ପୁରୀ: ଡେରି କିଆଁ କର ଦାରୁ ଦେବତା ହେ, ଡେରି କିଆଁ କରୁଅଛ.. ମନ କି ଆମ୍ଭର ମାନୁଅଛି କୁହ, ବେଗି ବେଗି ଥରେ ଆସ.. ଆଉ ରହି ହଉନି ସାଆନ୍ତେ, ଆଉ ଏତେ ଅପେକ୍ଷା କରି ହେଉନି । ନା ଆଖିକୁ ଅଟକେଇ ହେଉଛି ନା ମନକୁ ବୁଝି ହେଉଛି । ସ୍ନାନ ପୂର୍ଣ୍ଣିମା ପରଠାରୁ ତମକୁ ଦେଖିନୁ ହେ ମହାପ୍ରଭୁ । ତମ ଚକାଆଖିକୁ ଥରେ ଚାହିଁନୁ । ଯେଉଁ ଚକାଆଖିକୁ ନିଇତି ଚାହିଁ ଏ ଦିନ ଆରମ୍ଭ ହୁଏ, ତାକୁ କେତେ ଦିନ ହେଲା ଦେଖିନୁ । ଆଉ ଆଜି ଯେତେବେଳେ ଜଗତକୁ ଦର୍ଶନ ଦେବାକୁ ତୁମ୍ଭେ ଦେଉଳ ବାହାରକୁ ବାହାରୁଛ ସେତେବେଳେ ଏ ଅବୁଝା ମନକି ବୁଝୁଛି, ଅମାନିଆ ଆଖିଟା ପରା ଖାଲି ସେ ସିଂହଦ୍ବାର ଆଡକୁ ଚାହୁଁଛି । କଳାହାତୀ କେତେବେଳେ ଝୁଲିଝୁଲି ଆସିବ ସେହି ସମୟକୁ ଅପେକ୍ଷା କରିଛି..
ମହାବାହୁଙ୍କ ଆସିବା ବାଟକୁ ଚାହିଁଛନ୍ତି କୋଟି କୋଟି ଭକ୍ତ, ଚାହିଁଛି ଜଗତ ଆଉ ଏ ରଥ । କଳା ସାଆନ୍ତେଙ୍କ ଗୋଟିଏ ଝଲକ ଦେଖି ପୂରିଯିବ ମନ, ତୃପ୍ତ ହେବ ଆଖି, ମିଳିବ କୋଟି ଜନ୍ମର ପୂଣ୍ୟ । ଆଉ କିଛି ସମୟ ପରେ ଆରମ୍ଭ ହେବ ପହଣ୍ଡି । ସାଢେ ୯ରୁ ପହଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଭକ୍ତଙ୍କ ମନ ଆଉ ମାନୁନି । ଭକ୍ତ ୧୨ ମାସ ନୁହେଁ ଯେମିତି ୧୨ ବର୍ଷ ଅପେକ୍ଷା କରିଥିଲେ ଏହି ପର୍ବକୁ । ଯେତେବେଳେ ତାଙ୍କ ପ୍ରିୟ ଠାକୁର ଆସିବେ ବଡ଼ଦାଣ୍ଡକୁ । ରଥରେ ବସି ବିନା କୌଣସି ବାଧାବିଘ୍ନରେ ଦର୍ଶନ ଦେବେ ।ଆଜି ଭକ୍ତର ସେ ଇଚ୍ଛା ପୂରଣ ହୋଇଛି । ମହାପ୍ରଭୁଙ୍କୁ ବୋହି ନେବାକୁ ସିଂହଦ୍ବାର ଆଗରେ ଅପେକ୍ଷା କରି ରହିଛନ୍ତି ୩ ରଥ । ଆଉ କିଛି କ୍ଷଣ ପରେ ତ ଭିଡ଼ି ଆସିବେ ଚତୁର୍ଦ୍ଧା ମୂରତି । ଭକ୍ତ ତାଙ୍କୁ ଟାଣିନେବେ ଗୁଣ୍ଡିଚା ରାଣୀଙ୍କ ମନ୍ଦିରକୁ ।
ହେ ମହାବାହୁ କେବେ ଆସିବେ ବଡଦାଣ୍ଡକୁ..
