ଭୁବନେଶ୍ବର: ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ମନ୍ଦିରମାଳିନୀ ସହର। ହୁଳହୁଳି, ହରିବୋଲରେ ଉଛୁଳି ପଡ଼ୁଥିଲା ରଥଦାଣ୍ଡ। ଘଣ୍ଟ, ଘଣ୍ଟା, ଭେରି, ତୂରୀ ଓ ମୃଦଙ୍ଗର ତାଳେତାଳେ ଚାଲିଥିଲା ଭଜନ, କୀର୍ତ୍ତନ। ରଥାରୁଢ଼ ଶ୍ରୀଜିଉଙ୍କୁ ସଂଦର୍ଶନ ଆଶାରେ ଛଳଛଳ ନୟନରେ ଅପେକ୍ଷା କରିଥିଲେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ହାତଟେକି ଡାକୁଥିଲେ ମହାପ୍ରଭୁଙ୍କୁ। କେହିକେହି ଭାବବିହ୍ୱଳିତ ହୋଇ ନାଚୁଥିଲେ ତ କିଏ ଭକ୍ତରେ ମହାପ୍ରଭୁଙ୍କ ଜଣାଣ ଗାନ କରୁଥିଲେ। ଚକ୍ରରାଜ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପରେ ପରେ କୋଟି କୈବଲ୍ୟନାଥ ବଳିଆର ଭୁଜ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ଝୁଲି ଝୁଲି ଆସି ରଥ ଉପରେ ବିରାଜମାନ କରିଥିଲେ। ରଥାରୂଢ଼ ଦିଅଁଙ୍କୁ ଦେଖି ଭକ୍ତଙ୍କ ଆଖିରୁ ଝରିଥିଲା ଆନନ୍ଦାଶ୍ରୁ। ଦେଖୁ ଦେଖୁ ରଥକୁ ଟାଣିନେଲେ ଭକ୍ତ ଓ ଶ୍ରଦ୍ଧାଳୁ। ଆଜି ଭୁବନେଶ୍ୱରରେ ପବିତ୍ର ରଥଯାତ୍ରା ଅବସରରେ ଏମିତି ଥିଲା ସବୁ ଜଗନ୍ନାଥ ମନ୍ଦିର ପରିସର। ଲକ୍ଷଲକ୍ଷ ଭକ୍ତ ଏହି ଗୁଣ୍ଡିଚା ଯାତ୍ରା ଦେଖିବାକୁ ରୁଣ୍ଡ ହୋଇଥିଲେ। ଇସ୍କନ, ପଟିଆ, ଶ୍ରୀବାଣୀକ୍ଷେତ୍ର, ଆର୍ସିଏମ୍, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ବାଣୀବିହାର, ଶିରିପୁର, ଜାଗମରା-ଧର୍ମବିହାର, କୋଳଥିଆ, ଘାଟିକିଆ ଆଦି ପ୍ରାୟ ୬୦ଟି ସ୍ଥାନରେ ଗୁଣ୍ଡିଚା ଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। କମିସନରେଟ୍ ପୁଲିସ, ମନ୍ଦିର ସେବାୟତ, ପ୍ରଶାସନର ସହଯୋଗରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।
ଇସ୍କନ୍
ଘଣ୍ଟଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ମଧ୍ୟରେ ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ଇସ୍କନ୍ ମନ୍ଦିରର ରଥଟଣା ସମ୍ପନ୍ନ ହୋଇଛି। ସକାଳ ପ୍ରାୟ ସାଢ଼େ ୮ଟାରେ ତିନିଠାକୁରଙ୍କ ରଥ ପ୍ରତିଷ୍ଠା କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ସ୍ବାମୀ ଗୋପୀନାଥ ମହାରାଜ ଅପରାହ୍ନ ୨ଟାରେ ଛେରାପହଁରା କରିଥିଲେ। ଅପରାହ୍ନ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ବହୁ ଭକ୍ତ ଓଭର୍ ବ୍ରିଜ୍ ଉପରୁ ଠାକୁରଙ୍କୁ ଦର୍ଶନ କରିବାକୁ ଭିଡ଼ ଲଗାଇଥିଲେ। ରଥ ୬ଟାରେ ମାଉସୀମା’ ମନ୍ଦିରରେ ପହଞ୍ଚିଥିଲେ। ୭ଟାରେ ଠାକୁରଙ୍କର ଆଳତି ହୋଇଥିଲା। ପରେ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ମା’ ସୁଭଦ୍ରାଙ୍କ ରଥକୁ ଛାତ୍ରୀ, ଯୁବତୀ ଓ ମହିଳାମାନେ ଟାଣିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥକୁ ସବୁ ଭକ୍ତମାନେ ଟାଣିଥିଲେ। ରଥ ଟାଣିବାକୁ ପୁଲିସ କମିସନର ଦେବଦତ୍ତ ସିଂହ, ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମାନସୀ ସୁନ୍ଦରାୟ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ସହିଦନଗର ବିଷ୍ଣୁ ମନ୍ଦିର
ସହିଦନଗର ସାଂସ୍କୃତିକ ସମିତିର ଆନୁକୁଲ୍ୟରେ ବିଷ୍ଣୁମନ୍ଦିରରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ୯ଟା ୨୦ରେ ରଥ ପ୍ରତିଷ୍ଠା ହୋଇଥିଲା। ମଧ୍ୟାହ୍ନ ସାଢ଼େ ୧ଟାରେ ଖେଚୁଡ଼ି ଭୋଗ ପରେ ପ୍ରାୟ ସାଢ଼େ ୨ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ସାଢ଼େ ୩ଟାରେ ଉପଦେଷ୍ଟା ଦେବରାଜ ମହାପାତ୍ର ଛେରାପହଁରା କରିଥିଲେ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ରଥାରୂଢ଼ ଶ୍ରୀଜିଉଙ୍କ ସମ୍ମୁଖରେ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ହୁଳହୁଳି ଓ ହରିବୋଲ ଧ୍ବନିରେ ଗଗନ ପ୍ରକମ୍ପିତ ହେଉଥିଲା। ରଥ ବିଷ୍ଣୁ ମନ୍ଦିରରୁ ବାହାରି ସହିଦନଗର ମୁଖ୍ୟ ରାସ୍ତା ଦେଇ ମା’ ଖଣ୍ଡୁଆଳି ମନ୍ଦିରରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ପହଞ୍ଚିଥିଲା। ବାହୁଡ଼ା ପର୍ଯ୍ୟନ୍ତ ମନ୍ଦିରରେ ଭଜନ ଓ କୀର୍ତ୍ତନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଗଗନ ବିହାରି ଚଇନି, ସାଧାରଣ ସମ୍ପାଦକ ବିଭୁପାଦ ପଟ୍ଟନାୟକ, ଉପସଭାପତି ରେବତୀକାନ୍ତ ବିଶ୍ୱାଳ, ମନ୍ଦିର ସମ୍ପାଦକ ଦେବେନ୍ଦ୍ର ବି ବ୍ରହ୍ମା, ସାଂସ୍କୃତିକ ସମ୍ପାଦକ ପ୍ରଦୀପ କୁମାର ଦ୍ୱିବେଦୀ ପ୍ରମୁଖ ପରିଚାଳନା କରିଥିଲେ।
କୋଳଥିଆ
ଖଣ୍ଡଗିରି କୋଳଥିଆ ଚିଦାନନ୍ଦବିହାର ଜଗନ୍ନାଥ ମନ୍ଦିରରେ ଯଥାରୀତି ଘୋଷଯାତ୍ରା ସମ୍ପନ୍ନ ହୋଇଛି। ସକାଳ ନୀତି, ଖେଚୁଡି ଭୋଗ ଲାଗି ଓ ସେନାପଟା ଲାଗି ପରେ ମଧ୍ୟାହ୍ନ ୧୨ଟାରେ ତିନିଠାକୁରଙ୍କୁ ପହଣ୍ତିରେ ଆଣି ରଥାରୂଢ଼ କରାଯାଇଥିଲା। ଅପରାହ୍ନ ୨ଟାରେ ସଂଘ ସଭାପତି ସତ୍ୟବ୍ରତ ଦାସ ଛେରାପହଁରା କରିଥିଲେ। ରଥଟଣା ଅପରାହ୍ଣ ୪ଟାରେ ଆରମ୍ଭ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ତିନିଠାକୁର ଖଣ୍ଡଗିରି ପାହାଡ଼ ପାଦଦେଶସ୍ଥ ସୁଧର୍ମା ମହାସଂଘ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ।
