ସେ ଗଜପତି। କୋଟି ଓଡ଼ିଆର ମଉଡ଼ମଣି। କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି, ଭାବଧାରା, ଭକ୍ତି ଓ ବିଶ୍ବାସର ପ୍ରତୀକ ମଧ୍ୟ। ଗଜପତି ଉଚ୍ଚଶିକ୍ଷା ଲାଭ କରିଛନ୍ତି। କିନ୍ତୁ ଆଧୁନିକତାର ଦ୍ବାହି ଦେଇ କେବେ ପରମ୍ପରାକୁ ପାସୋରି ନାହାନ୍ତି। ରାଜଧର୍ମରୁ ବିଚ୍ୟୁତ ହୋଇନାହାନ୍ତି। କେବେ ମନୁଆ ଠାକୁର ମହାପ୍ରଭୁଙ୍କୁ ମନେଇବାକୁ ପଡ଼ିଛି ତ, କେବେ ବ୍ୟତିକ୍ରମ ଦେଖି ବିରୋଧର ସ୍ବର ଉଠାଇବାକୁ ପଡ଼ିଛି। ମାତ୍ର ୧୭ ବର୍ଷ ବୟସରେ ବାପାଙ୍କ ମୃତ୍ୟୁ ପରେ ରାଜଗାଦି ଆସୀନ ହୋଇ ବାପାଙ୍କ ଉଦ୍ଦେଶ୍ୟରେ ଲୁହ ଛଳଛଳ ଆଖିରେ କହିବାକୁ ପଡ଼ିଛି, ‘ଅତିଥି ଆସିଥିଲେ, ଚାଲିଗଲେ’। ୫ ଦଶନ୍ଧିରୁ ଅଧିକ ସମୟ ଧରି ସେବା ଦେଇ ଆସିଥିବା ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କଠୁ ସାଉଁଟିଥିଲୁ କିଛି ମନର କଥା? ସାକ୍ଷାତକାର: ସତ୍ୟ ରାଉତରାୟ
୧୯୭୦ ମସିହାରେ ଶିଶୁ ଚପଳ ବୟସରେ ଆପଣ ଗଜପତି ଭାବେ ଅଭିଷିକ୍ତ ହେଲେ। ଏହାମଧ୍ୟରେ ୫୫ ବର୍ଷ ବିତିଗଲାଣି। ପ୍ରଥମ ଦିନ ସେବା ପୂଜାର ମୁହୂର୍ତ୍ତ କେମିତି ଥିଲା?
ପିତା ବୀରକିଶୋର ଦେବଙ୍କ ମୃତ୍ୟୁ ପରେ ଗାଦିରେ ଆସୀନ ହୋଇଥିଲି। ପରମ୍ପରା ଅନୁସାରେ ଗାଦିରେ ବସିଲି, କିନ୍ତୁ ସେବାରେ ଆସିବାର ସମ୍ଭାବନା ନଥିଲା। ପ୍ରତ୍ୟେକ ଓଡ଼ିଆଙ୍କ ଭଳି ମହାପ୍ରଭୁଙ୍କ ପ୍ରତି ଭକ୍ତି ଥିଲା, କିନ୍ତୁ ଆଦର୍ଶ ସେବକର ଭକ୍ତି ଭାବନା ଜାଗରଣ କରିବାକୁ ବହୁତ ସମୟ ଲାଗିଲା। ଗାଦିରେ ଆସୀନ ହେବା ଦିନ ରଥଯାତ୍ରା ଥାଏ। କିନ୍ତୁ ସେ ବର୍ଷ ସେବା କରି ନଥିଲି। ବରଂ ଗଜପତିଙ୍କ ସେବକ ପ୍ରତିନିଧି ମୁଦିରସ୍ତ ସେବା କରିଥିଲେ।
ବଡ଼ଦାଣ୍ଡରେ ତିନି ରଥ ଠିଆ ହୋଇଥାଏ। ସାମନାରେ ଦଦେଇଙ୍କ (ବାପାଙ୍କୁ ଦଦେଇ ଡାକିବାର ପରମ୍ପରା ରହିଛି) ମୃତ ଦେହ। ସେ ସମୟରେ ଗାଦି ସମ୍ଭାଳିବାକୁ ନିର୍ଦ୍ଦେଶ ଆସିଲା। ସେଦିନର ଘଟଣା ସମ୍ପର୍କରେ କ’ଣ କହିବେ?
ବେଳେବେଳେ ଅସାଧାରଣ ପରିସ୍ଥିତିର ସାମନା କରିବାକୁ ପଡ଼ିଥାଏ। ମୋ ସହ ବି ଠିକ୍ ସେଇୟା ହୋଇଥିଲା। ସେତେବେଳକୁ ମତେ ୧୭ ବର୍ଷ। ଦଦେଇଙ୍କ ମୃତଦେହ ଅଗଣାରେ ଥାଏ। ୭ ଭାଇଭଉଣୀଙ୍କ ଭଳି ମୋ ଆଖିରେ ବି ଲୁହ ଥିଲା। କିନ୍ତୁ ପରମ୍ପରା ଅନୁଯାୟୀ ବକ୍ସିଙ୍କ କୋଳରେ ବସିଲି। ରାଜଗାଦିରେ ଆସୀନ ହେବା ପରେ କହିଥିଲି, ‘ଅତିଥି ଆସିଥିଲେ, ଚାଲିଗଲେ, ତାଙ୍କୁ ନିଆଯାଉ’। ମୋର ମନେ ଅଛି, ଦଦେଇଙ୍କ ମରଶରୀର ନେଇ ଗାଡ଼ି ଆଗରେ ଚାଲିଥାଏ। ଆମେ ପଛ ଗାଡ଼ିରେ ଚାଲିଥାଉ। ସାମନାରେ ତିନି ରଥ ଛିଡ଼ା ହୋଇଥାଏ। ରାଜ ପରିବାରରେ ଯାହା ପ୍ରଚଳିତ ପରମ୍ପରା, ତାହାକୁ ଅନୁସରଣ କରିବା ଥିଲା ମୋର କର୍ତ୍ତବ୍ୟ। ପରମ୍ପରାରେ କୌଣସି ବ୍ୟତିକ୍ରମ କରିବାର ନ ଥିଲା। ରାଜଧର୍ମ ପାଳନ ପୂର୍ବକ ସମସ୍ତ କାର୍ଯ୍ୟ ସମାପନ କରିବାକୁ ପଡ଼ିଥିଲା।
ଏବେ ମଧ୍ୟ ଜଗନ୍ନାଥଙ୍କୁ ବୁଝିବା ଭାରି କଷ୍ଟ। ସେତେବେଳେ ତ ଆପଣ ଆହୁରି ଛୋଟ ପିଲା ଥିଲେ। ମହାପ୍ରଭୁଙ୍କ ପ୍ରତି ଭାବନା କେମିତି ଥିଲା?
ଆମେ ମଧ୍ୟ ସାଧାରଣ ମଣିଷ ଭଳି ବିଭିନ୍ନ ସ୍କୁଲ କଲେଜରେ ଅଧ୍ୟୟନ କଲୁ। ସେଠାରେ ମହାନ ସନାତନ ବୈଦିକ ଜ୍ଞାନ ପାଇବାର ସୁଯୋଗ ନ ଥିଲା। ମୋ ଜୀବନରେ ୨ ଜଣ ସନ୍ଥଙ୍କ ସାନ୍ନିଧ୍ୟ ପାଇଛି। ମହାନ୍ ଗୁରୁ ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜ ଏବଂ ଅନ୍ତଃରାଷ୍ଟ୍ରୀୟ ଚିନ୍ମୟ ମିସନ୍ର ପ୍ରତିଷ୍ଠାତା ଚିନ୍ମୟାନନ୍ଦ ସରସ୍ବତୀ ମହାରାଜଙ୍କ ସଂସ୍ପର୍ଶରେ ଆସିବା ପରେ ଧୀରେ ଧୀରେ ସେବା ମନୋବୃତ୍ତି ଆସିଲା।
ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ସମୟରେ ପିଉସୀଙ୍କ ଘରକୁ ଯାଇଥିବା ବେଳେ ଆପଣଙ୍କ ମଧ୍ୟରେ କ’ଣ ପରିବର୍ତ୍ତନ ଆସିଥିଲା?
ହଷ୍ଟେଲରେ ଥିଲି। ଗଜପତି ବୋଲି ପ୍ରାୟ କେହି ଜାଣିନଥିଲେ। ଭଲ ଖାଦ୍ୟ ଖାଇବା, ସିନେମା ଯିବା ଆଦି ଚାଲୁ ରହିଥିଲା। ହଷ୍ଟେଲ ଖାଦ୍ୟ ଭଲ ଲାଗୁନଥିଲା। ସେମିତି ପରିବେଶ ବି ନ ଥିଲା। ପ୍ରତି ଶନିବାର ଓ ରବିବାର ପିଉସୀଙ୍କ ଘରକୁ ପଳେଇ ଆସୁଥିଲି। ଦିନେ ପହଞ୍ଚିବା ପରେ ଦେଖିଲି, ଘରେ କେହି ନାହାନ୍ତି। ସାମନାରେ ମୋଟା ବହିଟିଏ ଥୁଆ ହୋଇଥିବା ଦେଖିଲି। ସ୍ବାମୀ ଚିଦ୍ଭାବାନନ୍ଦଙ୍କ ଶ୍ରୀମଦ୍ ଭଗବଦ୍ ଗୀତା ଦେଖିବା ପରେ ପଢ଼ିବାକୁ ଆଗ୍ରହ ଜନ୍ମିଲା। ପ୍ରଥମ ଶ୍ଳୋକ ପଢ଼ି ଭାବାର୍ଥ ବୁଝିଲି। ବହୁତ ଭଲ ଲାଗିଲା। ପୁଣି ଦ୍ବିତୀୟ ଶ୍ଳୋକ ପଢ଼ିଲି। ସେଦିନ ଭାଗବତ ଗୀତା ମୋ ଭିତରେ କିଛି ପରିବର୍ତ୍ତନ ଆଣିଥିଲା। ବୁଝିପାରିଥିଲି ଯେ ଯାହା ସ୍କୁଲ କଲେଜରେ ପଢ଼ିଛୁ, ତାହା ଶୂନ୍ୟ। ଭଗବଦ୍ ଗୀତା ହେଉଛି ବାସ୍ତବ ଜୀବନର ଶିକ୍ଷା। ଏହା ସମସ୍ତ ବୈଦିକ ଜ୍ଞାନର ସାର। ତାକୁ ବୁଝିବାକୁ ହେଲେ ଗୁରୁ ଆଶ୍ରିତ ହେବାକୁ ପଡ଼ିବ। ପଢ଼ିଲେ ବୁଝି ହେବ, ଆମେ କିଏ? ଆମ ଅନ୍ତରରେ ମଳି ସଞ୍ଚୟ କରି ଆସିଛୁ। ଯେ ପର୍ଯ୍ୟନ୍ତ ସେ ମଳି ପରିଷ୍କାର ହୋଇନାହିଁ, ସେ ଭାବନା ସୃଷ୍ଟି ହେବ ନାହିଁ। ସତକର୍ମ, ଆଧ୍ୟାତ୍ମିକ ସାଧନା, ଭଗବତ କୃପା ଦ୍ବାରା ମଳି ସଫା ହେଲେ ଯାଇ ଭକ୍ତି ଜାଗ୍ରତ ହେବ। ଆମ ସନାତନ ଜୀବନର ଲକ୍ଷ୍ୟ କ’ଣ ବୁଝିହେବ।
୧୯୭୨ ମସିହାର ଅଲୌକିକ ଘଟଣା ଆଜି ବି ଅପାସୋରା। ଚାରମାଳ ଉପରୁ ରଥ ଉପରକୁ ଉଠୁନଥିବା ମହାପ୍ରଭୁଙ୍କୁ ଆପଣଙ୍କୁ କେମିତି ମନେଇବାକୁ ପଡ଼ିଥିଲା?
ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରଥ ଉପରେ ବିଜେ କରିସାରିଥାଆନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଚାରମାଳ ଉପରେ ଦୀର୍ଘ ସମୟ ଅଟକିଥାଆନ୍ତି। ଉପରକୁ ଉଠୁଥାନ୍ତି, ପୁଣି ତଳକୁ ଖସି ପଡ଼ୁଥାଆନ୍ତି। ସେବକମାନେ କ୍ଳାନ୍ତ ହୋଇଯାଇଥାନ୍ତି। ଚାରମାଳ ଉପରେ ପଡ଼ି ଖଣ୍ଡିଆଖାବରା ହୋଇ ଯାଇଥାଆନ୍ତି। ରାଜ ନଅରର ବାଲକୋନି ଉପରେ ଥାଇ ଏ କଥା ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହୋଇଥିଲି। ସେତେବେଳର ମୁଖ୍ୟ ପ୍ରଶାସକ ବିହାରୀଲାଲ ପଟ୍ଟନାୟକ ହଠାତ ମୋ ପାଖକୁ ଆସିଲେ। ନଅରରେ ବସି ଆଲୋଚନା ବେଳେ ସେ କାନ୍ଦିଲେ। ତାଙ୍କର କିଛି ଉପାୟ ନ ଥାଏ। ମୋତେ ରଥକୁ ଯିବା ପାଇଁ କହିଲେ। ସମସ୍ତ ରଥରେ ଚତୁର୍ଦ୍ଧା ବିଗ୍ରହ ଆସୀନ ହେବା ପରେ ଗଜପତି ଯିବାର ପରମ୍ପରା ରହିଛି। କିନ୍ତୁ ମହାପ୍ରଭୁ ଚାରମାଳ ଉପରେ ବହୁ ସମୟ ଧରି ଅଟକିଥିବା ଜାଣିବା ପରେ ଯେଉଁ ଅବସ୍ଥାରେ ପାଟ ପିନ୍ଧି ଅପେକ୍ଷା କରିଥିଲି, ସେହି ଅବସ୍ଥାରେ ରଥ ନିକଟକୁ ଆସିଲି। ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପ୍ରଣାମ କରି ମହାପ୍ରଭୁଙ୍କ ପଛ ପାର୍ଶ୍ବରେ ସମସ୍ତେ ରହି ପ୍ରାର୍ଥନା କଲୁ। ଦଇତାପତି ଓ ଅନ୍ୟ ସେବକମାନେ ଡୋର ଧରି ମହାପ୍ରଭୁଙ୍କୁ ରଥକୁ ଉଠାଇଥିଲେ।
ଆପଣ କ’ଣ ପ୍ରାର୍ଥନା କଲେ ଯେ ଦୀର୍ଘ ସମୟ ଧରି ଚାରମାଳ ଉପରୁ ଉଠୁନଥିବା ମହାପ୍ରଭୁ ରଥରେ ବିଜେ କଲେ? ଏପରି ହେବା ପଛର କ’ଣ ଅନୁଭବ ରହିଛି?
