ନାରୀ ଶକ୍ତିର ଜ୍ୱଳନ୍ତ ଉଦାହରଣ : ମୁଣ୍ଡରେ ଓଢ଼ଣା ଦେଇ ଚାଷ ଜମିରେ ପାୱାର ଟିଲର ଧରି ହଳ କଲେ ଭଦ୍ରକ ଜିଲ୍ଲାର ଛାୟାରାଣୀ

ଭଦ୍ରକ : ନାରୀ କେବେ ଅବଳା ନୁହେଁ କି ଦୁର୍ବଳା ନୁହେଁ । ପୁରୁଷଙ୍କ ସମକକ୍ଷ ନାରୀ ଆଜି ସମାଜରେ ସମ୍ମାନନୀୟ ଓ ଦୃଢ଼ ପ୍ରତିଷ୍ଠିତ । ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର ଆତ୍ମବିଶ୍ୱାସ । ଏହିପରି ନାରୀଶକ୍ତିର ଅନନ୍ୟ ନିଦର୍ଶନ ହେଲେ ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ । କରୋନା ପାଇଁ ଗାଁ ଗାଁ ବୁଲି ପନିପରିବା ବାଣ୍ଟୁଥିବା ସଫଳ ମହିଳା ଚାଷୀ ଆଜି ପୁଣି ଥରେ ଚର୍ଚ୍ଚାରେ । ପୁରୁଷ ସମାଜ ଉପରେ ନିର୍ଭର ନକରି ନିଜେ ପାୱାରଟିଲର ଚଳାଇ ଜମି ହଳ କଲେ । ସମଗ୍ର ନାରୀ ସମାଜ ପାଇଁ ସେ ଏବେ ପ୍ରେରଣାର ଉତ୍ସ ।

ଭଦ୍ରକ ଜିଲ୍ଲା ବାସୁଦେବପୁରର ଛାୟାରାଣୀ ସାହୁ । ଜଣେ ସଫଳ ମହିଳା ଚାଷୀ ଭାବେ ବେଶ୍ ଜଣାଶୁଣା । ସଙ୍କଟ ସମୟରେ ନିଜ ଜମିରେ ଚାଷ କରି ଅସହାୟଙ୍କୁ ମାଗଣାରେ ପରିବା ବାଣ୍ଟିବା ପରେ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ତାଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ । ମହିଳା ରୂପରେ ସେ ଯେତିକି ମମତାମୟୀ, ସେତିକି ସଶକ୍ତ ଓ ସ୍ୱୟଂସମ୍ପୂର୍ଣ୍ଣ । ଓଡ଼ିଆଣୀର ସ୍ୱଭାବକୁ ସମ୍ମାନ ଦେଇ ସମଗ୍ର ମହିଳା ସମାଜକୁ ସେ ଆଜି ଆତ୍ମନିର୍ଭରଶୀଳତାର ବାର୍ତ୍ତା ଦେଇଛନ୍ତି । ମୁଣ୍ଡରେ ଓଢ଼ଣା ପକାଇ ଚାଷ ଜମିରେ ପାୱାର ଟିଲରରେ ଚାଷ କରିଛନ୍ତି। ନିଜ ଟ୍ୱିଟର ପେଜର ହଳ କରୁଥିବାର ଏହି ଭିଡ଼ିଓ ସେୟାର କରିଛନ୍ତି ଛାୟାରାଣୀ ଏବଂ କୃଷିମନ୍ତ୍ରୀଙ୍କୁ ଭିଡ଼ିଓରେ ଟ୍ୟାଗ୍ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଜଣେ ନାରୀ ସମସ୍ତ ପ୍ରକାର କାମ କରିବା ଆବଶ୍ୟକ ।

ସହନଶୀଳରତାର ସୁଶୀଳ ବାର୍ତ୍ତା ଦେଉଥିବା ନାରୀର ଥାଏ ଅନେକ ରୂପ । କେବେ ସେ ମା, କେବେ ଜାୟା, ଆଉ କେବେ ଭଗିନୀ ତ ଆଉ କେତେବେଳେ ଶକ୍ତିସ୍ୱରୂପିଣୀ । ତେବେ ଛାୟାରାଣୀଙ୍କୁ ଦେଖିବା ପରେ ନିଜ ଭାଗ୍ୟକୁ ନିନ୍ଦୁଥିବା ମହିଳାଙ୍କୁ ପ୍ରେରଣା ମିଳିବ ନିଶ୍ଚୟ ।

ସମ୍ବନ୍ଧିତ ଖବର