ଓଡ଼ିଶା ଦେଖିଲା ରାଜନୀତିର ବିଚିତ୍ର ରୂପ : ଆଗେ ଆଗେ ବିଜେପି, ପଛେ ପଛେ ବିଜେଡି

ବିଜେପି ସଭ୍ୟମାନେ ନବୀନ ନିବାସ ଅଭିମୁଖେ ଯିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରତିକ୍ରିୟା ମାଗିଥିଲେ। ମନ୍ତ୍ରୀ କହିଥିଲେ, ‘ସେମାନେ ପାପ କରିଛନ୍ତି। ତେଣୁ ପାପ ଛଡ଼ାଇବାକୁ ନବୀନ ନିବାସ ଯାଉଛନ୍ତି।’ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ବିଜେପି ବିଧାୟକମାନେ ଖପ୍ପା ହୋଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ମନ୍ତ୍ରୀଙ୍କ ମନ୍ତବ୍ୟରୁ ବୁଝିବାକୁ ପଡ଼ିବ ଯେ ବିଜେଡି ବିଧାୟକମାନେ ଅଧିକ ପାପ କରୁଛନ୍ତି। ସେଥି ପାଇଁ ସେମାନେ ନବୀନ ନିବାସ ଯାଉଛନ୍ତି। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ପାପ କିଏ କରିଛି ? ମନ୍ତ୍ରୀ ଶ୍ରୀ ଜେନା ନିଜେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଛନ୍ତି। ତେଣୁ ସେ ନିଜେ ପାପୀ। ଅନ୍ୟକୁ କହିବାର ଅଧିକାର ତାଙ୍କର ନାହିଁ।

ପଛେ ପଛେ ଚାଲିଛନ୍ତି ବିଜେଡି ବିଧାୟକ

ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ବିଜେପି ବିଧାୟକମାନେ ପ୍ରଥମେ ଲୋକସେବା ଭବନ ଗଲେ। ସେଠାରେ ଫାଟକ ନିକଟରେ ବିଜେଡି ମନ୍ତ୍ରୀ ଓ ବିଧାୟକମାନେ କହିଲେ ଯେ ମୁଖ୍ୟମନ୍ତ୍ରୀ ଏଠାରେ ନାହାନ୍ତି। ଏହା ପରେ ସେଠାରୁ ସିଧାସଳଖ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ ବିଧାୟକମାନେ ନବୀନ ନିବାସ ଅଭିମୁଖେ ପଦଯାତ୍ରା କଲେ। ସେମାନଙ୍କ ପଛେ ପଛେ ବିଜେଡି ବିଧାୟକ ଓ ନେତାମାନେ ବି ନବୀନ ନିବାସ ଆଡ଼େ ଚାଲିଲେ। ଏହି ଦୃଶ୍ୟ ବେଶ୍‌ ରୋଚକ ଥିଲା। ରାସ୍ତାରେ ଯାଉଥିବା ଲୋକମାନେ କିଛି ସମୟ ଅଟକି ରାଜନୀତିର ଏହି ହାଇଡ୍ରାମାକୁ ଲକ୍ଷ୍ୟ କରୁଥିବା ଦେଖାଯାଇଥିଲା। ନବୀନ ନିବାସ ନିକଟରେ ପହଞ୍ଚିଲା ବେଳକୁ ଫାଟକ ବନ୍ଦ ଥିଲା। ତାହା ପରେ ସେମାନେ ରାସ୍ତା ଉପରେ ବସି ପଡ଼ିଥିଲେ।

