ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ହେବ ଶୂନ୍ୟ ଛାୟା ଦିବସ । ପୂର୍ବାହ୍ନ ୧୧ଟା ୪୩ ମିନିଟରେ ଭୁବନେଶ୍ୱରରେ ଯେକୌଣସି ଲମ୍ବ ଆକାରର ବସ୍ତୁର ଛାଇ ଦୃଶ୍ୟମାନ ହେବ ନାହିଁ । ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ ଏହି ଶୂନ୍ୟ ଛାୟା ସମୟ ରହିବ । ୨୫ ରୁ ୩୦ ବର୍ଷ ପୂର୍ବେ ଭାରତରେ ଜ୍ୟୋତିର୍ବିଜ୍ଞାନିମାନେ ବିଧିବଦ୍ଧ ଭାବେ ଏହି ଶୂନ୍ୟ ଛାୟା ଦିବସ ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ମେ ୨୧ ତାରିଖ ୧୧ଟା ୪୩ରେ ଭୁବନେଶ୍ୱରରେ ଏହି ଶୂନ୍ୟ ଛାୟା ପ୍ରତୀୟମାନ ହେଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହିତ ଓଡ଼ିଶାର ମାଲ୍କାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ଶୂନ୍ୟ ଛାୟା ଗତ ଦୁଇରୁ ତିନି ଦିନ ପୂର୍ବରୁ ପ୍ରତୀୟମାନ ହୋଇସାରିଥିବା ବେଳେ ଆସନ୍ତା ୨୨ରେ କଟକ, ୨୩ରେ ବଲାଙ୍ଗୀର, ୨୮ରେ ସମ୍ବଲପୁର ଓ ବୁର୍ଲା, ୩୧ରେ ବାରିପଦା ଏବଂ ଶେଷରେ ଅର୍ଥାତ୍ ଜୁନ୍ ୨ରେ ରାଉରକେଲାରେ ଏହି ଶୂନ୍ୟ ଛାୟା ଦେଖିବାକୁ ମିଳିବ।
ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ । ଏକ ସମତଳ ଜାଗାରେ ଖୁଣ୍ଟି, ଚାରିକୋଣିଆ ବାକ୍ସ, ବୋତଲ, ଇଟା ଭଳି କିଛି ଜିନିଷ ଖରାରେ ପଡ଼ୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଓ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନର କିଛି ସମୟ ପୂର୍ବରୁ ଲକ୍ଷ୍ୟ କରନ୍ତୁ କିପରି ବସ୍ତୁଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇ ଯାଉଛି ଓ କିଛି ସମୟ ପରେ ପୁଣି ଦେଖାଯାଉଛି ।