ପୁରୀ(ଡକ୍ଟର ଭାସ୍କର ମିଶ୍ର): ପ୍ରାଚୀନ ସମୟରୁ ଶ୍ରୀମନ୍ଦିରରେ କେତେକ ନିର୍ଦ୍ଦିଷ୍ଟ ଯାନି ଯାତ୍ରା ପାଳନ ଅବସରରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ । ଏହି ବିଶେଷ ନୀତି ମୁଖ୍ୟତଃ ସ୍ନାନ ଯାତ୍ରା(ଜ୍ୟେଷ୍ଠ ପୂର୍ଣିମା) ଦିନ ରତ୍ନସିଂହାସନରୁ ପହଣ୍ଡି ବିଜେ ପୂର୍ବରୁ, ରଥଯାତ୍ରା ଦିନ ଅଣସର ପିଣ୍ଡିରୁ ରଥକୁ ପହଣ୍ଡି ବିଜେ ପୂର୍ବରୁ, ବାହୁଡ଼ା ଯାତ୍ରା ଦିନ ଗୁଣ୍ଡିଚା ମନ୍ଦିର ସିଂହାସନରେ ପହଣ୍ଡି ବିଜେ ପୂର୍ବରୁ, କୁମାର ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ ଉତ୍ସବ ଉପଲକ୍ଷେ ସମୁଦାୟ ପାଞ୍ଚଥର ଏହି ବିଶେଷ ନୀତି ପାଳିତହୋଇଥାଏ ।

Advertisment

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଶ୍ରୀମନ୍ଦିର ଶବ୍ଦାବଳୀ, ପୁରୀବୋଲି ଓ ଶ୍ରୀଜଗନ୍ନାଥ ଶବ୍ଦକୋଷ ଇତ୍ୟାଦି ଗ୍ରନ୍ଥମାନଙ୍କରେ ଉଲ୍ଲେଖ ପ୍ରକାରେ ମଙ୍ଗଳାରୋପଣ ବା ମଙ୍ଗଳାର୍ପଣ ଅର୍ଥ ମଙ୍ଗଳାକାମନା କରି କରାଯାଉଥଥିବା ବିଧି । ଏଥରେ ଷୋଡ଼ଶ ଦ୍ରବ୍ଯ ଅଭିମନ୍ତ୍ରିତ କରାଯାଇ (ଦେବତା, ରାଜାଦିଙ୍କୁ) ଅର୍ପଣ କରାଯାଇଥାଏ । ଉତ୍କଳ ରାଜ୍ୟର ପରମ୍ପରାରେ ରାଜାମାନେ ସିଂହାସନ ଆରୋହଣ ଓ ଯଜ୍ଞାଦି କାର୍ଯ୍ୟ ନିମିତ୍ତ ମଙ୍ଗଳ କର୍ମରେ କରାଯାଉଥିବା ବିଧି ‘ମଙ୍ଗଳାର୍ପଣ ବା ମଙ୍ଗଳାରୋପଣ’ ନାମରେ ଅଭିହିତ ଅଟେ । ସେହିପରି ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କର ପହଣ୍ଡି ବିଜୟର ଅବ୍ୟବହିତ ପୂର୍ବରୁ ବୈଦିକ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ । ଏ ସମ୍ପର୍କରେ କୁହାଯାଇଛି ଯେ –
“ ଅଥାଚାର୍ଯ୍ୟସ୍ତୁ ବିଧିନା ମଙ୍ଗଳାରୋପଣଂ ହରେଃ ।
ଅଗ୍ନିଶର୍ମା ବଳସ୍ୟାପି ବ୍ରହ୍ମା ଦେବ୍ୟାଃ ସମାଚରେତ୍ ।।”

