ଭାରତରେ ଦିନକୁ ଦିନ ତାପମାତ୍ରା ବଢ଼ିଚାଲିବା ସହ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି)ର ବ୍ୟବହାର ମଧ୍ୟ ନାଟକୀୟ ଭାବରେ ବଢ଼ିଚାଲିଛି। ଏକ ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ଏପ୍ରିଲ ଓ ମେ’ ମାସରେ ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଏସି ବିକ୍ରି ହୋଇଛି। ଯଦିଓ ଏହାଦ୍ବାରା ଗ୍ରୀଷ୍ମପ୍ରବାହରୁ ଆମକୁ ସାମୟିକ ନିସ୍ତାର ମିଳିପାରୁଛି, କିନ୍ତୁ ଏସିର ଏପରି ବର୍ଦ୍ଧିତ ବ୍ୟବହାର ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ସ୍ଥିରତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣେ ଗତବର୍ଷର ପାଣିପାଗ ପରିବର୍ତ୍ତନ ଉପରେ ଅନ୍ତଃସରକାରୀ ବାର୍ଷିକ ରିପୋର୍ଟ ଅନୁଯାୟୀ, ଏସିର ବହୁଳ ବ୍ୟବହାର ଯୋଗୁଁ ତାପମାତ୍ରା ବଢ଼ିଚାଲିଛି। ଏଥି ସହିତ ୨୧୦୦ ମସିହା ସୁଦ୍ଧା ବିଶ୍ବ ଜନସଂଖ୍ୟାର ତିନି-ଚତୁର୍ଥାଂଶ ଲୋକ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଭଳି ଉତ୍ତାପ ଓ ଆର୍ଦ୍ରତାର ସମ୍ମୁଖୀନ ହେବେ ବୋଲି କୁହାଯାଇଛି। ତେଣୁ ଭାରତର ଶୀତଳୀକରଣ ଓ ଶକ୍ତି କ୍ଷେତ୍ର ନେଇ ପୁନର୍ବିଚାର କରିବା ଜରୁରି ହୋଇପଡ଼ିଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

Advertisment

ବର୍ଦ୍ଧିତ ତାପମାତ୍ରା ଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ମୁକୁଳିବା ପାଇଁ ଯଦିଓ ଆମେ ଏସି ବ୍ୟବହାର କରିଥାଉ, ତେବେ ଏହାର ବହୁଳ ବ୍ୟବହାର ଆମ ପାଇଁ ଭିନ୍ନ ସ୍ବାସ୍ଥ୍ୟ ସଂକଟ ଆଣିବାର ଆଶଙ୍କା ରହିଛି। ଏଥି ସହିତ ଏସି ହେଉଛି ଏକ ବୈଦ୍ୟୁତିକ ସରଞ୍ଜାମ ଯେଉଁଥିରେ ‘ଆର୍-୩୨’ ପରି ଅତ୍ୟନ୍ତ ଦହନଶୀଳ ବାଷ୍ପ ବ୍ୟବହୃତ ହୋଇଥାଏ। ନିକଟରେ ଉତ୍ତର ଭାରତର ଅନେକ ସ୍ଥାନରେ ଅଧିକ ତାପମାତ୍ରା ହେତୁ ଏସି ଜଳିଯିବାର ମଧ୍ୟ ନଜିର ରହିଛି। ସୁତରାଂ ଏସି ବ୍ୟବହାର ପୂର୍ବରୁ ଆମକୁ ଏହାର ବିଭିନ୍ନ ଦିଗ ପ୍ରତି ସତର୍କ ରହିବାକୁ ହେବ। ପ୍ରଥମତଃ କମ୍ ଶକ୍ତି ସାରୁଥିବା ଏସି କିଣିବାକୁ ହେବ। ଏସିକୁ ସବୁବେଳେ ୨୪ ଡିଗ୍ରି ସେଲସିଅସ୍ କି ତାହାଠୁ ଅଧିକ ତାପମାତ୍ରାରେ ଚଳାଇବା ଉଚିତ। ତାହାର ନିୟମିତ ରକ୍ଷଣାବେକ୍ଷଣ କରି ସର୍ବଦା କମ୍ ଶକ୍ତି ସଂପନ୍ନ କରି ରଖିବା ଗୁରୁତ୍ବପୂର୍ଣ୍ଣ। ଏଥି ସହିତ ଏକାବେଳକେ ଦୀର୍ଘ ସମୟ ଧରି ଏସି ଲଗାଇବା ମଧ୍ୟ ଉଚିତ ନୁହେଁ ବୋଲି କୁହାଯାଇଛି।