ପୁରୀ: ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢ଼ିବା ଏବଂ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିବା ସମ୍ପୂର୍ଣ୍ଣ ନିଷେଧ। ଶ୍ରୀବିଗ୍ରହଙ୍କ ଭୁଜ ଉପରେ ଭରା ଦେଇ ଛିଡ଼ା ହୋଇ ରହିବା କିମ୍ବା ଶ୍ରୀବିଗ୍ରହଙ୍କୁ ପିଠି କରି ବସିବା ସମ୍ପୂର୍ଣ୍ଣ ନିଷେଧ। ରଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ଭକ୍ତମାନେ ଯେପରି ସୁରୁଖୁରୁରେ ଦର୍ଶନ କରିବେ, ସେନେଇ ଠାକୁରଙ୍କ ସେବା ପୂଜା ନଥିବା ସମୟରେ କୌଣସି ସେବକ ଶ୍ରୀବିଗ୍ରହଙ୍କ ଉଭୟ ଭୁଜ ମଧ୍ୟରେ ବା ସମ୍ମୁଖରେ ଛିଡ଼ା ହେବେ ନାହିଁ। ରଥଯାତ୍ରା ଦିନ କୌଣସି ଦର୍ଶନାର୍ଥୀ କିମ୍ବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ବା ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ସମ୍ମୁଖ ଭାଗରେ ସେବକ ରହିବେ ନାହିଁ। ରଥର ଉଭୟ ପାର୍ଶ୍ବ ବାଡ଼ରେ କୌଣସି ସେବକ ଠିଆ ହୋଇ ରହିପାରିବେ ନାହିଁ। ଫୁଲ ଇତ୍ୟାଦି ତଳକୁ ଫିଙ୍ଗିବେ ନାହିଁ। ରଥଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ କରାଯାଇଛି। ଛେରାପହଁରା ପରେ କେବଳ ରଥ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରଥ ଉପରେ ରହିବେ। ଶ୍ରୀବଳଭଦ୍ରଙ୍କ ରଥରେ ୬୦ ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୫୦ଜଣ, ଶ୍ରୀଜଗନ୍ନାଥଙ୍କ ରଥରେ ୭୦ ଜଣ ରହିପାରିବେ। ତିନି ରଥରେ ମୋଟ ୧୮୦ଜଣ ରହିପାରିବେ।
ଶ୍ରୀବିଗ୍ରହଙ୍କ ଭୁଜରେ ଭରାଦେଇ ଛିଡ଼ା ହେବା ମନା
ରଥ ଚାଲିଲା ବେଳେ ତଳକୁ ଫୁଲ, ନଡ଼ିଆ ଫିଙ୍ଗିବେ ନାହିଁ
ପହଣ୍ଡି ଦେଖିବାକୁ ୫ହଜାର ଟିକେଟ୍
ଦଇତାପତି ଶ୍ରୀଅଙ୍ଗ ରକ୍ଷକ ସେବକ ହୋଇଥିବାରୁ ଟାହିଆ ସୁରକ୍ଷା କାର୍ଯ୍ୟ ପ୍ରତି ଦଇତାପତି ଗୁରୁତ୍ବ ଦେବେ। ପ୍ରତିହାରୀ ସେବକ ଓ ଆରକ୍ଷୀ ବାହିନୀ ମଧ୍ୟ ଟାହିଆର ସୁରକ୍ଷା ପ୍ରତି ଯତ୍ନବାନ ହେବେ। ରଥ ଉପରକୁ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ଉଠିବା ପରେ ଟାହିଆ ସମ୍ମାନର ସହିତ ଖୋଲାଯିବ। ଟାହିଆ ଭାଙ୍ଗିଥିବା ବ୍ୟକ୍ତି ବା ଟାହିଆର