କେନ୍ଦ୍ରାପଡ଼ା: ବଡ଼ଠାକୁର ବଳଭଦ୍ରଙ୍କ ବିଜେସ୍ଥଳୀ କେନ୍ଦ୍ରାପଡ଼ା। ତୁଳସୀକ୍ଷେତ୍ର ନାମରେ ପ୍ରସିଦ୍ଧ କେନ୍ଦ୍ରାପଡ଼ାରେ ବଳଦେବଜିଉଙ୍କ ଗୁଣ୍ଡିଚା ଯାତ୍ରା ପରମ୍ପରା ୩୦୦ବର୍ଷରୁ ଅଧିକ ପୁରୁଣା। ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ଭଳି ଏଠାରେ ମଧୢ ଚତୁର୍ଦ୍ଧାମୂର୍ତ୍ତି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥା’ନ୍ତି। କିନ୍ତୁ ଏଠାରେ ତିନିଟି ରଥ ଗଡ଼ି ନ ଥାଏ। ଏଠାରେ ବଳଭଦ୍ରଙ୍କ ବ୍ରହ୍ମତାଳଧ୍ବଜ ରଥରେ ସାନଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ଯାଇଥା’ନ୍ତି। ବଡ଼ ଦେଉଳରୁ ବାହାରୁଥିବା ଏହି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପାଇଁ ଦୁଇଦିନ ସମୟ ଲାଗିଥାଏ।  ତୁଳସୀକ୍ଷେତ୍ରାଧିପତି ସିଦ୍ଧ ବଳଦେବଜିଉଙ୍କ ପୀଠରେ ଦୁଇଦିନିଆ ଗୁଣ୍ଡିଚା ଯାତ୍ରା ପାଳନ ପରମ୍ପରା ବହୁ କାଳରୁ ରହି ଆସିଛି। ଗତ କିଛିବର୍ଷ ହେବ ଅବଶ୍ୟ ଏଥିରେ ବିଭ୍ରାଟ ଦେଖାଦେଇଛି। ମଝି ଦାଣ୍ଡରେ ରଥ ମୋଡ଼ ନେଇଯାଉଥିବାରୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ତିନିରୁ ଚାରିଦିନ ସମୟ ଲାଗି ଯାଉଛି। ରଥ ନିର୍ମାଣଜନିତ ତ୍ରୁଟି ନା’ ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇପାରୁ ନାହିଁ। ଏଥର ମନ୍ଦିର ପ୍ରଶାସନ କିନ୍ତୁ ଦୁଇଦିନରେ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛି। 

Advertisment

ଗବେଷକ ନିରଞ୍ଜନ ମେକାପଙ୍କ କହିବାନୁଯାୟୀ, ରାଜା ତୃତୀୟ ଅନଙ୍ଗଦେବଙ୍କ ଅମଳରୁ କେନ୍ଦ୍ରାପଡ଼ାରେ ରଥାଯାତ୍ରା ହେଇଆସୁଛି। ୧୨୨୦ମସିହାରେ ପୁରୁଣା ବସ୍‌ଷ୍ଟାଣ୍ଡରେ ବଳଦେବଜିଉ ମନ୍ଦିର ପ୍ରତିଷ୍ଠା ହେବାପରଠୁ ଘୋଷଯାତ୍ରା ହୋଇଆସୁଛି। ଏହି ବ୍ରହ୍ମତାଳଧ୍ବଜ ରଥର ଉଚ୍ଚତା ୬୫ଫୁଟ୍‌ ହୋଇଥିଲା ବେଳେ ଚକର ଉଚ୍ଚତା ସାଢ଼େ ୬ଫୁଟ୍‌। ଚତୁଃବର୍ଗାକାର ଶାଳୁଆ କାଠରେ ତିଆରି ଏହି ରଥରେ ୧୪ଟି ଚକ ଲାଗିଥାଏ। ଦୁଇଟି ଧଳା ଓ ଦୁଇଟି କଳା ଘୋଡ଼ା ସାଙ୍ଗକୁ ସାତ ରଙ୍ଗର କପଡ଼ାରେ ସୁସଜ୍ଜିତ ବଡ଼ଠାକୁରଙ୍କ ରଥ ଅନ୍ୟତମ ଆକର୍ଷଣ ସାଜିଥାଏ। ପୁରୀରେ ରଥର ବାମପାର୍ଶ୍ବରେ ସାରଥି ରହୁଥିଲା ବେଳେ ଏଠାରେ ଡାହାଣପଟେ ସାରଥି ଶୋଭା ପାଆନ୍ତି। ମହାପ୍ରଭୁଙ୍କ ସୁନାବେଶ ବଦଳରେ ଏଠାରେ ରଘୁନାଥ ବେଶ କରାଯାଇଥାଏ। ସୁନା ବଦଳରେ ଚାନ୍ଦିରେ ଚତୁର୍ଦ୍ଧାମୂର୍ତ୍ତି ଚମକିଥା’ନ୍ତି। ଦାରୁ ବିଗ୍ରହ ବଦଳରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ମଣି ବିଗ୍ରହରେ ପ୍ରତିଷ୍ଠା ହୋଇଥିବାରୁ ଏଠାରେ କେବେ ନବକଳେବର ହୁଏନି। ବଡ଼ ଦେଉଳରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଦୂରତା ହେଉଛି ମାତ୍ର ୯୪୨ମିଟର‌୍‌। କିନ୍ତୁ ଏତିକି ପଥ ଅତିକ୍ରମ କରିବା ପାଇଁ ଦୁଇଦିନ ସମୟ ଲାଗିଯାଏ। ଶ୍ରୀଗୁଣ୍ଡିଚା ଦିନ ରଥ ଅଳ୍ପ କିଛିଦୂର ଅତିକ୍ରମ କରିଥାଏ। ପରଦିନ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥାଏ। ବାହୁଡ଼ାରେ ମଧ୍ୟ ବଡ଼ଦେଉଳରେ ଆସି ରଥ ପହଞ୍ଚିବାକୁ ଦୁଇଦିନ ସମୟ ଲାଗିଯାଏ। ପୂର୍ବକାଳରେ କୁଜଙ୍ଗ ଓ ବାରଙ୍ଗ ରାଜା ରଥ ଉପରେ ଛେରା ପହଁରା କରୁଥିଲେ। ପରବର୍ତ୍ତୀ ସମୟରେ ବଡ଼ କୋଠା ରାଜା କିଛିବର୍ଷ ଏହି ଦାୟିତ୍ବ ତୁଲାଇଥିଲେ। କିନ୍ତୁ ଏହାପରଠୁ ମହାପ୍ରଭୁଙ୍କ ପୁରୋହିତ ଛେରା ପହଁରା କରିଆସୁଛନ୍ତି।