହିଲେ, ଠାକୁର ଘରୁ ରୋଷେଇ ଘର ଯାଏଁ । ବିଦ୍ୟାଳୟରୁ ବିଧାନସଭା ଯାଏଁ ସବୁଠି ଏବେ ପ୍ଲାଷ୍ଟିକର ବହୁଳ ବ୍ୟବହାର । ସହଜ ଓ ସୁନ୍ଦର ହୋଇଥିବାରୁ ଏବେ ପ୍ଲାଷ୍ଟିକର ଚାହିଦା ଅନେକ ରଖିଥିବା ବେଳେ ସେହି ପ୍ଲାଷ୍ଟିକ ହି ମଣିଷ ଜୀବନ ପ୍ରତି ଏକ ଅଭିଶାପ ପାଲଟିବାକୁ ଆରମ୍ଭ କଲାଣି । ଜୀବନ ଏବେ ପ୍ଲାଷ୍ଟିକ୍ କବଜାରେ... ଖାଲି ଜୀବନ ନୁହେଁ ପୂରା ପରିବେଶ, ପୂରା ପୃଥିବୀ ଏବେ ପ୍ଲାଷ୍ଟିକମୟ । ଯେଉଁଥିରୁ ମୁକୁଳିବା ମୁସ୍କିଲ, ବାହାରିବାକୁ ଛଟପଟ ମଣିଷ ।

Advertisment

ଯୁଆଡ଼େ ଅନାଇବ ସବୁଠାରେ ଦେଖିବାକୁ ମିଳିବ ମାଳମାଳ ପଲିଥିନ୍‌‌ ଓ ପ୍ଲାଷ୍ଟିକ୍‌‌ ସାମଗ୍ରୀ। ପର୍ୟ୍ୟଟନସ୍ଥଳୀ ଠାରୁ ଆରମ୍ଭ କରି ପାର୍କ, ଛକ ବଜାର ସବୁଠି ଲୋକେ ପ୍ଲାଷ୍ଟିକ୍‌‌ ପଲିଥିନର ଭିଡ଼ । ସହରରେ ପ୍ରତିଦିନ ବାହାରୁଥିବା ଟନ ଟନ ଆବର୍ଜନାରୁ ପ୍ଲାଷ୍ଟିକ୍‌‌ ଓ ପଲିଥିନ୍‌ ବର୍ଜ୍ୟ ଅଧିକ ଥାଏ । ଯାହା କେବଳ ପରିବେଶ ପ୍ରଦୂଷଣ କରେ ତାହା ନୁହେଁ ବରଂ ବୁଲା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବିପଦ ସାଜେ।

ଆପଣ ଘରୁ ବାହାରି ଯୁଆଡ଼େ ଚାହିଁଲେ ଦେଖିବେ କୁଢ଼ କୁଢ଼ ଆବର୍ଜନା। ଭଙ୍ଗା ପ୍ଲାଷ୍ଟିକ ଆସବାବପତ୍ର, ଉତ୍ସବ ସାଜସଜ୍ଜାରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ପଡିଥିବ। ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟ, ଭୋଜିଭାତରେ ବ୍ୟବହୃତ ଅଇଁଠା ପତ୍ର, କାଚ, ପଲିଥିନ୍, ଚେପା ପ୍ଲାଷ୍ଟିକ୍ ବୋତଲ ପାହାଡ଼ ଭଳି ଜମା ହୋଇଥିବ । ଆମ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ ଏକ ଅପରିହାର୍ୟ୍ୟ ବସ୍ତୁ ପାଲଟିଛି। ଏହାର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ଲାଷ୍ଟିକମୟ ହୋଇଯାଇଥିବା ବେଳେ ଏହା ପରିବେଶ ପ୍ରଦୂଷଣର ପ୍ରମୁଖ ଉପାଦାନ ପାଲଟିଛି। ଏଥିଯୋଗୁଁ ମାଟିର ଉର୍ବରତା କମି ଆସି ବୃକ୍ଷରାଜି ପାଇଁ ଘାତକ ସାବ୍ୟସ୍ତ ହେବା ସହ ବିଭିନ୍ନ ସ୍ଥଳଚର ଓ ଜଳଚର ପ୍ରାଣୀସମ୍ପଦ ପାଇଁ ମଧ୍ୟ ଅନୁରୂପ ସଂକଟ ଆଣିଛି। ଫଳରେ ଜୈବ ସନ୍ତୁଳନରେ ବିଭ୍ରାଟ ଘଟି ଜୀବଜଗତ ପ୍ରତି ବିପଦ ଦେଖାଦେଇଛି। 

