ସଂସଦର ଯୁବ ବ୍ରିଗେଡ୍: ସର୍ବକନିଷ୍ଠ ଓଡ଼ିଶାର ଚନ୍ଦ୍ରାଣୀ

ନୂଆଦିଲ୍ଲୀ: ଶେଷ ହୋଇଛି ଲୋକସଭା ନିର୍ବାଚନ। ଦେଶ ନିଜ ନିର୍ବାଚିତ ପ୍ରତିନିଧିଙ୍କୁ ସଂସଦକୁ ପଠାଇଛି। ନୂଆ କରି ସଂସଦକୁ ନିର୍ବାଚିତ ହୋଇ ଆସିଥିବା ସାଂସଦମାନଙ୍କୁ ନେଇ ଏଥର ପ୍ରଚ୍ଛଦ ପ୍ରସଙ୍ଗ ପ୍ରସ୍ତୁତ କରିଛି  ଜାତୀୟ ପତ୍ରିକା ‘ଇଣ୍ଡିଆ ଟୁଡେ’ । ଏହି  ପ୍ରଚ୍ଛଦ ପ୍ରସଙ୍ଗର  ଶୀର୍ଷକ ରଖାଯାଇଛି ‘ଦି ନ୍ୟୁ ବ୍ରିଗେଡ୍’ । ଆଉ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଚନ୍ଦ୍ରାଣୀ ମୁର୍ମୁ। ଦେଶର ସବୁଠାରୁ କମ୍ ବୟସ୍କ ସାଂସଦ ଭାବେ ‘ଇଣ୍ଡିଆ ଟୁଡେ’ ଚନ୍ଦ୍ରାଣୀଙ୍କୁ ଉପସ୍ଥାପିତ କରିଛି।

ଚନ୍ଦ୍ରାଣୀ ମୁର୍ମୁ- ପାର୍ଲାମେଣ୍ଟ ଇତିହାସରେ ସବୁଠାରୁ କନିଷ୍ଠ ସାଂସଦର ମାନ୍ୟତା ପାଇଛନ୍ତି ଓଡ଼ିଶାର ଚନ୍ଦ୍ରାଣୀ ମୁର୍ମୁ । ୨୫ ବର୍ଷୀୟ ବି-ଟେକ୍ ଛାତ୍ରୀ ଚନ୍ଦ୍ରାଣୀ ବିଜେଡି ଟିକେଟରେ କେନ୍ଦୁଝରରୁ ଜିତି ଯାଇଛନ୍ତି ସଂସଦ ।

ତେଜସ୍ୱୀ ସୂର୍ଯ୍ୟା- ୨୮ ବର୍ଷୀୟ ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ ବେଙ୍ଗାଲୁରୁର ବିଜେପି ସାଂସଦ । ବିଜେପି ସୋସିଆଲ ମିଡିଆ ସେଲରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଥିବା ତେଜସ୍ୱୀ କଂଗ୍ରେସ ହେଭିୱେଟ୍ ବି କେ ହରିପ୍ରସାଦଙ୍କୁ ହରାଇଛନ୍ତି । ଜଣେ ଆଇନଜୀବୀ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢିବାର ଅନୁଭୂତି ବି ରହିଛି ।

ଗୌତମ ଗମ୍ଭୀର- କ୍ରିକେଟ ପଡିଆରୁ ସଂସଦ ଭବନ । ପୂର୍ବ ଦିଲ୍ଲୀରୁ ପ୍ରାୟ ୩ ଲକ୍ଷ ଭୋଟରେ ଜିତି ସଂସଦକୁ ଆସିଛନ୍ତି ଏହି ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର।

ରବି କିଷନ- ଭୋଜପୁରୀ ଷ୍ଟାର ରବି କିଷନ ୨୦୧୪ରେ କଂଗ୍ରେସ ଟିକେଟରେ ଲଢି ଜୋନପୁରରୁ ହାରିଥିଲେ । ହେଲେ ବିଜେପି ଟିକେଟରେ ଗୋରଖପୁରରୁ ଲଢି ସଂସଦରେ ପ୍ରବେଶ କରିଛନ୍ତି । ୟୁପି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକସଭା ଆସନ ଗୋରଖପୁରକୁ ପୁଣି ବିଜେପି ଖାତାକୁ ଫେରାଇ ଆଣିଛନ୍ତି ।

ମିମି ଚକ୍ରବର୍ତ୍ତୀ- ପ୍ରଥମଥର ସଂସଦକୁ ନିର୍ବାଚିତ ହୋଇଛନ୍ତି ବେଙ୍ଗଲି ସୁପରଷ୍ଟାର ମିମି ଚକ୍ରବର୍ତ୍ତୀ । ପଶ୍ଚିମବଙ୍ଗ ଯାଦବପୁର ଲୋକସଭା ଆସନରୁ ଟିଏମସି ଟିକେଟରେ ଲଢ଼ି ସଂସଦକୁ ଯାଇଛନ୍ତି ମିମି । ସଂସଦ ଭବନ ସାମ୍ନାରେ ତାଙ୍କର  ଜିନ୍ସଫିନ୍ଧା ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା।

ପଲ୍ଲଭ ଲୋଚନ ଦାସ- ତେଜପୁର ଆସନରୁ କଂଗ୍ରେସ ହେଭିୱେଟ୍ ଏମଜିଭିକେ ଭାନୁଙ୍କୁ ୨ ଲକ୍ଷ ଭୋଟରେ ହରାଇ ସଂସଦରେ ପ୍ରଥମ ଥର ଲାଗି ସଦସ୍ୟ ବନିଛନ୍ତି  ବିଜେପି ସାଂସଦ ପଲ୍ଲଭ ଲୋଚନ ଦାସ ।

ଅମୋଲ କୋହଲି- ମହାରାଷ୍ଟ୍ର ଶିହରୁର ଆସନରୁ ଏନସିପି ଟିକେଟରେ ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି ଅମୋଲ କୋହଲି । ମରାଠୀ ଟିଭି ସିରିଏଲରେ ଛତ୍ରପତି ସମ୍ଭାଜୀ ଭୂମିକାରେ ନଜର ଆସି ବେଶ ଲୋକପ୍ରିୟ ହୋଇପାରିଥିଲେ କୋହଲି ।

ସମ୍ବନ୍ଧିତ ଖବର