ମଙ୍ଗଳାରୋପଣର ଅନ୍ୟ ଏକ ଅର୍ଥରେ ବର୍ଣ୍ଣନା ରହିଛି ଯେ, ବିବାହ ଓ ବ୍ରତ କର୍ମର ପ୍ରାରମ୍ଭିକ କର୍ମ । ନୂତନ କାର୍ଯ୍ୟର ପ୍ରାରମ୍ଭିକ କର୍ମ ଯାହା ହୋଇସାରିଲା ପରେ ଅଶୌଚାଦି ଘଟିଲେ ମଧ୍ୟ ବିବାହ, ବ୍ରତ ଆଦି କର୍ମ ବନ୍ଦ ହୁଏନାହିଁ । ସେହିପରି ଶ୍ରୀମନ୍ଦିର ପରମ୍ପରାରେ ବ୍ରାହ୍ମଣ ସେବକମାନଙ୍କ ‘ଶାଢ଼ୀବନ୍ଧା’ ଦିନ ତାଙ୍କର ନିଜସ୍ୱ ଗୃହରେ ପୁରୋହିତଙ୍କ ଦ୍ଵାରା ମଙ୍ଗଳାର୍ପଣ ବିଧି କରାଯାଇଥାଏ । ମଙ୍ଗଳାର୍ପଣ ବା ମଙ୍ଗଳାରୋପଣ ନୀତିରେ ସାଧାରଣତଃ ଗଙ୍ଗାମାଟି, ଦୀପ, ଶ୍ରୀଫଳ ଦୂର୍ବା, ଗୋରଚନା, ପୁଷ୍ପ, ଦର୍ପଣ, ଦଧି, ଶ୍ଵେତ ସୋରିଷ, ବସ୍ତ୍ର, ଅଳଙ୍କାର, ଅକ୍ଷତ, ବରକୋଳି ପତ୍ର, ଚନ୍ଦନ, ସିନ୍ଦୂର ଆଦି ଦ୍ରବ୍ୟରେ ମଙ୍ଗଳାରୋପଣ କାର୍ଯ୍ୟ କରାଯାଏ । (ପୂ.ଭା- ପୃ.୬୧୯୧, ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି, ପୃ. ୮୭) 

“ଭୂମିଂ ଦୀପଂ ଫଳ ଦୂବାଂ ପୁଷ୍ପ ଗୋରୋଚନଂ ତଥା
ଦର୍ପଣଂ ଦଧି ସିଦ୍ଧାର୍ଥ ଘୃତଂ ବସ୍ତ୍ରମଳଂ କୃତମ୍ 
ଅକ୍ଷତଂ ବଦରୀପତ୍ରଂ  ସିନ୍ଦୂରଂ ଗନ୍ଧମେବ ଚ 
ମଙ୍ଗଳାରୋପଣେ କୃର୍ଯ୍ୟାଦିମାନି ବେଦମନ୍ତ୍ରତଃ ॥