ଖାଲି ସେତିକି ନୁହେଁ ପ୍ଲାଷ୍ଟିକ ବୋତଲରେ ଥିବା ପାଣି ବି ଆମ ଦେହ ପାଇଁ ବିପଦକୁ ଡାକି ଆଣୁଛି । ଏକ ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ନାନୋ ପ୍ଲାଷ୍ଟିକ୍‌) ରହୁଛି। ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ କୁପ୍ରଭାବ ପକାଉଛି। ଆମେରିକାର ନ୍ୟାସନାଲ୍‌ ଏକାଡେମି ଅଫ୍‌ ସାଇନସର ଗବେଷକଙ୍କ ଏକ ଟିମ୍‌ ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ୧ ପ୍ଲାଷ୍ଟିକ୍‌ ବୋତଲରେ ଥିବା ପାଣିରେ ୧ରୁ ୫ହଜାର ମାଇକ୍ରୋମିଟର ଦୀର୍ଘ ପ୍ଲାଷ୍ଟିକ୍‌ ଅଣୁ ମିଳିଥାଏ। 

ପୂର୍ବେ ପ୍ଲାଷ୍ଟିକ୍‌ ବୋତଲରେ ଯେତିକି ପ୍ଲାଷ୍ଟିକ୍‌ ରହୁଥିବା ଅନୁମାନ କରାଯାଉଥିଲା, ବର୍ତମାନ ହୋଇଥିବା ଗବେଷଣାରେ ଏହାଠାରୁ ୧୦୦ ଗୁଣ ଅଧିକ ପ୍ଲାଷ୍ଟିକ୍‌ ଖଣ୍ଡ ମିଳିଛି। ଯାହା ବିଶେଷଜ୍ଞମାନଙ୍କ ଚିନ୍ତା ବଢାଇଛି । ସେପଟେ ଦେଶର ବିଭିନ୍ନ ରାଜ୍ୟ ଏବଂ ସହରକୁ ପ୍ଲାଷ୍ଟିକ୍‌-ପଲିଥିନମୁକ୍ତ କରିବାକୁ ପ୍ରୟାସ ଜାରି ରହିଥିଲେ ବି ତାହା କାମ ଦେଉନି । ଦଣ୍ଡର ବିଧାନ ହେଲେ ବି ଲୋକେ ମାନୁ ନାହାନ୍ତି କାରଣ ଯେଯାଏଁ ଆମେ ଆମ ବ୍ୟବହାରରେ ପରିବର୍ତ୍ତନ ନଆଣିଛେ । ସେଯାଏଁ ପ୍ଲାଷ୍ଟିକର ବ୍ୟବହାର ଚାଲିଥିବ ।

ଖାଲି ପ୍ଲାଷ୍ଟିକ ପାଇଁ ପରିବେଶ କି ପୃଥିବୀ କିମ୍ବା ମଣିଷ ନୁହେଁ ବରଂ ଅତ୍ୟଧିକ ଗଛ କଟା ପାଇଁ ବି ପରିବେଶ ନଷ୍ଟ ହେଉଛି । ରାସ୍ତା ସମ୍ପ୍ରସାରଣ ହେଉ କି ଆପାର୍ଟମେଣ୍ଟ ନିର୍ମାଣ କିମ୍ବା ଉନ୍ନୟନମୂଳକ କାର୍ୟ୍ୟ ନାଁରେ ପ୍ରତିଦିନ କେଉଁଠି ନା କେଉଁଠି ଗଛ କଟା ଚାଲିଛି। ଯେ‌ତିକି କାଟୁଛନ୍ତି ସେହି ଅନୁଯାୟୀ ଲଗାଉ ନ ଥିବାରୁ ଏବେ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ତ ଆଉ ପଟେ ପରିବେଶ ପ୍ରଦୂଷଣ ଏବେ ବିଶ୍ବବାସୀଙ୍କ ନିଦ ହଜାଇ ଦେଲାଣି। 

୧୯୭୩ ମସିହାରୁ ଜୁନ୍‌ ୫ ତାରିଖକୁ ‘ବିଶ୍ବ ପରିବେଶ ଦିବସ’ ଭାବରେ ପାଳନ କରାଯାଇ ଆସୁଥିବା ବେଳେ ଆଜି ସେହି ଦିନ । ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ବିଭିନ୍ନ ସ୍ଥାନରେ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ବିଶ୍ବ ପରିବେଶ ଦିବସ ଉପଲକ୍ଷେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପ୍ରତିହତ କରିବାକୁ ପୁରୀ ବେଳାଭୂମିରୁ ସୁନ୍ଦର ବାର୍ତ୍ତା ଦେଲେ ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେବେ ଖାଲି ପ୍ଲାଷ୍ଟିକ ନୁହେଁ ଗଛ ଲଗାଇ କେମିତି ପରିବେଶକୁ ସୁରକ୍ଷିତ ରଖିହେବ ସେନେଇ ପ୍ରତିଟି ବ୍ୟକ୍ତି ପ୍ରୟାସ ଆରମ୍ଭ କରିବା ଦରକାର ।