ଧର୍ମବିହାର ଜଗନ୍ନାଥ ମନ୍ଦିର
ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ପିପିଲି ମଙ୍ଗଳପୁରରୁ ଆସିଥିବା ଘୋଡ଼ାନାଚ, ନାଗାବାବା, ହନୁମାନ, ଠାକୁରାଣୀ ମେଢ଼ ଉପସ୍ଥିତ ଭକ୍ତଙ୍କୁ ବିଭୋର କରିଥିଲା। ଧର୍ମବିହାର ଜଗନ୍ନାଥ ମନ୍ଦିରରୁ ରଥ ବାହାରି ଗଣ୍ଡମୁଣ୍ଡା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଯାଇଥିଲା। ପୂର୍ବତନ କର୍ପୋରେଟର୍ ରଘୁନାଥ ମହାନ୍ତି ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ରଥ ୭ଟାରେ ମନ୍ଦିରରେ ପହଞ୍ଚିଥିଲା। ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ପ୍ରାୟ ୫ ହଜାର ଭକ୍ତଙ୍କ ପାଇଁ ଭୁବନେଶ୍ବର- ସାଉଥ୍ ୱେଲଫେୟାର ଆସୋସିଏସନ୍ ଓ ଲକ୍ଷ୍ମୀନାରାୟଣ ମନ୍ଦିର ମିଳିତ ସହଯୋଗରେ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡୁମୁଡ଼ୁମା ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟି ପକ୍ଷରୁ ଆୟୋଜିତ ରଥଯାତ୍ରାର ଏଥର ୧୩ ବର୍ଷ ପୁର୍ତ୍ତି ହୋଇଥିବାରୁ ଏଠାରେ କମିଟି ପକ୍ଷରୁ ଚଳିତ ବର୍ଷ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଥିଲା। ଠାକୁର ଅପରାହ୍ନ ୪ଟାରେ ଡୁମୁଡ଼ୁମା ଗ୍ରାମ ପାଲାମଣ୍ଡପରୁ ଡୁମୁଡ଼ୁମା ଫେଜ୍ ୨ରେ ଥିବା ହାଉସିଂବୋର୍ଡ ଶ୍ରୀଗୁଣ୍ଡିଚା ମଣ୍ଡପରେ ପହଞ୍ଚିଥିଲେ। ୯ ଦିନ ବ୍ୟାପୀ ଏଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବେ। କସ୍ମୋପଲିସ୍ ସୋସାଇଟି ପରିସର ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ପରେ ଅର୍ଦ୍ଧେନ୍ଦୁ ମହାପାତ୍ର ଛେରାପହଁରା କରିଥିଲେ। ଏହା ପରେ ଶାନ୍ତି ଶୃଙ୍ଖଳାର ସହିତ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। କସ୍ମୋପଲିସ୍ ପରିସର ଶତାଧିକ ଭକ୍ତଙ୍କର ଘଣ୍ଟ ହୁଳହୁଳି ହରିବୋଲ ଧ୍ବନିରେ ମୁଖରିତ ହୋଇ ସନ୍ଧ୍ୟା ସୁଦ୍ଧା ରଥଟଣା କାର୍ଯ୍ୟର ସମାପନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/28/hfshfsfhshf-2025-06-28-02-24-42.jpg)