ପୁରୀ: ଆହା.. ହା.. ଏ ନିଆଁଲଗା ବର୍ଷାଟା କେଉଁଠି ଥିଲା କେଜାଣି, ଅଚାନକ ଆଇଲା ଛେଚିଦେଇଗଲା । ବିଚରା ଭକ୍ତତ ଭାବର ବର୍ଷାରେ ଭିଜୁଛନ୍ତି ଭିଜିବେ.. କାଳିଆର ଭାବ ବର୍ଷା ଆଗରେ ତାଙ୍କ ପାଇଁ ଏ କି ବର୍ଷା ବା.. ତେଣୁ ଭକ୍ତ ବିନା ଚିନ୍ତାରେ ଭିଜି ଭିଜି ଭାବର ବଡଦାଣ୍ଡରେ ଭଗବାନଙ୍କୁ ମନ ଲଗାଇ, ଆଖି ପୂରାଇ ଦେଖୁଛି । କିନ୍ତୁ ଚିନ୍ତା ମହାପ୍ରଭୁଙ୍କ ପାଇଁ.. ଏ ବର୍ଷା ଏତେ ଜୋରରେ ଝରୁଛି ଯେ ରଥ ପଥ ସବୁ ଭିଜିଗଲାଣି । ଓଦା ଜଡସଡ ହେଇଗଲାଣି ନନ୍ଦିଘୋଷ । ଦେଖୁନ ଦେଖୁନ କେମିତି ପୂରା ବର୍ଷାରେ ଥରୁଛି ।

Advertisment

514402632_2518780158477722_1277153009659315628_n

ଆଉ ବର୍ଷା ଯେତେବେଳେ ନନ୍ଦିଘୋଷ ଭେଦି ମହାପ୍ରଭୁଙ୍କୁ ଛୁଇଁବ, କଥା ସରିଲା.. ଏଇ ତ ଏବେ ଏବେ ଜରରୁ ଉଠିଛନ୍ତି ଜଗନ୍ନାଥ । ପୁଣି ଥରେ ଏ ଲଗାଣ ବର୍ଷାରେ ଭିଜିବା ପରେ ଯଦି ସାଆନ୍ତଙ୍କୁ ଜ୍ବର ହେଇଗଲା.. ସେଇ ଚିନ୍ତାରେ ଭକ୍ତଟେ ବର୍ଷାକୁ ଟିକେ ଥମି ଯିବାକୁ ଅନୁରୋଧ କରୁଛି । ହେଲେ ବର୍ଷା ଯେ ଏଠି ରଥାରୂଢ ଜଗନ୍ନାଥଙ୍କୁ ଜାଣି ଜାଣି ଛୁଇଁ ତାଙ୍କୁ ମୁଣ୍ଡିଆ ମାରୁଛି ସେ କଥା ଏ ଭକ୍ତ କାହୁଁ ଜାଣିବ । ତାକୁ ତ ଖାଲି ତା ଜଗନ୍ନାଥଙ୍କ ଚିନ୍ତା । ଜଗା ଭଲରେ ରହୁ, ଜଗା ଭଲରେ ଆସୁ ଯାଉ.. ଯିଏ ଏ ଜଗତର ଭଲମନ୍ଦ ବୁଝୁଛି ଭକ୍ତ ଭାବେ ତ ଆମେ ଜଗା ପାଇଁ ଏତକ ଚିନ୍ତା କରିପାରିବା ନା ।

516725092_2518781725144232_2857830236883568345_n

ବଡ଼ଦାଣ୍ଡରେ ଏ ବର୍ଷା ସବୁ ପ୍ରଭୁଙ୍କ ନିର୍ଦ୍ଦେଶରେ, ପ୍ରଭୁଙ୍କ ଇଚ୍ଛାରେ । ଏ ବର୍ଷାରେ ଭକ୍ତ ଭିଜୁଛି, ଭଗବାନ ଭିଜୁଛନ୍ତି ଆଉ ଏ ଅପୂର୍ବ ଦୃଶ୍ୟକୁ ସାରା ଜଗତ ଦେଖୁଛି । ଗତକାଲି ସୁନାବେଶରେ ପୁରୀରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ବି ରାତିରେ ହୋଇଥିଲା । ଏତେ ବର୍ଷା ଯେ କହିବା ମୁସ୍କିଲ । ସେହି ଧାରଧାର ବର୍ଷାରେ ଚକାଆଖିକୁ ଦେଖି ଆଖିରୁ ଧାରଧାର ଲୁହ ଝରାଉଥିଲା ଭକ୍ତ । ବଡଦାଣ୍ଡରେ ଏକାକାର ହେଉଥିଲା ବର୍ଷା ଓ ଲୁହ । ଆକାଶରୁ ଜୋରଦାର ବର୍ଷା ପଡୁଥିଲା, ଆଖିରୁ ବର୍ଷା ଲୁହ ହୋଇ ବହିଯାଉଥିଲା । ପ୍ରବଳ ବର୍ଷାରେ ଭିଜି ଭିଜି କାଲି ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରୁଥିଲେ । ଯାହା ସଦା ସ୍ମରଣୀୟ..  

517098508_2518781668477571_8553383145424709204_n