ବାହାରକୁ ଆସିଲେ ନବୀନ
ନବୀନ ନିବାସ ସାମ୍ନାରେ ବସିଥିବା ବିଜେପି ବିଧାୟକମାନଙ୍କୁ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ବୁଝାସୁଝା କରିଥିଲେ। କିନ୍ତୁ ସେମାନେ ଉଠି ନ ଥିଲେ। ଅପରାହ୍ନ ପ୍ରାୟ ୧ଟା ୪୫ ବେଳକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସିଲେ। ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଆଗେ ଆଗେ ବାଟ କଢ଼ାଇ ନେଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ବିକ୍ରମ କେଶରୀ ଅାରୁଖ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ଦେବୀ ମିଶ୍ର ପ୍ରମୁଖ ସାମ୍ନା‌େର ବସିଥିବା ବିଜେପି ବିଧାୟକଙ୍କ ନିକଟକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭିତରକୁ ଯାଇ ଆଲୋଚନା କରିବାକୁ ଡାକିଥିଲେ। ଏହା ପରେ ସେମାନେ ଉଠିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଭିତରକୁ ପ୍ରବେଶ କରିଥିଲେ।

ପ୍ରଦୀପ୍ତ ନାଏକ ସ୍ବାଗତମ…
ବିଜୁ ଜନତା ଦଳ ସ୍ବାଗତ କରେ ପ୍ରଦୀପ୍ତ ନାଏକ ସ୍ବାଗତମ। ବିଜୁ ଜନତା ଦଳ ସ୍ବାଗତ କରେ ବିଜେପି ବିଧାୟକ ସ୍ବାଗତମ। ଏମିତି ସ୍ଲୋଗାନ୍ ଦେଉଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପଛରେ ଅନ୍ୟ କର୍ମୀମାନେ ଯୋଡ଼ୁଥିଲେ, ସ୍ବାଗତମ…ସ୍ବାଗତମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ବିଧାୟକମାନେ ନବୀନ ନିବାସ ଭିତରକୁ ପ୍ରବେଶ ସମୟରେ ଏମିତି ସ୍ଲୋଗାନ୍ ଚାଲିଥିଲା। ବିଜେପି ବିଧାୟକମାନେ ଏଥିରେ ଅପ୍ରସ୍ତୁତ ହୋଇ ପଡ଼ୁଥିବା ଦେଖାଯାଇଥିଲା। କିନ୍ତୁ ବିଜେଡି ବିଧାୟକ ଓ କର୍ମକର୍ତ୍ତା ଏତେ ସଂଖ୍ୟାରେ ଥିଲେ ଯେ ସେମାନଙ୍କ ସ୍ଲୋଗାନ୍ ଆଗରେ କିଛି କହିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରି ନ ଥିଲା।

ବିଧାୟକଙ୍କୁ ସାଙ୍ଗରେ ନେଇ ନବୀନ ନିବାସ ଭିତରକୁ ଯାଉଛନ୍ତି

ଥଣ୍ଡା ପିଇଲେ, ଫଟୋ ଉଠାଇଲେ
ନବୀନ ନିବାସରେ ବିଜେପି ବିଧାୟକମାନଙ୍କୁ ଆତିଥେୟତା ଯୋଗାଇବାରେ ଆଦୌ ହେଳା କରାଯାଇ ନ ଥିଲା। ଆଲୋଚନା ପରେ ସେମାନଙ୍କୁ ଘୋଳଦହି, ପଇଡ ପାଣି, କୋଲଡ୍ରିଙ୍କସ ଆଦି ବ୍ୟବସ୍ଥା କରାଯାଇଥିଲା। କିଛି ବିଧାୟକ ତାହାକୁ ପିଇଥିଲେ। କିଛି ପିଇ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଶ୍‌ ଖୁସି ଜଣାପଡ଼ୁଥିଲେ ବିଜେପି ବିଧାୟକମାନେ। ସମସ୍ତେ ହସି ହସି ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ। ବିଜେଡି ମନ୍ତ୍ରୀ ଓ ବିଧାୟକମାନେ ବି ହସି ହସି ବିଜେପି ବିଧାୟକମାନଙ୍କ ସହ କରମର୍ଦ୍ଦନ କରିବା ସହ କୋଳେଇ ନେଉଥିଲେ।

