ଏଥର ହୋଲିରେ ସାବଧାନତାର ସହ ରଙ୍ଗ ଖେଳନ୍ତୁ; ନିଜର ଓ ପରିବାରର ଧ୍ୟାନ ରଖନ୍ତୁ। ଘରେ ଥିବା ସାମଗ୍ରୀରେ ସାରା ଭାରତର ବିଭିନ୍ନ ଅଞ୍ଚଳରେ ପସନ୍ଦ କରାଯାଉଥିବା କିଛି ପିଠା, ମିଠା ଓ ପାନୀୟ ବଜାରରୁ ନ କିଣି ନିଜ ହାତରେ ତିଆରି କରନ୍ତୁ। ଅତିଥି ଓ ପରିବାରର ସଦସ୍ୟମାନେ ଖୁସି ହେବେ।
ଗୁଜିଆ
ମଇଦା ୨ କପ୍, ୧/୪ କପ୍ ଗୁଆଘିଅ, ସ୍ବାଦ ଅନୁସାରେ ଲୁଣ ମିଶାଇ ମଏନ୍ ଦିଅନ୍ତୁ। ଯେତେବେଳେ ଘିଅ ମଇଦାରେ ଭଲ ଭାବରେ ମିଶିଯିବ ସେତେବେଳେ ଧୀରେ ଧୀରେ ପାଣି ଦେଇ ଚକଟନ୍ତୁ। ପାଖାପାଖି ଅଧକପ୍ ପାଣି ଲାଗିବ। ଭଲକି ଚକଟି ମିଶ୍ରଣକୁୁ ଅତି କମ୍ରେ ଅଧଘଣ୍ଟା ଘୋଡ଼ାଇ ରଖନ୍ତୁ। ଏଥର ପୁର ତିଆରି କରିବାକୁ ଗୋଟେ ନନ୍ଷ୍ଟିକ୍ ପ୍ୟାନ୍ରେ ଗୋଟେ ବଡ଼ ଚାମଚ ବଟର୍ ଦିଅନ୍ତୁ। ସେଥିରେ ଏକକପ୍ କ୍ଷୀର ଢାଳନ୍ତୁ, ଟିକେ ମିଶେଇ ଦେଇ ସେଥିରେ ଦେଢ଼କପ୍ ଅମୁଲ ମିଶାନ୍ତୁ ଏବଂ ମିଶ୍ରଣଟି ଯେତେବେଳେ ଗାଢ଼ ହୋଇ ଧୀରେ ଧୀରେ ପ୍ୟାନ୍ରୁ ଛାଡ଼ିଯିବ ସେତେବେଳେ ତଳକୁ ଓହ୍ଲାଇ ତାକୁ ଥଣ୍ଡା କରନ୍ତୁ। ତା’ପରେ ସେଥିରେ ଗୋଟେ କପ୍ ଚିନି ପାଉଡର୍, ଗୁଜୁରାତି ଗୁଣ୍ଡ ଟିକେ, ଦୁଇ ଚାମଚ ଲେଖାଏଁ ସରୁସରୁ କଟା କାଜୁ, ପିସ୍ତା, ଆଲ୍ମଣ୍ଡ ଓ କିସ୍ମିସ୍ ଦେଇ ଭଲକି ହାତରେ ମିଶାଇ ଦିଅନ୍ତୁ। ଏପଟେ ଦେଢ଼କପ୍ ଚିନି ଓ ଦେଢ଼କପ୍ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ପାଞ୍ଚ/ସାତ ମିନିଟ୍ ପରେ ବହଳିଆ ହେଲାପରେ ସେଥିରେ କିଛି ରୁଆ କେଶର ଓ ଅଧାଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ଚୁଲିରୁ ଓହ୍ଲାଇ ଘୋଡ଼େଇ ଦିଅନ୍ତୁ। ଚକଟା ମଇଦାକୁ ଛୋଟ ଛୋଟ ଗୁଳା କରି ବଜାରରେ ମିଳୁଥିବା ଛାଞ୍ଚରେ ବା ହାତରେ ଗୁଜିଆ ଆକାରରେ ଗଢ଼ି ଭିତରେ ଖୁଆପୁର ଦୁଇଚାମଚ ଦେଇ ଟିପରେ ଓଦାହାତ ହୋଇ ପିଠାକୁ ବନ୍ଦ କରନ୍ତୁ ଏବଂ ମଧ୍ୟମ ଆଞ୍ଚରେ ନିଜ ପସନ୍ଦର ତେଲ/ଘିଅରେ ସୁନେଲୀ ରଙ୍ଗ ହେବାଯାଏ ଛାଣି କାଢ଼ିଦିଅନ୍ତୁ। ଗୁଜିଆ ଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ ଚିନି ସିରାରେ ପକେଇ ଦୁଇପଟ ଓଲଟପାଲଟ କରି ପାଞ୍ଚ ମିନିଟ୍ ପରେ କାଢ଼ିଦିଅନ୍ତୁ।
