କରୋନା ସହ ଲଢ଼େଇ କରି ଜିତିଲେ ୧୦୩ ବର୍ଷୀୟ ବୃଦ୍ଧା !

ନୂଆଦିଲ୍ଲୀ: ଇରାନରେ ଜଣେ ବୃଦ୍ଧା ମାରାତ୍ମକ କରୋନା ଭାଇରସକୁ ହରାଇବାରେ ସଫଳ ହୋଇଛନ୍ତି। ବୟସ ୧୦୩ ହୋଇଥିଲେ ମଧ୍ୟ ସେ ଏବେ କରୋନାଭାଇରସ ସହ ଲଢ଼େଇ କରି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ବୟସରେ ସାଧାରଣତଃ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥିବାରୁ ଜୀବନ ଯିବାର ଆଶଙ୍କା ଅଧିକ ରହିଥାଏ। ହେଲେ ଇରାନର ଏହି ବୃଦ୍ଧାଜଣଙ୍କ ସପ୍ତାହକ ମଧ୍ୟରେ କରୋନାକୁ ହରାଇବାରେ ସଫଳ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, କରୋନା ଦ୍ବାରା ଆକ୍ରାନ୍ତ ହେବା ପରେ ବୃଦ୍ଧାଙ୍କୁ ସେମନ୍ ମେଡିକାଲ୍ ସାଇନ୍ସ ୟୁନିଭରସିଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସପ୍ତାହେ ପର୍ଯ୍ୟନ୍ତ ଚିକିତ୍ସା କରାଯିବା ପରେ ଏବେ ତାଙ୍କୁ ଘରକୁ ପଠାଯାଇଥିବା କହିଛନ୍ତି ସେମନ୍ ମେଡିକାଲ୍ ସାଇନ୍ସ ୟୁନିଭରସିଟିର ମୁଖ୍ୟ ନାଭିଡ ଦାନାଇ। ଉଚ୍ଚ ରକ୍ତଚାପ ଏବଂ ଆଜମା ଭଳି ରୋଗ ଥିବା ସତ୍ତ୍ବେ ବୃଦ୍ଧା ସୋମବାର ସୁସ୍ଥ ହୋଇଥିଲେ ବୋଲି ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି। ଏହି ମହିଳା ଇରାନରେ ଦ୍ୱିତୀୟ ବୃଦ୍ଧ ରୋଗୀ ଥିଲେ। ତାଙ୍କ ପୂର୍ବରୁ ଇରାନର ଦକ୍ଷିଣ ପୂର୍ବରେ ଥିବା କରମାନର ଜଣେ ୯୧ବର୍ଷ ବୟସ୍କ ବୃଦ୍ଧ କରୋନା ଦ୍ବାରା ପୀଡ଼ିତ ହୋଇ ସୁସ୍ଥ ହେବାରେ ସଫଳ ହୋଇଥିଲେ।

indiatimes.com

ସୂଚନା ମୁତାବକ, ଫେବୃଆରୀ ୧୯ରେ ଇରାନ ପ୍ରଥମ କ‌ରୋନା ମୃତ୍ୟୁ ଘୋଷଣା କରିବା ପରଠାରୁ ‌ନୋଭେଲ କରୋନାଭାଇରସ୍ ଦେଶର ୩୧ଟି ପ୍ରଦେଶରେ ବ୍ୟାପିଛି ଏବଂ ପ୍ରାୟ ୧୦୦୦ଜଣ ଲୋକଙ୍କର ମୃତ୍ୟୁ ଘଟି ସାରିଛି।

ସମ୍ବନ୍ଧିତ ଖବର