ଅଂଶ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପହଣ୍ଡି ପୂର୍ବରୁ ବିଜେ ଡୋରି ଠିକ୍ ଢଙ୍ଗରେ ବନ୍ଧା ଯିବା ପାଇଁ ସମ୍ପୃକ୍ତ ବାଡ଼ର ବାଡ଼ଗ୍ରାହୀ ଧ୍ୟାନ ଦେବେ। କେବଳ ଆବଶ୍ୟକ ସଂଖ୍ୟକ ଅଭିଜ୍ଞ ଓ ଦାୟିତ୍ବସମ୍ପନ୍ନ ସେବକ ପହଣ୍ଡିରେ ଭାଗ ନେବେ। ସମ୍ପୃକ୍ତ ବାଡ଼ର ବାଡ଼ଗ୍ରାହୀ ଏଥିପ୍ରତି ଯତ୍ନବାନ ହେବେ। ପହଣ୍ଡି ପାଇଁ କୀର୍ତ୍ତନ ଚକଡ଼ା ତଥା ଗାରଦ ନିକଟରେ ସୁଦୃଢ଼ ବ୍ୟାରିକେଡ୍ କରାଯିବ। ପହଣ୍ଡି ତଦାରଖ ପାଇଁ ପ୍ରତି ବିଗ୍ରହଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯିବ। ରଥ ଚାରମାଳ କିମ୍ବା ରଥ ଉପରକୁ କ୍ୟାମେରା ବା ମୋବାଇଲ୍ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷେଧ। ଏହାକୁ କଡ଼ାକଡ଼ି ପାଳନ କରାଯିବ। ଖିଲାପ କଲେ ତତ୍କ୍ଷଣାତ୍ କ୍ୟାମେରା ବା ମୋବାଇଲ୍ ଫୋନ୍ ଜବତ କରାଯାଇ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତି ଠାକୁରଙ୍କ ପାଖରେ ବେଦପାଠୀଙ୍କ ସଂଖ୍ୟା ୭ ଜଣରେ ସୀମିତ ରହିବ। ପହଣ୍ଡି ସରିବା ପରେ ସମସ୍ତ ବେଦପାଠୀ ରଥ କର୍ଡନ ବାହାରକୁ ଯିବେ।
ପ୍ରାତଃ ୪ଟା ପୂର୍ବରୁ ରଥରେ ଚାରମାଳ ବନ୍ଧା ଓ ଫୁଳ ସଜ୍ଜା ଶେଷ ହେବ। ଚାରମାଳର ଲମ୍ବ ବୃଦ୍ଧି ହେବ। ଏହାଦ୍ବାର ଢାଲୁ ହ୍ରାସ ସହ ଉତ୍ତମ ନିୟନ୍ତ୍ରଣ ରକ୍ଷା ହେବ। ପହଣ୍ଡି ପରେ ପ୍ରଥମ ଶୋଧ, ଚିତାଲାଗି ପରେ ଦ୍ବିତୀୟ ଶୋଧ ଓ ଛେରାପହଁରା ପରେ ତୃତୀୟ ଶୋଧ କରାଯିବ। ସ୍ବତ୍ବଲିପି ଅନୁଯାୟୀ ଦଇତାପତିମାନେ ରଥ ଉପରେ ଶୋଧ କରିବେ। ପ୍ରତ୍ୟେକ ରଥ ପାଇଁ ପୃଥକ ଶୋଧ ଦଳ ଗଠନ ହୋଇଛି। ଶ୍ରୀଗୁଣ୍ଡିଚା ପହଣ୍ଡି ଦର୍ଶନ ଟିକେଟ୍ ମୂଲ୍ୟ ୧୫୦ ଟଙ୍କା ଲେଖାଏଁ ରଖାଯାଇଛି। ୫ହଜାର ପହଣ୍ଡି ଟିକେଟ୍ ବିକ୍ରି ହୋଇଛି। ପହଣ୍ଡି ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିବେ। ତାଙ୍କ ସହ ୬ ଜଣ ଶିଷ୍ୟ ସାଧକ ରଥ ଉପରକୁ ଯିବେ। ଗଜପତି ମହାରାଜ ରଥ ଉପରେ ରାଜନୀତି ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗରେ କେହି ଠିଆ ହୋଇ ଦର୍ଶନ ଅବରୋଧ କରିବେ ନାହିଁ। ଛେରାପହଁରା ବେଳେ ପରିକ୍ରମା ବେଢ଼ା ଅବରୋଧମୁକ୍ତ ରଖାଯିବ।