କ’ଣ କହିଲି, ଠିକ୍ ମନେ ନାହିଁ। ବୋଧହୁଏ କହିଥିବି, ମହାପ୍ରଭୁ ରଥ ଉପରକୁ ବିଜେ ହୁଅନ୍ତୁ। ତେବେ କାହା କଥାରେ ମହାପ୍ରଭୁ ପରିଚାଳିତ ହୁଅନ୍ତି ନାହିଁ। ସେ ସ୍ବୟଂ ପରିଚାଳିତ। ସେଦିନ ମହାପ୍ରଭୁ ତାଙ୍କ ଲୀଳା ଦେଖାଇଲେ। ସେଦିନର ଘଟଣା ମୁଁ ଆଜି ପର୍ଯ୍ୟନ୍ତ ବି ବୁଝିପାରିନାହିଁ। ଏହାବ୍ୟତୀତ ମହାପ୍ରଭୁ ହେଉଛନ୍ତି ସବୁଠୁ ଓଜନଦାର। ସେ ନଟଖଟ ଗୋପାଲ। ତେଣୁ ପ୍ରତ୍ୟେକ ଥର ମହାପ୍ରଭୁ ଟିକେ ଆଳ କରନ୍ତି। ଶେଷରେ ଆସନ୍ତି। ସେତେବେଳକୁ ସେବକମାନେ ଥକି ଯାଇଥାଆନ୍ତି। ପରବର୍ତ୍ତୀ ସମୟରେ ପରିଚାଳନା କମିଟିରେ ଯେବେ ଏ ସମ୍ପର୍କରେ ତର୍ଜମା ହେଲା, ବାସ୍ତବ ଦୃଷ୍ଟିକୋଣରୁ ବୁଝିବାକୁ ଚେଷ୍ଟା କରାଗଲା, ଚାରମାଳ ସଙ୍କୁଚିତ ହୋଇଯାଇଥିବା କଥା ଉଠିଲା।
ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ତ ଅଭିମାନୀ ନୁହନ୍ତି। ମହାପ୍ରଭୁ କାହିଁକି ଏତେ ଅଭିମାନ କରନ୍ତି? ଆପଣ କଣ ବୁଝନ୍ତି?
କାହିଁକି ଜଗନ୍ନାଥଙ୍କୁ କେବଳ ଦୋଷ ଦେଉଛନ୍ତି। ଆଡ଼ପମଣ୍ଡପ ବିଜେ ବେଳେ ଶ୍ରୀବଳଭଦ୍ରଙ୍କ ରୂପ ବି ସମସ୍ତେ ଦେଖିଲେ। ଏହା ହେଉଛି ସବୁ ମହାପ୍ରଭୁଙ୍କ ଲୀଳା। ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ବିଗ୍ରହଙ୍କ ସାର ତତ୍ତ୍ବ। ଚାରିମୂର୍ତ୍ତିଙ୍କୁ ଏକାଠି କରିଦେଲେ ମହାପ୍ରଭୁ ଜଗନ୍ନାଥ। ସେ ପରାମାତ୍ମା। ସେ କୃପା ବୃଷ୍ଟି କରନ୍ତି। ପ୍ରତ୍ୟେକ ବ୍ୟକ୍ତିର କର୍ମଫଳ ଦେବା ପାଇଁ ଅଛନ୍ତି। ଆମକୁ ଶିକ୍ଷା ଦେବାକୁ ମହାପ୍ରଭୁ ଲୀଳା କରନ୍ତି। ଯେତେବେଳେ ମାନବ ସମାଜକୁ କିଛି ଶିକ୍ଷା ଦେବାକୁ ହୁଏ ଏବଂ ଭକ୍ତ, ସରକାର, ସେବକମାନଙ୍କୁ ଚେତାଇ ଦେବାକୁ ହୁଏ; ସେତେବେଳେ ସେ ତାଙ୍କ ଲୀଳା ଦେଖାନ୍ତି। ଭଗବାନ କ’ଣ କହିବାକୁ ଚାହୁଛନ୍ତି, ଆମକୁ ଚିନ୍ତନ କରିବାକୁ ହେବ।
ମହାରାଜ ଆପଣ ଆଦ୍ୟ ସେବକ। ଆପଣଙ୍କର ରାଗ ଅଭିମାନ ଅଛି ନା ନାହିଁ?
ନିଶ୍ଚୟ। ଯେବେ ପର୍ଯ୍ୟନ୍ତ ମଣିଷ ପରମ ସ୍ଥିତିରେ ପହଞ୍ଚିନାହିଁ, ଦ୍ବେଷ ରାଗ ଆଦି ରହିବ। କିନ୍ତୁ କେତେ ମାତ୍ରାରେ ରହିବ, ଏହା ଅନ୍ତଃକରଣ ଶୁଦ୍ଧି ଉପରେ ନିର୍ଭର କରେ। ଆଧ୍ୟାତ୍ମିକ ସାଧନା ଉପରେ ଅନ୍ତଃକରଣ ଶୁଦ୍ଧି ନିର୍ଭର କରେ।
ଯେବେ ବଳଭଦ୍ର ପଡ଼ିଯିବା ଜାଣିଲେ, ଆପଣଙ୍କ ପ୍ରତିକ୍ରିୟା କ’ଣ ଥିଲା?