ସାଧାରଣତଃ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଭିନ୍ନ ଉତ୍ସବାଦିରେ ମଙ୍ଗଳ ମନାସ କରାଯାଇ ମଙ୍ଗଳାର୍ପଣ ବିଧି ଅନୁଷ୍ଠିତ ହୋଇଥାଏ । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ଧୂପ ଖେଚେଡ଼ି ଭୋଗ ସରିବା ପରେ ସୁଧ ସୁଆର ତିନି ବାଡ଼ରେ ତିନୋଟି ପିତଳ ବଟାରେ ମୁଦୁଲି ଠାରୁ ଅଠର ମୂର୍ତ୍ତି ପାତ୍ର ସଜ ନେଇ ମଙ୍ଗଳାର୍ପଣ ଜିନିଷାତ୍ ଯଥା ସ୍ଥାନରେ ରଖନ୍ତି । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ଆସି ତିନି ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି । ମୁଖ୍ୟତଃ ପୂଜାପଣ୍ଡା ସେବକ ଶ୍ରୀଜଗନ୍ନାଥଙ୍କ ବାଡରେ, ମୁଦିରସ୍ତ ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପତି ମହାପାତ୍ର ଦେବୀ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି । ଗରାବଡୁ ସେବକ ମଙ୍ଗଳାର୍ପଣ ଜିନିଷାତ୍ମାନ ନୀତି ସମ୍ପୃକ୍ତ ସେବକଙ୍କ ହସ୍ତକୁ ବଢ଼ାଇଥାନ୍ତି । ମଙ୍ଗଳାର୍ପଣ ସମୟରେ ସୁଧ ସୁଆର, ଭଣ୍ଡାର ମେକାପ,ଚାଙ୍ଗଡ଼ା ମେକାପ, ଛାମୁ ଦିହୁଡ଼ି ଇତ୍ୟାଦି ସେବକମାନେ ମଧ୍ୟ ସେହି ସମୟରେ ଉପସ୍ଥିତ ରହି ଉକ୍ତ ବିଶେଷ ନୀତିରେ ସଂଶ୍ଳିଷ୍ଟ ହୋଇଥାନ୍ତି । ଏତଦ୍ବ୍ୟତୀତ ବାଡ଼ଗ୍ରାହୀ ଦଇତା, ଅନ୍ୟାନ୍ୟ ଭାଗାରୀ ଦଇତା ଓ ଖୁଣ୍ଟିଆ ସେବକ ମଙ୍ଗଳାର୍ପଣ ନୀତି ସମୟରେ ଉପସ୍ଥିତ ହୋଇଥାନ୍ତି । ଏହି ନୀତି ସମୟରେ କାହାଳିଆ ସେବକ ବିଜେ କାହାଳି ବା ବୀର କାହାଳି ବାଦ୍ୟ ବଜାଇଥାନ୍ତି । ସାଧାରଣତଃ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ବିଶେଷ ବିଭିନ୍ନ ନୀତି ସମୟରେ ୫୮ ଥର କାହାଳି ବାଜିଥାଏ । ତନ୍ମଧ୍ୟରେ ମଙ୍ଗଳାର୍ପଣ ସମୟରେ ୯ ଥର ବିଜେ କାହାଳି ବାଜିଥାଏ ।

‘ବାମଦେବସଂହିତା’ର  ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣିତ ମଙ୍ଗଳରୋପଣ ବିଧି ସମ୍ପର୍କରେ କୁହାଯାଇଛି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପ୍ରାତଃକାଳୀନ ପୂଜା ସମ୍ପାଦନ ପରେ ମଙ୍ଗଳାରୋପଣ ଓ ବନ୍ଦାପନା ବିଧି କରାଯିବ । ଯଥା- 

“ପୁନଃ ପୂଜନକଂ କୁର୍ଯ୍ୟାନ୍ମଙ୍ଗଳାରୋପଣଂ ଚରେତ୍ ।
ବନ୍ଦାପନାଦିକଂ କୁର୍ଯ୍ୟାଦ୍ ଦେବାଗ୍ରେ କଥୟ ନୃପଃ ॥" (ବା.ସଂ- ୧୬୫)

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପ୍ରାତଃକାଳୀନ ପୂଜାନାନନ୍ତର ମଙ୍ଗଳାରୋପଣ ଓ ବନ୍ଦାପନା କରି ରାଜା ଭକ୍ତି ପୂର୍ବକ ବିଗ୍ରହମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ନିବେଦନ କରିବେ, ହେ ପୁରୁଷୋତ୍ତମ ! ପୂର୍ବକାଳରେ ଆପଣ ଆଜ୍ଞା କରିଥିଲେ ଯେ ଗୁଣ୍ଡିଚା ମନ୍ଦିରରେ ଯାଇ ସପ୍ତ ଦିବସ ଅବସ୍ଥାନ କରିବେ । ଏଣୁ ହେ ଦେବ ! ଜଗତ କଲ୍ୟାଣ ନିମନ୍ତେ ଆପଣ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ରଥରେ ଶୀଘ୍ର ବିଜେ କରନ୍ତୁ । ସେହିପରି ଶ୍ରୀଜଗନ୍ନାଥଙ୍କ ନୀତି ଓ ଉତ୍ସାବାଦି ପାଳନ ସମ୍ପର୍କୀୟ ଅନ୍ୟତମ ଗ୍ରନ୍ଥ 'ନୀଳାଦ୍ରିମହୋଦୟ'ର ଷୋଡ଼ଶ ଅଧ୍ୟାୟରେ କୁହାଯାଇଛି ଯେ :-