ପକ୍ଷ ରଖୁଛନ୍ତି ବିରୋଧୀ ଦଳ ନେତା

ପାଖେ ପାଖେ ରହିଲେ ଯୋଗାଣ ମନ୍ତ୍ରୀ
ଧାନ ନ ଉଠିବା ନେଇ ରାଜ୍ୟ ସରକାର ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ହିଁ ବିରୋଧୀମାନେ ଟାର୍ଗେଟ୍‌ କରି ଆସୁଛନ୍ତି। ମନ୍ତ୍ରୀଙ୍କ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି। କିନ୍ତୁ ଆଜି ନବୀନ ନିବାସରେ ଖୋଦ୍ ଯୋଗାଣ ମନ୍ତ୍ରୀ ଏହି ଘଟଣାର ଆରମ୍ଭରୁ ଶେଷ ଯାଏ ଥିଲେ। ବିଜେପିର ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମୟରେ ସେ ବିଧାୟକମାନଙ୍କ ଗହଣରେ ବସିଥିଲେ। ତାଙ୍କ ସହ ବିରୋଧୀ ବିଧାୟକମାନେ ବେଶ୍‌ ହସଖୁସିରେ ଗପ ଜମାଇଥିଲେ। ଆଲୋଚନା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ହାତ ଧରି ମନ୍ତ୍ରୀ ଶ୍ରୀ ସ୍ବାଇଁ ହସି ହସି ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା।

ଲୋକସେବା ଭବନ ସାମ୍ନାରେ କଥା କଟାକଟି, ରାଗିଗଲେ ଜୟନାରାୟଣ
ଭୁବନେଶ୍ବର : ବିଧାନସଭା ବଜେଟ୍‌ ଅଧିବେଶନ ଚାଲିଛି। ଚାଷୀଙ୍କ ଧାନ କିଣା ପ୍ରସଙ୍ଗରେ ୬ ଦିନ ହେଲାଣି ଗୃହ ଅଚଳ ହେଲାଣି। ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇ ବି ଉତ୍ତର ମିଳୁନି। ଗୃହର ନେତା ହୋଇ ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁନାହାନ୍ତି। ଚାଲ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା। ଆଜି ଏପରି ଘୋଷଣା କରି ବିଜେପି ବିଧାୟକମାନେ ବିଧାନସଭା ମୁଲତବୀ ପରେ ମଧ୍ୟାହ୍ନରେ ବିଧାନସଭା ପରିସରରୁ ଗାଡ଼ିରେ ଯାଇ ପ୍ରଥମେ ଲୋକସେବା ଭବନର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲେ। ଏହି ସମୟରେ ବିଜେପି ବିଧାୟକମାନଙ୍କୁ ବାଟ କଡ଼େଇ ନେବା ପାଇଁ ଉଦ୍ୟମ କରିଥିଲେ ବିଜେଡିର ଆଗଧାଡ଼ିର କେତେକ ବିଧାୟକ ଓ ମନ୍ତ୍ରୀ। ଏଥିରେ ସାମିଲ ଥିଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ। ବିଜେପି ବିଧାୟକମାନେ ଲୋକସେବା ଭବନର ଫାଟକ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ମନ୍ତ୍ରୀ ସମୀର ଦାଶ ବିଜେପି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ସେଠାରେ ନଥିବା ନେଇ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଅଛନ୍ତି। ଆପଣମାନେ ସେଠାକୁ ଯାଆନ୍ତୁ ବୋଲି ଶ୍ରୀ ଦାଶ କହିବାକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଗିଯାଇ ଶ୍ରୀ ଦାଶଙ୍କୁ ‘ତମେ କିଏ ଆମକୁ ରୋକିବାକୁ’ ବୋଲି ପ୍ରଶ୍ନ କରିଥିଲେ। ଏ ନେଇ କିଛି ସମୟ ପାଇଁ ଉଭୟ ବିଜେଡି ଓ ବିଜେପି ସଦସ୍ୟଙ୍କ ଭିତରେ କଥା କଟାକଟି ହୋଇଥିଲା। ପରେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ନବୀନ ନିବାସ ଅଭିମୁଖେ ପାଦରେ ଚାଲି ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର