ବାଣ ପାଇଁ ଜଟଣୀ ମୁହାଁ : ବାଣ ଫୁଟାଇବା ପାଇଁ ହଜାରେ ବାରଣ ସତ୍ତ୍ୱେ ଜଟଣୀ ପାଇକାରୀ ବଜାରରୁ ବାଣ କିଣିବା ପାଇଁ ଏବେ ବିଭିନ୍ନ ଆଡ଼ୁ ଛୁଟୁଛି ସୁଅ

ବାଣ ଫୁଟାଇବା ପାଇଁ ହଜାରେ ବାରଣ। ଏଣେ ସୁପ୍ରିମ୍‌ କୋର୍ଟ କଟକଣା ଲଗେଇଛି, ତେଣେ ବର୍ଷା ବି ଡରାଉଛି। ପୁଣି ୧୨୦ ଡେସିବଲ୍‌ରୁ ଅଧିକ ଶବ୍ଦର ବାଣ ନ ଫୁଟାଇବାକୁ କଡ଼ା ତାଗିଦ୍‌। ସଚେତନ ନାଗରିକ ଏସବୁ ବାରଣ ଓ ତାଗିଦ୍‌କୁ ସମ୍ମାନ ସିନା ଦେଇଛନ୍ତି, ହେଲେ ମନ କୋଉ ବୁଝୁଛି ଯେ ? ଏତେ ସବୁ କଟକଣା ମଧ୍ୟରେ, ସମସ୍ତଙ୍କ ମନ ଜାଣି ଖୋଲିଛି ଜଟଣୀ ବାଣ ବଜାର। ଆଲୋକର ପର୍ବ ଦୀପାବଳିକୁ ଫିକା ନ ଛାଡ଼ିବା ପାଇଁ ବଜାରକୁ ଆସିଛି ରକମରକମର ବାଣ। ଢ଼ୋ’ ଢ଼ା’ ବାଣ ଅପେକ୍ଷା ସାଧାରଣ ବାଣ ବଜାର ସାରା ଛାଇ ଯାଇଛି। ସାଧାରଣ ବାଣ ଭିତରେ ସବୁଠୁ ଶୀର୍ଷରେ ରହିଛି ଫୁଲଝରି, କୁମ୍ପି ଓ ନୂଆ କିସମର ଦିଆସିଲି ବାଣ। ଖାଲି ସେତିକି ନୁହେଁ ଚଡ଼ଚଡ଼ି ଓ ବହୁରଙ୍ଗୀ ସଟ୍‌ସ ମଧ୍ୟ ଆକର୍ଷଣ ସାଜିଛି। ସହର ମଧ୍ୟରେ ବାଣ ଦୋକାନ ପାଇଁ ଏଥର ମାତ୍ର ୨ଦିନ ପାଇଁ ଅନୁମତି ମିଳିଛି। ଜଟଣୀ ପାଇକାରୀ ବଜାରରୁ ବାଣ କିଣିବା ପାଇଁ ଏବେ ବିଭିନ୍ନ ଆଡ଼ୁ ସୁଅ ଛୁଟିଛି।

ସିଜିନ୍‌ ସେଣ୍ଟରର ପ୍ରମୋଦ ଦାଶଙ୍କ କହିବା ମୁତାବକ, କିଟ୍‌କାଟ୍‌, ଅନାର, ମ୍ୟାଜିକ୍‌ ହ୍ବିଲ୍‌, ଅଶୋକା, ଗ୍ରିନ୍‌ ଫ୍ଲାୱାର ଫକ୍ସ ଭଳି ନୂଆ ବାଣ ଆସିଥିବା ବେଳେ ସମୁଦାୟ ୫୦୦ କିସମର ବାଣ ଉପଲବ୍ଧ ହେଉଛି। ତେବେ କଟକଣା କାରଣରୁ ଶିବକାଶୀରୁ ଆବଶ୍ୟକ ମୁତାବକ ବାଣ ଆସିପାରି ନାହିଁ। କେବଳ ସେତିକି ନୁହେଁ, ବାଣ ପାଇଁ ଆବଶ୍ୟକ କଞ୍ଚାମାଲ୍‌ ଆଣିବାରେ କଟକଣା ଯୋଗୁଁ ଦେଶି ବାଣ ମଧ୍ୟ ଆସିପାରି ନାହିଁ ବୋଲି ସେ କହିଛନ୍ତି।

ବାଣ ବଜାରର ଲଲାଟେନ୍ଦୁ ବେବର୍ତାଙ୍କ ସୂଚନା ମୁତାବକ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବାଣ ଏତେ ଆସି ନ ଥିବାରୁ ବେପାର ମାନ୍ଦା ରହିଛି। ବର୍ଷା ପାଗ ମଧ୍ୟ ବେପାରରେ ବାଧକ ସାଜିଛି। ତେବେ ବାଣ ମଧ୍ୟରେ ଲୋକେ ସାଧାରଣ ବାଣକୁ ବେଶି ପସନ୍ଦ କରୁଥିବା ସେ କହିଛନ୍ତି। ଜଟଣୀରେ ୭ଟି ଲାଇସେନ୍‌ସ ପ୍ରାପ୍ତ ପାଇକାରୀ ବାଣ ଦୋକାନ ରହିଛି। ଚଳିତ ବର୍ଷ ଜଟଣୀରେ କିନ୍ତୁ ବାଣ ବଜାରର ଜାଗା ପରିବର୍ତନ ହୋଇଛି। ତଳଖେଦା ରାସ୍ତ‌ା ସେଞ୍ଚୁରିଆନ ଛକ ପଡ଼ିଆରେ ୮୦ରୁ ଅଧିକ ଖୁଚୁରା ବେପାରି ବାଣ ପସରା ଖୋଲିଛନ୍ତି।

ସମ୍ବନ୍ଧିତ ଖବର