ନିଖିଳ ସୃଷ୍ଟିର ଯାତ୍ରା

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କାହିଁକି ‘ଦଶାବତାର’ ଯାତ୍ରା- ତାହାର ଏକ ବ୍ୟାପକତା ମିଳେ ‘ଶ୍ରୀମଦ୍‌ଭାଗବତ’ରୁ। ତାହାର ତୃତୀୟ ସ୍କନ୍ଧ, ଦଶମ ଅଧ୍ୟାୟରେ ଅଛି ଭଗବାନଙ୍କ ସୃଷ୍ଟିର ବର୍ଣ୍ଣନା। ବିଦୁରଙ୍କ ଅନୁରୋଧରେ, ପିତାମହ ବ୍ରହ୍ମାଙ୍କ ଦେହ ଓ ମନରୁ ଜାତ ହୋଇଥିବା ସେହି ସୃଷ୍ଟିର କଥା କହିଛନ୍ତି ମୈତ୍ରେୟ ମୁନି। ତାହା ଅନୁସାରେ- ଏହି ସୃଷ୍ଟି ହେଉଛି- ‘ପ୍ରାକୃତ’ ଓ ‘ବୈକୃତ’ ଭେଦରେ ନଅ ଏବଂ ଏ ଉଭୟର ସଂଯୋଗରେ ଏକ- ଏହିପରି ଦଶବିଧ। ଏଥିରୁ ପ୍ରାକୃତ ସୃଷ୍ଟି ହେଉଛି- ଛଅ। ଏହି ଛଅ ସୃଷ୍ଟି ହେଉଛନ୍ତି- ମହତ୍ତତ୍ତ୍ୱ, ଅହଂକାର, ଭୂତବର୍ଗ, ଇନ୍ଦ୍ରିୟ, ମନ ଓ ଦେବତା ଏବଂ ଅବିଦ୍ୟା ବା ଅଜ୍ଞାନ। ‘ମହତ୍ତତ୍ତ୍ୱ’ ହେଉଛି- ଈଶ୍ୱରଙ୍କ ପ୍ରେରଣାରେ ସତ୍ତ୍ୱ ଆଦି ଗୁଣମାନଙ୍କର ବୈଷମ୍ୟରୁ ଜାତ ସୃଷ୍ଟି। ‘ଅହଂକାର’ ହେଉଛି ତାହା- ଯେଉଁଥିରୁ ଦ୍ରବ୍ୟ, ଜ୍ଞାନ ଓ କ୍ରିୟାର ଉତ୍ପତ୍ତି ହୋଇଥାଏ। ‘ଭୂତବର୍ଗ’ ହେଉଛି- ଯେଉଁଥିରେ ପଞ୍ଚ ମହାଭୂତମାନଙ୍କୁ ଉତ୍ପନ୍ନ କରିବାପାଇଁ ସୂକ୍ଷ୍ମ ଶକ୍ତିଯୁକ୍ତ ପଞ୍ଚତନ୍ମାତ୍ର ରହିଥାଆନ୍ତି। ସେହିପରି ଜ୍ଞାନ ଓ କ୍ରିୟାତ୍ମକ ଇନ୍ଦ୍ରିୟମାନଙ୍କର ସୃଷ୍ଟି ହେଉଛି ‘ଇନ୍ଦ୍ରିୟ’। ସାତ୍ତ୍ୱିକ ଗୁଣର ବିକାରରୁ ସୃଷ୍ଟି ହେଉଛି- ‘ମନ ଓ ଦେବତା’ ଏବଂ ତମୋଗୁଣ ଯୋଗରେ ସୃଷ୍ଟି ହୋଇ ବୁଦ୍ଧିକୁ ଯାହା ଆଚ୍ଛାଦିତ କରେ, ତାହା ହେଉଛି- ‘ଅବିଦ୍ୟା’ ବା ‘ଅଜ୍ଞାନ’।

ଏହି ଛଅ ପ୍ରାକୃତ ସୃଷ୍ଟି ସହିତ, ତିନି ‘ବୈକୃତ’ ସୃଷ୍ଟି ମଧ୍ୟ ରହିଛନ୍ତି। ସେମାନେ ହେଲେ- ସ୍ଥାବର, ତିର୍ଯ୍ୟକ୍‌ଯୋନି ଓ ମନୁଷ୍ୟ। ବନସ୍ପତି, ଔଷଧି, ଲତା, ଦିକ୍‌ସାର (ବାଉଁଶ ଆଦି) ‘ସ୍ଥାବର’; ପଶୁ, ପକ୍ଷୀ ଓ ଜଳଜୀବମାନେ ‘ତିର୍ଯ୍ୟକ୍‌ଯୋନି’; ଏବଂ ରଜଗୁଣପ୍ରଧାନ ଓ କର୍ମପରାୟଣ ସୃଷ୍ଟି ହେଲେ- ‘ମନୁଷ୍ୟ’। ଛଅ ‘ପ୍ରାକୃତ’ ସୃଷ୍ଟି ସହିତ ଏ ତିନି ‘ବୈକୃତ’ ସୃଷ୍ଟିକୁ ମିଶାଇ- ସୃଷ୍ଟି ସଂଖ୍ୟା ନଅ। ଏହା ବ୍ୟତୀତ, ପ୍ରାକୃତ ଓ ବୈକୃତ- ଏ ଉଭୟକୁ ନେଇ ‘କୌମାରସର୍ଗ’ ଓ ‘ଦେବସର୍ଗ’ଙ୍କର ସୃଷ୍ଟି। ସନତ୍‌କୁମାର ଆଦି କୌମାରସର୍ଗ ଏବଂ ଦେବତା, ପିତୃ, ଅସୁର, ଗନ୍ଧର୍ବ, ଅପ୍‌ସରା, ଯକ୍ଷ, ରାକ୍ଷସ, ସିଦ୍ଧ, ଚାରଣ ଓ ବିଦ୍ୟାଧର ଆଦି ଦେବସର୍ଗ। ଏଣୁ ପ୍ରାକୃତ, ବୈକୃତ ଏବଂ ଦେବ ଓ କୌମାରଙ୍କୁ ମିଶାଇ ସୃଷ୍ଟିର ସଂଖ୍ୟା ୧୦। ଏହି ଦଶବିଧ ସୃଷ୍ଟିଙ୍କର ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ଯାତ୍ରା ହେଉଛି- ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଏଣୁ ଏହା ଦଶାବତାର ଯାତ୍ରା ଏବଂ ନିଖିଳ ସୃଷ୍ଟିପାଇଁ ଉଦ୍ଦିଷ୍ଟ ଯାତ୍ରା।

ସମ୍ବନ୍ଧିତ ଖବର