— Sambad (ସମ୍ବାଦ) (@sambad_odisha) June 27, 2025
ଅପେକ୍ଷା କରିଛନ୍ତି ଭକ୍ତ, ଅପେକ୍ଷା କରିଛି ରଥ#JayJagannath #RathaJatra2025 #RathJatra #Odisha #Puri #Sambad pic.twitter.com/1tfZv2hiSb
ଘୋଷଯାତ୍ରା ଦ୍ବାଦଶ ଯାତ୍ରା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଯାତ୍ରା ଓ ଶ୍ରୀଜିଉମାନଙ୍କର ଅତି ପ୍ରିୟ ଯାତ୍ରା, ଯାହା ବିଷୟରେ ବିଭିନ୍ନ ପୁରାଣରେ ଉଲ୍ଲେଖ ରହିଛି । ଆଷାଢ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କର ନବଦିନାତ୍ମକ ଘୋଷଯାତ୍ରା ବିଶ୍ବଶାନ୍ତି, ମୈତ୍ରୀ ଓ ସଦଭାବନା ପ୍ରତିଷ୍ଠା ଦିଗରେ ପ୍ରେରିତ । ଏହା ହିଁ ଏକମାତ୍ର ପର୍ବ ଯେଉଁଠି ଜାତି , ଧର୍ମ, ବର୍ଣ୍ଣ , ସମ୍ପ୍ରଦାୟ, ଲିଙ୍ଗ, ଧନୀ, ନିର୍ଦ୍ଧନ ନିର୍ବିଶେଷରେ ସମସ୍ତେ ସାମିଲ ହୁଅନ୍ତି । ଧର୍ମର, ମନର ସଙ୍କୀର୍ଣ୍ଣତା ସବୁକିଛି ବଡ଼ଦାଣ୍ଡର ଧୂଳିରେ ମିଶିଯାଏ। ଏହି ପର୍ବରେ କାହାକୁ ବାରଣ ନାହିଁ । ଏହି ପର୍ବ ସାରା ବିଶ୍ବର ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ଦିଏ। ସମସ୍ତ ଭକ୍ତଙ୍କୁ ଭଗବାନଙ୍କର ନିଆରା ସେବା କରିବାର ସୁଯୋଗ ଦିଏ । ସମାଜ ସୃଷ୍ଟି ବିଭିନ୍ନ ବିଧିବ୍ୟବସ୍ଥା ଏଠି ହାର ମାନେ । ସବୁ ମଣିଷଙ୍କୁ ଏକାଠି ନେଇ ସମସ୍ତଙ୍କ ସହଯୋଗରେ ସେ ଆସନ୍ତି ଗୁଣ୍ଡିଚା ମନ୍ଦିରକୁ । ଭକ୍ତ ଯେପରି ଆଷାଢ଼ ଦ୍ବିତୀୟାକୁ ଅପେକ୍ଷା କରି ରହେ ମହାପ୍ରଭୁ ମଧ୍ୟ ସେହିପରି ଗୁଣ୍ଡିଚା ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ।
ଜୟ ଶ୍ରୀଜଗନ୍ନାଥ pic.twitter.com/jXJ4U3AwlQ
— Shree Jagannatha Temple, Puri (@JagannathaDhaam) June 27, 2025
ରଥରେ ବସି ମହାପ୍ରଭୁ ଅପଲକ ନୟନରେ ଭକ୍ତମାନଙ୍କୁ ଚାହିଁ ରହିଥାଆନ୍ତି। ପଳକହୀନ ନୟନରେ ସେ ଚକାଡୋଳା, ହାତ ନଥାଇ ସେ ବଳିୟାରଭୁଜ । ପାଦ ନଥାଇ ସେ ଧରଣୀପାଦ। ସେ ପୁରୁଷ ଶ୍ରେଷ୍ଠ, ପୁରୁଷୋତ୍ତମ , ପୂର୍ଣ୍ଣତାର ପ୍ରତୀକ । ତିନି ରଥ ଉପରେ ଆରୂଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି । ଭକ୍ତମାନେ ରଥ ଦଉଡ଼ିକୁ ଟାଣିବାକୁ ଆଗଭର ହୁଅନ୍ତି । ଭକ୍ତଙ୍କ ଆଡ଼େ ଚାହିଁ ଭଗବାନ କୁହନ୍ତି, ’ଭକ୍ତଗଣ ରଥକୁ ଟାଣି ଟାଣି ନେଇଯାଅ, ଗୁଣ୍ଡିଚା ମନ୍ଦିରକୁ ନୁହେଁ , ବରଂ ନିଜ ମନ ମନ୍ଦିରକୁ’ ଜୟ ଜଗନ୍ନାଥ , ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ..