ସେୟାର୍ ବଜାରରେ ନିବେଶ କରି ଯେଭଳି ଆର୍ଥିକ ଅଭିବୃଦ୍ଧି ହାସଲ କରାଯାଏ, ଠିକ୍ ସେଭଳି ଦ୍ରବ୍ୟ ବଜାର ବା କମୋଡିଟି ମାର୍କେଟ୍ରେ ମଧ୍ୟ ବିନିଯୋଗ କରାଯାଉଛି। ଷ୍ଟକ୍ ଓ ବଣ୍ଡ୍ କ୍ରୟବିକ୍ରୟ ଭଳି କଞ୍ଚାମାଲ୍, କୃଷିଜାତ ଦ୍ରବ୍ୟ, ଶକ୍ତି ଉତ୍ସ, ମୂଲ୍ୟବାନ ଧାତୁ ଆଦି ବିଭିନ୍ନ ପ୍ରକାରର ଦ୍ରବ୍ୟର କ୍ରୟ ଓ ବିକ୍ରୟ ଏହି କାରବାରରେ ଅନ୍ତର୍ଭୁକ୍ତ।
େତବେ କାରବାର ଆରମ୍ଭ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ଡିମାଟ୍ ଆକାଉଣ୍ଟ୍, ଏକ ଟ୍ରେଡିଂ ଆକାଉଣ୍ଟ୍ ଓ ଏକ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବାକୁ ପଡ଼ିବ। ଡିମାଟ୍ ଅାକାଉଣ୍ଟ୍ ଆପଣଙ୍କ ସମସ୍ତ ଟ୍ରେଡ୍ ଓ ହୋଲ୍ଡିଂ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା, କିନ୍ତୁ ଏକ୍ସଚେଞ୍ଜ ଅର୍ଡର୍ ପାଇଁ ଆପଣଙ୍କୁ ଏକ ମଧ୍ୟସ୍ଥି ଆବଶ୍ୟକ ପଡ଼ିଥାଏ, ଯାହା ମାଧ୍ୟମରେ କିଣାବିକା ସଂପାଦନ ହୋଇଥାଏ। ଭାରତରେ ୬ଟି ମୁଖ୍ୟ କମୋଡିଟି ଟ୍ରେଡିଂ ଏକ୍ସଚେଞ୍ଜ ରହିଛି। ସେଗୁଡ଼ିକ ହେଲା: ନାସ୍ନାଲ୍ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଇଣ୍ଡିଆ (NMCE), ନାସ୍ନାଲ୍ କମୋଡିଟି ଆଣ୍ଡ୍ ଡେରିଭେଟିଭ୍ ଏକ୍ସଚେଞ୍ଜ (NCDEX), ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (MCX), ଇଣ୍ଡିଆନ୍ କମୋଡିଟି ଏକ୍ସଚେଞ୍ଜ (ICEX), ନାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)। ଏହାସହ ଭାରତରେ ସ୍ପଟ୍ ମାର୍କେଟ୍ ଓ ଡେରିଭେଟିଭ୍ସ ମାର୍କେଟ୍ ପରି ଦୁଇ ପ୍ରକାର କମୋଡିଟି ମାର୍କେଟ୍ ମଧ୍ୟ ରହିଛି।
କେଉଁ ଦ୍ରବ୍ୟରେ ବିନିଯୋଗ କରିବେ
୧୦୦ରୁ ଅଧିକ ଦ୍ରବ୍ୟରେ କାରବାର ପାଇଁ ବିଶ୍ବବ୍ୟାପୀ ପ୍ରାୟ ୫୦ଟି ପ୍ରମୁଖ ବଜାର ରହିଛି। ବ୍ୟବସାୟୀମାନେ ୪ଟି ପ୍ରମୁଖ ବର୍ଗର ଦ୍ରବ୍ୟରେ କ୍ରୟବିକ୍ରୟ କରିପାରିବେ।
୧- ଧାତୁ: ନିର୍ମାଣ ଓ ଉତ୍ପାଦନରେ ବ୍ୟବହୃତ ଲୁହା, ତମ୍ବା, ଆଲୁମିନିୟମ୍, ନିକେଲ୍ ସହିତ ସୁନା, ରୁପା ଓ ପ୍ଲାଟିନମ୍ ଭଳି ମୂଲ୍ୟବାନ ଧାତୁରେ ମଧ୍ୟ ଆପଣ ନିବେଶ କରିପାରିବେ।
୨- ଶକ୍ତି ସାମଗ୍ରୀ: ଘର ଓ ଶିଳ୍ପରେ ବ୍ୟବହୃତ ଶକ୍ତି ସାମଗ୍ରୀର ବହୁଳ କାରବାର କରାଯାଉଛି। ଏଗୁଡ଼ିକ ମଧ୍ୟରେ ବିଜୁଳି, ପ୍ରାକୃତିକ ଗ୍ୟାସ୍ ଓ ତେଲ ରହିଛି। ଏହାସହିତ ୟୁରାନିୟମ୍, ଇଥାନଲ୍ ଓ କୋଇଲା ମଧ୍ୟ କ୍ରୟବିକ୍ରୟ କରିହେବ।
୩- କୃଷିଜାତ ଦ୍ରବ୍ୟ: ବିଭିନ୍ନ ପ୍ରକାରର କୃଷି ଓ ପ୍ରାଣୀଜାତ ଦ୍ରବ୍ୟ ଯଥା: ଚିନି, କୋକୋ, କପା, ମସଲା, ଶସ୍ୟ, ତେଲ ମଞ୍ଜି, ଡାଲି, ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀକୁ ନେଇ କାରବାର କରିହେବ।
୪- ପରିବେଶ ସାମଗ୍ରୀ: ଏହି ବର୍ଗରେ ଅକ୍ଷୟ ଶକ୍ତି, ଅଙ୍ଗାରକାମ୍ଳ ନିର୍ଗମନ ଓ ହ୍ବାଇଟ୍ ସାର୍ଟିଫିକେଟ୍ର କାରବାର ଅନ୍ତର୍ଭୁକ୍ତ।
ସର୍ବଭାରତୀୟ ସ୍ତରରେ ସୁନା, ରୁପା, ଅଶୋଧିତ ତୈଳ, ବ୍ରେଣ୍ଟ୍ ଅଏଲ୍, ପ୍ରାକୃତିକ ଗ୍ୟାସ୍, ସୋୟାବିନ୍, କପା, ଗହମ, ମକା ଓ କଫି ଆଦି କମୋଡିଟି ଟ୍ରେଡିଂ ଚାହିଦାରେ ରହିଛି। ଏଥିସହ ଭାରତରେ ଗୋଲମରିଚ, କାଷ୍ଟର୍ ସିଡ୍, ଅଶୋଧିତ ପାମ୍ ଅଏଲ୍, ଡାଲ୍ଚିନି, କପା ପରି କୃଷିଜାତ ଦ୍ରବ୍ୟ ଏବଂ ପିତ୍ତଳ, ଆଲୁମିନିୟମ୍, ସୀସା, ତମ୍ବା, ଜିଙ୍କ୍ ଓ ନିକେଲ୍ ପରି ମୂଳ ଧାତୁର କାରବାର ବହୁଳ ଭାବେ କରାଯାଇଥାଏ। କମୋଡିଟି ବଜାରରେ ନିବେଶ ପ୍ରାୟତଃ ଲାଭଦାୟକ ସାବ୍ୟସ୍ତ ହେବା ସହିତ ଏଥିରେ ବଡ଼ଧରଣର ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡ଼ି ନଥାଏ। ପ୍ରାଥମିକ ଭାବେ ଏ ବ୍ୟାପାରରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶରେ ଆପଣ କାରବାର ଆରମ୍ଭ କରିପାରିବେ। ଅଧିକାଂଶ ଷ୍ଟକ୍ ମାର୍କେଟ୍ ନିବେଶ ଆପ୍ରେ କମୋଡିଟି ଟ୍ରେଡିଂର ସୁବିଧା ଉପଲବ୍ଧ।