ଶ୍ରୀଜଗନ୍ନାଥ ବୋଧହୁଏ ସାରା ଦୁନିଆର ଏକମାତ୍ର ଠାକୁର, ଯାହାଙ୍କ ପାଇଁ ପ୍ରତିବର୍ଷ ନୂଆ ରଥ ତିଆରି ହୋଇଥାଏ । ପୁଣି ସେହି ରଥରେ ସେ ଗୋଟିଏ ଜାଗାକୁ ଥରେ ଯିବା ଓ ସେଠୁ ଥରେ ଆସିବା ପରେ ସେ ରଥ ଆଉ ବ୍ୟବହାର ହୁଏ ନାହିଁ । ପୃଥିବୀର ଧନୀରୁ ଅତି ଧନୀ କେହି ବୋଧେ ଗାଡ଼ି ଚଢ଼ିବାରେ ଏପରି କରୁ ନଥିବେ । କିନ୍ତୁ ଶ୍ରୀକ୍ଷେତ୍ର ପୁରୀରେ ଏହା ହୋଇଥାଏ । ପୁଣି କେବଳ ଶ୍ରୀଜଗନ୍ନାଥଙ୍କ ରଥ ନୁହେଁ, ତାଙ୍କ ବଡ଼ଭାଇ ବଳଭଦ୍ରଙ୍କ ରଥ ଓ ଭଉଣୀ ସୁଭଦ୍ରାଙ୍କ ରଥ ବି ଏହିପରି ଭାବରେ ପ୍ରତିବର୍ଷ ନୂଆକରି ତିଆରି କରାଯାଏ ।
ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଏହି ରଥଯାତ୍ରା ହୋଇଥାଏ । ତା’ ପୂର୍ବରୁ ତିନିଟିଯାକ ରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପ୍ରସ୍ତୁତ ହୋଇ ରହେ । ତେଣୁ ବହୁ ପୂର୍ବରୁ ରଥ ତିଆରି ପ୍ରସ୍ତୁତି ଆରମ୍ଭ ହୋଇଥାଏ ।
‘ସ୍କନ୍ଦପୁରାଣ’ର ବିଧାନ ଅନୁସାରେ, ତିନି ରଥର ନିର୍ମାଣ ଆରମ୍ଭ ହୁଏ ଅକ୍ଷୟ ତୃତୀୟାଠାରୁ । ଏହାକୁ ପାରଂପରିକ ଭାବରେ ‘ରଥ ଅନୁକୂଳ’ କୁହାଯାଏ । କିନ୍ତୁ ଏହା ପୂର୍ବରୁ ଆଉ କେତୋଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରହିଥାଏ ।
ପ୍ରଥମ ପର୍ଯ୍ୟାୟ ହେଉଛି ରଥ ନିର୍ମାଣ ପାଇଁ ଉପଯୁକ୍ତ କାଠ ସଂଗ୍ରହ । ଏଥିପାଇଁ ନୟାଗଡ଼ ଜିଲାର ଗଣିଆ ବ୍ଲକ୍ରେ ଥିବା ଏକ ଠାକୁରାଣୀ ପୀଠରେ ପୂଜାର୍ଚ୍ଚନା କରାଯାଏ । ଏହି ଠାକୁରାଣୀ ହେଉଛନ୍ତି ବଡ଼ମୂଳ ଗ୍ରାମର ‘ବଡ଼ରାଉଳ’ ଦେବୀ ।
/sambad/media/post_attachments/wp-content/uploads/2019/06/91e89a71-1be3-40a4-92d9-e300b18cbd8f.jpg)
ବଡ଼ ରାଉଳ ଦେବୀଙ୍କଠାରେ ପୂଜାର୍ଚ୍ଚନାପାଇଁ ଶ୍ରୀଜଗନ୍ନାଥଙ୍କର ଲାଗିମାଳ ସହିତ ମହାପ୍ରସାଦ, ଦୀପ, ଫୁଲ ଓ ନଡ଼ିଆ ଆଦି ଶ୍ରୀମନ୍ଦିରରୁ ଯାଇଥାଏ । ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା ପୂର୍ବର ଏକ ଶୁଭ ତିଥିରେ ଏହି ପୂଜାର୍ଚ୍ଚନା କରାଯାଏ । ତାହା ପରେ ଆରମ୍ଭ ହୁଏ ନୂଆ ରଥ ତିଆରି ପାଇଁ କାଠକଟା । ସେଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହିତ ରଥକାଠ ଅମିନ, ଭୋଇ ସେବକ ସର୍ଦ୍ଦାର ଓ ୱାର୍କ ସରକାର ଆଦି ଯାଇଥାଆନ୍ତି । ଦେବୀଙ୍କ ପୀଠରେ ପୂଜକ ପୂଜାର୍ଚ୍ଚନା କରିବା ପରେ ତାଙ୍କର ଆଶୀର୍ବାଦ ନେଇ ରଥକାଠ କଟା ଆରମ୍ଭ ହୁଏ । ଏଣୁ ଏହି ଦେବୀ ହେଉଛନ୍ତି ରଥକାଠ ସଂଗ୍ରହ ପ୍ରକ୍ରିୟାର ଆଦ୍ୟା ଦେବୀ ।
