କିଛି ଦିନ ତଳେ ଏକ ସୁଖଦ ଖବର ପ୍ରକାଶ ପାଇଲା। ତାହା ଥିଲା ଏୟା ଯେ ଡଚ୍ ଔପନିବେଶିକ ଶାସନ କାଳରେ ଶ୍ରୀଲଙ୍କା ଓ ଇେଣ୍ଡାନେସିଆରୁ ଯାହା ସବୁ ଲୁଣ୍ଠନ କରି ନିଆଯାଇଥିଲା, ତହିଁରୁ ୪୮୪ଟି ଐତିହାସିକ ଓ ସାଂସ୍କୃତିକ କୀର୍ତ୍ତିର ସନ୍ତକକୁ ନେଦରଲାଣ୍ଡ ସରକାର ଫେରାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ସବୁ ଦ୍ରବ୍ୟଗୁଡ଼ିକ ମଧ୍ୟରେ ଅଛି ପଥର ଉପରେ ଅଙ୍କିତ ବିରଳ ଚିତ୍ର ତଥା ପ୍ରାଚୀନ ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରମାନ। ବସ୍ତୁ ଭାବେ ଏଗୁଡ଼ିକର ମୂଲ୍ୟ ହୁଏ’ତ ଅଧିକ ହୋଇ ନ ପାରେ, କିନ୍ତୁ ଐତିହ୍ୟ ସ୍ମାରକୀ ଭାବେ ଏ ସବୁ ଦୁର୍ମୂଲ୍ୟ! କେବଳ ଏହି ଦୁଇଟି ଦେଶ ନୁହେଁ, ଇତିମଧ୍ୟରେ ଔପନିବେଶିକ ଶାସନାଧୀନ ଥିବା ବେଳେ ନାଇଜେରିଆ ହରାଇଥିବା ‘ବେନିନ୍ ବ୍ରୋଂଜ୍’ ଏବଂ ତୁର୍କୀ ହରାଇଥିବା ‘ସ୍ପିଂକ୍ସ’ ମୂର୍ତ୍ତିମାନ ପାଇ ସାରିଛନ୍ତି। ତେଣୁ ଏବେ ଭାରତୀୟମାନେ ଚାହାଁନ୍ତି ଯେ ଭାରତରୁ ବ୍ରିଟିସ ଶାସକମାନେ ନେଇ ଯାଇଥିବା କୋହିନୁର ହୀରାକୁ ଫେରସ୍ତ ଦିଅନ୍ତୁ ବା ଭାରତ ଉପରେ କରିଥିବା ଅତ୍ୟାଚାର ଲାଗି କ୍ଷମା ଭିକ୍ଷା କରନ୍ତୁ। କିନ୍ତୁ ବ୍ରିଟିସ୍ମାନେ ଏବର ଡଚ୍ମାନଙ୍କ ଭଳି ବିଶାଳ ହୃଦୟବତ୍ତା ଦେଖାଇ ପାରିବେ ତ?