ଭକ୍ତଙ୍କ ଭଳି ଟିଭିରୁ ଦେଖି ଘଟଣା ସମ୍ପର୍କରେ ଅବଗତ ହେଲି। ମର୍ମାହତ ହେଲି। ହଠାତ ଏପରି ଘଟିଥିଲା। ଆଗରୁ କେବେ ହୋଇନଥିଲା। ଏହା ଉପରେ ବହୁତ ତର୍ଜମା ହୋଇସାରିଛି। ସେଭଳି ଘଟଣା ଯେପରି ପୁନରାବୃତ୍ତି ନ ହେଉ, ସେ ନେଇ ବ୍ୟବସ୍ଥା କରାଯାଇଛି।
ଆପଣଙ୍କ ବାପା ଜାତୀୟସ୍ତରର ଫୁଟବଲ ଖେଳାଳି ଥିଲେ, ଭଲ ଟେନିସ୍ ବି ଖେଳୁଥିଲେ। ତା’ ଛଡ଼ା ଜଣେ ଦକ୍ଷ ଅଶ୍ବଚାଳକ ଓ ପାଇଲଟ୍ ଥିଲେ। ଏ ସବୁରେ ଆପଣଙ୍କର ରୁଚି ଅଛି କି ନାହିଁ?
ମୋର ଟେନିସ୍ରେ ରୁଚି ଅଛି। ବାପା ବହୁ ଗୁଣର ଅଧିକାରୀ ଥିଲେ। ଆପଣ ଭଲ ଭାୟୋଲିନ୍ ବଜାନ୍ତି ବୋଲି ଶୁଣିଛୁ। ଦଦେଇଙ୍କର ଭାୟୋଲିନ୍ରେ ଆଗ୍ରହ ଥିଲା। ତାଙ୍କ ପୁଅ ବି ସେଇ ଲାଇନରେ ଆସନ୍ତୁ, ସେ ଚାହୁଥିଲେ। ସ୍କୁଲରେ ପଢ଼ିବା ବେଳେ ସଙ୍ଗୀତ ଗୁରୁ ମୋତେ ଭାୟୋଲିନ୍ ଶିଖାଇବାକୁ କହିଥିଲେ। ମୋର ଆଦୌ ଇଚ୍ଛା ନଥିଲା, କିନ୍ତୁ ଶିଖିଥିଲି।
ରାଜ ପରିବାରରେ ରାଜକୁମାର ପାଠ ପଢ଼ିବାର କିଛି ସ୍ଥାୟୀ ବ୍ୟବସ୍ଥା ଅଛି କି?
ଭାରତ ସ୍ବାଧୀନ ହେବା ପୂର୍ବରୁ ଏ ବ୍ୟବସ୍ଥା ଥିଲା। କିନ୍ତୁ ସ୍ବାଧୀନତା ପରେ ବଦଳିଗଲା। ଆମ ପିତା ଓ କାକା ଉଭୟ ଘୋଡ଼ା ଚଳାଇବା, ପଗଡ଼ି ପିନ୍ଧିବା ଆଦି ଶିଖୁଥିଲେ। କିନ୍ତୁ ଆମ ବେଳେ ସାଧାରଣ ଭାବେ ଶିକ୍ଷାନୁଷ୍ଠାନରୁ ବିଦ୍ୟା ଆହରଣ କରିବାକୁ ପଡ଼ିଲା।
ବୟସ ବଢ଼ିଲେ ମଧ୍ୟ ଅନେକ ବୟସ୍କ ଦେଖାଯାଆନ୍ତି ନାହିଁ। ଆପଣ ଖେଳନ୍ତି, ସଙ୍ଗୀତ ସହ ମଧ୍ୟ ସମ୍ପର୍କ ରହିଛି। ଏହା ଆପଣଙ୍କୁ ଫିଟ୍ ଓ ନମ୍ର ରଖିବାରେ ସହାୟକ ହୋଇଛି କି?
ଆପଣଙ୍କ କଥାରେ ସହମତ। ଶେଷ ପର୍ଯ୍ୟନ୍ତ ଦେହର ଦାୟିତ୍ବ ତଥା ଉତ୍ତମ ସ୍ଥିତି ବଜାୟ ରଖିବା ଆମର କର୍ତ୍ତବ୍ୟ। ଦେହ ମାଧ୍ୟମରେ ହିଁ ଆମେ ମହାପ୍ରଭୁଙ୍କ ନିକଟରେ ପହଞ୍ଚିପାରିବା।
ଆପଣ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବେଳେ କ’ଣ ଚିନ୍ତନ କରନ୍ତି ?
ଶୂନ୍ୟ ଥାଏ। ବାସ୍ତବରେ ମହାପ୍ରଭୁଙ୍କୁ ଆରାଧନା ବେଳେ ମନରେ କିଛି ନ ରହିବା ଭଲ। ମନ ସମ୍ପୂର୍ଣ୍ଣ ଶୂନ୍ୟ ହେଲେ ହିଁ ମହାପ୍ରଭୁଙ୍କ ନିକଟକୁ ଯାଇପାରିବା।
କେବେଠୁ ଜଗନ୍ନାଥ ମନସ୍କ ହେଲେ?
