ଭୁବନେଶ୍ବର: ଯୁବବର୍ଗଙ୍କ ନିକଟରେ ଅପାର ଶକ୍ତି ରହିଛି। ସେମାନେ ହିଁ ନୂଆ ଚିନ୍ତା କରନ୍ତି। ତେଣୁ ଯୁବବର୍ଗ ହିଁ ପରିବେଶରେ ସକାରାତ୍ମକ ପରିବର୍ତ୍ତନ ଆଣି‌ପାରିବେ। ପରିବେଶର ସୁରକ୍ଷା କରିବା ପାଇଁ ହେଲେ ପରିବେଶବିତ୍‌ ହେବାର ଆବଶ୍ୟକତା ନାହିଁ। ଜଣେ ସାଧାରଣ କର୍ମୀ ମଧ୍ୟ ପରିବେଶର ସୁରକ୍ଷା ପ୍ରତି ଯୋଗଦାନ କରିପାରିବ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ତୃତୀୟ ଦିନର ‘ଯୁବବର୍ଗ ଓ ଜଳବାୟୁ: ଆମ ଭବିଷ୍ୟତ ଗଠନ’ ଶୀର୍ଷକ ଅଧିବେଶନରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ଏଭଳି ମତ ରଖିଛନ୍ତି। 

Advertisment

ଆଲୋଚନାରେ ହାଇଦ୍ରାବାଦଠାରେ ଅବସ୍ଥାପିତ ଆମେରିକାର କନସୁଲ ଜେନେରାଲ ଜେନିଫର ଲାର୍ସନ ଯୋଗଦେଇ କହିଥିଲେ ଯେ କ୍ଲାଇମେଟ୍ ପଞ୍ଚାୟତ ଦ୍ୱାରା ଲୋକଙ୍କୁ ସଚେତନ କରାଇବା କିଛି ଛୋଟ କଥା ନୁହେଁ। ‘ପୁନଶ୍ଚ ପୃଥିବୀ ଅଭିଯାନ’ ଏବେ ଆନ୍ଦୋଳନରେ ପରିଣତ ହୋଇଛି। ଗାଁଠୁ ସହର ଏବଂ ଶିଳ୍ପପତିଙ୍କଠୁ ଆରମ୍ଭ କରି ସରକାରଙ୍କୁ ସମ୍ବାଦ ଏଥିରେ ସାମିଲ କରିଛି। ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେଉଥିବାବେଳେ ଓଡ଼ିଶାର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ସମ୍ବାଦ ଗ୍ରୁପର ଏହି ଉଦ୍ୟମ ପ୍ରଶଂସନୀୟ। ପୃଥିବୀକୁ ଯେମିତି ହେଲେ ସୁରକ୍ଷା ଦେବାକୁ ହେବ, ତେଣୁ ଆମ ଭୂମିକା ଛୋଟ ହେଲେ ବି ପ୍ରକୃତି ପାଇଁ ତାହା କମ୍ ନୁହେଁ। ଓଡ଼ିଶା ମଧ୍ୟ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମ୍ମୁଖୀନ ହେଉଛି। ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ‌ଏକାଠି କରିବା ଲାଗି ସମ୍ବାଦ ଗ୍ରହଣ କରିଥିବା ପଦ‌କ୍ଷେପ ଉଲ୍ଲେଖନୀୟ ବୋଲି ଜେନିଫର ମତ ଦେଇଛନ୍ତି। ଏଥିସହିତ ଗତ ପ୍ରାୟ ବର୍ଷକ ତଳେ ହାଇଦ୍ରାବାଦଠାରେ ଉଦ୍‌ଘାଟିତ ହୋଇଥିବା ଆମେରିକା କନସୁଲେଟ ଜେନେରାଲଙ୍କ କାର୍ଯ୍ୟାଳୟରେ ବର୍ଷା ଜଳ ଅମଳ, ସୌର ପ୍ୟାନେଲ ଆଦି ସ୍ଥାପନ କରି ୯୦ ପ୍ରତିଶତ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ସେ କହିଥିଲେ। 

 ଯୁବବର୍ଗ ଓ ଜଳବାୟୁ: ଆମ ଭବିଷ୍ୟତ ଗଠନ ଶୀର୍ଷକ ଆଲୋଚନା
ସମ୍ବାଦର ପୁନଶ୍ଚ ପୃଥିବୀ ଉଦ୍ୟମ ପ୍ରଶଂସନୀୟ: ଜେନିଫର
ଯୁବବର୍ଗଙ୍କ ପାଖରେ ପରିବେଶ ସୁରକ୍ଷା ଶକ୍ତି ରହିଛି: କରୁଣା

ସେହିଭଳି ଆର୍ଥ ଡେ ନେଟୱର୍କର ଆଞ୍ଚଳିକ ନିର୍ଦ୍ଦେଶିକା କରୁଣା ସିଂହ ଯୋଗଦେଇ କହିଲେ, ଜଳବାୟୁ ପରିବର୍ତ୍ତନ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ। ତେଣୁ ନିଜ ପାଇଁ ହିଁ ଚିନ୍ତା କରନ୍ତୁ, ଭବିଷ୍ୟତର ପିଢ଼ି ପାଇଁ ଚିନ୍ତା କରୁଛନ୍ତି ବୋଲି ଭାବନ୍ତୁ ନାହିଁ। ପରିବେଶ ସୁରକ୍ଷା ପାଇଁ କେହି ଏକାକୀ କାମ କରିପାରିବେ ନାହିଁ। ଏଥିପାଇଁ ସାମୂହିକ ଉଦ୍ୟମ ଲୋଡ଼ା। ଦେଶର ବିଭିନ୍ନ ସ୍ଥାନରେ ଯୁବକଯୁବତୀମାନେ ପରିବେଶ ସୁରକ୍ଷା ପାଇଁ କିଭଳି ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ତାହାର ଅବତାରଣା କରିଥିଲେ। ଏଥିରେ ଓଡ଼ିଶାର ଅନୁପାଙ୍କ ଦ୍ବାରା ରୋଷେଇ ଷ୍ଟୋଭ୍‌ର ଦକ୍ଷତା ବୃଦ୍ଧି ପାଇଁ ବିକାଶ କରାଯାଇଥିବା ୫୦୦ ଟଙ୍କା ମୂଲ୍ୟର ଫ୍ୟାନ୍‌ ଠାରୁ ଆରମ୍ଭ କରି ବେଙ୍ଗାଲୁରୁର ଗର୍ବିତା, ତାମିଲନାଡ଼ୁର ପ୍ରସିଦ୍ଧି ଆଦିଙ୍କ ଉଦାହରଣ ଦେଇଥିଲେ। ଗର୍ବିତାଙ୍କ ପକ୍ଷରୁ ରେସ୍ତୋରାଁରେ ଗ୍ରାହକ ବା ଅତିଥିମାନଙ୍କୁ ଅଧା ଗ୍ଲାସ ପାଣି ପ୍ରଦାନ ପାଇଁ ଚାଲିଥିବା ଅଭିଯାନ କିଭଳି ଦେଶର ପ୍ରାୟ ୫୦ ହଜାର ରେସ୍ତୋରାଁରେ କାର୍ଯ୍ୟକାରୀ ହେଲାଣି ତାହା ସେ କହିଥିଲେ।

ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲାଗି ସମାଜରେ ଧାର୍ମିକ ନେତା, ରାଜନେତା ଏବଂ ଅଭିନେତା ଓ କ୍ରୀଡ଼ାବିତ୍‌ମାନଙ୍କ ଭଳି ସେଲିବ୍ରିଟିମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜଳବାୟୁ ଶିକ୍ଷାକୁ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁର ପାଠ୍ୟକ୍ରମରେ ଯେଭଳି ବାଧ୍ୟତାମୂଳକ କରାଯାଇଛି ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟରେ ତାହା କରିବା ପାଇଁ ଶ୍ରୀମତୀ ସିଂହ ମତ ଦେଇଥିଲେ। ଆଲୋଚନାଚକ୍ରକୁ ଦ କ୍ଲାଇମେଟ୍‌ ନେଟ୍‌ୱର୍କର ପ୍ରତି‌ଷ୍ଠାତା ଦୀପଶା ଧଳ ସଂଯୋଜନା କରିଥିଲେ। ଅତିଥିମାନଙ୍କୁ ସମ୍ବାଦ ଓ କନକ ନ୍ୟୁଜ୍‌ର ସଂପାଦକ ତନୟା ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିବାବେଳେ ୟୁଥ୍‌ ଫର ସଷ୍ଟେନିବିଲିଟିର ପ୍ରତିଷ୍ଠାତା ପୁ‌ଣ୍ୟଶ୍ଳୋକ ପଣ୍ଡା ଏବଂ ୟୁଥ ଫର୍‌ ୱାଟର ପ୍ଲସର ପ୍ରତିନିଧିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।