“ନିତ୍ୟସ୍ନାନଂ ତତଃ କୁର୍ଯ୍ୟାତ୍ ପ୍ରାତଃ ପୂଜାଂ" ତଥା ଚରେତ୍ ।
ପୂଜାନ୍ତେ ତତ୍ର ତତ୍ କୁର୍ଯ୍ୟାନ୍ ମଙ୍ଗଳାରୋପଣଂ ନୃପଃ ।”

ଅର୍ଥାତ୍, ପ୍ରଜାପତି ବ୍ରହ୍ମା ସ୍ଵୟଂ ରାଜାଙ୍କୁ କହିଛନ୍ତି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ମହାପ୍ରଭୁଙ୍କ ସ୍ନାନ ଓ ପ୍ରାତଃକାଳୀନ ପୂଜା କରିବ । ହେ ନୃପ ! ପୂଜା ପରେ ମଙ୍ଗଳାରୋପଣ କରିବ । ଏହାପରେ ପୂଜକମାନେ ମହାବିଷ୍ଣୁ ଜଗନ୍ନାଥଙ୍କର ଯଥାବିଧି ପୂଜା ଅର୍ଚ୍ଚନା କରିବେ । ତାହାପରେ ରାଜା ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପରମ ଭକ୍ତି ସହକାରେ ଠାକୁରମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ନିବେଦନ କରି କହିବେ, ହେ ଲକ୍ଷ୍ମୀପତି ! ହେ ଜଗନ୍ନାଥ ! ହେ ଭକ୍ତମାନଙ୍କର ଅନୁଗ୍ରହକାରି ଘୋଷଯାତ୍ରା ପାଇଁ ଆୟୋଜିତ ଉତ୍ସବକୁ ଆପଣ ଆପଣା ଲୀଳା ପ୍ରସଙ୍ଗରେ ଗମନ କରନ୍ତୁ । ଏଥିରୁ ଅନୁମିତ ହୁଏ ଯେ, ବାମଦେବସଂହିତା ଓ ନୀଳାଦ୍ରିମହୋଦୟ ରଚନାର ଯଥେଷ୍ଟ ପୂର୍ବରୁ ରଥ ଯାତ୍ରାରେ ମହାପ୍ରଭୁମାନଙ୍କ ବିଶେଷ ନୀତିରେ ମଙ୍ଗଳାରୋପଣ ବିଧି ଅନୁଷ୍ଠିତ ହେଉଥିଲା ।

ମଙ୍ଗଳାରୋପଣ ବିଧି ସମ୍ପର୍କରେ କାଣ୍ଵସଂହିତା ଓ ପାରସ୍କରଗୃହ୍ୟସୂତ୍ରରେ ଉଲ୍ଲେଖ ରହିଛି । ଯଥା :-
“ଭୂମିଦୀପଂ ଫଳ ଦୂର୍ବା ପୁଷ୍ପଗୋରଚନା ତଥା
ଦର୍ପଣ ଦଧି ସିଦ୍ଧାର୍ଥଂ ଘୃତ ଚାସାଦୟେତ୍ କ୍ରମାତ୍
ଅନ୍ନସ୍ବର୍ଣ୍ଣଂ ତଥା ବସ୍ତ୍ରଂ ଗନ୍ଧଂ ଚୈବ ସମର୍ପୟେତ୍ ।।”