ବ୍ରିଟିସମାନେ ସର୍ବଦା ଏଭଳି ବ୍ୟବହାର କରିଥାଆନ୍ତି, ସତେ ଯେମିତି ସେମାନେ ଅତ୍ୟନ୍ତ ନୀତିବାନ ଓ ନିରପେକ୍ଷ। କିନ୍ତୁ ଯଦି କେହି ପ୍ରଶ୍ନ କରେ ଯେ ସେମାନେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାରବାଦୀ ଅତୀତ ଏବଂ ଉପନିବେଶଗୁଡ଼ିକରୁ କରିଥିବା ଲୁଣ୍ଠନ ନେଇ ଲଜ୍ଜିତ କି?, ତେବେ ହୁଏ’ତ ଏକ ନିଷ୍କପଟ ବା ଯଥାର୍ଥ ଉତ୍ତର ମିଳି ନ ପାରେ! ବ୍ରିଟିସମାନେ ସେମାନଙ୍କ ସ୍କୁଲ ପିଲାଙ୍କୁ ଲଣ୍ଡନ ମ୍ୟୁଜିଅମକୁ ବୁଲାଇ ନେଲା ବେଳେ କହନ୍ତି କି ଏହି ସବୁ ଦ୍ରବ୍ୟମାନ ଆମେ ଭାରତରୁ ଲୁଟ କରି ଆଣିଥିଲୁ? ଗଲା ଜୁଲାଇ ମାସରେ ନେଦରଲାଣ୍ଡର ରାଜା ୱିଲିଅମ ଇଣ୍ଡୋନେସିଆ ସମେତ କେତେକ ଆଫ୍ରିକୀୟ ରାଷ୍ଟ୍ରଙ୍କ ନିକଟରେ କ୍ଷମା ଭିକ୍ଷା କରିଛନ୍ତି। ତାହାର କାରଣ ଡଚ୍ ଉପନିବେଶୀୟ ଶାସନ କାଳରେ ସେହି ସବୁ ଦେଶରୁ ଚାଲାଣ କରାଯାଇଥିବା ଅଧିବାସୀଙ୍କୁ ନେଇ ଯେଉଁ କ୍ରୀତଦାସ ବେପାର ଗଢ଼ି ଉଠିଥିଲା, ତହିଁରେ ତତ୍କାଳୀନ ଡଚ୍ ରାଜ ପରିବାରର ସଂପୃକ୍ତି ଥିଲା। ସେମିତି ଭାରତରୁ ପଠାଯାଉଥିବା ଗୋତି ଶ୍ରମିକମାନେ କାନାଡାରେ ଅତ୍ୟାଚାର ଓ ଶୋଷଣର ଶିକାର ହୋଇଥିବାରୁ ଗଲା ୨୦୧୬ ମସିହାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟି ଟ୍ରୁଡୋ କ୍ଷମା ଭିକ୍ଷା କରିଥିଲେ। ସୁତରାଂ, ସାମ୍ରାଜ୍ୟବାଦୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କ କଳା ଅତୀତ ଲାଗି ଲଜ୍ଜିତ ବୋଲି ଏକ ଇଙ୍ଗିତ ପ୍ରଦାନ କଲେଣି। କେବଳ ସେତିକି ନୁହେଁ, ୧୯୭୦ ମସିହାରେ ଜର୍ମାନିର ତତ୍କାଳୀନ ଚାନସେଲର ବା ଶାସନ ମୁଖ୍ୟ ୱିଲି ବ୍ରାନ୍ଟ ପୋଲାଣ୍ଡ ଗସ୍ତ କାଳରେ ହିଟଲର ଶାସନକାଳୀନ ଇହୁଦୀ ଗଣହତ୍ୟା ପ୍ରକରଣରେ ଗଢ଼ି ଉଠିଥିବା ୱାରସସ୍ଥିତ ଏକ ଇହୁଦୀ ବସ୍ତି ବା ‘ଘେଟୋ’କୁ ଯାଇ ସେଠାରେ ନତଜାନୁ ହୋଇ ହିଟଲରର କୃତକର୍ମ ଲାଗି କ୍ଷମା ଭିକ୍ଷା କରିଥିଲେ। ସେ ସ୍ଥାନ ଆଜି ‘ବ୍ରାନ୍ଟ ଆଣ୍ଠେଇଥିବା ସ୍ଥାନ’ ଭାବେ ପରିଚିତ। କିନ୍ତୁ ବ୍ରିଟିସମାନେ କେଉଁଠାରେ ହେଲେ ଭାରତ ପ୍ରତି କରିଥିବା ସେମାନଙ୍କ ଅତ୍ୟାଚାର ଓ ଅବିଚାର ଲାଗି ଲଜ୍ଜିତ ବୋଲି ଜଣାଇ ନାହାନ୍ତି।
