କୁକୁର ଗୁଳିରେ ମାଲିକ ମୃତ ! ଘଟଣା କ’ଣ ଜାଣନ୍ତୁ

ଅଙ୍କାରା : ତୁର୍କୀରେ ଏକ ଅଜବ ଘଟଣା ଘଟିଛି । କୁକୁର ଗୁଳିରେ ମାଲିକ ମୃତ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏବେ ପୁଣା ଘଟଣା ଜାଣନ୍ତୁ । ଓଜଗୁର ଗେଭରେକୋଗୁଲୁ ନାମକ ୩୨ ବର୍ଷୀୟ ବ୍ୟକ୍ତି ଗତ ସପ୍ତାହରେ ଶିକାର ପାଇଁ ତୁର୍କୀର ସାମସୁନ ରାଜ୍ୟର କିଜଲାନ ମାଳଭୂମିସ୍ଥିତ ଜଙ୍ଗଲ ଅଂଚଳକୁ ଯାଇଥିଲେ । ଏହି ସମୟରେ ତାଙ୍କ ସହ ତାଙ୍କର ପୋଷା କୁକୁର ଓ ତାଙ୍କର ଜଣେ ଶିକାର ସାଥୀ ମଧ୍ୟ ଥିଲେ ।

ଶିକାର କରିସାରିବା ପରେ ସେ ନିଜ ଗାଡ଼ିରେ ଉପକରଣ ରଖୁଥିବାବେଳେ ତଳେ ନିଜର ବନ୍ଧୁକ ରଖିଦେଇଥିଲେ । ଏହି ସମୟରେ କୁକୁରଟି ଡିଆଁଡେଇଁ କରୁଥିଲା । ହଠାତ କୁକୁରଟି ବନ୍ଧୁକର ଟ୍ରିଗର ଉପରେ ଚଢିଯିବାରୁ ବନ୍ଧୁକ ଫୁଟିଯାଇଥିଲା ଓ ଗୁଳି ଓଜଗୁରଙ୍କ ପେଟରେ ବାଜିଥିଲା । ସେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ।

ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଦେହରେ ଓଜଗୁରଙ୍କ ଶିକାର ସାଥୀକୁ ଗିରଫ କରିଥିଲା । କିନ୍ତୁ ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ ସେ ନିର୍ଦ୍ଦୋଷ ଓ ଗୁଳି କୁକୁର ଯୋଗୁଁ ଫୁଟିଥିଲା । ଏହା ପରେ ପୁଲିସ ଉକ୍ତ ୩୮ ବର୍ଷୀୟ ଯୁବକକୁ ଛାଡ଼ି ଦେଇଥିଲା । ମୃତ ଓଜଗୁରଙ୍କୁ ଗତ ସୋମବାରଦିନ କବର ଦିଆଯାଇଥିଲା । ତାଙ୍କୁ ଜଣେ ବଲ ଶିକାରୀ ଓ ଜଣେ କୁକୁର ପ୍ରେମୀ ଭାବେ ସ୍ଥାନୀୟ ଲୋକ ବର୍ଣ୍ଣନା କରିଛନ୍ତି ।

ସମ୍ବନ୍ଧିତ ଖବର