ମହାପ୍ରଭୁଙ୍କ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାକୁ ଇଚ୍ଛା ଥିଲା, କିନ୍ତୁ ସେ ସୁଯୋଗ ଆସିନଥିଲା। ଯେଉଁଠିକି ଶିକ୍ଷା ଆହରଣ କରିବାକୁ ଗଲୁ, ଜଗନ୍ନାଥଙ୍କ ବିଷୟରେ ଜାଣିବାର ଅବକାଶ ନଥିଲା। ଯେବେ ଓକିଲାତି ଛାଡ଼ି, ଦିଲ୍ଲୀରୁ ଡେରାଡୁନ୍ ଗଲି ଏବଂ ସେଠାରେ ଶାନ୍ତ ପରିବେଶ ମଧ୍ୟରେ ୧୩ ବର୍ଷ ବିତାଇଲି, ଅନେକ ପରିବର୍ତ୍ତନ ଆସିଲା। ଡେରାଡୁନ୍ରେ ଗୁରୁଦେବଙ୍କ ଆଶ୍ରମ ସାନ୍ନିଧ୍ୟରେ ରହିବା ଭିତରେ ମହାପ୍ରଭୁଙ୍କ ପ୍ରତି ଭାବ ବଢ଼ିଥିଲା।
ଶ୍ରୀମନ୍ଦିରରେ ବ୍ୟତିକ୍ରମ ଦେଖିଲେ ଆପଣ ପ୍ରତିକ୍ରିୟାଶୀଳ ହୁଅନ୍ତି ନାହିଁ କାହିଁକି?
୧୯୬୦ରୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଗଜପତିଙ୍କ ହାତରେ ଆଉ ରହିଲା ନାହିଁ। ରାଜ୍ୟ ସରକାର ଶ୍ରୀମନ୍ଦିରର ଦାୟିତ୍ବ ହାତକୁ ନେଲେ। ଏଥିପାଇଁ ପରିଚାଳନା କମିଟି ରହିଛି। ମୁଁ ସ୍ଥାୟୀ ସଭାପତି ରହିଛି। ନୀତିଗତ ନିଷ୍ପତ୍ତି ପରିଚାଳନା କମିଟିରେ ନିଆଯାଏ, ମାତ୍ର ପ୍ରଶାସନ ଏହାକୁ କାର୍ଯ୍ୟାନ୍ବୟନ କରେ। ବ୍ୟବସ୍ଥା ଭିତରେ ଗଜପତି ଅଛନ୍ତି, ବ୍ୟବସ୍ଥା ଭିତରେ ହିଁ ଗତି କରିବାକୁ ହୁଏ। ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଏ ସବୁ କଥା ଆଲୋଚନା କରୁ। ପ୍ରତିକ୍ରିୟା ମାଧ୍ୟମରେ ଏହା ସମାଧାନ ହୁଏ, ଦାଣ୍ଡରେ ହଲ୍ଲା କଲେ ନୁହେଁ। କିଛି ମୁଷ୍ଟିମେୟଙ୍କ ଦ୍ବାରା କେବେକେବେ ବ୍ୟତିକ୍ରମ ହୁଏ। ଏହା ଜାଣିବା ମାତ୍ରେ ପରିଚାଳନା କମିଟିରେ ଆଲୋଚନା ହୁଏ। ବର୍ତ୍ତମାନ ପରିବେଶ ସମ୍ପୂର୍ଣ୍ଣ ବିପରୀତ। ଆଧୁନିକ ଶିକ୍ଷା ପଦ୍ଧତି ମଣିଷକୁ ମେସିନ୍ କରିଦେଉଛି। ଏବର ଶିକ୍ଷାରେ ସନାତନ ବୈଦିକ ଧର୍ମର କୌଣସି ମୂଲ୍ୟବୋଧ ନାହିଁ। ଉତ୍ତମ ଚରିତ୍ର କେମିତି ନିର୍ମାଣ ହେବ, ସେ ନେଇ ମଧ୍ୟ ବ୍ୟବସ୍ଥା ନାହିଁ। ସେଥିପାଇଁ ଏସବୁ ଘଟିଯାଉଛି। ‘ଏବିସିଡି’ ଜାଣିଗଲେ ଶିକ୍ଷା ହୋଇଯାଏ ନାହିଁ। ସଂସାରର ସବୁ କାର୍ଯ୍ୟ ବିଷୟରେ ଜ୍ଞାନ, ଆଉ ନିଜ ବିଷୟରେ ତତ୍ତ୍ବଜ୍ଞାନ ଆହରଣ ହିଁ ପ୍ରକୃତ ଶିକ୍ଷା। ମୁଁ କିଏ? ଏ ସଂସାର କଣ? ସଂସାରରେ ମୋର କର୍ତ୍ତବ୍ୟ କଣ? ତାକୁ କାର୍ଯ୍ୟକାରୀ କରିବା ପାଇଁ ମାର୍ଗ କଣ, ସେସବୁ ଜାଣିବା ହିଁ ଶିକ୍ଷା। ବର୍ତ୍ତମାନ ଶିକ୍ଷା, ଚାକିରି, ବ୍ୟବସାୟ, ରୋଜଗାର, ସୁନାମ, ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ। ଏହା ବାସ୍ତବ ଶିକ୍ଷାର ଲକ୍ଷ୍ୟ ନୁହେଁ। ସେବକମାନେ ଉତ୍ତମ ଆଦର୍ଶ ମଣିଷ ହେଲେ ଏଭଳି ବ୍ୟତିକ୍ରମ ଉପୁଜିବ ନାହିଁ।
ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ହେବା ଉଚିତ ବୋଲି ଭାବୁଛନ୍ତି?
ପ୍ରଥମତଃ ମହାପ୍ରଭୁଙ୍କ ସେବାପୂଜା, ପର୍ବପର୍ବାଣି ସୂଚାରୁରୂପେ କରାଯିବା ଦରକାର। ଭକ୍ତଙ୍କ ସଂଖ୍ୟା କୋଭିଡ୍ ପରେ ବହୁମାତ୍ରାରେ ବୃଦ୍ଧି ପାଇଥିବାରୁ ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ନିତାନ୍ତ ଆବଶ୍ୟକ। ମହାପ୍ରଭୁ ତଥା ଶ୍ରୀମନ୍ଦିରର ଆର୍ଥିକ ସ୍ଥିତିରେ ସୁଧାର ଆସିବା ପାଇଁ ହେଲେ ମହାପ୍ରଭୁଙ୍କ ନାମରେ ଥିବା ସମସ୍ତ ୫୦ ହଜାର ଏକରରୁ ଅଧିକ ଜମିକୁ ଚିହ୍ନଟ କରିବାକୁ ପଡ଼ିବ।
ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବାର ଆବଶ୍ୟକତା ସମ୍ପର୍କରେ କ’ଣ କହିବେ?
ସ୍ଥାୟୀ ପ୍ରଶାସକ ନିଯୁକ୍ତି ନିତାନ୍ତ ଆବଶ୍ୟକ। ଅତିରିକ୍ତ ଭାବେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ନ୍ୟସ୍ତ କରିବା ଉତ୍ତମ ନୁହେଁ। ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ଆସିଛୁ।
ଦୀଘା ଜଗନ୍ନାଥ ମନ୍ଦିର ସମ୍ପର୍କରେ କ’ଣ କହିବେ?
ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ କୁହାଯିବା ବିଷୟ ଗଣମାଧ୍ୟମରେ ଜଣାପଡ଼ିବା ପରେ ଚମକି ଯାଇଥିଲି। ମୁକ୍ତି ମଣ୍ଡପର ପରାମର୍ଶ ନେଲି। ଧାମ କହିବା ସମ୍ପୂର୍ଣ୍ଣ ଭୁଲ। ଆମ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉଭୟ ଏ ସମ୍ପର୍କରେ ଆଲୋଚନା କରିବା ନିତାନ୍ତ ଆବଶ୍ୟକ। ଏହାସତ୍ତ୍ବେ ଯଦି ସେମାନେ ଅମାନ୍ୟ କରନ୍ତି, ରାଜ୍ୟ ସରକାର ଆଇନଗତ ପଦକ୍ଷେପ ନେବା ଦରକାର। ଶ୍ରୀମନ୍ଦିର ପ୍ରଶାସନ, ଜଣେ ଭକ୍ତ କିମ୍ବା ରାଜ୍ୟ ସରକାର ଏଥିପାଇଁ ପକ୍ଷ ହୋଇ ପାରିବେ।
ସାଧାରଣ ଭକ୍ତଟିଏ ପୁରୀକୁ ଆସିଲେ, ଗଜପତିଙ୍କ ନଅର ଭିତରେ ବୁଲିପାରିବ କି?
ଆମର ଶ୍ରୀନଅରର ଦୁଇ ଭାଗ ବିଲ୍ଡିଂ ଅଛି। ଗୋଟିଏ ରାଜା ନଅର, ଅନ୍ୟଟି ରାଣୀ ନଅର। ଭବିଷ୍ୟତରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଐତିହାସିକ କୀର୍ତ୍ତି ପରିଦର୍ଶନ (ହେରିଟେଜ୍ ଭିଜିଟ୍)ର ସୁବିଧା କରିବାକୁ ଚିନ୍ତା କରୁଛୁ। ସପ୍ତାହର କିଛି ନିର୍ଦ୍ଦିଷ୍ଟ ସମୟ ଓ କିଛି ଦିନ ବୁଲିବାର ସୁଯୋଗ ଦେବାକୁ ଚିନ୍ତା କରୁଛୁ।
ଗଜପତିଙ୍କ ପରେ କିଏ?