ପ୍ରତ୍ୟେକ ଦ୍ରବ୍ୟକୁ ବୀକ୍ଷଣାଦି ଦ୍ବାରା ସଂସ୍କାର କରି ସମର୍ପଣ କରାଯାଏ ଏବଂ ସମର୍ପଣ ପରେ ପ୍ରତ୍ୟେକ ଥର ଜଳରେ ହସ୍ତ ପ୍ରକ୍ଷାଳନ କରାଯିବ ।

୧. ଭୂମି (ଗଙ୍ଗାମୃତ୍ତିକା- ଲାଗି) ମନ୍ତ୍ର- “ଓଁ ଭୂରସି ଭୂମିରସ୍ୟଦିତିରସି ବିଶ୍ଵଧାୟା ବିଶ୍ୱସ୍ୟ ଭୁବନସ୍ୟ ଧର୍ତ୍ରୀ । ପୃଥିବୀଂୟଚ୍ଛ ପୃଥିବୀଂ ଦୃଗୁଁହ ପୃଥିବୀଂ ମାହିଗୁଁସୀଃ ।।"
୨.ଦୀପ (ଦର୍ଶନ) ମନ୍ତ୍ର – “ ଓଁ ଚନ୍ଦ୍ରମା ମନସୋ ଜାତଶ୍ଚକ୍ଷୋଃ ସୂର୍ଯ୍ୟୋ ଅଜାୟତ ।
ଶ୍ରୋତାଦ୍ ବାୟୁଶ୍ଚ ପ୍ରାଣଶ୍ଚ ମୁଖାଦଗ୍ନିର ଜାୟତ ।” (କାଣ୍ଵସଂହିତା- ୩୫।୧୨)
୩. ଶ୍ରୀଫଳ (ନାରିକେଳ)(ଲାଗି) ମନ୍ତ୍ର– “ ଓଁ ଯଃ ଫଳିନୀର୍ଯ୍ୟା ଅଫଳା ଅପୁଷ୍ପାୟାଶ୍ଚ ପୁଷ୍ପିଣୀଃ ।
ବୃହସ୍ପତିପ୍ରସୂତାସ୍ତା ନୋ ମୁଞ୍ଚନ୍ତ୍ଵଗୁଁ ହସଃ ॥" (କାଣ୍ଵସଂହିତା - ୧୩୯୦)
୪. ଦୂବ (ଲାଗି) ମନ୍ତ୍ର “ ଓଁ କାଣ୍ଡାତ୍ କାଣ୍ଡାତ୍ ପ୍ରରୋହନ୍ତୀ ପୁରୁଷଃ ପୁରଷସ୍କରି ।
ଏବା ନୋ ଦୂର୍ବେ ପ୍ରତନୁ ହସସ୍ରେଣ ଶତେନ ଚ॥" (କାଣ୍ଵସଂହିତା - ୧୪ । ୨୦) 
୫. ପୁଷ୍ପ (ଲାଗି) ମନ୍ତ୍ର - "ଓଁ ଶ୍ରୀଶ୍ଚ ତେ ଲକ୍ଷ୍ମୀଶ୍ଚ ପତ୍ନ୍ୟା ଅହୋରାତ୍ରେ ପାର୍ଶ୍ୱେନକ୍ଷତ୍ରାଣି ରୂପମଶ୍ଵିନୋ ବ୍ୟାତ୍ତମ୍, ଇଷ୍ନନ୍ନିଷାଣାମୁଂମା ଇଷାଣ ସର୍ବଲୋକଂ ମ ଇଷାଣ।" (କାଣ୍ଵସଂହିତା- ୩୫:୨୨) 
୬. ଗୋରଚନା (ଲାଗି) ମନ୍ତ୍ର – “ ଓଁ ଯୁଞ୍ଜନ୍ତିବ୍ରତ୍ରଧ୍ନମତ୍ତୁଷଂ ଚରନ୍ତଂ ପରିତ ସ୍ଥୁୁଷଃ ରୋଚନା ଦିବି ।" (କାଣ୍ଵସଂହିତା – ୨୫।୫) 
