ଭୁବନେଶ୍ବର: ସେ ଥିଲେ ଇଟା ଓ ମାଟିର କବି... ସେ ଥିଲେ ହସ ବିକୁଥିବା ହାସ୍ୟକବି... ନିରୁତା ଜୀବନ, ନିସଙ୍ଗ ପୃଥିବୀରେ ହାସ୍ୟରସ ଭରି ଜୀବନର ପ୍ରାଙ୍ଗଣକୁ ପୁଲକିତ କରିବା ଏବଂ ହାସ୍ୟମୟ କରିବାରେ ସେ ଥିଲେ ସିଦ୍ଧହସ୍ତ, ବିସ୍ମୟ ଓ ବିଚକ୍ଷଣ ବିନ୍ଧାଣୀ... ଓଡ଼ିଶାର ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଶବ୍ଦର ଯାଦୁଗର ଥିଲେ ଆଶୁ କବି ଯଦୁମଣି ମହାପାତ୍ର ଯାହାଙ୍କୁ ଓଡିଶା ଉତ୍କଳ ଘଣ୍ଟ ନାଁରେ ଜାଣେ, ଶୁଣେ ଓ ପଢେ... ତାଙ୍କର କବିତ୍ୱ ଶକ୍ତି ଘଣ୍ଟା ଶବ୍ଦ ପରି ଚତୁର୍ଦ୍ଦିଗରେ ବାଜୁଥିଲା । ତେଣୁ ତାଙ୍କୁ ‘ଉତ୍କଳଘଣ୍ଟ’ର ଆଖ୍ୟା ଦିଆଯାଇଥିଲା । ହାସ୍ୟକବି ଭାବେ କବି ଯଦୁମଣି ମହାପାତ୍ର ଘରେ ଘରେ ପରିଚିତ ଥିବା ବେଳେ ତାଙ୍କ କବିତାର ଠାଣି ଓ ଚତୁରତା ତାଙ୍କ ନିର୍ଭିକତାର ପରିଚୟ ଦେବା ସହ ସମାଲୋଚନାଭରା ତାଙ୍କ ସୃଜନୀ ସମାଜକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦିଏ । ସେ ରାଜସଭାରେ ନିଜର ଚତୁରତା ଦ୍ୱାରା ବଡ଼ ବଡ଼ ପଣ୍ଡିତମାନଙ୍କୁ ମଧ୍ୟ ପରାସ୍ତ କରୁଥିଲେ। ତାଙ୍କର ହାସ୍ୟରସ କେବଳ ମନୋରଞ୍ଜନ ପାଇଁ ନଥିଲା, ବରଂ ସେଥିରେ ସମାଜ ପ୍ରତି ଗଭୀର ଶ୍ଳେଷ ଓ ଶିକ୍ଷା ରହିଥିଲା। ତାଙ୍କ ସୃଜନଶୀଳତା ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। 

Advertisment
Utkal Ghanta Jadumani Mahapatra
Utkal Ghanta Jadumani Mahapatra Photograph: (sambad.in)

ଆହୁରି ପଢନ୍ତୁ- Bomb Threat Odisha ଓଡ଼ିଶାର ତିନି କୋର୍ଟକୁ ଉଡ଼ାଇଦେବାକୁ ଇମେଲରେ ଧମକ, ପୁଲିସର ବ୍ୟାପକ ଯାଞ୍ଚ

ତେବେ ହାସ୍ୟରସର କବି ଭାବେ ଯଦୁମଣିଙ୍କୁ ଅନେକ ଜାଣିଥିବା ବେଳେ ତାଙ୍କର ଅନ୍ୟ ଏକ ପ୍ରତିଭା ବାବଦରେ ଓଡିଶାର ଅନେକ ଅଜଣା ଥିବେ । ଖାଲି ଭଲ କବିତା ନୁହେଁ ବରଂ ସୁନ୍ଦର ଚିତ୍ର ଆଙ୍କିବାରେ ନିପୁଣ ଥିଲେ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର । ତାଙ୍କ ହାତର ଯାଦୁରେ ଉଭୟ କବିତା ଏବଂ ଚିତ୍ର ଉତୁରି ଆସୁଥିଲା । ସେ ଜଣେ ଦକ୍ଷ ଚିତ୍ରକର ଏବଂ କାଷ୍ଠ ଶିଳ୍ପୀ ଥିଲେ। ଚିତ୍ର କଳା ଓ କାଷ୍ଠ ମୂର୍ତ୍ତି ନିର୍ମାଣ ନିଜ କୌଳିକ ବୃତ୍ତି ଥିବାରୁ ସେ ଏଥିରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ଆଉ ଏହାହିଁ ଥିଲା ତାଙ୍କ ପ୍ରତିଭାର ଅନ୍ୟ ଏକ ଫର୍ଦ୍ଦ । ଯାହା ଆଜି ବି ଅନେକଙ୍କୁ ଅଜଣା, ଅଛପା, ଅନାଲୋଚିତ...

1000001498

ଆହୁରି ପଢନ୍ତୁ- Fire Cloth Store ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୫୦ କର୍ମଚାରୀ ନିୟୋଜିତ

ଯଦୁମଣିଙ୍କ ବାପା ମୁକୁନ୍ଦ ମହାପାତ୍ର ସେ ସମୟର ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ଥିଲେ। ବର୍ତ୍ତମାନ ନୟାଗଡ଼ ସହରରେ ଥିବା ଗୋପିନାଥ ମନ୍ଦିର ଥିଲା ଯଦୁମଣିଙ୍କ ପିତାଙ୍କର କଳାକୃର୍ତ୍ତି। ଏହି ମନ୍ଦିର ନିର୍ମାଣ କରିବାକୁ ଯଦୁମଣିଙ୍କ ପିତା ପରିବାର ସହ ନୟାଗଡ଼ ଚାଲି ଆସିଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଖୁସି ହୋଇ ରାଜା ମୁକୁନ୍ଦ ମହାପାତ୍ରଙ୍କୁ ନୟାଗଡ଼ର ପୁରୁଣା ସହର ରାଜନଅର ନିକଟରେ ରହିବାକୁ ଜାଗା ଦେଇଥିଲେ। ପରବର୍ତ୍ତୀ କାଳରେ ଇଟାମାଟି ଗାଁରେ ଯାଇ ଯଦୁମଣିଙ୍କ ପରିବାର ରହିଥିଲେ। ଏହି ଚିତ୍ରକାର ବଂଶର କୌଳିକ ବୃତ୍ତି ଥିଲା ପାଷାଣ (ପଥର) କାଟି ମୂର୍ତ୍ତି ଗଢ଼ିବା, କାଷ୍ଠରେ ପ୍ରତିମା ନିର୍ମାଣ କରିବା ଏବଂ ଦେବ ବିଗ୍ରହମାନ ଚିତ୍ରଣ କରିବା । ପଟି ଦିଅଁ, ମନ୍ଦିର ଗାତ୍ରରେ ଉପାଖ୍ୟାନ ଚିତ୍ରଣ, ପୋଥି  ଲିଖନ ଦ୍ୱାରା ବର୍ଣ୍ଣ ବୈଭବରେ ଚିତ୍ରଣ ଆଦି ନାନା କଳାକୃତିରେ ସେମାନେ ଜୀବିକା ଚଳାଉଥିଲେ ।

କବି ଯଦୁମଣିଙ୍କ ସାରସ୍ଵତ କୃତି ମଧ୍ୟରେ ତାଙ୍କର କୌଳିକ ବୃତ୍ତି ଚିତ୍ରକଳା, କାଷ୍ଠରେ ମୂର୍ତ୍ତି ନିର୍ମାଣ ଆଦିକୁ ସେ ଛାଡ଼ି ପାରିନଥିଲେ। ନିଜର ଜୀବିକାକୁ ନେଇ ସେ ଥରେ ଲେଖିଥିଲେ-  

"ସର୍ବଦା ଜୀବିକା ମୋ ଠକ ଠକ
ସଂଖାଳି ମୋର ବାରିସି ପଟକ "

IMG20231021085012

ଲୋକକଥା ଅନୁଯାୟୀ, ନୟାଗଡ଼ ରାଜାଙ୍କ ଅନୁରୋଧରେ ସେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣରେ ସହାୟତା କରିଥିଲେ। ତାଙ୍କର କାଷ୍ଠ ଖୋଦେଇ କଳା ଏତେ ନିଖୁଣ ଥିଲା ଯେ ଦେଖଣାହାରୀ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଯଦୁମଣିଙ୍କ ପରେ ଏହି କୌଳିକ ବୃତ୍ତିକୁ ଆଜି ବି ତାଙ୍କ ବଂଶଧର ମାନେ ବଞ୍ଚାଇ ରଖିଛନ୍ତି।

ଓଡ଼ିଶାର ଯଦୁମଣି, ବଙ୍ଗର ରବୀନ୍ଦ୍ର

କବି ଓ ଚିତ୍ରକର ଭାବେ ଆମେ ରବୀନ୍ଦ୍ରନାଥ ଟାଗୋର ଓ ଶ୍ରୀନିବାସ ଉଦଗାତାଙ୍କୁ ଜାଣୁ କିନ୍ତୁ ତାଙ୍କର ଯଥେଷ୍ଟ ପୂର୍ବରୁ ଆମ ଓଡ଼ିଶା ମାଟିରେ ଯଦୁମଣି ମହାପାତ୍ରଙ୍କ ଆବିର୍ଭାବ ହୋଇଥିଲା। ଯାହାଙ୍କର ଓଡ଼ିଆ ବାଣୀ ଭଣ୍ଡାରକୁ ଯେତିକି ଅବଦାନ ରହିଥିଲା ସମାନ ଭାବରେ ଓଡ଼ିଶାର ଚିତ୍ରକଳାକୁ ମଧ୍ୟ ଅବଦାନ ରହିଥିଲା। ଆଜି ବି ଯଦୁମଣିଙ୍କ ବାସଭବନରେ ତାଙ୍କର ଅନେକ ଚିତ୍ରକଳା ସବୁ ଦେଖିବାକୁ ମିଳେ। ଯେଉଁଥିରେ ଅନେକ ଚିତ୍ର ଶୃଙ୍ଗାର ରସର ପ୍ରତିଫଳନ । ନାରୀମୂର୍ତ୍ତି ଖଚିତ ରଥାରୋହୀ  କନ୍ଦର୍ପ, ଗଜାରୋହୀ କନ୍ଦର୍ପ ଆଦି ପଟ୍ଟଚିତ୍ର ସଂରକ୍ଷିତ ।

Jadumani Mahapatra
Jadumani Mahapatra Photograph: (sambad.in)

ମୂର୍ତ୍ତି ନିର୍ମାଣରେ ବିଚକ୍ଷଣ ବିନ୍ଧାଣୀ…

ଖାଲି ଚିତ୍ର ନୁହେଁ ଓଡିଶାର ବିଭିନ୍ନ ଗଡ଼ଜାତ ରାଜ୍ୟର ମନ୍ଦିର ନିର୍ମାଣ ଓ ମୂର୍ତ୍ତି ଗଠନରେ ଯଦୁମଣିଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ନୟାଗଡ଼ ପୁରୁଣା ସହର ଠାରେ ଥିବା ଗୋପିନାଥ ଜୀଉଙ୍କୁ ଯେବେ ଯଦୁମଣି ମହାପାତ୍ରଙ୍କ ପିତା ମୁକୁନ୍ଦ ମହାପାତ୍ର ଗଢୁଥିଲେ ସେତେବେଳେ ଯୁବକ ଯଦୁମଣି ତାଙ୍କୁ ସହଯୋଗ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଯଦୁମଣି ଜଣେ କୁଶଳୀ କାରୀଗର ଭାବେ ଉଭା ହେଲେ ଏବଂ ରାଧାମୋହନ ଜୀଉଙ୍କ ବିଗ୍ରହ, ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିରର ବିଗ୍ରହ ମଧ୍ୟ ଉତ୍କଳ ଘଣ୍ଟଙ୍କ ହସ୍ତରେ ନିର୍ମିତ। ଆଜି ବି ତାଙ୍କ ବଂଶଧରମାନେ ଏହି କାରିଗରୀ କଳାରେ ନିଜର ଯାଦୁ ଦେଖାଉଛନ୍ତି ।

ଓଡ଼ିଆ ସଙ୍ଗୀତକୁ ଯଦୁମଣିଙ୍କ ଅବଦାନ

ଆଶୁ କବି ଯଦୁମଣି ମହାପାତ୍ର ହେଉଛନ୍ତି ରୀତିଯୁଗର ଶେଷ କବି । ନିଜର ଶାଣିତ କଲମ ମୁନରେ ଖାଲି ସେ କବିତାର କଟାକ୍ଷ ବାଣ ମାରୁନଥିଲେ । ବରଂ ତାଙ୍କ ଲିଖିନୀ ଓଡିଆ ସଂଗୀତ ଜଗତକୁ ବି ସମୃଦ୍ଧ କରିଛି । ଓଡ଼ିଆ ସାହିତ୍ୟର ଦୀପ୍ତିମାନ ତାରା ନିଜ ବ୍ୟଙ୍ଗାତ୍ମକ ରଚନା ଓ ସଙ୍ଗୀତ ମାଧ୍ୟମରେ ଓଡ଼ିଆ ଭାଷାକୁ ବଳିଷ୍ଠ କରିଛନ୍ତି। ୧୮୦୦ ମସିହାରେ ସମାଜର ଭିନ୍ନ ଭିନ୍ନ ଦିଗ ଉପରେ ୨୦ରୁ ଅଧିକ ଗୀତ ଲେଖି ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । ଜାନୁଆରୀ ୮ ତାରିଖ କବିଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ଘଣ୍ଟଙ୍କୁ କୋଟି କୋଟି ପ୍ରଣାମ...