ପ୍ରାଚୀନ ଭାରତ ଥିଲା ଉତ୍କୃଷ୍ଟ କପା ଚାଷର ଦେଶ। କପା ଚାଷକୁ କେନ୍ଦ୍ର କରି ଗଢ଼ି ଉଠିଥିବା ହସ୍ତତନ୍ତ ଶିଳ୍ପ ହେତୁ ତତ୍କାଳୀନ ଭାରତ ଥିଲା ବିଶ୍ବ ବସ୍ତ୍ର ବଜାରର ରାଜଧାନୀ। କିନ୍ତୁ ଶିଳ୍ପ ବିପ୍ଳବ ପରେ ଇଂଲାଣ୍ଡର ଲୁଗା କଳକୁ କଞ୍ଚା ମାଲ ଯୋଗାଇବା ଲାଗି ଭାରତୀୟ କପାକୁ ସେଠାକୁ ପଠାଇ ଦିଆଗଲା, ଯାହା ଆମ ବୟନ ଶିଳ୍ପକୁ ଧରାଶାୟୀ କରିଦେଲା। କେବଳ ସେତିକି ନୁହେଁ ପୃଥିବୀ ପ୍ରସିଦ୍ଧ ମୁର୍ଶିଦାବାଦର ଅତ୍ୟନ୍ତ ମୁଲାୟମ ଓ ମସୃଣ ମୁସଲିନ୍ ଲୁଗା ବୁଣାକୁ ଧ୍ବଂସ କରି ଦେବା ଲାଗି ମୁସଲିନ୍ ବୁଣାକାରମାନଙ୍କ ବୃଦ୍ଧାଙ୍ଗୁଷ୍ଠିକୁ ଅତି ନିଷ୍ଠୁରତାର ସହିତ ଛେଦନ ମଧ୍ୟ କରାଯାଇଥିଲା। କିନ୍ତୁ, ଏ ସବୁ ବିଷୟ ସେଠାରେ ପ୍ରଚଳିତ ସ୍କୁଲ ଇତିହାସ ବହିରେ ଲିପିବଦ୍ଧ ହୋଇଛି କି? ସେଠାକାର ପିଲାମାେନ ଏ କଳଙ୍କିତ ଅତୀତ ସମ୍ବନ୍ଧରେ ଜାଣିଛନ୍ତି କି?
ଏବେ ବ୍ରିଟେନରେ ଏକ ଚାପା ଅସନ୍ତୋଷ ଯେ ସେଠାରେ ପ୍ରବାସୀ ଭାରତୀୟମାନେ ଅଧିକରୁ ଅଧିକ ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି ବା ଜଣେ ଭାରତୀୟ ମୂଳୋଦ୍ଭବ ତଥା ହିନ୍ଦୁ ରୀତିନୀତିର ନିଷ୍ଠାପର ଅନୁଗାମୀ ସେଠାକାର ପ୍ରଧାନମନ୍ତ୍ରୀ। ଏହା ଅନେକ ବ୍ରିଟିସଙ୍କ ଲାଗି ଅସହନୀୟ ହୋଇଥାଏ ମଧ୍ୟ। କିନ୍ତୁ ସେମାନେ ଭୁଲି ଯାଇଛନ୍ତି ଯେ ସମୟର ଚକ ଆପଣା ଛାଏଁ ଘୂରିଯାଏ। ତେଣୁ, ସେମାନେ ନିଜ କୃତକର୍ମ ଲାଗି ଲଜ୍ଜିତ ନ ହୁଅନ୍ତୁ ବା କ୍ଷମା ଭିକ୍ଷା ନ କରନ୍ତୁ ପଛକେ, ଇତିହାସ ଏଭଳି ଭାବେ ସେମାନଙ୍କ ଠାରୁ ମୂଲ୍ୟ ଅସୁଲ କରୁଛି! ଏହା ଇତିହାସର ନ୍ୟାୟ।
ମୋ: ୯୭୭୭୨୦୫୬୮୪