୭.ଦର୍ପଣ(ଦର୍ଶନ)ମନ୍ତ୍ର- 'ଓଁ ଆକୃଷ୍ଣେନ ରଜସା ବର୍ତମାନୋ ନିବେଶୟନ୍ନମୃତଂ ମର୍ତ୍ତ୍ୟଚ । 
ହିରଣ୍ୟୟେନ ସବିତା ରଥେନା ଦେବୋ ଯାତି ଭୁବନାନି ପଶ୍ୟନ୍ ।”
୮.ଦଧି (ଦର୍ଶନ) ମନ୍ତ୍ର - "ଓଁ ଦଧିକ୍ରାବଣୋ ଅକାରିଷଂ ଜି ଷ୍ମୋରଶ୍ଵସ୍ୟ ବାଜିନଃ ।
ସୁରଭି ନୋ ମୁଖା କରତପ୍ରଣ ଆୟୂଗୁଁଷି ତାରିଷତ୍ ।“
୯. ଶ୍ଵେତ ସୋରିଷ (ଅର୍ପଣ) ମନ୍ତ୍ର – “ ଓଁ ଭେଷଜମସି ଭେଷଜଂ ଗବେଶ୍ଵାୟପୁରୁଷାୟ ଭେଷଜମ୍ ।
ସୁଗଂ ମେଷାୟ ମେଷ୍ୟୈ॥"
୧୦.ଘୃତ (ଦର୍ଶନ) ମନ୍ତ୍ର - “ଏଁ ତେଜୋଽସି ଶୁକ୍ରମସ୍ୟମୃତମସି ଧାମ ନାମାସି ।
ପ୍ରିୟଂ ଦେବାନା ମନଧୃଷ୍ଟଂ ଦେବୟଜନମ୍ ।।"
୧୧. ଅକ୍ଷତ (ଲାଗି) ମନ୍ତ୍ର – “ ଓଁ ଅନ୍ନପତେଽନ୍ନସ୍ୟ ନୋ ଦେହ୍ୟନମୀବସ୍ୟ ଶୁଷ୍କିଣଃ ।
ପ୍ରପବାତାରଂ ତାରିଷ ଉର୍ଜଂ ନୋ ଧେହି ଦ୍ବିପଦେ ଚତୁଷ୍ପଦେ ।
ବିଶ୍ଵକର୍ମଣେ ସ୍ୱାହା ।"
୧୨. ସ୍ଵର୍ଣ ଅଳଙ୍କାର (ଲାଗି) ମନ୍ତ୍ର - “ଓଁ ଅଳଙ୍କରଣମସି ଭୂୟୋଽଳଙ୍କରଣ ମେ ଭୂୟାତ" ।
୧୩. ବସ୍ତ୍ର (ଲାଗି) ମନ୍ତ୍ର – “ଓଁ ପରିଧାସ୍ୟୈ  ଯଶୋଧସ୍ୟୈ ଦୀର୍ଘାୟୁତ୍ଵାୟ ଜଗଦଷ୍ଟିରସ୍ମି । ଶତାଂଚଜୀବାମି ଶରଦଃ ପୁରୁଚୀ ରାୟସ୍ପୋଷମଭିସଂବ୍ୟୟିଷ୍ୟେ ।।"
୧୪, ଚନ୍ଦନ( ଲାଗି) ମନ୍ତ୍ର – “ଓଁ ଗନ୍ଧଦ୍ବାରାଂ ଦୂରାଧର୍ଷାଂ ନିତ୍ୟପୁଷ୍ଟାଂ" କରିଷିଣୀମ୍ ।
ଈଶ୍ୱରୀଂ ସର୍ବଭୂତାନାଂ ତ୍ଵାମିହୋପହ୍ଵୟେ ଶ୍ରିୟମ୍ । (ଇତି ମଙ୍ଗଳାରୋପଣ ବିଧି)

