ପୁରୀ: ରଥଯାତ୍ରା.. କହିଲେ ଆମେ ସମସ୍ତେ ବୁଝୁ ରଥରେ ବିରାଜମାନ କରି ଜନ୍ମବେଦୀକୁ ଶ୍ରୀଜିଉଙ୍କ ଯାତ୍ରା । ଯେଉଁ ଯାତ୍ରାରେ ୩ଟି ରଥ ଯାଏ । ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ବଜ ରଥ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଏବଂ ମହାବାହୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ । ଯେଉଁ ରଥମାନଙ୍କରେ ବସି ଚତୁର୍ଦ୍ଧାମୂର୍ତ୍ତି ଏହି ନବଦିନାତ୍ମଯାତ୍ରା କରନ୍ତି । ସ୍ନାନପୂର୍ଣ୍ଣିମା ପରେ ଜ୍ବରରେ ପଡିଥିବା ଦିଅଁ ସୁସ୍ଥ ହୋଇ ଜନ୍ମଦେବୀକୁ ୯ ଦିନ ପାଇଁ ଯାତ୍ରା କରନ୍ତି ।
ରଥଯାତ୍ରାରୁ ବାହୁଡାଯାତ୍ରା.. ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ଯେଉଁ ଯାତ୍ରା ଶ୍ରୀଜିଉମାନେ କରନ୍ତି ତାହା ଏହି ରଥ ମାଧ୍ଯମରେ ସମ୍ଭବ ହୁଏ । ଭକ୍ତମାନେ ପ୍ରଭୁଙ୍କୁ ରଥରେ ଟାଣି ଟାଣି ନିଅନ୍ତି । ୩ ରଥକୁ କୋଟି କୋଟି ଭକ୍ତ ଟାଣି ଟାଣି ନିଅନ୍ତି ପୁଣି ଶରଧାବାଲିରୁ ଟାଣି ଟାଣି ସିଂହଦ୍ବାର ସାମ୍ନାକୁ ଆଣନ୍ତି.. କାହିଁ କେଉଁ କାଳରୁ ଆମେ ଶୁଣି ଆସୁଛେ ଯେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ ୩ଟି ରଥ ହୁଏ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୁରୀରେ ୩ଟି ରଥ ନୁହେଁ ବରଂ ୬ଟି ରଥ ହେଉଥିଲା । ୬ଟି ରଥରେ ଶ୍ରୀଜିଉ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଯାତ୍ରା କରୁଥିଲେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ରଥଯାତ୍ରା-୨୦୨୫ ଉପଲକ୍ଷେ ପ୍ରକାଶିତ ହୋଇଥିବା ସୂଚନା ପୁସ୍ତିକାର ୧୭ ନଂ ପୃଷ୍ଠାରେ ଶଙ୍ଖକ୍ଷେତ୍ର ବାବଦରେ ବର୍ଣ୍ଣନା ହୋଇଛି । ଯେଉଁଥିରେ ଶହ ଶହ ବର୍ଷ ପୂର୍ବେ ଶ୍ରୀକ୍ଷେତ୍ରେ ୩ ନୁହେଁ ବରଂ ୬ଟି ରଥରେ ଯାତ୍ରା ହେଉଥିଲା ବୋଲି ଲେଖାଯାଇଛି । ପୁସ୍ତକରେ କୁହାଯାଇଛି ।
ପ୍ରାୟ ୨୦୦ ବର୍ଷ ତଳେ ବଡ଼ଦେଉଳ ଓ ଗୁଣ୍ଡିଚା ବାଡ଼ି ମଧ୍ଯରେ ବାଙ୍କି ମୁହାଣ ନଦୀ ପ୍ରବାହିତ ହେଉଥିଲା । ବର୍ତ୍ତମାନ ଯାହାକୁ ଶରଧାବାଲି କୁହାଯାଉଛି ତାହା ଦିନେ ନଦୀର ଗର୍ଭ ଥିଲା । ରଥଯାତ୍ରାରେ ୨ ସାରୀ ରଥ ତିଆରି ହେଉଥିଲା ଏବଂ ନଦୀର ଦୁଇ ତୀରରେ ସାରିଏ ରଥ ରହୁଥିଲା । ଅର୍ଥାତ ଏପଟେ ୩ଟି ସେପଟେ ୩ଟି ରଥ ରହୁଥିଲା ।
ଖ୍ରୀଷ୍ଟୀୟ ଦ୍ବାଦଶ ଶତାବ୍ଦୀରେ ଗୁଣ୍ଡିଚା ଘର ଥିଲା ଏକ କାଠ ମଣ୍ଡପ ଗୃହ। ଏ ସମ୍ପର୍କରେ ମାଦଳାପାଞ୍ଜି ରାଜଭୋଗ ଇତିହାସରେ ୩୬ ପୃଷ୍ଠାରେ ବର୍ଣ୍ଣନା ମୁତାବକ, ରାଜା ବାଙ୍କୀ ମୁହାଣ ପୋତାଇଲେ । ସେବେ ଛଅ ରଥ ହେଉଥିଲା । ନଈ ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ । ଚାରି ପାଖେ ବେଢ଼ା କଲେ । ଗଙ୍ଗବଂଶର ରାଜା ନରସିଂହ ଦେବ ଦ୍ବିତୀୟଙ୍କ ୧୨୭୮ରୁ ୧୩୦୬ ଖ୍ରୀଷ୍ଟାବ୍ଦ ରାଜତ୍ବ ସମୟରେ ଏହା ପରିବର୍ତ୍ତିତ ହୋଇଥିଲା ବୋଲି ଉଲ୍ଲେଖ ରହିଛି।
ତେବେ ଭୁବନେଶ୍ବରର ଜଣେ ଭକ୍ତ ତାଙ୍କ ପୂର୍ବ ପୁରୁଷଙ୍କ ଠାରୁ ୬ ରଥ କଥା ଶୁଣିଥିବା କୁହନ୍ତି- ପୂର୍ବରୁ ଶ୍ରୀମନ୍ଦିରୁ ଅଧା ବାଟ ଶ୍ରୀଜିଉ ୩ଟି ରଥରେ ଯାଆନ୍ତି ଏବଂ ନଦୀର ଏପଟ ତୀରରେ ୩ ରଥ ଅପେକ୍ଷା କରେ ଏବଂ ଦିଅଁଙ୍କୁ ଡଙ୍ଗାରେ ନିଆଯାଇ ପୁଣି ନଦୀର ସେପଟ ତୀରରେ ଥିବା ୩ ରଥରେ ପୁଣି ବସାଇ ଗୁଣ୍ଡିଚା ବାଡ଼ି ନିଆଯାଏ । ଅର୍ଥାତ ପୁରୀରେ ଦିନେ ୬ଟି ରଥ ହେଉଥିଲା ଏବଂ ଡଙ୍ଗାରେ ବି ଏହି ରଥଯାତ୍ରା କରାଯାଉଥିଲା । ପରେ ପରେ ଏହା ବଦଳି, ନଦୀକୁ ପୋତି ୩ଟି ରଥରେ ପରିବର୍ତ୍ତିତ କରାଯାଇଛି ।
ଅଧିକ ପଢନ୍ତୁ-