ଗଜପତି ହେଉଛନ୍ତି ଜଣେ ସେବକ। ମାଲିକ ସେବକଙ୍କୁ ନିଯୁକ୍ତ କରନ୍ତି। ମାଲିକ ହେଲେ ମହାପ୍ରଭୁ। ଇତିହାସରେ ଯେତିକି ଗଜପତି ଆସିଛନ୍ତି, ମହାପ୍ରଭୁଙ୍କ ଆଦେଶରେ ହିଁ ଆସିଛନ୍ତି। ଆଗକୁ ଯିଏ ଆସିବେ, ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ଆସିବେ। ଆମ ପରମ୍ପରା ମୁତାବକ ଗଜପତିଙ୍କର ଜ୍ୟେଷ୍ଠପୁତ୍ର, ନ ଥିଲେ ତାଙ୍କ ସାନପୁଅ ଆସିବେ। ପୁଅ ନ ଥିଲେ ପୋଷ୍ୟପୁତ୍ର ରାଜଗାଦିରେ ବସିବେ। ଗଜପତିଙ୍କର କେହି ପୁଅ କି ପୋଷ୍ୟପୁତ୍ର ନ ଥିଲେ ଭାଇ ଦାୟିତ୍ବ ନେବେ। ଭାଇ ନ ଥିଲେ ତାଙ୍କ ପୁତ୍ର ଦାୟିତ୍ବ ନେବେ। କନ୍ୟା ଥିଲେ ହେଁ ଶ୍ରୀମନ୍ଦିର ପରମ୍ପରାରେ ପୁତ୍ରଙ୍କ ଦ୍ବାରା ସେବା ନୀତି ସମ୍ପାଦିତ ହେଉଥିବାରୁ ଗଜପତିଙ୍କ କନ୍ୟା ଏହି ଦାୟିତ୍ବ ନେଇପାରିବେ ନାହିଁ।
ଅଦିନିଆ ରଥଯାତ୍ରା ସଂକ୍ରାନ୍ତରେ ଇସ୍କନ୍ର ମନମାନି ସମ୍ପର୍କରେ କଣ କହିବେ?
ଇସ୍କନ୍ର ଭାରତୀୟ ପରିଚାଳନା ପରିଷଦ (ଗଭର୍ଣ୍ଣିଂ ବଡି କାଉନ୍ସିଲ୍) ଭାରତ ମଧ୍ୟରେ ଅଦିନିଆ ରଥଯାତ୍ରା ନ କରିବା ପାଇଁ ରାଜି ହୋଇଛନ୍ତି। ସେମାନେ ଏହାକୁ ମାନ୍ୟ କରୁଛନ୍ତି, କିନ୍ତୁ ଭାରତ ବାହାରେ ସେ ନିଷ୍ପତ୍ତି ନିଆଯାଇନାହିଁ। ଏହା ସମ୍ପୂର୍ଣ୍ଣ ଶାସ୍ତ୍ର ଓ ପରମ୍ପରା ବିରୋଧୀ କାର୍ଯ୍ୟ। ଏ ସମ୍ପର୍କରେ କେନ୍ଦ୍ରୀୟ ସଂସ୍ଥା ସହ ଆଲୋଚନା ହୋଇଛି।
ମହାରାଜଙ୍କ ସମ୍ପତ୍ତି ଓ ସେବକ ପାଉଣା କେତେ?
ଆଦ୍ୟ ସେବକ ଭାବେ କୌଣସି ପ୍ରାପ୍ୟ ନଥାଏ। ମାତ୍ର ଅନ୍ୟ ସେବକଙ୍କ ଭଳି ଗଜପତିଙ୍କ ସମେତ ମହାରାଣୀ ଓ କନ୍ୟାଙ୍କ ପାଇଁ କୋଠଭୋଗ ପ୍ରାପ୍ତି ଥାଏ।
ହାତୀ ମୃତ୍ୟୁ ସମ୍ପର୍କରେ କ’ଣ କହିବେ?
ମଣିଷ ନିଜର ସ୍ବାର୍ଥ ସାଧନ ଲାଗି ଅନ୍ୟ ପ୍ରାଣୀ ପାଇଁ ବେଶି ଚିନ୍ତା କରୁନାହିଁ। ମାତ୍ର ଭୁଲିଯିବା ଉଚିତ ନୁହେଁ ଯେ ପ୍ରତିଟି ମଣିଷ ଭଳି ପ୍ରାଣୀର ମଧ୍ୟ ସମାନ ଅଧିକାର ରହିଛି। ମୋର ଜଙ୍ଗଲରେ ପିଲାଟିବେଳୁ ରୁଚି ରହିଛି। ବର୍ଷକରେ କିଛିଦିନ ସପରିବାର ଜଙ୍ଗଲକୁ ଯାଇ ପ୍ରକୃତିକୋଳରେ ସମୟ ବିତାଇଥାଉ।
ମହାପ୍ରଭୁ ତ ଛପନଭୋଗୀ, ଆପଣଙ୍କର କେଉଁ ଖାଦ୍ୟରେ ସବୁଠୁ ବେଶି ରୁଚି ରହିଛି?
ଯେତିକି ସ୍ବାସ୍ଥ୍ୟ ପାଇଁ ଅନୁକୂଳ ସେତିକି ଖାଏ। ମହାପ୍ରଭୁ ଅସୀମ ହୋଇଥିବାରୁ ସେ ଛପନଭୋଗୀ। ଆମେ ସୀମିତ। ବୟସ ବଢ଼ିବା ସହ ଖାଦ୍ୟ ପ୍ରତି ଦୃଷ୍ଟି ରଖିବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/27/wet-project-1-2025-06-27-12-02-53.jpg)