/sambad/media/post_attachments/wp-content/uploads/2019/06/a0331802-5e2f-46c0-8712-d02f1f01df26.jpg)
ପ୍ରକୃତରେ ଏହି ଦେବୀ ହେଉଛନ୍ତି ବନଦୁର୍ଗା । ରଥକାଠ ମୁଖ୍ୟତଃ ନୟାଗଡ଼ ଓ ଦଶପଲ୍ଲା ଜଙ୍ଗଲରୁ ଆସୁଥିବାରୁ, ସେଥି ନିମନ୍ତେ ଗଛକଟା ପାଇଁ ଏହି ବନଦେବୀଙ୍କୁ ପ୍ରାର୍ଥନା କରାଯାଇ ତାଙ୍କର ଅନୁମତି ନିଆଯାଏ । ଏବେ ଜଙ୍ଗଲ ମୁଖ୍ୟତଃ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ୱାବଧାନରେ ରହୁଥିବାରୁ, ସରକାରୀ ଭାବରେ ସେଥିପାଇଁ ଚିଠି ଦିଆଯାଉଛି । କିନ୍ତୁ ଏହା ସତ୍ତ୍ୱେ ଏହି ବନଦେବୀଙ୍କୁ ପୂଜା କରିବାର ପ୍ରଥା ଅବ୍ୟାହତ ରହିଆସିଛି ।
ଏ ସଂପର୍କରେ ‘ସ୍କନ୍ଦପୁରାଣ’ରେ ମଧ୍ୟ ନିର୍ଦ୍ଦିଷ୍ଟ ବିଧାନ ରହିଛି । ତାହା ହେଉଛି- ବନ ମଧ୍ୟରେ ପ୍ରଶସ୍ତ ମନ୍ତ୍ରପାଠ ଦ୍ୱାରା ଅଗ୍ନି ସ୍ଥାପନା କରାଯାଇ ୧୦୮ ଘୃତାହୁତି ଆଦି ପ୍ରଦାନ କରାଯିବ । ଦିଗପାଳ ଓ କ୍ଷେତ୍ରପାଳମାନଙ୍କୁ ପୂଜା ଓ ବଳି ପ୍ରଦାନ କରାଯିବ । ତାହା ପରେ ସଂସ୍କାର ହୋଇଥିବା ବୃକ୍ଷକୁ ନିର୍ଦ୍ଦିଷ୍ଟ ବିଧିରେ ଛେଦନ କରାଯିବ ।
/sambad/media/post_attachments/wp-content/uploads/2019/06/b96f3ea8-806e-4162-bc66-6098c9d9e9cc.jpg)
ତେବେ ଏହି ବିଧି ଏବେ ସଂପୂର୍ଣ୍ଣ ଭାବରେ ପାଳିତ ନହୋଇ ବଡ଼ ରାଉଳ ଦେବୀ ପୀଠରେ ପୂଜାର୍ଚ୍ଚନା ପରେ ଉପଯୁକ୍ତ ବୃକ୍ଷଙ୍କୁ ପ୍ରଣାମ କରି ରଥକାଠପାଇଁ ଛେଦନ କରାଯାଉଛି ।
ଅକ୍ଷୟ ତୃତୀୟାର ରଥ ଅନୁକୂଳ ପୂର୍ବରୁ ଆଉ ଗୋଟିଏ ପର୍ଯ୍ୟାୟ ହେଉଛି ରଥକାଠର ସଂସ୍କାର ଓ ପୂଜା । ଏହା ଶ୍ରୀପଞ୍ଚମୀ ଦିନ ହୋଇଥାଏ । ଏହା ପୂର୍ବରୁ ଶ୍ରୀକ୍ଷେତ୍ରକୁ ରଥ ନିର୍ମାଣ ପାଇଁ ପ୍ରଥମ କାଠ ଆସିସାରିଥାଏ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମ୍ୁଖରେ ଏହି ସଂସ୍କାର ଓ ପୂଜା ହୋଇଥାଏ । ଏଥିନିମନ୍ତେ ରଥଦାଣ୍ଡ ପରିଷ୍କାର କରାଯାଇ ଚୂନପାଣି ଛିଞ୍ଚି ଶୋଧନ କରାଯାଏ । ସେଠାରେ ତିନିଖଣ୍ଡ ୧୨ ଫୁଟ ଲମ୍ବର ଧଉରା କାଠକୁ ଧୂପ, ଦୀପ, ସିନ୍ଦୂର ଆଦି ଦେଇ ଶ୍ରୋତ୍ରିୟ ବ୍ରାହ୍ମଣ ପୂଜା କରନ୍ତି । ସେହି ତିନିଖଣ୍ଡ କାଠକୁ ଅକ୍ଷୟ ତୃତୀୟା ଦିନ ଆଜ୍ଞାମାଳ ଦିଆଯାଇ ବିଧିମତେ ରଥ ନିର୍ମାଣର ଅନୁକୂଳ ହୁଏ ।