ମହେନ୍ଦ୍ର, ସହ୍ୟ, ଶୁକ୍ତିମାନ, ଋକ୍ଷ, ବିନ୍ଧ୍ୟ ଓ ପରିୟାଂତ୍ର ଆଦି ଭାବରେ ‘ସପ୍ତକୁଳାଚଳ’ ଧରିତ୍ରୀକୁ ସୁରକ୍ଷା ଦେବାପାଇଁ ବ୍ରହ୍ମା ନିର୍ମାଣ କରିଥିଲେ। ସେ ମଧ୍ୟରେ ଅନ୍ୟତମ ପର୍ବତ ମଳୟାଚଳ। ଏହି ପର୍ବତ ମଳୟପର୍ବତ, ମଳୟାଚଳ, ମଳୟଗିରି, ମଳୟାଦ୍ରି ଆଦି ନାମରେ ମଧ୍ୟ ପରିଚିତ। ଏହି ପର୍ବତ ସଂପର୍କରେ କୁହାଯାଏ, “ମଳୟ ନିର୍ଜନେ ରମେ ଚାରୁ ଚନ୍ଦନ ପଲ୍ଲବେ।” ଅର୍ଥାତ୍ ମଳୟ ସେହି ବନକୁ ଗମନ କରେ ଯେଉଁ ବନ କୋମଳପତ୍ରଯୁକ୍ତ ଚନ୍ଦନବୃକ୍ଷରେ ଆଚ୍ଛାଦିତ ହୋଇ ରହିଥାଏ। ଏହି ପର୍ବତ ସଂପର୍କରେ ‘ମତ୍ସ୍ୟପୁରାଣ’, ‘ମହାଭାରତ’, ‘ରାମାୟଣ’ ଓ ‘ବ୍ରହ୍ମବୈବର୍ତ୍ତପୁରାଣ’ରେ ସୁନ୍ଦର ଉଲ୍ଲେଖ ଦେଖାଯାଏ। ଏହି ପର୍ବତର ସମଗ୍ର ବନଭୂମି ଚନ୍ଦନବୃକ୍ଷରେ ପରିପୂର୍ଣ୍ଣ; ଫଳରେ ଏହାର ବାୟୁ ଅତ୍ୟନ୍ତ ସୁଗନ୍ଧିତ। ମଳୟ ଚନ୍ଦନର ବାହକ। ତେଣୁ ଏଠାରେ ସର୍ବଦା ସୁଗନ୍ଧିତ ବାୟୁ ପ୍ରବାହିତ ହେଉଥିବାରୁ ଏହାର ନାମ ମଳୟାଚଳ।
ଏହି ପର୍ବତ ସଂପର୍କରେ ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ଏକ ସୁନ୍ଦର ବର୍ଣ୍ଣନା ରହିଛି। ଭଗବାନ ବିଷ୍ଣୁ ବରାହ ଅବତାର ଗ୍ରହଣ କରି ଦେବୀ ବସୁନ୍ଧରାଙ୍କୁ ନିଜର ଦନ୍ତରେ ବସାଇ ରସାତଳରୁ ଉପରକୁ ଆଣି ସ୍ଥାପିତ କରିଥିଲେ। ସେତେବେଳେ ସ୍ୱୟଂ ବରାହ ଭୂଦେବୀଙ୍କର ଅଲୌକିକ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇଥିଲେ। ଦେବୀ ବସୁନ୍ଧରା ମଧ୍ୟ ପୃଥ୍ୱୀପତିଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ। ଏକଦା ଉପେନ୍ଦ୍ରନାରାୟଣ ମଳୟବନ ପର୍ବତକୁ ଆସି କୋମଳ ଚନ୍ଦନପତ୍ର ଉପରେ ବିଶ୍ରାମ କରୁଥିଲା ବେଳେ, ସ୍ୱୟଂ ବସୁନ୍ଧରା ଏକ ଅଳଙ୍କାରମଣ୍ଡିତା ଯୁବତୀ ବେଶ ଧାରଣ କରି ଉପେନ୍ଦ୍ରଙ୍କ ସମ୍ମୁଖକୁ ଯାତ୍ରା କଲେ। ଦୁହେଁ ପରସ୍ପରକୁ ଦର୍ଶନ କରି ମୁଗ୍‌ଧ ଆବେଶରେ ଅନେକ ଦିନ ରହିଗଲେ। ସେହି ସଂଗମରୁ ଭୂଦେବୀଙ୍କ ଗର୍ଭରୁ ମଙ୍ଗଳ ଜାତ ହୋଇଥିଲେ।
ଅନ୍ୟ ବର୍ଣ୍ଣନାରୁ ଦେଖାଯାଏ, ଏହି ବନରେ ଯମ ଦୀର୍ଘଦିନ ଧରି ତପସ୍ୟା କରିଥିଲେ। କୁବେରଙ୍କର ରାଜସଭାକୁ ସୁଗନ୍ଧିତ କରିବା ପାଇଁ ମଳୟଗିରି ସର୍ବଦା ସେଠାରେ ଉପସ୍ଥିତ ରହୁଥିଲେ। ‘ମହାଭାରତ’ର ବର୍ଣ୍ଣନା ଅନୁଯାୟୀ, ପାଣ୍ଡ୍ୟ ଓ ଚୋଳ ରାଜା ମଳୟବନରୁ ଚନ୍ଦନ ନେଇ ସ୍ୱର୍ଣ୍ଣପାତ୍ରରେ ଭରି ଯୁଧିଷ୍ଠିରଙ୍କୁ ଉପହାର ଦେଇଥିଲେ। ‘ମତ୍ସ୍ୟପୁରାଣ’ର ବର୍ଣ୍ଣନା ଅନୁଯାୟୀ, ମହାରାଜ ମନୁ ପ୍ରଳୟ ଜଳରେ ଯେଉଁ ମତ୍ସ୍ୟବାହିତନୌକାରେ ଯାତ୍ରା କରିଥିଲେ, ସେହି ମତ୍ସ୍ୟବାହିତ ନୌକାକୁ ସ୍ଥିର ରଖିବାପାଇଁ ମଳୟାଚଳରେ ବାନ୍ଧି ରଖିଥିଲେ। ଏହା ପଶ୍ଚିମଘାଟ ପର୍ବତର ଏକ ବିଶିଷ୍ଟ ଅଂଶ। ଏହା ପଶ୍ଚିମଘାଟ ପର୍ବତରୁ ଉତ୍ତରରେ ସହ୍ୟାଦ୍ରି ପର୍ଯ୍ୟନ୍ତ ପରିବ୍ୟାପ୍ତ।
ଭାରତର ଶାସ୍ତ୍ରପୁରାଣରେ ମଳୟବନ ପର୍ବତ ଏକ ବିଶେଷ ସ୍ଥାନ ଗ୍ରହଣ କରିଛି। ଶ୍ୱେତ ଓ ରକ୍ତଚନ୍ଦନ ନିମିତ୍ତ ଏହା ପୃଥିବୀ ପ୍ରସିଦ୍ଧ।