କୁମ୍ଭୀରର ‘କୁଆଁରୀ ଗର୍ଭଧାରଣ’!

କୌଣସି ପୁରୁଷ ସାଥୀ ବିନା ଗର୍ଭଧାରଣ କରିବା ଘଟଣା କିଛି ପକ୍ଷୀ, ମାଛ ଏବଂ ସାପ ଓ ଝିଟିପିଟି ପରି ସରୀସୃପ ପ୍ରଜାତିରେ ଦେଖାଯାଇଥାଏ ଯାହାକୁ ଜୀବବିଜ୍ଞାନୀମାନେ ‘କୁଆଁରୀ ଗର୍ଭବାସ’ ବୋଲି କହିଥା’ନ୍ତି। ତେବେ ପ୍ରଥମ କରି କୁମ୍ଭୀର କ୍ଷେତ୍ରରେ କୁଆଁରୀ ଗର୍ଭଧାରଣ ହେବା ଦେଖାଯାଇଛି। ଏକ ମାଈ କୁମ୍ଭୀର ଠାରୁ ଜାତ ଛୁଆ ଓ ମାଆର ୯୯.୯ ପ୍ରତିଶତ ଡିଏନ୍‌ଏ ମେଳ ଖାଇବା ଘଟଣା ଗବେଷକମାନଙ୍କୁ ବିସ୍ମିତ କରିଛି। କୁମ୍ଭୀରର ଏହି ଗୁଣଟି ହୁଏତ କୌଣସି ବିବର୍ତ୍ତନ କାରଣରୁ ଜାତ ହୋଇଥିବାର ଅନୁମାନ କରାଯାଉଛି।

ସୁତରାଂ ଡାଇନୋସରମାନେ ମଧ୍ୟ ଏପରି ଆତ୍ମ-ପ୍ରଜନନ କରିବାରେ ସକ୍ଷମ ହୋଇଥିବା ସମ୍ଭବ। ୨୦୧୮ ଜାନୁଆରିରେ ଏକ ଆମେରିକୀୟ ମାଈ କୁମ୍ଭୀର ଏପରି ଏକ ଅଣ୍ଡା ଦେଇଥିଲା। ତାହା ଭିତରେ ଥିବା ଭ୍ରୂଣଟି ସଂପୂର୍ଣ୍ଣ ଭାବେ ଗଠିତ ହୋଇଥିଲା ମାତ୍ର ତାହା ମୃତ ଅବସ୍ଥାରେ ଅଣ୍ଡାରୁ ବାହାରିଥିଲା। ଅଣ୍ଡା ଦେଇଥିବା ମାଈ କୁମ୍ଭୀରଟି ମାତ୍ର ଦୁଇ ବର୍ଷର ହୋଇଥିବା ବେଳେ ତାହା ମିଳିଥିଲା ଏବଂ ତାହାକୁ ଅନ୍ୟ କୁମ୍ଭୀରଙ୍କ ଠାରୁ ଅଲଗା ରଖାଯାଇଥିଲା। ତେଣୁ ତା’ଠାରେ ଏପରି ଆତ୍ମ ପ୍ରଜନନ ଘଟିଥିବା ଅନୁମାନ କରାଯାଉଥିଲା। ପରୀକ୍ଷା ନିରୀକ୍ଷାରୁ କୁମ୍ଭୀରଟିର ଅଣ୍ଡାରୁ ଜାତ ମୃତ ଶାବକଟିର କୌଣସି ଜନକ ନଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର