ନୂଆଦିଲ୍ଲୀ : ଭାରତୀୟ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବଜାରରେ ବିକ୍ରି ହେଉଛି ଅପମିଶ୍ରିତ ଦୁଗ୍ଧ । ଖାଉଟି ଶୁଦ୍ଧ ଓ ଅପମିଶ୍ରିତ ଦୁଗ୍ଧ ଭିତରେ ଫରକ ଜାଣି ପାରୁ ନ ଥିବାରୁ ଠକାମୀର ଶିକାର ହେଉଛନ୍ତି। ଏହି ଅସୁବିଧା ଦୂର କରିବା ପାଇଁ ସିଏସ୍ଆଇଆର୍ ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି, ଯାହାର ନାମ ରଖାଯାଇଛି ‘କ୍ଷୀର୍ ଟେଷ୍ଟର’ । ଏହି କ୍ଷୀର୍ ଟେଷ୍ଟର କ୍ଷୀରରେ ଥିବା ଦୂଷିତ ପଦାର୍ଥ ତଥା ୟୁରିଆ, ସଲ୍ଟ, ଡିଟେରଜେଣ୍ଟ, ସୋଡା, ବୋରିକ୍ ଏସିଡ୍, ହାଇଡ୍ରୋଜେନ୍ ପେରକ୍ସସାଇଡ୍ ଆଦି ମାପ କରିବା ଲାଗି ଉଦ୍ଦିଷ୍ଟ ।
ଏହାର ମୂଲ୍ୟ ୫୦୦୦ ଟଙ୍କା ଠାରୁ ବି କମ୍ । ଏହା କ୍ଷୀର ପରୀକ୍ଷଣ ଲାଗି ଏକ ମିନିଟ୍ ଠାରୁ କମ୍ ସମୟ ନେଇଥାଏ । କ୍ଷୀର ଟେଷ୍ଟର ଡିଭାଇସ୍ର ଏକ ଉନ୍ନତ ଭର୍ସନ, ଯାହା ଗୋଆ, ଗୁଜୁରାଟ, ଜମ୍ମୁ ଓ କାଶ୍ମୀର, କେରଳ, ମହାରାଷ୍ଟ୍ର, ପଞ୍ଜାବ,ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ବ୍ୟବହାର ହେଉଛି ।ସିଏସ୍ଆଇଆର୍ର ପ୍ଲାଟିନମ୍ ଜୁବଲି ପାଳନ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କ୍ଷୀର ଟେଷ୍ଟର ଡିଭାଇସର୍ ଓ୍ଵାଟରଲେସ୍ କ୍ରୋମ୍ ଟେକ୍ନୋଲୋଜି ଭର୍ସନ୍ ଉଦ୍ଘାଟନ କରିଥିଲେ ।
ଏହି ଟେକ୍ନୋଲୋଜି ଦ୍ୱାରା ଚମଡା ଶିଳ୍ପରୁ ନିର୍ଗତ ହେଉଥିବା ଆବର୍ଜନା ଜଳରେ କେତେ ପରିମାଣରେ ବିଷାକ୍ତ କ୍ରୋମିୟମ୍ ରହିଛି ତାହା ଦର୍ଶାଇ ପାରିବ । ଏହି ନୂତନ ଡିଭାଇସ୍ ଦେଶରେ ୨୦୦୦ ଟାନେରିଜ୍ (ଚମଡା ଶିଳ୍ପ)ରେ ଲଗାଯାଇଛି । ରାଷ୍ଟ୍ରପତି ଏଥିରେ ମହିଳାମାନଙ୍କୁ ଭାଗ ନେବା ପାଇଁ ଉତ୍ସାହିତ କରିଛନ୍ତି । କୋବନ୍ଦ କହିଛନ୍ତି ଯେ ଆମର ପ୍ରତ୍ୟେକ ବିକଶିତ ଲକ୍ଷ୍ୟରେ ଯଦି ଆମର ଝିଅମାନଙ୍କୁ, ମହିଳାମାନଙ୍କୁ ସୁଯୋଗ ଦିଆ ନ ଯାଏ, ତାହାର କିଛି ମୂଲ୍ୟ ରହିବ ନାହିଁ ଏବଂ ନୂତନ ପ୍ରଯୁକ୍ତି ଉପଯୋଗରେ କେବେ ବି ହେଲେ ଲିଙ୍ଗଗତ ଭେଦଭାବ ରହିବା କଥା ନୁହେଁ ।