ଲୁଣା ଜଙ୍ଗଲର ଚିହ୍ନ ନାହିଁ, ମହାବାତ୍ୟା ପରେ ତତ୍ପରତା ଏହିଭଳି !

ରାଜନଗର(ସୂର୍ଯ୍ୟ ଲେଙ୍କା): ୧୯୯୯ ମହାବାତ୍ୟା ରାଜନଗର ବ୍ଲକରେ ନେଇଥିଲା ୪୭ ଅମୂଲ୍ୟ ଜୀବନ। ସାତଭାୟାର କାନପୁର ଗାଁକୁ ସଂପୂର୍ଣ୍ଣ ଭସାଇ ନେଇଥିଲା ବଙ୍ଗୋପସାଗର। ବ୍ୟାପକ କ୍ଷୟକ୍ଷତି ହୋଇଥିବା ରାଜନଗର ବ୍ଲକକୁ ସଜାଡିବା କାମ କିନ୍ତୁ ୨୦ ବର୍ଷ ଭିତରେ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ବ୍ଲକର ୪୮ଟି ଗାଁ ରହିଛି ସମୁଦ୍ର କୂଳରେ। ସମୁଦ୍ରରେ ଜୁଆର ଉଠିଲେ ଗ୍ରାମବାସୀଙ୍କ ଛାତି ଥରେ। କିନ୍ତୁ ଜୁଆରକୁ ଅଟକାଇବା ପାଇଁ ଥିବା ସୁରକ୍ଷା ପ୍ରାଚୀର ଲୁଣା ଘେରି ବନ୍ଧ ଅଧିକାଂଶ ସ୍ଥାନରେ ଦୁର୍ବଳ ସ୍ଥିତିରେ ଥିଲେ ବି ପ୍ରଶାସନ ତାହାର ମରାମତି ଦିଗରେ ପଦକ୍ଷେପ ନେଇ ପାରି ନାହିଁ। ଏପଟେ ହଜାର ହଜାର ପୀଡିତ ସରକାରୀ ଆବାସରୁ ବଂଚିତ ରହି ଆସିଛନ୍ତି। ରାବଣେଶ୍ବର ଗାଁରେ ତ ଏଯାଏ ଗୋଟିଏ ବି କୋଠାଘର ନିର୍ମାଣ ହୋଇପାରିନି। ଅନେକ ଗ୍ରାମର ବାସିନ୍ଦା କେବଳ ଦୁଃଖ, କ୍ଷୋଭ ଆଉ ଆତଙ୍କରେ ଦିନ କାଟୁଛନ୍ତି।

ଭିତ୍ତିଭୂମି ବିକାଶ ଏବଂ ଅଞ୍ଚଳର ସୁରକ୍ଷା ଆଳରେ କୋଟିକୋଟି ଟଙ୍କା ପ୍ରତ୍ୟେକ ବର୍ଷ ଖର୍ଚ୍ଚ ହେଉଥିବା ଦର୍ଶାଯାଉଛି। କିନ୍ତୁ ସେ ସବୁ ଯୋଜନାର ଚିହ୍ନବର୍ଣ୍ଣ ବି ନାହିଁ। ୧୯୭୧ ବାତ୍ୟା ରାଜନଗରର ୫ଟି ଗାଁକୁ ଭସାଇ ନେଇଥିଲା। ସେବେଠାରୁ ରାଜନଗରର ସୁରକ୍ଷାକୁ ନେଇ ଯୋଜନା ଚାଲିଛି। ୧୯୭୧ ବାତ୍ୟାରୁ ବର୍ତ୍ତି ଯାଇଥିବା ସାତଭାୟାବାସୀଙ୍କୁ ଥଇଥାନ ପାଇଁ ୪୦ ବର୍ଷ ପରେ ଅର୍ଥାତ ୨୦୧୧ରେ ବଗପାଟିଆରେ ଥଇଥାନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ସେଠାରେ ଏବେ ୮୦ ପରିବାରର ୫୭୧ ଲୋକ ଭାଗ୍ୟକୁ ଆଦରି ପଡି ରହିଛନ୍ତି।

ଉପକୂଳକୁ ସୁରକ୍ଷା ଦେବା ପାଇଁ ବିଶ୍ବବ୍ୟାଙ୍କ ସହାୟତାରେ ଆରମ୍ଭ ହୋଇଥିବା ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟର ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଉଛି। ରାଜନଗରର ଭିତରକନିକା ଅଞ୍ଚଳରେ ନୂତନ ଲୁଣା ଜଙ୍ଗଲ, ହେନ୍ତାଳ ବଣ ସୃଷ୍ଟି କରିବାକୁ ବ୍ୟାପକ ଅର୍ଥ ବ୍ୟୟ ହେଉଛି। କିନ୍ତୁ ବାତ୍ୟା ଓ ଜୁଆରରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଲୁଣା ଜଙ୍ଗଲର କେଉଁଠି ସୃଷ୍ଟି ହୋଇଛି, ତାହା ଖୋଜିବାକୁ ପଡୁଛି। ଗଲା ୨୦ ବର୍ଷରେ ଲୁଣା ଜଙ୍ଗଲ ନାମରେ କୋଟି‌ କୋଟି ଟଙ୍କା ଲୁଟ ଚାଲିଥିବାବେଳେ ଅସୁରକ୍ଷିତ ରାଜନଗରବାସୀଙ୍କୁ ବାତ୍ୟା ଡରାଇ ଚାଲିଛି।

ସମ୍ବନ୍ଧିତ ଖବର