ମହର୍ଷି କଶ୍ୟପ ଓ ଦକ୍ଷକନ୍ୟା କଦ୍ରୁଙ୍କର ସହସ୍ର ଶୀର୍ଷଧାରୀ ପୁତ୍ର ହେଉଛନ୍ତି- ଶେଷନାଗ, ଅନନ୍ତ। କିନ୍ତୁ ସର୍ପକୁଳରେ ଜାତ ହୋଇ ମଧ୍ୟ, ନିଜର ସଦ୍ଗୁଣ, ଧର୍ମାନୁରକ୍ତି, ତପସ୍ୟା ଓ ବିଶୁଦ୍ଧ ମନୋକାମନାରୁ ସେ ହୋଇପାରିଥିଲେ ଶେଷଦେବ, ଅନନ୍ତ, ସଂକର୍ଷଣ, ପୃଥିବୀର ରକ୍ଷକ ଓ ଭଗବାନ ବିଷ୍ଣୁଙ୍କର ପ୍ରିୟ ଶଯ୍ୟା। ଭଗବାନ ବିଷ୍ଣୁଙ୍କର ଚତୁର୍ବ୍ୟୂହ- ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧଙ୍କ ମଧ୍ୟରୁ ସେ ଅନ୍ୟତମ ବ୍ୟୁହ।
ମାତା କଦ୍ରୁ ଏବଂ ତାଙ୍କର ମନ୍ଦବୁଦ୍ଧି, ଦୁରାଚାରୀ, ଅଧର୍ମୀ ଭାଇମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ, ସେମାନଙ୍କୁ ପରିତ୍ୟାଗ କରି, ସେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କଲେ। ପରିଶେଷରେ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଯାଇ କଠୋର ତପସ୍ୟାରେ ରତ ହେଲେ। ତାଙ୍କର ତପସ୍ୟା ଦେଖି, ପ୍ରଜାପିତା ବ୍ରହ୍ମା ଉପସ୍ଥିତ ହୋଇ ତାହାର କାରଣ ଜାଣିବାକୁ ଚାହିଁବାରୁ, ଶେଷନାଗ ବିନୟର ସହିତ ତାଙ୍କୁ କହିଲେ, “ହେ ପ୍ରଭୁ, ମୋର ମାତା ଓ ଦୁରାଚାରୀ ଭାଇମାନଙ୍କ ସହିତ ରହିବା ମୋ ପକ୍ଷେ ସମ୍ଭବ ନୁହେଁ। ତେଣୁ ମୁଁ ତପସ୍ୟା କରି ଶରୀର ତ୍ୟାଗ କରିବାକୁ ଚାହେଁ; ଯାହା ଫଳରେ ମୋର ଭାଇମାନଙ୍କ ସହିତ ମୋର ଆଉ ଦେଖା ହେବ ନାହିଁ।”
ବ୍ରହ୍ମା ଏହା ଶୁଣି ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ତୁମ ଭାଇମାନେ ତାଙ୍କର କର୍ମଫଳ ଅବଶ୍ୟ ଭୋଗିବେ। ବର୍ତ୍ତମାନ ମୁଁ ତୁମକୁ ଆଶୀର୍ବାଦ କରୁଛି, ତୁମ ଚିତ୍ତ ଏହିପରି ସଦା ଧର୍ମରେ ରହିବ। ବର୍ତ୍ତମାନ ପ୍ରଜାମାନଙ୍କ ମଙ୍ଗଳପାଇଁ ମୁଁ ଯେଉଁ କାର୍ଯ୍ୟଭାର ତୁମକୁ ଦେଉଛି, ତାହା ଗ୍ରହଣ କର। ନଦୀ, ବନ, ପର୍ବତ ଓ ପ୍ରାଣୀମାନଙ୍କୁ ନେଇ ଏ ପୃଥିବୀ ଟଳମଳ ହେଉଛି। ତୁମେ ତାହାକୁ ଶିରରେ ଧାରଣ କରି ସ୍ଥିର ରଖ।” ପ୍ରଜାପିତାଙ୍କ ଆଦେଶ ମାନି ଶେଷନାଗ ପାତାଳକୁ ଗମନ କରି, ମସ୍ତକରେ ପୃଥିବୀକୁ ଧାରଣ କଲେ। କଥିତ ଅଛି, ଯେ ପର୍ଯ୍ୟନ୍ତ ଶେଷନାଗ ସରଳ ସିଧାଗତିରେ ଚାଲୁଥାନ୍ତି, ସେଯାଏ ପୃଥିବୀର ସ୍ଥିତି ଥାଏ। କିନ୍ତୁ ଯେତେବେଳେ ସେ କୁଣ୍ଡଳୀ ଆକାର ହୁଅନ୍ତି, ସୃଷ୍ଟିରେ ପ୍ରଳୟ ହୁଏ। ତାଙ୍କ ମୁଖରୁ ଏକାଦଶ ରୁଦ୍ର ଜାତ ହୋଇ ପ୍ରଳୟ ରଚନ୍ତି। ଏବଂ ସ୍ୱୟଂ ଶେଷଦେବ କ୍ଷୀର ସମୁଦ୍ରରେ ଶ୍ରୀବିଷ୍ଣୁଙ୍କୁ ଅଙ୍କରେ ଧାରଣ କରି ପ୍ରଳୟ ଜଳ ଉପରେ ରହିଥାନ୍ତି। ପ୍ରଳୟ ଶେଷରେ ବିଷ୍ଣୁଙ୍କର ନାଭିପଦ୍ମରୁ ବ୍ରହ୍ମା ଜନ୍ମ ନିଅନ୍ତି ଏବଂ ପୁଣି ସୃଷ୍ଟି ପ୍ରକ୍ରିୟାର ପ୍ରାରମ୍ଭ ହୁଏ।
ଅତଏବ ସୃଷ୍ଟି ଓ ପ୍ରଳୟ ଉଭୟର ଆଦିକର୍ତ୍ତା ଅନନ୍ତ, ଶେଷନାଗ ବା ମହାକାଳ। ସେ କାହାର ଅଧୀନ ନୁହନ୍ତି। କାଳକୁ ସାଦର ଗ୍ରହଣ କଲେ ପ୍ରାଣୀ ସୁଖୀ ହୁଏ। ଏଥିପାଇଁ ତ ବିଷ୍ଣୁଙ୍କର ଅନନ୍ତ ଶୟନ। ଅନନ୍ତଙ୍କ ବିନା ବିଷ୍ଣୁ ଅପୂର୍ଣ୍ଣ; ତେଣୁ ଅନନ୍ତ ସର୍ବଦା ବିଷ୍ଣୁଙ୍କ ଅନୁସରଣ କରିଥାନ୍ତି। ପ୍ରାଚୀନ କେରଳର ତ୍ରିଭେନ୍ଦ୍ରମ ନଗରୀ ଯାହା ତିରୁବନନ୍ତପୁରମ୍ ଭାବରେ ପ୍ରସିଦ୍ଧ, ତା’ର ଅର୍ଥ ହେଉଛି ‘ଆଦିଶେଷ’ଙ୍କର ପବିତ୍ର ନଗରୀ। ଏଠାରେ ମଧ୍ୟ ରହିଛି ପଦ୍ମନାଭ ସ୍ୱାମୀ (ଶ୍ରୀବିଷ୍ଣୁ)ଙ୍କର ପ୍ରସିଦ୍ଧ ମନ୍ଦିର।
-ଡକ୍ଟର ତୁଳସୀ ଓଝା