ମାଲ୍ପୁଆ
ଇନ୍ଷ୍ଟାଣ୍ଟ୍ ମାଲ୍ପୁଆ ତିଆରି କରିବା ପାଇଁ ଗୋଟେ କପ୍ ମଇଦା, ଅଧାକପ୍ ଅମୁଲ୍, ଦୁଇ ଚାମଚ ସୁଜି, ଅଧା ଚା’ ଚାମଚ ପାନମହୁରୀ ଗୁଣ୍ଡ ଗୋଟେ ପାତ୍ରରେ ନେଇ ଅଳ୍ପ ଅଳ୍ପ କ୍ଷୀର ମିଶେଇ ଗୋଳାନ୍ତୁ। ପାଖାପାଖି ଏକକପ୍ କ୍ଷୀର ଲାଗିବ। ଏହା ଯେପରି ଅଧିକ ପାଣିଆ ବି ବହଳିଆ ନହେବ ଧ୍ୟାନ ଦେବେ। ଗୋଟାଳି ନ ରହିବା ପରି ଭଲକି ଫେଣ୍ଟି ବହଳିଆ ମିଶ୍ରଣଟି ଘୋଡ଼େଇ ଅତି କମ୍ରେ ଅଧଘଣ୍ଟେ ପାଇଁ ରଖିଦିଅନ୍ତୁ। ଏହାପରେ ଗୋଟେ କପ୍ ଚିନି, ଅଧାକପ୍ ପାଣି ମିଶେଇ ସିରା ପ୍ରସ୍ତୁତ କରନ୍ତୁ। ପାଞ୍ଚ/ସାତ ମିନିଟ୍ ପରେ ସେଥିରେ ରୁଚି ମୁତାବକ ଅଧା ଚା’ ଚାମଚ ଗୁଜୁରାତି ଗୁଣ୍ଡ/ ଗୋଲାପଜଳ/ କେଓଡ଼ା ଏସେନ୍ସ ବା ଭାନିଲା ଏସେନ୍ସ ମିଶେଇ ଘୋେଡ଼ଇ ରଖିଦିଅନ୍ତୁ। ତେଲ ବା ଘିଅ ଗରମ କରି ମଧ୍ୟମ ଆଞ୍ଚରେ ଡଙ୍କିଏ ଲେଖାଏଁ ଆଣ ଢାଳନ୍ତୁ। ଦୁଇପଟ ସୁନେଲୀ ହୋଇଗଲେ ମାଲ୍ପୁଆକୁ କାଢ଼ିଦିଅନ୍ତୁ। ପାଞ୍ଚମିନିଟ୍ ଯାଏ ସିରାରେ ପକାଇ ଏପଟ ସେପଟ କରି କାଢ଼ିଦିଅନ୍ତୁ। ମାଲପୁଆ ଉପରେ ଟିକିଟିକି କଟା ଡ୍ରାଏଫ୍ରୁଟ୍ସ ପକେଇ ପରିବେଷଣ କରନ୍ତୁ।
କାଞ୍ଜିବରା
ମୁଗଡ଼ାଲି- ୩ କପ୍, ବିରିଡ଼ାଲି- ୧ କପ୍ ନେଇ ସାରାରାତି ଭିଜେଇ ଦିଅନ୍ତୁ। ପରଦିନ ସକାଳେ ଭଲକରି ପାଣି ନିଗାଡ଼ି ସେଥିରେ ୨/୩ଟି କଞ୍ଚାଲଙ୍କା, ଏକ ଇଞ୍ଚ୍ର ଅଦା ଦେଇ ଶୁଖିଲା କରି ଶିଳ/ମିକ୍ସିରେ ବାଟି ଦିଅନ୍ତୁ। ଜମାରୁ ପାଣି ଦେବେନି, ଖଦଡ଼ା କରି ବାଟିବେ। ସେଥିରେ ସ୍ବାଦ ମୁତାବକ ଲୁଣ, ନାଲିଲଙ୍କା ଗୁଣ୍ଡ, ଗୋଟେ ଚାମଚ ଭଜା ଜିରାଗୁଣ୍ଡ, ଗୋଟେ ଚାମଚ ଦରକୁଟା ଧନିଆ ଗୁଣ୍ଡ, ହେଙ୍ଗୁ ଚିମୁଟେ, କଟା ଧନିଆପତ୍ର, ଦୁଇଚାମଚ ବେସନ ଦେଇ ମିଶ୍ରଣକୁ ଫେଣ୍ଟନ୍ତୁ। ଏଥର ତଡ଼କା ପ୍ୟାନ୍ରେ ଗୋଟେ ବଡ଼ ଚାମଚ ସୋରିଷ ତେଲ ଗରମ କରନ୍ତୁ। ଧୂଆଁ ବାହାରି ଗଲେ ସେହି ଗରମ ତେଲକୁ ବରା ମିଶ୍ରଣରେ ଢାଳି ଚାମଚରେ ଆଉଥରେ ମିଶ୍ରଣ ହାଲୁକା ହେବାଯାଏଁ େଫଣ୍ଟନ୍ତୁ। ଏଥର ଗୋଟେ ବଡ଼ ପାତ୍ରରେ ପାଣି ଗରମ କରି ଲୁଣ ଚାମୁଚେ ଦେଇ ଘୋଡ଼େଇ ରଖନ୍ତୁ। ଗୋଟେ କରେଇରେ ତେଲ ମଧ୍ୟମ ଗରମ କରନ୍ତୁ। ଆପଣ ଚାହଁୁଥିବା ମୁତାବକ ଆକାରରେ ବରା ଗଢ଼ନ୍ତୁ। ବରା ସବୁ ଗଢ଼ି ସାରିଲେ ଗରମ ପାଣିରେ ଅଧଘଣ୍ଟେ ପକାଇ ରଖିଦିଅନ୍ତୁ। ଏବେ ଗୋଟିଏ ହେମଦସ୍ତାରେ ୧ ଚାମଚ ଧଳା ସୋରିଷ, ଦୁଇ ଚାମଚ କଳା ରାଇ ସୋରିଷକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ। ସେଥିରେ କଳା ଓ ଧଳା ଲୁଣ, ଗୋଲମରିଚ ଗୁଣ୍ଡ, ଭଜା ଜିରାଗୁଣ୍ଡ, ଦରକୁଟା ଧନିଆ ଗୁଣ୍ଡ, ହେଙ୍ଗୁ, ଲଙ୍କାଗୁଣ୍ଡ ଇତ୍ୟାଦି ମିଶାଇ ଗୋଟେ ଗହୀରା ମାଟିପାତ୍ରରେ ଦେଢ଼/ଦୁଇ ଲିଟର ପାଣିରେ ସବୁ ମସଲାକୁ ମିଶାଇ ଫେଣ୍ଟି ଦିଅନ୍ତୁ। ଏଥର ହାଲୁକା ହାତରେ ଉଷୁମ ପାଣିରୁ ବରାକୁ କାଢ଼ି, ଚିପୁଡ଼ି ମସଲା ପାଣିରେ ପକାନ୍ତୁ। ସବୁ ବରା ପକେଇ ସାରିବା ପରେ ଖଣ୍ଡେ ବଡ଼ କାଠ କୋଇଲା ନେଇ ଗ୍ୟାସ୍ରେ ଗରମ କରନ୍ତୁ। ଗୋଟିଏ ଛୋଟ ଗିନାରେ ସେଇ ଜଳନ୍ତା କୋଇଲାକୁ ରଖି ବରାପାତ୍ର ଉପରେ ରଖନ୍ତୁ। ଏବେ ସେଥିରେ ଗୋଟେ ବଡ଼ ଚାମଚ ଗୁଆଘିଅ, ଟିକେ ହେଙ୍ଗୁ ଦେଇ ତୁରନ୍ତ ପାତ୍ରଟିକୁ ନିବୁଜ କରି ଢାଙ୍କି ଦିଅନ୍ତୁ। ଯଦ୍ବାରା ଧୂଆଁର ବାସ୍ନା ବରାରେ ମିଶିଯିବ। ଦଶମିନିଟ୍ ପରେ କୋଇଲା ଗିନାକୁ ବାହାର କରି ଢାଙ୍କୁଣୀ ଦେଇ ୨୪ ଘଣ୍ଟା ଯାଏ ବରାପାତ୍ରକୁ ରଖିଦିଅନ୍ତୁ। ହୋଲିରେ ବିଭିନ୍ନ ମିଠା ଓ ପାନୀୟ ଇତ୍ୟାଦି ଗରିଷ୍ଠ ଜିନିଷ ଖାଇଥିଲେ ରାଜସ୍ଥାନର ପ୍ରସିଦ୍ଧ ଏହି କାଞ୍ଜିବରା ଖାଇଲେ ସହଜରେ ହଜମ ହୋଇଯିବ। କାଞ୍ଜିପାଣିରେ ବରା ବଦଳରେ ବୁନ୍ଦି ପକେଇ ଧନିଆପତ୍ର ମିଶେଇ ପାନୀୟ ଭାବେ ମଧ୍ୟ ପିଇପାରିବେ।