ପୃଥିବୀରେ ଏମିତି ବହୁତ ସ୍ଥାନ ଅଛି, ଯେଉଁଠି ଆଚମ୍ବିତ କରିଦେବା ଭଳି ଘଟଣା ଅହରହଃ ଘଟୁଥାଏ। ପୁଣି ଅନେକ ଅଜବଗଜବ କଥା ବି ଦେଖିବାକୁ ମିଳିଥାଏ। ଖାଦ୍ୟପେୟଠାରୁ ଆରମ୍ଭ କରି ପୋଷାକପରିଚ୍ଛଦ, ବୁଲାବୁଲିରୁ ନେଇ କିଣାକିଣି ଯାଏ, ନୂଆ ନୂଆ ଉଦାହରଣ ଆମେ ଦେଖିବାକୁ ପାଉ। କେବଳ ଏତିକି ନୁହେଁ, ଅନେକ ଅଜବ ପରମ୍ପରା ମଧ୍ୟ ସାରା ବିଶ୍ୱରେ ରହିଛି, ଯାହା ଆମକୁ ଅଜଣା। ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ନିଜ ପିଲାମାନଙ୍କ ନାମ ଇଂରାଜୀ ଶବ୍ଦରେ ରଖିଥାନ୍ତି। କାରଣ ଏହି ଗାଁର ବାସିନ୍ଦାମାନେ ଇଂରାଜୀ ନାମକରଣକୁ ବହୁତ ଭଲ ପାଆନ୍ତି।

Advertisment

ମେଘାଳୟର ଖାସି ପାହାଡ଼ୀ ଜିଲ୍ଲା ଅନ୍ତର୍ଗତ ଏହି ଗାଁର ନାଁ ହେଉଛି ଉମ୍‌ନିୟୁ-ତମାର ଏଲାକା। ଏଠାକାର ଲୋକମାନେ ନିଜ ପିଲାଙ୍କର ଏପରି ନାମ ସବୁ ରଖିଛନ୍ତି, ଯାହା ଶୁଣିବା ପରେ ଆପଣ ହୁଏତ ହସ ରୋକି ପାରିବେ ନାହିଁ। ସେମାନେ ଇଟାଲି, ଆର୍ଜେଣ୍ଟିନା, ସ୍ବିଡେନ୍, ଇଣ୍ଡୋନେସିଆ, ଫ୍ରାନ୍ସ ଓ ଆମେରିକା ଭଳି ଦେଶ ଅନୁସାରେ ପିଲାଙ୍କ ନାଁ ରଖିଛନ୍ତି। ସେଠି ପ୍ରମିଜ୍‌ଲ୍ୟାଣ୍ଡ୍, ହୋଲିଲ୍ୟାଣ୍ଡ୍ ଓ ଜେରୁଜେଲମ୍ ନାମ ଥିବା ମାଳ ମାଳ ଲୋକ ଦେଖିବାକୁ ମିଳନ୍ତି। କେବଳ ସେତିକି ନୁହେଁ, ଲୋକମାନେ ନିଜ ପିଲାମାନଙ୍କ ନାମକରଣ ସନ୍‌ଡେ, ମନ୍‌ଡେ, ଟ୍ୟୁଜ୍‌ଡେ ଆଦି ବାର ନାଁରୁ ଆରମ୍ଭ କରି ଜୁପିଟର୍‌, ପ୍ଲୁଟୋ ଓ ମାର୍ସ ଭଳି ଗ୍ରହଙ୍କ ନାମାନୁସାରେ କରିଛନ୍ତି। ସେଠାରେ ଟେବୁଲ୍‌, ଗ୍ଲୋବ୍‌ ଓ ପେପର୍‌ ଭଳି ଅଫିସ୍‌ ସାମଗ୍ରୀ ନାଁ’ର ଲୋକ ବି ଅଛନ୍ତି। ସେହିପରି, ପିଲାମାନଙ୍କୁ ଆରବିୟାନ୍‌ ସି, ପେସିଫିକ୍‌ ଓ କଣ୍ଟିନେଣ୍ଟ୍‌ ଆଦି ନାଁ ବି ଦିଆଯାଉଛି।

ସବୁଠୁ ଭଲ ଇଂରାଜୀ ନାଁ ପାଇଛନ୍ତି ଦ୍ବାଦଶ ପାସ୍‌ କରିଥିବା ଜଣେ ୩୦ ବର୍ଷୀୟା ମହିଳା। ତାଙ୍କ ନାଁ ‘ଆଇ ହାଭ୍‌ ବିନ୍‌ ଡେଲିଭର୍‌ଡ୍‌!’। ମାଆ ‘ସୁଇଟର୍‌’ ତାଙ୍କୁ ଏହି ନାଁ ଦେଇଥିଲେ। ସେମିତି, ଶୁକି ନାମରେ ଜଣେ ମହିଳା ତାଙ୍କ ତିନିଝିଅଙ୍କ ନାମ ଯଥାକ୍ରମେ- ରିକ୍ବେଷ୍ଟ୍‌, ଲଭ୍‌ଲିନେସ୍‌ ଓ ହାପିନେସ୍‌ ଦେଇଛନ୍ତି। ବାଂଲାଦେଶ ସୀମାବର୍ତ୍ତୀ ଏହି ଗ୍ରାମରେ ପ୍ରାୟ ୮୫୦ ପୁରୁଷ ଏବଂ ୯୧୬ ମହିଳା ବାସ କରନ୍ତି। ପ୍ରସିଦ୍ଧ ବ୍ୟକ୍ତିତ୍ବ ଯେମିତି ନିଉଟନ୍, ଗାଲିଲିଓ କିଂବା ଭାସ୍କୋଡାଗାମା କିମ୍ବା କାହା ମୁହଁରୁ ଶୁଣିଥିବା ଶବ୍ଦ ଅଥବା କୌଣସି ଚଳଚ୍ଚିତ୍ରରେ ଥିବା ଚରିତ୍ରର ନାମକୁ ସେମାନେ ନିଜ ପିଲାଙ୍କ ଲାଗି ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଏହି କାରଣରୁ ସେ ଗାଁ ବେଶ୍ ପ୍ରସିଦ୍ଧ। ଗାଁ’ର ୫୦ ପ୍ରତିଶତ ଲୋକଙ୍କର ଇଂରାଜୀ ଶବ୍ଦ ପ୍ରତି ଶ୍ରଦ୍ଧା ଅଛି ସତ ହେଲେ ପିଲାମାନଙ୍କୁ ଯେଉଁ ସବୁ ନାଁ ଦେଉଛନ୍ତି, ତା’ର ଅର୍ଥ ଜାଣନ୍ତି ନାହିଁ।