ଏଠାରେ ଉଲ୍ଲେଖଯୋଗ୍ୟଯେ ମଙ୍ଗଳାର୍ପଣ ବିଧି ଷୋଡ଼ଶ ଦ୍ରବ୍ୟାଦିରେ ସମ୍ପନ୍ନ ହେଉଥିଲେ ହେଁ ଶ୍ରୀମନ୍ଦିରର ମଙ୍ଗଳାରୋପଣ ନୀତିରେ ବରକୋଳି ପତ୍ର ଓ ସିନ୍ଦୂର ବ୍ୟବହୃତ ହୋଇନଥାଏ । ଦାରୁବ୍ରହ୍ମରୂପୀ ଶ୍ରୀବିଗ୍ରହଙ୍କର ମଙ୍ଗଳାର୍ପଣ ବିଧିରେ ୧୪ଟି ଜନିଷାତ୍ ବ୍ୟବହାର ହୋଇଥାଏ । ପ୍ରାଚୀନ ଯୁଗରୁ ପ୍ରଚଳିତ ବୈଦିନ ଓ ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ମୃତ୍ତିକା କପାଳରେ ଲଗାଇବାର ଅର୍ଥ ଭୂମି ବାଧା ଦୂରୀଭୂତ ଓ ଆକସ୍ମିକ ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା । ଦୂର୍ବା ଧାରଣର ଅର୍ଥ ଦୁଷ୍ଟ ଗ୍ରହରୁ ରକ୍ଷା ପାଇବା । ପୁଷ୍ପ ଧାରଣ ଦ୍ବାରା ଅପରକୁ ଆନନ୍ଦ ପ୍ରଦାନ କରିବା । ଗୋରଚନା ଲାଗି ଦ୍ୱାରା ଅନ୍ୟକୁ ଆକର୍ଷିତ କରିବା, ଦର୍ପଣ ଦର୍ଶନ ଦ୍ବାରା ନିଜକୁ ସନ୍ତୋଷ କରିବା, ବଧୂ ବର୍ଶନ ଦ୍ବାରା ଶତ୍ରୁକୁ ମୋହନ କରିବା, ଶ୍ବେତ ସୋରିଷ ଅର୍ପଣରେ ଅପଗ୍ରହ ବା ଅପବର୍ଗ ନାଶନ ଏବଂ ଅଳଙ୍କାର ଲାଗିରେ ଶ୍ରୀବର୍ଦ୍ଧନାର୍ଥ ଅଟେ । ବୈଦିକ ମନ୍ତ୍ରରେ ଏହି ଦ୍ରବ୍ୟାଦି ଅର୍ପଣରେ ସମସ୍ତ ପ୍ରକାର ମଙ୍ଗଳ ମନାସ ହେଉଥିବାରୁ ଏହାକୁ ମଙ୍ଗଳାରୋପଣ ବା ମଙ୍ଗଳାର୍ପଣ ନାମରେ ଅଭିହିତ କରାଯାଇଛି । ଶ୍ରୀଗୁଣ୍ଡିର ଯାତ୍ରା ମହାପ୍ରଭୁଙ୍କର ଏକ ଯାତ୍ରାକାଳୀନ ଉତ୍ସବ ହେଉଥିବା ଯୋଗୁଁ ମଙ୍ଗଳାର୍ପଣ ବିଧି ଅନୁଷ୍ଠିତ ହୋଇଥାଏ ।

ଅଢିକ ପଢନ୍ତୁ-

ମହାପ୍ରଭୁ ନିଇତି ସନ୍ଧ୍ୟାଧୂପରେ ଭୁଞ୍ଜୁଥିବା ମେଘମାଳିଆ ସୁଆର ପିଠା ପଛର କାହାଣୀ