ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୫ ରେଜଲ୍ଟ ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଫଳାଫଳ ପୁସ୍ତକ ଉନ୍ମୋଚିତ ହୋଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ ଓଜେଇଇ-୨୦୨୫ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଜାଣିବା ପାଇଁ ojee.nic.in ୱେବ୍‌ସାଇଟ୍‌ ମାଧ୍ୟମରେ ନିଜର ରାଙ୍କ କାର୍ଡ ପାଇପାରିବେ।

Advertisment

ସୂଚନାଯୋଗ୍ୟ, ଗତ  ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା। ୧୨ ତାରିଖ ଯାଏ ଏହା ୩ଟି ସିଫ୍ଟରେ ଜାରି ରହିଥିଲା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ହୋଇଥିଲା।

 

ଓଜେଇଇ ରେଜଲ୍ଟ ପ୍ରକାଶିତ ହୋଇଥିବା ବେଳେ କେଉଁ କୋର୍ସ ପାଇଁ କେଉଁ ପରୀକ୍ଷାର୍ଥୀ ଶ୍ରେଷ୍ଠ ରାଙ୍କ ଆଣିଛନ୍ତି, ତାହା ସୂଚନା ଦିଆଯାଇଛି। ବି ଫାର୍ମାରେ ଯତୀନ ମେହେର, ଲେଟରାଲ-ଟେକ୍ନୋଲୋଜି (ଡିପ୍ଲୋମା)ରେ ଗୌରବ ସ୍ବାଇଁ, ଲେଟରାଲ ଏଣ୍ଟ୍ରି-ଟେକ୍ନୋଲୋଜି (ବିଏସ୍‌ସି)ରେ ସାକ୍ଷୀ କୁମାରୀ, ଲେଟରାଲ ଏଣ୍ଟ୍ରି-ଟେକ୍ନୋଲୋଜି-ଫାର୍ମାସିରେ ସାଗରିକା ଦାଶ, ଏମ୍ବିଏରେ ଅନୁରାଗ ମିଶ୍ର, ଏମସିଏ/ଏମଏସ୍ସି (କମ୍ପ୍ୟୁଟର ସାଇନ୍ସ)ରେ ଏସ୍ ସିସେନ୍ଦ୍ରୀ, ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ ଅଂଶୁମାନ ପତି, ବି. କେଟ୍ ଇନ ସିନେମାଟୋଗ୍ରାଫି ଆଣ୍ଡ ସାଉଣ୍ଡ ରେକର୍ଡିଂ ଆଣ୍ଡ ସାଉଣ୍ଡ ଡିଜାଇନିଂରେ ନେହା ପ୍ରିୟଦର୍ଶିନୀ, ବି. କେଟ୍ ଇନ୍ ଫିଲ୍ମ ଏଡିଟିଂରେ ସାନିଧ୍ୟ ନାୟକ, ଏମ୍ ଫାର୍ମାରେ ହିତଶେ କୁମାର ଧଳ, ଏମ୍ ଆର୍ଚିଟେକ୍‌ରେ ଅସ୍ମିତା ସୁବୁଦ୍ଧି, ଏମ୍ ପ୍ଲାନରେ ଉର୍ମିକାନ୍ତ ମଣିନନ୍ଦନ ସାହୁ ଏବଂ ଏମ୍ ଟେକ୍ ବର୍ଗରେ ସମସ୍ତ ସ୍ପେଶାଲାଇଜେସନରେ ମନ୍ମଥ ବେହେରା ଟପ୍ପର ହୋଇଛନ୍ତି। 

ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା (ସିବିଟି) ମାଧ୍ୟମରେ କରଯାଇଥିଲା। ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୩ଟି ସହର (କୋଲକାତା, ପାଟନା ଏବଂ ରାଞ୍ଚି) ମୋଟ ୭୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଏ ବର୍ଷ ସମୁଦାୟ ୯୨,୪୮୮ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୮୦,୩୨୪ ପରୀକ୍ଷାର୍ଥୀ (୮୬ ପ୍ରତିଶତ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୫୫,୩୬୨ ପରୀକ୍ଷାର୍ଥୀଙ୍କୁ ନିଜନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (ରାଙ୍କ) ମିଳିଛି। ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସମର୍ଥ ବର୍ମା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ,  ଅଧ୍ୟକ୍ଷ ଦେବ ପ୍ରକାଶ ଶତପଥି ଓ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ସଂପାଦକ ରଞ୍ଜନ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।